Home ଓଡ଼ିଶା ସିଂହଦ୍ୱାରରେ ପହଁଚିଲା ତିନି ରଥ : ଆସନ୍ତା କାଲି ରଥ ଉପରେ ହେବ ରାଜ୍ ରାଜେଶ୍ୱର...

ସିଂହଦ୍ୱାରରେ ପହଁଚିଲା ତିନି ରଥ : ଆସନ୍ତା କାଲି ରଥ ଉପରେ ହେବ ରାଜ୍ ରାଜେଶ୍ୱର ବେଶ

252

ପୁରୀ, ୧/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଶ୍ରୀ ମନ୍ଦିରରୁ ଶ୍ରୀ ଗୁଣ୍ଡିଚା ଦିନ ଚତୁର୍ଦ୍ଧାମୂର୍ତ୍ତି ନବଦିନାତ୍ମକ ଯାତ୍ରା ରେ ଯାଇ ଆଡପ ମଣ୍ଡପ ରେ ବିଜେ କରିଥିଲେ। ଆଡପ ମଣ୍ଡପରେ ଲୀଳାମୟ ଠାକୁର ଲୀଳାଖେଳ କରି ଆଜି ବାହୁଡା ଯାତ୍ରାରେ ବାହାରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଶ୍ରୀ ଜିଉ ମାନଙ୍କର ବାହୁକଂଟ କରାଯିବା ସହ ସେନାପଟ୍ଟା ଲାଗି କରାଯାଇଥିଲା। ଆଜି ଭୋରରେ ଶ୍ରୀ ଗୁଣ୍ଡିଚା ମନ୍ଦିର ଦୁଆର ଖୋଲାଯିବା ପରେ ଶ୍ରୀ ଜିଉ ମାନଙ୍କର ମଙ୍ଗଳ ଆଳତୀ ଅବକାଶ ମୈଲମ ସୂର୍ଯ୍ୟପୂଜା ଦୁଆର ପୁଜା ହେବା ସହ ଗୋପାଳ ବଲ୍ଲଭ ପୁଜା ସହ ସକାଳ ଧୂପ ନୀତି ଅନୁଷ୍ଠିତ ହୋଇଥିଲା। ସକାଳ ଧୂପରେ ଶ୍ରୀ ଜିଉମାନଙ୍କୁ ଖେଚୁଡି ଓ ପୀଠା ଆଦି ଭୋଗ କରାଯାଇଥିଲା। ଏହା ପରେ ମଙ୍ଗଳାର୍ପଣ କରାଯାଇଥିଲା। ବିଜେ କାହାଳୀ ବାଜିବା ପରେ ଶ୍ରୀ ଜିଉ ମାନଙ୍କର ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି କରାଯାଇ ଦର୍ପଦଳନ ରଥରେ ରଥାରୂଢ କରାଯାଇଥିଲା। ପରେ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଆଡପ ମଣ୍ଡପରୁ ବାହାରିବା ପରେ ରାଘବ ଦାସ ଦ୍ୱାରା ପ୍ରସ୍ତୁତ ଟାହ୍ୟା ଶ୍ରୀ ଜିଉଙ୍କ ମସ୍ତକରେ ଲାଗି କରାଯାଇଥିଲା। ଛତିତ୍ରାସ ଘଂଟା ବାଦ୍ୟ ମଧ୍ୟରେ ବଳଭଦ୍ର ଝୁଲି ଝୁଲି ନାକଚଣା ଦୁଆର ଦେଇ ଶରଧାବାଲି କୁ ବିଜେ କରିବା ପରେ ତାଙ୍କୁ ସେବାୟତ ମାନେ ପହଣ୍ଡି କରି ତାଳଧ୍ୱଜ ରଥରେ ରଥାରୂଢ କରିଥିଲେ। ପରେ ଦେବୀ ସୁଭଦ୍ରାଙ୍କୁ କରାଯାଇ ଆଣି ଦର୍ପଦଳନ ରଥରେ ବିଜେ କରାଯାଇଥିଲା। ଶେଷରେ ମହାପ୍ରଭୁ ଜଗନ୍ନାଥ ଟାହ୍ୟା ଲଗାଇ ଝୁଲି ଝୁଲି ଆସି ନନ୍ଦିଘୋଷ ରଥରେ ରଥାରୂଢ ହୋଇଥିଲେ। ପରେ ଛତିତ୍ରାସ ଘଂଟା ବାଦ୍ୟ ର ତାଳେତାଳେ ମଦନ ମୋହନ ଓ ରାମକୃଷ୍ଣ ଙ୍କୁ ଅଣାଯାଇଥିଲା। ମଦନ ମୋହନ କୁ ନନ୍ଦିଘୋଷ ରଥରେ ବିଜେ କରାଯାଇଥିଲା ଓ ରାମକୃଷ୍ଣ ଙ୍କୁ ତାଳଧ୍ୱଜ ରଥରେ ବିଜେ କରାଯାଇଥିଲା। ଚତୁର୍ଦ୍ଧାମୂର୍ତି ରଥାରୂଢ ହେବା ପରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଗଜପତି ମହାରାଜା ଙ୍କୁ ଛେରା ପହଁରା ପାଇଁ ନିମନ୍ତ୍ରଣ କରାଯାଇଥିଲା। ଗଜପତି ମହାରାଜା ଶ୍ରୀ ନଅରରୁ କାର ଯୋଗେ ବଡଶଙ୍ଖରେ ପହଂଚିବା ପରେ ସେଠାରୁ ଛତିତ୍ରାସ ବାଦ୍ୟ ସହ ଏକ ଶୋଭାଯାତ୍ରା ରେ ରୌପ୍ୟ ଖଚିତ ମେହେନା ରେ ବସି ରଥ ନିକଟକୁ ଆସିଥିଲେ। ପ୍ରଥମେ ବଳଭଦ୍ର ଙ୍କର ତାଳଧ୍ୱଜ ରଥ କୁ ଯାଇ ମହାପ୍ରଭୁ ଙ୍କୁ ବନ୍ଦାପନା କରିବା ପରେ ସୁବର୍ଣ୍ଣ ଖଡିକାରେ ରଥ ଉପରେ ଛେରାପହଁରା କାର୍ଯ୍ୟ କରିଥିଲେ। ପରେ ଶ୍ରୀ ଜଗନ୍ନାଥ ଙ୍କର ନନ୍ଦିଘୋଷ ରଥ କୁ ଯାଇ ରଥ ରେ ଛେରାପହଁରା କାର୍ଯ୍ୟ କରିବା ପରେ ଶେଷରେ ଦେବୀ ସୁଭଦ୍ରା ଙ୍କ ଦର୍ପଦଳନ ରଥ କୁ ଯାଇ ଛେରାପହଁରା କାର୍ଯ୍ୟ କରିଥିଲେ। ମହାପ୍ରଭୁ ଙ୍କର ଏହି ଅପୂର୍ବ ଲୀଳା ଦେଖିବା ପାଇଁ ଭକ୍ତ ଉପସ୍ଥିତ ନଥିଲେ। ଶ୍ରୀ ଗୁଣ୍ଡିଚା ଭଳି ବାହୁଡା ଯାତ୍ରା ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା। ଛେରାପହଁରା କାର୍ଯ୍ୟ ଶେଷ କରି ଗଜପତି ମହାରାଜା ଶ୍ରୀ ନଅର କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଛେରାପହଁରା କାର୍ଯ୍ୟ ଶେଷ ହେବା ପରେ ରଥର ଚାରମାଳ ଖୋଲାଯାଇଥିଲା। ପରେ ଘୋଡା ଲଗାଯାଇଥିଲା। ତାଳଧ୍ୱଜ ରଥ ୧୧ ଟା ୨୫ ମିନିଟ୍ ରେ ଟଣା ଆରମ୍ଭ ହୋଇଥିଲା। ସେବାୟତ ମାନେ ମହାପ୍ରଭୁ ଙ୍କ ରଥ କୁ ଟାଣିନେଇଥିଲେ। ପରେ ପରେ ମାଆ ସୁଭଦ୍ରା ଙ୍କର ଦର୍ପଦଳନ ରଥ ଓ ଶେଷରେ ଶ୍ରୀ ଜଗନ୍ନାଥ ଙ୍କର ନନ୍ଦିଘୋଷ ରଥଟଣା ଆରମ୍ଭ ହୋଇଥିଲା। ପ୍ରତ୍ୟେକ ବର୍ଷ ଶରଧାବାଲି ରେ ମେଘମୁକ୍ତ ଆକାଶର ଚାନ୍ଦୁଆ ତଳେ ଲକ୍ଷାଧିକ ଭକ୍ତ ଛିଡା ହୋଇ ହରିବୋଲ ହୁଳହୁଳି ଓ ଶଂଖଧ୍ୱନୀରେ ଶରଧାବାଲିକୁ ପ୍ରକମ୍ପିତ କରାଉଥିବା ବେଳେ ଚଳିତ ବର୍ଷ କୋଭିଡ୍‌-୧୯ କଟକଣା ଯୋଗୁଁ ଶରଧାବାଲି ସଂପୂର୍ଣ୍ଣ ଭକ୍ତଶୂନ୍ୟ ହୋଇପଡିଥିଲା। ଭକ୍ତ ଙ୍କର ସେହି ହୁଳହୁଳି ଓ ହରିବୋଲ ଧ୍ୱନୀ ଆଜି ଆଉ ଶୁଣିବାକୁ ମିଳିନଥିଲା। ଶରଧାବାଲି ରୁ ରଥ କୁ ସେବାୟତ ମାନେ ଶ୍ରୀ ମନ୍ଦିର ସମ୍ମୁଖକୁ ଟାଣି ଆଣିଥିଲେ। ବାଟରେ ମାଉସୀ ମାଆ ମନ୍ଦିର ନିକଟରେ ରଥ ଅଟକିବା ପରେ ମାଉସୀଙ୍କ ଦ୍ୱାରା ପ୍ରସ୍ତୁତ ପୋଡପୀଠା ଭୋଗ କରାଯାଇଥିଲା। ଦିନ ୨ ଟା ୪୫ ମିନିଟ୍ ରେ ବଳଭଦ୍ର ଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ରେ ପହଂଚିଥିଲା। ଓ ପରେ ୩ ଟା ୬ ମିନିଟ୍ ରେ ଦେବୀ ସୁଭଦ୍ରା ଙ୍କ ରଥ ଦର୍ପଦଳନ ସିଂହଦ୍ୱାର ରେ ଲାଗିଥିଲା। ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ ଶ୍ରୀ ନଅର ନିକଟରେ ଅଟକିବା ପରେ ଶ୍ରୀ ମନ୍ଦିର ରୁ ମହାଲାକ୍ଷ୍ମୀ ଚାହାଣୀ ମଣ୍ଡପକୁ ଆସି ମହାପ୍ରଭୁ ଙ୍କୁ ଦର୍ଶନ କରିଥିଲେ। ପରେ ଶ୍ରୀ ମନ୍ଦିର ରୁ ମହାଲକ୍ଷ୍ମୀ ଶ୍ରୀ ନଅର କୁ ଆସିବା ପରେ ଗଜପତି ମହାରାଜା ମହାଲକ୍ଷ୍ମୀ ଙ୍କୁ ନେଇ ନନ୍ଦିଘୋଷ ରଥ ନିକଟରେ ଲକ୍ଷ୍ମୀନାରାୟଣ ଭେଟ କରାଇଥିଲେ। ବନ୍ଦାପନା ଓ ପୁଜାର୍ଚ୍ଚନା ପରେ ମାଆ ଲକ୍ଷ୍ମୀ ଶ୍ରୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପରେ ନନ୍ଦିଘୋଷ ରଥକୁ ଟଣାଯାଇ ସିଂହଦ୍ୱାରକୁ ନିଆଯାଇଥିଲା। ନନ୍ଦିଘୋଷ ରଥ ପ୍ରାୟ ୪ ଟା ୪୦ ସୁଧା ସିଂହଦ୍ୱାର ରେ ଲାଗି ଯାଇଥିଲା। ଆସନ୍ତା କାଲି ରଥ ଉପରେ ଚତୁର୍ଦ୍ଧାମୂର୍ତି ଙ୍କର ରାଜ୍ ରାଜେଶ୍ୱର ବେଶ ଅନୁଷ୍ଠିତ ହେବ। ଆଜି ବାହୁଡା ଯାତ୍ରା ସମୟରେ କୌଣସି ଅଘଟଣ ଘଟିନଥିବା ପ୍ରକାଶ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯିବା ସହ ସହରର ପ୍ରବେଶ ସମସ୍ତ ପ୍ରବେଶ ପଥକୁ ସିଲ କରିଦିଆଯାଇଥିଲା। ବଡଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଗୁଡିକୁ ମଧ୍ୟ ସିଲ୍ କରିଦିଆଯାଇଥିଲା। ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଅନୁଯାୟୀ କୌଣସି ସହର ବାସିନ୍ଦା ରାସ୍ତା ଉପରକୁ ଆସିନଥିଲେ। ପ୍ରବଳ ରୌଦ୍ର ତାପ ଯୋଗୁଁ ଅଗ୍ନି ଶମ ସଂସ୍ଥା ପକ୍ଷରୁ ରାସ୍ତା ଉପରେ ପାଣି ସିଂଚନ କରାଯାଇଥିଲା। ଚଳିତ ବର୍ଷ ବାହୁଡା ଯାତ୍ରା ନୀତି ନିର୍ଘଂଟ ଅନୁଯାୟୀ ସମସ୍ତ କାର୍ଯ୍ୟ ସଂପର୍ଣ୍ଣ ହୋଇଥିଲା। ୨୦୨୦ ର ଘୋଷଯାତ୍ରା ଓ ବାହୁଡା ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇ ଏକ ନୂତନ ଇତିହାସ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.