Home ଓଡ଼ିଶା ସିରାଜ୍ଜୁଦ୍ଦିନ ଖଣି କବ୍ଚାରେ ଆଦିବାସୀଙ୍କ ପଟ୍ଟା ଜମି, ଗୁହାରୀ ଶୁଣୁନି ପ୍ରଶାସନ, ଆତ୍ମାହୁତି ପାଇଁ ଦେଲେ...

ସିରାଜ୍ଜୁଦ୍ଦିନ ଖଣି କବ୍ଚାରେ ଆଦିବାସୀଙ୍କ ପଟ୍ଟା ଜମି, ଗୁହାରୀ ଶୁଣୁନି ପ୍ରଶାସନ, ଆତ୍ମାହୁତି ପାଇଁ ଦେଲେ ଧମକ

44

ଯୋଡା, ୧୯ା୫ (ଓଡ଼ିଆ ପୁଅ / ସେକ୍ ଜାବିର ମହମ୍ମଦ) : ସରଳ, ନିରୀହ ଆଦିବାସୀମାନଙ୍କ ସୁରକ୍ଷା ଓ ବିକାଶ ନିମନ୍ତେ ସରକାର ଅନେକ ଆଇନ ପ୍ରଣୟନ କରିଛନ୍ତି। କିନ୍ତୁ ପୁଞ୍ଜିପତିଙ୍କ ସହ କେତେକ ଅସାଧୁ ଅଧିକାରୀଙ୍କ ଭିତିରି ସମ୍ପର୍କ ଯୋଗୁଁ ବର୍ଷ ବର୍ଷ ଧରି ଆଦିବାସୀଟିଏ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବାର ନଜିର ରହିଛି। ସରଳତାର ସୁଯୋଗ ନେଇ ସେମାନଙ୍କୁ ପୁଞ୍ଜିପତି, ଖଣି ମାଲିକମାନେ ଶୋଷଣ କରୁଛନ୍ତି। ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ସେମାନଙ୍କୁ ମିଳିପାରୁନାହିଁ ସେମାନଙ୍କର ହକ୍। କେତେକ ଆଦିବାସୀଙ୍କ ପଟ୍ଟାଭୁକ୍ତ ଜମିକୁ ସିରାଜ୍ଜୁଦ୍ଦିନ ଖଣି କମ୍ପାନୀ ଜବରଦଖଲ କରି ବ୍ୟବହାର କରିଆସୁଥିବା ବେଳେ ବାରମ୍ବାର ଅଭିଯୋଗ କରି ୮ ବର୍ଷର ସଂଘର୍ଷ ପରେ ମଧ୍ୟ ସେମାନେ ସେମାନଙ୍କର ଜମି ଫେରିପାଇପାରିନାହାନ୍ତି। ଫଳରେ ଦୀର୍ଘ ୧୦ଦିନରୁ ଉର୍ଦ୍ଧ୍ୱ ହେବ ସିରାଜ୍ଜୁଦ୍ଦିନ ଖଣି ଫାଟକ ସମ୍ମୁଖରେ ସେମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଏଥର ସରକାର ତାଙ୍କ କଥା ନଶୁଣିଲେ ସେମାନେ ସାମୁହିକ ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି। ଯେଉଁଥିପାଇଁ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଦାୟି ରହିବ ବୋଲି ସେମାନେ କ୍ଷୋଭର ସହ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

କେନ୍ଦୁଝର ଜିଲା ବଡବିଲ ତହସିଲ ଅନ୍ତର୍ଗତ ମେସର୍ସ ସିରାଜ୍ଜୁଦ୍ଦିନ ଏଣ୍ଡ କମ୍ପାନୀ ର ବଳଦା ଠାରେ ଏକ ଲୌହ ଖଣି ରହିଛି। ୩୩୫.୫୯ ହେକ୍ଟର ପରିମିତ ଏହି ଖଣିଟିକୁ ସିରାଜ୍ଜୁଦ୍ଦିନ କମ୍ପାନୀ ୧୯୬୨ ମସିହାରେ ଲିଜ୍ ସୂତ୍ରରେ ପାଇଥିଲେ। ତେବେ ଖଣି ମିଆଦ ସରିବା ପରେ ୨୦୨୦ରେ ପୁନଃର୍ବାର ନିଲାମ ପ୍ରକ୍ରିୟାରେ ଏହି ଖଣିଟିକୁ ପାଇବାରେ ସେ ସକ୍ଷମ ହୋଇଥିଲେ। ଏହି ଖଣି ସଂଲଗ୍ନ ଅଞ୍ଚଳରେ ବଳଦା ଗ୍ରାମ ଅବସ୍ଥିତ। କିଛି ଆଦିବାସୀ ସମ୍ପ୍ରଦାୟଙ୍କର ପଟ୍ଟାଭୁକ୍ତ ଜମି ରହିଛି। ଯାହାକୁ ସିରାଜ୍ଜୁଦ୍ଦିନ ଖଣି କମ୍ପାନୀ ଜବରଦଖଲ କରି ନିଜେ ବ୍ୟବହାର କରିଆସୁଛି। ସେଥି ମଧ୍ୟରୁ ସ୍ୱର୍ଗତ ଘନ ଦେହୁରୀଙ୍କ ୪ ଏକର ୪୨ ଡିସମିଲ, ଭୁବନ ନାଏକଙ୍କ ୨ ଏକର ୨୭ ଡିସମିଲ ଏବଂ ଠୁଳ ନାଏକଙ୍କର ୧ଏକର ୬୦ ଡିସମିଲ ଜମି ଅନ୍ତର୍ଭୁକ୍ତ। ଏହି ସବୁ ଜମି କମ୍ପାନୀ ତାରବାଡ ଦେଇ ନିଜ ଅକ୍ତିଆରରେ ରଖିଥିବା ବେଳେ ବଳଦା ମୌଜାର ଖାତା ନଂ. ୨୦ ଓ ପ୍ଲଟ ନଂ. ୫୮୪ରେ ସ୍ୱର୍ଗତ ଘନ ଦେହୁରୀଙ୍କ ନାମରେ ଥିବା ୪ଏକର ୪୨ ଡିସମିଲ ପଚ୍ଚା ଜମିରେ କମ୍ପାନୀ ଖଣିର ମୁଖ୍ୟ ଫାଟକ ଓ ରାସ୍ତା ନିର୍ମାଣ କରି ଏହାକୁ ବ୍ୟବହାର କରିଆସୁଛନ୍ତି। ସେହିପରି ୬ନଂ କ୍ୱାରୀ ନିକଟରେ କମ୍ପାନୀର ସ୍ଥାପନ କରିଥିବା ଏକ କ୍ରସର ପ୍ଲାଣ୍ଟ ଜମି ଓ ଆଖପାଖ ଜମିକୁ ମିଶାଇ ୧ ଏକର ୬୦ ଡିସମିଲ ଜମି ରହିଛି ଠୁଳ ନାଏକଙ୍କ ନାମରେ। ଯାହାର ଖାତା ନଂ. ୨୩ ଓ ପ୍ଲଟ ନଂ. ୬୧୦/୬୯୭। ସେହିପରି ପାର୍କିଂ ନିକଟରେ ଥିବା ଜମି ଖାତା ନଂ ୪୮/୪୬, ପ୍ଲଟ ନଂ. ୫୯୨, ୬୦୧, ୬୦୨ ହେଉଛି ଭୁବନ ନାଏକଙ୍କର। ତାଙ୍କର ୨ଏକର ୨୭ ଡିସମିଲ ଜମି ମଧ୍ୟ ଏହି କମ୍ପାନୀ ନିଜ ଅକ୍ତିଆରରେ ରଖିଛି। ୨୦୧୪ରେ ଏହି ଜମି ଆଦିବାସୀମାନଙ୍କୁ ଫେରାଇବା ପାଇଁ ମାନ୍ୟବର ଅଦାଲତ ନିର୍ଦ୍ଦେଶ ଦେବା ସତ୍ୱେ ଚମ୍ପୁଆ ଉପଜିଲାପାଳ କୋର୍ଟର ରାଏ ସେମାନଙ୍କ ସପକ୍ଷରେ ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ ଜମି ସେମାନଙ୍କୁ ହସ୍ତାନ୍ତର କରାଯାଇପାରିନାହିଁ। ଦୀର୍ଘ ୮ ବର୍ଷ ଧରି ସେମାନେ ନିଜର ପଟ୍ଟା ଭୁକ୍ତ ଜମି ପାଇବା ପାଇଁ ସଂଘର୍ଷ କରିଆସିଥିବା ବେଳେ ଖଣି କମ୍ପାନୀ ବିଭିନ୍ନ ଉପାୟରେ ନିରିହ ଆଦିବାସୀମାନଙ୍କୁ ଭୁତାଇ ନିଜ ଅକ୍ତିଆରରେ ଏହାକୁ ରଖି ଭୋଗ ଦଖଲ କରିଆସୁଛି। ସ୍ୱର୍ଗତ ଘନ ଦେହୁରୀଙ୍କ ଉତ୍ତରାଧିକାରୀ ଶ୍ରୀମତୀ ଦେହୁରୀ ଗତ ୨୦୧୪ରେ ଏ ନେଇ ଚମ୍ପୁଆ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଜମି ମାପଚୁପ ପରେ ରାଜସ୍ୱ ନିରୀକ୍ଷଙ୍କ ରିପୋର୍ଟକୁ ଆଧାର କରି ସମ୍ପୃକ୍ତ ଜମି ଖାଲି କରିବା ପାଇଁ ଚମ୍ପୁଆ ଉପଜିଲାପାଳଙ୍କ ବିଚାରାଳୟ ନିର୍ଦ୍ଦେଶ ଦେଇଥିବା ସତ୍ୱେ କମ୍ପାନୀ ଏହି ଜମି ଛାଡୁନଥିବା ଜଣାପଡିଛି। ଅନ୍ୟପକ୍ଷେ ଠୁଳ ନାଏକ ଏବଂ ଭୁବନ ନାଏକଙ୍କ ଜମି ଚିହ୍ନଟ ପ୍ରକ୍ରିୟା ସରିଥିବା ବେଳେ ରାଜସ୍ୱ ନିରୀକ୍ଷକ ତାଙ୍କର ରିପୋର୍ଟ ଦାଖଲ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ମାମଲା ଚୁଡାନ୍ତ ହୋଇପାରିନାହିଁ। ଏ ସଂକ୍ରାନ୍ତରେ କମ୍ପାନୀର ଏଜିଏମ୍ ସୁବାଶ ଚନ୍ଦ୍ର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ସିରାଜ୍ଜୁଦ୍ଦିନ କମ୍ପାନୀ କାହାରି ଜମି ହଡପ କରିନାହିଁ। ସରକାର ଯାହା ତାଙ୍କୁ ଲିଜ୍ ଦେଇଛନ୍ତି ତାହାରି ଭିତରେ କମ୍ପାନୀ ଖଣି ଖନନ କରୁଛି। ଜମି ହସ୍ତାନ୍ତରରେ କମ୍ପାନୀର କୌଣସି ଭୁମିକା ନାହିଁ। ଯାହା କରିବା କଥା ଉପଜିଲାପାଳ ଓ ତହସିଲଦାର କରିବେ। ଏବେ ଏହି ମାମଲା କୋର୍ଟରେ ବିଚାରଧିନ ଥିବା ବେଳେ ଯେଉଁ ଭଳି ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ଆସିବ ତାହାକୁ ସେମାନେ ପାଳନ କରିବେ ବୋଲି କହିଛନ୍ତି। ଏହା ସହିତ ଗୋଟିଏ ଗୋଟିଏ ଆଦିବାସୀ ପରିବାରରେ ୧୪ରୁ ଉର୍ଦ୍ଧ୍ୱ ଅଂଶିଦାର ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣ ଅଂଶିଦାର କମ୍ପାନୀ ପକ୍ଷରୁ ଉପକୃତ ହୋଇଥିବା ବେଳେ ଜଣେ ଜଣେ ମାତ୍ର ଅଂଶିଦାର ଏପରି ଅଯୌତିକ୍ତ ଦାବି କରିଆସୁଛନ୍ତି ବୋଲି କହିଛନ୍ତି। ଅନ୍ୟପଟେ ଆଦିବାସୀମାନଙ୍କ ନିକଟରେ ସମ୍ପୃକ୍ତ ଜମିର ପଟ୍ଟା, ପାଉତି ଥାଇମଧ୍ୟ ନିଜ ଜମିର ମାଲିକାନା ମିଳିପାରୁନାହିଁ। ଜିଲା ପ୍ରଶାସନ ମଧ୍ୟ ଏମାନଙ୍କୁ ସହାୟତା ଯୋଗାଇଦେବାରେ ଅସଫଳ ହୋଇଆସୁଛନ୍ତି। ତେବେ ଏହି ଥର ଦାବି ପୂରଣ ନହେଲେ ସେମାନେ ସାମୁହିକ ଆତ୍ମାହୁତି ଦେବେ ବୋଲି ଗଣମାଧ୍ୟମରେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.