Home Top News ସୁନ୍ଦରଗଡ଼ ଡିଏମଏଫ ପରିଚାଳନା ପରିଷଦର ବାର୍ଷିକ ବୈଠକ: ଖଣି ପ୍ରଭାବିତ ଅଞ୍ଚଳର ବାସିନ୍ଦାଙ୍କ ସହ ଜିଲ୍ଲାର ଦୀର୍ଘକାଳୀନ...

ସୁନ୍ଦରଗଡ଼ ଡିଏମଏଫ ପରିଚାଳନା ପରିଷଦର ବାର୍ଷିକ ବୈଠକ: ଖଣି ପ୍ରଭାବିତ ଅଞ୍ଚଳର ବାସିନ୍ଦାଙ୍କ ସହ ଜିଲ୍ଲାର ଦୀର୍ଘକାଳୀନ ବିକାଶ ଦିଗରେ ପାଣ୍ଠି ବିନିଯୋଗ ଉପରେ ଗୁରୁତ୍ୱ

43

ସୁନ୍ଦରଗଡ଼, ୩୧ ଜୁଲାଇ ୨୦୨୧: ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପରିଚାଳନା ପରିଷଦର ଅଷ୍ଟମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶନିବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଭବନଠାରେ ଆୟୋଜିତ ଏହି ବୈଠକରେ ଡିଏମଏଫ ପାଣ୍ଠି ବିନିଯୋଗରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ କିପରି ଆଗକୁ ନିଆଯାଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

ସୁନ୍ଦରଗଡ଼ ଜିଲ୍ଲାପାଳ ତଥା ଡିଏମଏଫ ଟ୍ରଷ୍ଟର ଅଧ୍ୟକ୍ଷ ଓ ମ୍ୟାନେଜିଂ ଟ୍ରଷ୍ଟି ନିଖିଲ ପବନ କଲ୍ୟାଣ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଡିଏମଏଫ ପାଣ୍ଠି ସହାୟତାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରମୁଖ ପ୍ରକଳ୍ପର ଅଗ୍ରଗତି ତଥା ନୂଆ କରି ହାତକୁ ନିଆଯାଇଥିବା ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ସେ ସୂଚନା ଦେଇଥିଲେ। ଏହି ପାଣ୍ଠି କେବଳ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଖର୍ଚ୍ଚ କରାଯାଉଛି ବୋଲି ଜିଲ୍ଲାପାଳ ଏହି ଅବସରରେ ସୂଚନା ଦେଇଥିଲେ। ବିଶେଷକରି ଡିଏମଏଫର କାର୍ଯ୍ୟ ଖସଡ଼ାରେ ଅଗ୍ରାଧିକାର ଦିଆଯାଉଥିବା ବିଷୟ ତଥା ଜିଲ୍ଲାର ଦୀର୍ଘକାଳୀନ ବିକାଶ ଲାଗି ଆବଶ୍ୟକ ବିଭିନ୍ନ ଅଭିନବ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଥିଲେ।

ଏହି ବୈଠକରେ ଟ୍ରଷ୍ଟ ବୋର୍ଡର ସଦସ୍ୟ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ସହିତ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଜଗାଙ୍ଗପୁର ବିଧାୟକ ଡକ୍ଟର ସି ଏସ୍ ରାଜିନ୍ ଏକ୍କା, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଏବଂ ନିମନ୍ତ୍ରିତ ସଦସ୍ୟ ଭାବେ ତଳସରା ବିଧାୟକ ଭବାନୀଶଙ୍କର ଭୋଇ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଦେଇଥିଲେ।

ଖଣି ପ୍ରଭାବିତ କୋଇଡ଼ା, ଲହୁଣୀପଡ଼ା ଏବଂ ହେମଗିରି ଦେଇ ଯାଇଥିବା ୨୧୫ ଏବଂ ୨୨୦ ନମ୍ବର ରାଜପଥ, ଲହୁଣୀପଡ଼ା ବ୍ଲକରେ ରାଜାମୁଣ୍ଡା-କଲେଇପୋଷ ରାସ୍ତା ଏବଂ ହେମଗିର ବ୍ଲକରେ ବାଙ୍କୀବାହାଲ-ଟପରିଆ ରାସ୍ତା ମରାମତି କରିବାକୁ ପ୍ରସ୍ତାବ ଦେଇଥିଲେ ସାଂସଦ ଜୁଏଲ ଓରାମ। ସେହିପରି ଜିଲ୍ଲାର ଟିଙ୍କୋ ଘାଟି, ହେମଗିର ଏବଂ ରାଉରକେଲାଠାରେ ଟ୍ରକ ଟର୍ମିନାଲ ନିର୍ମାଣ କରିବାକୁ ସେ ପ୍ରସ୍ତାବ ଦେଇଥିଲେ।

ସୁନ୍ଦରଗଡ଼ ସହର ଚାରିପଟେ ଏକ ରିଙ୍ଗ୍ ରୋଡ୍ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ ବିଧାୟିକା କୁସୁମ ଟେଟେ। ସେହିପରି ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଜିଲ୍ଲାର ପ୍ରତି ପଞ୍ଚାୟତରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରି କମ୍ ବୟସରୁ ପିଲାମାନଙ୍କୁ କ୍ରୀଡ଼ା ପ୍ରତି ଆକର୍ଷିତ କରିବାକୁ ମତ ଦେଇଥିଲେ। ରାଜଗାଙ୍ଗପୁର ବିଧାୟକ ଡକ୍ଟର ସି ଏସ୍ ରାଜିନ ଏକ୍କା ହାତୀ ଉପଦ୍ରଵ କାରଣରୁ ବାସଶୂନ୍ୟ ହେଉଥିବା ଲୋକଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଥିଲେ।

ଡିଏମଏଫର ଆର୍ଥିକ ସହାୟତାରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ସଡ଼କ ତିଆରି କାର୍ଯ୍ୟ ଜାରି ରହିଛି। ଏହା ଫଳରେ ଗମନାଗମନ ସୁଗମ ହେବା ସହିତ ଲୋକଙ୍କ ଜୀବନ ଯାପନରେ ଉନ୍ନତି ଆସିପାରିଛି। ତେବେ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ରାସ୍ତାର ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଅନ୍ୟ ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ। ସେହିପରି ହକି ସହିତ ଫୁଟବଲ୍ ତଥା ଅନ୍ୟ କ୍ରୀଡ଼ାର ବିକାଶ ଲାଗି ବ୍ଲକ ସ୍ତରରେ ବହୁମୁଖୀ ସୁବିଧା ଥିବା ଭିତ୍ତିଭୂମି ନିର୍ମାଣ କରିବା ଏବଂ ଗ୍ରାମାଞ୍ଚଳର ଜଳାଶୟଗୁଡ଼ିକର ଉନ୍ନତୀକରଣ ଲାଗି ମଧ୍ୟ ଜୋର୍ ଦେବାକୁ ସଦସ୍ୟମାନେ ମତ ଦେଇଥିଲେ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ରାଉରକେଲା ସରକାରୀ ଚିକିତ୍ସାଳୟର ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ, ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ପ୍ରଦୀପ କୁମାର ମିରାସେ, ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏମା ଏକ୍କାଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଡିଏମଏଫର ଅଧିକାରୀମାନେ ଉପସ୍ଥିତ ଥିଲେ।

ଡିଏମଏଫ ପାଣ୍ଠିର ଆର୍ଥିକ ସହାୟତାରେ ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯାଉଛି। ସ୍ୱାସ୍ଥ୍ୟ ଓ ପୋଷଣ, ମହିଳା ଓ ଶିଶୁ ବିକାଶ, ଦକ୍ଷତା ବିକାଶ, ଜୀବିକା, ଶିକ୍ଷା, ପାନୀୟ ଜଳ ଓ ପରିମଳ, ଭିନ୍ନକ୍ଷମ କଲ୍ୟାଣ, ଭିତ୍ତିଭୂମି ଓ ଯୋଗାଯୋଗ, ଶକ୍ତି, ପରିବେଶ ସୁରକ୍ଷା ଏବଂ କୃଷି ଆଦି ବିଭିନ୍ନ କ୍ଷେତ୍ରର ବିକାଶକୁ ସବୁବେଳେ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ଖଣି ପ୍ରଭାବିତ ଅଞ୍ଚଳର ବାସିନ୍ଦା ତଥା ଆଦିବାସୀଙ୍କ କଲ୍ୟାଣ ଲାଗି ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକଳ୍ପ ହାତକୁ ନେଇ ଆସୁଛି। ଏହିସବୁ ପ୍ରକଳ୍ପ ସାକାର କରିବା ପାଇଁ ଡିଏମଏଫ ଆର୍ଥିକ ସହାୟତା ଯୋଗାଇ ଦେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.