Home Top News ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି : ଦିଲ୍ଲୀ ଜାହାଙ୍ଗୀରପୁରୀରେ ବୁଲଡୋଜର ଚାଲିବା ଉପରେ ଲଗାଇଲେ ରୋକ

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି : ଦିଲ୍ଲୀ ଜାହାଙ୍ଗୀରପୁରୀରେ ବୁଲଡୋଜର ଚାଲିବା ଉପରେ ଲଗାଇଲେ ରୋକ

48

ନୂଆ ଦିଲ୍ଲୀ ୨୦-୪ (ଓଡ଼ିଆ ପୁଅ) ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି। ଦିଲ୍ଲୀ ଜାହାଙ୍ଗୀର ପୁରୀରେ ବୁଲଡୋଜର ଚାଲିବା ଉପରେ ଲଗାଇଲେ ରୋକ। ଆସନ୍ତାକାଲି ହେବ ଶୁଣାଣି। ସେ ପର୍ଯ୍ୟନ୍ତ ପୂର୍ବସ୍ଥିତି ବଜାୟ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଏଠାରେ ସୂଚନା ଦିଆଯାଇପାରେଯେ, ଗତ ଦିନରେ ଜାହାଙ୍ଗୀରପୁରୀରେ ଦୁଇ ସଂପ୍ରଦାୟ ମଧ୍ୟରେ ହିଂସା ହୋଇଥିଲା। ଏହା ପରେ ଉକ୍ତ ସ୍ଥାନରେ ବୁଲଡୋଜର ଚଲାଇବା ପାଇଁ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ ନଗର ନିଗମ। ତେବେ, ଏହା ବିରୁଦ୍ଧରେ କିଛି ଲୋକ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ଏହା ପରେ ସୁପ୍ରିମକୋର୍ଟ ଏହି ଆଦେଶ ଉପରେ ଆସନ୍ତା କାଲି ବିଚାର କରିବା ସହିତ ତୁରନ୍ତ ବୁଲଡୋଜର ଦ୍ୱାରା ଅତିକ୍ରମଣ ହାଟାଇବା ଉପରେ ରୋକ ଲଗାଇଛନ୍ତି।

ଏହା ପରେ ମେୟର ରାଜ ଇକବାଲ ସିଂ ପ୍ରକାଶ କରିଛନ୍ତିଯେ, ସୁପ୍ରିମକୋର୍ଟଙ୍କ ଆଦେଶ ମାନିବାକୁ ପଡ଼ିବ।

ଜାହାଙ୍ଗୀରପୁରୀରେ ଦଙ୍ଗା ପରେ ଅତିକ୍ରମଣ ହଟାଇବା ପାଇଁ ଅର୍ଥାତ୍ ବେନିୟମ ନିର୍ମାଣ ଭାଙ୍ଗିବା ପାଇଁ ଦିଲ୍ଲୀ ନଗର ନିଗମ ତରଫରୁ ବୁଲଡୋଜର ଦ୍ୱାରା ବେଆଇନ ନିର୍ମାଣ ତଥା ଅତିକ୍ରମଣ ହଟାଇବା ଅଭିୟାନ ଆଜି ଆରମ୍ଭ ହୋଇଥିଲା। ତେବେ ସୁପ୍ରିମକୋର୍ଟ ବର୍ତ୍ତମାନ ବୁଲଡୋଜର ଦ୍ୱାରା ଏହାକୁ ସ୍ଥଗିତ ରଖିଛନ୍ତି। ଅଦାଲତ କହିଛନ୍ତି ଯେ, ବର୍ତ୍ତମାନ ପୂର୍ବ ସ୍ଥିତି ବଜାୟ ରଖିବା ଉଚିତ୍। ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନକୁ ନିର୍ଦ୍ଦେଶ ଦିଆଯାଇଛି। ଅଦାଲତ କହିଛନ୍ତି ଯେ, ବର୍ତ୍ତମାନ ବେଆଇନ ନିର୍ମାଣ ଭାଙ୍ଗିବା କାର୍ଯ୍ୟ ବନ୍ଦ କରାଯିବା ଉଚିତ। ବରିଷ୍ଠ ଓକିଲ ଦୁଷ୍ୟନ୍ତ ଡାଭେ, କପିଲ ସିବଲ, ପିଭି ସୁରେନ୍ଦ୍ରନାଥ ଏବଂ ପ୍ରଶାନ୍ତ ଭୂଷଣ ମ୍ୟୁନିସିପାଲିଟି କର୍ପୋରେସନର କାର୍ଯ୍ୟାନୁଷ୍ଠାନ ବିରୋଧରେ କୋର୍ଟରେ ହାଜର ହୋଇଥିଲେ। ନିଗମର କାର୍ଯ୍ୟକୁ ବେଆଇନ ବୋଲି ବର୍ଣ୍ଣନା କରି ଦୁଷ୍ୟନ୍ତ ଡାଭେ କହିଛନ୍ତି ଯେ ବେଆଇନ ଦଖଲ ଏବଂ ନିର୍ମାଣ ଭାଙ୍ଗିବା ପାଇଁ ବୁଲଡୋଜର ପଠାଇବା ପୂର୍ବରୁ ଲୋକଙ୍କୁ କୌଣସି ବିଜ୍ଞପ୍ତି କିମ୍ବା ନୋଟିସ୍ ଜାରି କରାଯାଇ ନାହିଁ।

ସେ କହିଛନ୍ତି ଯେ, ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ବେଆଇନ ଏବଂ କାହାକୁ ନୋଟିସ ଜାରି କରାଯାଇ ନାହିଁ। ଏହା ଉପରେ ପ୍ରଧାନ ବିଚାରପତି ଏନ.ଭି ରମଣନାଙ୍କ ବେଞ୍ଚ ପୂର୍ବ ସ୍ଥିତି ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଆସନ୍ତାକାଲି ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ଆସନ୍ତାକାଲି ସମସ୍ତ ପକ୍ଷର ଶୁଣାଣି ପରେ କୋର୍ଟ ନିର୍ଦ୍ଦେଶ ଜାରି କରିବେ। ସୂଚନାଯୋଗ୍ୟ ଯେ ବୁଧବାର ସକାଳେ ୯ ଟି ବୁଲଡୋଜର ଜାହାଙ୍ଗୀରପୁରୀରେ ପହଞ୍ଚିଥିଲା ଏବଂ ବେଆଇନ ଦଖଲ ତଥା ନିର୍ମାଣ ଭାଙ୍ଗିବାକୁ ପ୍ରସ୍ତୁତି ଚଲାଇଥିଲା। ଏହି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସୁରକ୍ଷା ବାହିନୀକୁ ବ୍ୟାପକ ପରିମାଣରେ ନିୟୋଜିତ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବୁଲଡୋଜର ଫେରିବା ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.