Home ଓଡ଼ିଶା ସିଏଏ ନେଇ ୧ କୋଟି ଓଡିଶାବାସୀଙ୍କୁ ଭେଟିବ ବିଜେପି – ଧର୍ମେନ୍ଦ୍ର ପ୍ରଧାନ

ସିଏଏ ନେଇ ୧ କୋଟି ଓଡିଶାବାସୀଙ୍କୁ ଭେଟିବ ବିଜେପି – ଧର୍ମେନ୍ଦ୍ର ପ୍ରଧାନ

236

ଭୁବନେଶ୍ୱର, ଡିସେମ୍ବର ୨୬ (ଓଡ଼ିଆ ପୁଅ) – ନାଗରିକତା ସଂଶୋଧନ ଆଇନ (ସିଏଏ) ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ମାସେବ୍ୟାପୀ ଓଡିଶା ସମେତ ସାରାଦେଶରେ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ବିଜେପିର କାର୍ଯ୍ୟକର୍ତା ଓ ପ୍ରତିନିଧିମାନେ ସାରା ଭାରତବର୍ଷର ୩ କୋଟି ଏବଂ ଓଡିଶାର ୧ କୋଟି ଲୋକଙ୍କ ସହ ସମ୍ପର୍କ କରି ଏ ବିଷୟରେ ସଚେତନତା କରିବେ। ଏଥିପାଇଁ ଜିଲ୍ଲା ଓ ରାଜ୍ୟସ୍ତରରେ ଗାଁ, ପଂଚାୟତ ଏବଂ ସହର ମାନଙ୍କରେ ଜନସଭା, ବୁଦ୍ଧିଜୀବୀ ସମ୍ମିଳନୀ ଓ ଶୋଭାଯାତ୍ରା ଆୟୋଜନ କରାଯିବ ବୋଲି ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଏବଂ ପରେ ନାଗରିକତା ସଂଶୋଧିନ ଅଧିନିୟମ ଉପରେ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସିଏଏ କାହା ବିରୋଧ ନୁହେଁ ୩ଟି ଦେଶର ସଂଖ୍ୟାଲଘୁଙ୍କୁ ଭାରତ ସହ ଯୋଡିବାର ବ୍ୟବସ୍ଥା। ସିଏଏ ଭାରତର ପଡୋଶୀ ଦେଶ ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନରୁ ଧାର୍ମିକ ରୁପେ ନିର୍ଯ୍ୟାତନାର ଶୀକାର ହୋଇ ଭାରତକୁ ଆସିଥିବା ସେ ଦେଶର ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ ମାନଙ୍କୁ ନାଗରିକତା ପ୍ରଦାନ କରିବ ବୋଲି ସେ ପ୍ରକାଶ କହିଛନ୍ତି।

ସେ କହିଛନ୍ତି ଯେ ସମ୍ବିଧାନର ଧାରା ୧୪କୁ ସିଏଏ ଉଲ୍ଲଘଂନ କରୁନାହିଁ। କାରଣ ସମ୍ବିଧାନର ଧାରା ୧୪ରେ ଭାରତୀୟ ନାଗରିକ ସମ୍ପର୍କରେ ଲେଖାଯାଇଛି। ୧୯୪୭ ମସିହାରେ ଧାର୍ମିକ ଆଧାରରେ ଦେଶ ବିଭାଜନ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିଏଏ ସାହାସିକ ପଦକ୍ଷେପ। କିନ୍ତୁ ବିରୋଧୀ ଦଳ ବିଶେଷ ଭାବରେ କଂଗ୍ରେସ ଦଳ ଅସହିଷ୍ଣୁ ହୋଇ ଦେଶରେ ଅରାଜକତା ତିଆରି କରିବାର ଅପଚେଷ୍ଟା କରୁଛି। ଏହାକୁ ବିଜେପି ଘୋର ନିନ୍ଦା କରୁଛି। ଗଣତନ୍ତ୍ରରେ ବାଦବିବାଦ, ତର୍କବିତର୍କର ସ୍ଥାନ ଅଛି କିନ୍ତୁ ହିଂସାର ସ୍ଥାନ ନାହିଁ।

ସେ କହିଛନ୍ତି ଯେ ଯଦି କଂଗ୍ରେସ ଧର୍ମ ଆଧାରରେ ଦେଶର ବିଭାଜନ କରି ନ ଥାନ୍ତା ତେବେ ଏହି ଆଇନର ଆବଶ୍ୟକତା ପଡି ନ ଥାନ୍ତା। ଭାରତ ବିଭାଜନ ପରେ ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପରସ୍ପରଙ୍କ ଦେଶରେ ଥିବା ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ଏକ ଚୁକ୍ତି ହୋଇଥିଲା ଯାହା ନେହରୁ- ଲିଆକତ ଚୁକ୍ତି ନାମରେ ପରିଚିତ। ଏହି ଚୁକ୍ତି ଅନୁସାରେ ଉଭୟ ଦେଶ ନିଜ ନିଜ ଦେଶରେ ରହୁଥିବା ସଂଖ୍ୟାଲଘୁ ମାନଙ୍କ ବିଷୟରେ ଚିନ୍ତା କରିବେ ବୋଲି କୁହା ଯାଇଥିଲା। ଏହି ଚୁକ୍ତିକୁ ଭାରତ ପାଳନ କଲା ହେଲେ ପାକିସ୍ତାନ ପାଳନ କଲା ନାହିାଁ

ସେ କହିଛନ୍ତି ଯେ ତେଣୁ ଦେଶ ବିଭାଜନ ବେଳେ ପାକିସ୍ତାନରେ ସଂଖ୍ୟାଲଘୁ ମାନଙ୍କ ସଂଖ୍ୟା ୨୩ ପ୍ରତିଶତରୁ ଉର୍ଧ ଥିବା ବେଳେ ସେଠାରେ ଲଗାତାର ଧାର୍ମିକ ଆଧାରରେ ନିର୍ଯ୍ୟାତନା କାରଣରୁ ସଂଖ୍ୟାଲଘୁ ମାନଙ୍କ ସଂଖ୍ୟା ଦୁଇ ପ୍ରତିଶତରୁ କମରେ ପହଂଚି ସାରିଛି। ଦେଶକୁ ଧାର୍ମିକ ଆଧାରରେ ବିଭାଜନ କରା ଯାଇଥିବା କାରଣରୁ ଭାରତରୁ ଅଲଗା ହୋଇ ଇସଲାମୀ ଦେଶ ନିର୍ମାଣ ହୋଇଥିବାରୁ ସେଠାରେ ଧାର୍ମିକ ଆଧାରରେ ନିର୍ଯ୍ୟାତନାର ଶୀକାର ହେଉଥିବା ସଂଖ୍ୟାଲଘୁ ମାନଙ୍କୁ ନାଗରିକତା ପ୍ରଦାନ କରିବା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବା ଭାରତର ନୈତିକ ଦାୟିତ୍ୱ।

୧୯୫୦ ମସିହା ନଭେମ୍ବର ୫ ତାରିଖରେ ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ସଂସଦରେ କହିଥିଲେ ଯେ ପାକିସ୍ତାନରୁ ଆସୁଥିବା ଶରଣାର୍ଥୀ ମାନଙ୍କୁ ନାଗରିକତା ଦେବା ଭାରତର ଦାୟିତ୍ୱ। ଯଦି ଏପରି କରିବାକୁ ଆଇନରେ ସଂଶୋଧନ କରିବାକୁ ପଡେ ତାହା ମଧ୍ୟ କରାଯିବ। ତେଣୁ ଇସଲାମୀ ପାକିସ୍ତାନ ଓ ବଙ୍ଗଳାଦେଶରେ ରହି ଯାଇଥିବା ସଂଖ୍ୟାଲଘୁଙ୍କ ପ୍ରତି ଭାରତର ଯେଉଁ ପ୍ରତିବଦ୍ଧତା ବିଭାଜନ ସମୟରେ ରହିଥିଲା, ଏହି ଆଇନ ତାହାକୁ ପୂରଣ କରିଛି।

ବିରୋଧୀ ଦଳ ମାନଙ୍କ ପକ୍ଷରୁ ଏପରି ଗୁଜବ ସୃଷ୍ଟି କରା ଯାଉଛି ଯେ ମୁସଲମାନ ମାନଙ୍କଠାରୁ ନାଗରିକତା ଛଡାଇ ନିଆଯିବ ା ତେବେ ବିରୋଧୀ ଦଳ ମାନେ ଯେଉଁ ଗୁଜବ ପ୍ରଚାର କରା ଯାଉଛି ସେଥିରେ କୌଣସି ସତ୍ୟତା ନାହିଁ। ନାଗରିକତା (ସଂଶୋଧନ) ବିଧେୟକ (ସିଏଏ), ୨୦୧୯ ଜରିଆରେ ତିନୋଟି ନିର୍ଦ୍ଦିଷ୍ଟ ଦେଶରୁ ଧର୍ମ ଆଧାରରେ ଉତ୍ପୀଡ଼ନର ଶିକାର ହୋଇ ଭାରତରେ ଶରଣ ନେଇଥିବା ୬ଟି ସଂଖ୍ୟାଲଘୁ ସମୁଦାୟ ଭାରତୀୟ ନାଗରିକତା ପାଇଁ ଆବେଦନ କରିପାରିବେ। ଏହି ଆଇନ ଜରିଆରେ କାହାର ନାଗରିକତା ଛିନ୍ନ କରା ଯିବାର ବ୍ୟବସ୍ଥା ନାହିଁ। ଏହି ଭାରତୀୟ ନାଗରିକଙ୍କ ପାଇଁ ଲାଗୁ ହେଉନାହିଁ। ସେମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ତିନୋଟି ପଡ଼ୋଶୀ ଦେଶରେ ଧର୍ମୀୟ ଉତ୍ପୀଡ଼ନର ଶିକାର ହୋଇଥିବା ନିର୍ଦ୍ଦିଷ୍ଟ ବିଦେଶୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ଲାଗି ଏହା ଉଦ୍ଦିଷ୍ଟ।

ନାଗରିକତା ସଂଶୋଧନ ବିଧେୟକ -୨୦୧୯ ସିଏଏକୁ ନେଇ କେହି ଭୟଭୀତ ହେବାର କୌଣସି କାରଣ ନାହିଁ। ଆମର ତତ୍କାଳୀନ ନେତୃତ୍ୱ ବିଭାଜନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ହିଁ ଏହି ଆଇନ ଦ୍ୱାରା ପୂରଣ କରାଯାଇଛି। ଭାରତର ଜଣେ ହେଲେ ନାଗରିକ ଏହା ଦ୍ୱାରା କୌଣସି ପ୍ରକାର ପ୍ରଭାବିତ ହେବାର ଆଶଙ୍କା ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.