Home ଜିଲ୍ଲା ପରିକ୍ରମା ସିଭିଲ ସୋସାଇଟି-ନେସ୍କୋର ବୈଠକ ସଫଳ ଟଳିଲା ନେସ୍କୋ ବିରୋଧୀ ବିଦ୍ୟୁତ୍ ଉପଭୋକ୍ତା ଆନ୍ଦୋଳନ

ସିଭିଲ ସୋସାଇଟି-ନେସ୍କୋର ବୈଠକ ସଫଳ ଟଳିଲା ନେସ୍କୋ ବିରୋଧୀ ବିଦ୍ୟୁତ୍ ଉପଭୋକ୍ତା ଆନ୍ଦୋଳନ

92

ବାଲେଶ୍ୱର, ୨ା୬(ଓଡ଼ିଆ ପୁଅ/ଅଭୟ ଦାସ): ସମ୍ପ୍ରତି ଜିଲ୍ଲାରେ ଚାଲିଥିବା ବିଦ୍ୟୁତ୍ ଉପଭୋକ୍ତା ଶୋଷଣ ନୀତି ବିରୋଧରେ ବାଲେଶ୍ୱର ସିଭିଲ ସୋସାଇଟି ପକ୍ଷରୁ ଆନ୍ଦୋଳନ ପ୍ରସ୍ତୁତି ସମ୍ପର୍କରେ ଗତ୨୭ ତାରିଖରେ ଜିଲ୍ଲାପାଳ, ପରିଚାଳନା ନିର୍ଦ୍ଦେଶକ ନେସ୍କୋ ଓ ଚେୟାରମ୍ୟାନ୍ ଓଇଆର୍‌ସିଙ୍କୁ ସ୍ମାରକପତ୍ର୍ର ମାଧ୍ୟମରେ ଅବଗତ କରିବା ପରେ ବିଦ୍ୟୁତ୍ ବିତରକ ସଂସ୍ଥା ‘ନେସ୍କୋ’ କର୍ତ୍ତୃପକ୍ଷ ସମସ୍ୟା ସମାଧାନ ପାଇଁ ସୋସାଇଟିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ସୋମବାର ଅପରାହ୍ନରେ ନେସ୍କୋ ସଂସ୍ଥାର ବରିଷ୍ଠ ଅଧିକ୍ଷଣ ଯନ୍ତ୍ରୀ ଇଂ. ବି.ଏସ୍‌. ପରିଡ଼ାଙ୍କ ଆହ୍ୱାନକ୍ରମେ ବିଭାଗୀୟ ଅଧିକାରୀ ଓ ସିଭିଲ୍ ସୋସାଇଟିର ପ୍ରତିନିଧିମାନଙ୍କର ବାଲିଆସ୍ଥିତ ନେସ୍କୋ କାର୍ଯ୍ୟାଳୟରେ ଏକ ଦ୍ୱିପାକ୍ଷିକ ଆଲୋଚନା ହୋଇଯାଇଛି। ନେସ୍କୋ କର୍ତ୍ତୃପକ୍ଷଙ୍କ କ୍ଷମତାଧୀନ ଦାବିଗୁଡ଼ିକ ଯଥାଶୀଘ୍ର ପୂରଣ କରିବାକୁ ଓ ଅନ୍ୟ ଦାବିଗୁଡ଼ିକ ଓଇଆର୍‌ସି.ଙ୍କୁ ଅବଗତ କରାଇବାକୁ ଆଲୋଚନାରେ ନିଷ୍ପତ୍ତି ହୋଇଛି। ବିଶେଷ କରିର ବାଲେଶ୍ୱର ଜିଲ୍ଲାରେ ବିଦ୍ୟୁତ୍ ସରବରାହରେ ବାଧା ସୃଷ୍ଟି କରୁଥିବା ସମସ୍ତ ବିଦ୍ୟୁତ୍ ଖୁଣ୍ଟ, ତାର ଓ ଅନ୍ୟାନ୍ୟ ସରଞ୍ଜାମକୁ ଚଳିତମାସ ମଧ୍ୟରେ ପରିବର୍ତ୍ତନ କରିବା, ମିଟର ରେଣ୍ଟ୍ ବାବଦରେ ଆଦାୟ କରାଯାଇଥିବା ଅଧିକ ଅର୍ଥକୁ ବିଦ୍ୟୁତ୍ ବିଲ୍‌ରେ ବ୍ୟବସ୍ଥିତ କରିବା, ଓଡ଼ିଆ ଭାଷାରେ ବିଦ୍ୟୁତ୍ ବିଲ୍ ପ୍ରଦାନ, ତ୍ରୁଟିପୂର୍ଣ୍ଣ ବିଲ୍‌ର ଅଭିଯୋଗ କ୍ରମେ ସଂଶୋଧନ ପ୍ରଭୃତି ଦାବିଗୁଡ଼ିକ ଖୁବଶୀଘ୍ର ପୂରଣ କରିବା ଦିଗରେ କର୍ତ୍ତୃପକ୍ଷ ରାଜି ହୋଇଥିବା ସୋସାଇଟିର କର୍ମକର୍ତ୍ତା ସୂଚନା ଦେଇଚନ୍ତି। ତେବେ ଏହି ବୈଠକରେ ବିଦ୍ୟୁତ୍ ଗ୍ରାହକମାନେ ବ୍ୟବହାର କରୁଥିବା ବିଦ୍ୟୁତ୍ ପରିମାଣର କିଲୋୱାଟ୍ ପାଇଁ ଅନୁମତି ନେବାକୁ ଅନୁରୋଧ କରାଯାଇଛି। ଫଳରେ ଓଭରଲୋଡ଼୍ ଓ ଲୋ’ ଭୋଲ୍‌ଟେଜ୍ ଅଭିଯୋଗର ପ୍ରତିକାର କରାଯାଇପାରିବ ବୋଲି ନେସ୍କୋ ପକ୍ଷରୁ କୁହାଯାଇଛି। ଏହି ଆଲୋଚନାରେ ନେସ୍କୋର ନିର୍ବାହୀଯନ୍ତ୍ରୀ ଇଂ. ବିମାନ ଜେନା, ଏସ୍‌.ଡି.ଓ. ଇଂ. ସୌମ୍ୟରଞ୍ଜନ ବେହେରା ଓ ଏକାଉଣ୍ଟ୍‌ସ ଅଧିକାରୀ କୃତିବାସ ପଣ୍ଡା ଓ ହେରେମ୍ବ ନାରାୟଣ ପଣ୍ଡାଙ୍କ ସମେତ ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସଂପାଦକ ମନୋଜ ନାୟକ, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ସଦସ୍ୟ ଜୟନ୍ତ ଦାସ, ଆଶୁତୋଷ ପରିଡ଼ା, ଦେବାଶିଷ ସିଂହ, ଅରୁଣ ଜେନା ଓ ବେଣୁଧର ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ତେବେ ନେସ୍କୋ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟକାରୀ ନହେଲେ ବିଦ୍ୟୁତ୍ ଗ୍ରାହକମାନଙ୍କୁ ସଂଗଠିତ କରି ସିଭିଲ୍ ସୋସାଇଟି ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.