Home ଜିଲ୍ଲା ପରିକ୍ରମା ସାଳନ୍ଦୀ ନଦୀର ପ୍ରଦୂଷଣ ନେଇ ଚିନ୍ତା ପ୍ରକଟ କଲେ ଜଳମାନବ ଡ. ରାଜେନ୍ଦ୍ର ସିଂହ, ସାଳନ୍ଦୀ...

ସାଳନ୍ଦୀ ନଦୀର ପ୍ରଦୂଷଣ ନେଇ ଚିନ୍ତା ପ୍ରକଟ କଲେ ଜଳମାନବ ଡ. ରାଜେନ୍ଦ୍ର ସିଂହ, ସାଳନ୍ଦୀ ବିକାଶ ମଂଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

49

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଜୀବନରେଖା କୁହାଯାଉଥିବା ସାଳନ୍ଦୀ ନଦୀ ଆଜି ଆଇସିୟୁରେ କୋମା ଅବସ୍ଥାରେ ଶୋଇଛି । ଏହାକୁ ସୁସ୍ଥ କରିବାକୁ ହେଲେ ଏହାର ପ୍ରତ୍ୟେକ ପୁଅଝିଅ ଅପରିଷ୍କାର ପାଣିକୁ ତାହା ବକ୍ଷକୁ ନଛାଡିଲେ ହିଁ ସେ ପୁର୍ନଜୀବନ ପାଇବ ବୋଲି ଆଜି ସାଳନ୍ଦୀ ବିକାଶ ମଂଚ ପକ୍ଷରୁ ସ୍ଥାନୀୟ ଜଳସେଚନ ଡାକବଙ୍ଗଳା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତର ଜଳମାନବ ଭାବେ ପରିଚିତ ଡ. ରାଜେନ୍ଦ୍ର ସିଂହ ଯୋଗଦେଇ ଆହ୍ୱାନ ଦେଇଛନ୍ତି । ସାଳନ୍ଦୀ ବିକାଶ ମଂଚର ସଭାପତି ପ୍ରଫେସର ଡ. ବଳରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଡ. ସିଂହ ସାଳନ୍ଦୀ ନଦୀର ସୁରକ୍ଷାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଥିଲେ । ଏବଂ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ସେ ଏହି ନଦୀର ଦୂରାବସ୍ଥା ନେଇ ଆଗରପଡା ଅଂଚଳ ଗସ୍ତ କରି ସେଠାରେ ଯେଭଳି ଭାବେ ବାଲି ଓ ଇଟା ମାଫିଆଙ୍କ ରାଜ୍ ଚାଲିଛି, ତାହାକୁ ଘୋର ବିରୋଧ କରିବା ସହ ମାଫିଆମାନଙ୍କର ପାଦ ନାହିଁ କେବଳ ଖପୁଡି ଅଛି । ତେଣୁ ସେମାନଙ୍କୁ ଭୟ ନକରି ଲୋକଙ୍କୁ ସଚେତନ କରାଇଲେ ସମସ୍ତଙ୍କର ମା’ ସାଳନ୍ଦୀର ସୁରକ୍ଷା ହୋଇପାରିବ ବୋଲି କହିଥିଲେ । ଏହି ନଦୀକୁ ଚିରସ୍ରୋତା କରିବାକୁ ହେଲେ ବର୍ଷାଜଳକୁ ଭୂତଳରେ ଗଚ୍ଛିତ କରି ଯେଉଁ ୮୫ ପ୍ରତିଶତ ନଦୀଜଳ କୃଷିକାର୍ଯ୍ୟରେ ବିନିଯୋଗ ହେଉଛି, ତାହାକୁ ହ୍ରାସ କରିପାରିଲେ, ତାହା ସ୍ୱତଃ ବୃଦ୍ଧି ପାଇବ ବୋଲି ସେ ଆଲୋଚନା କାଳରେ କହିଥିଲେ ।

ଏ ଦିଗରେ ସାଳନ୍ଦୀ ବିକାଶ ମଂଚ ଯେଉଁଭଳି ଭାବେ ଛୋଟ ଛୋଟ ଆନ୍ଦୋଳନ ଜରିଆରେ ସଂଗ୍ରାମ ଆରମ୍ଭ କରିଛି, ତାହା ନିଶ୍ଚିତ ଭାବେ ଏକ ବୃହତ୍ ଜନ ଆନ୍ଦୋଳନରେ ପରିଣତ ହୋଇ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଦେଇ ସଫଳତାର ଶୀର୍ଷରେ ପହଞ୍ଚାଇବ ବୋଲି ଆଶାପୋଷଣ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ମହାନଦୀ ବଂଚାଅ ଆନ୍ଦୋଳନର ଆବାହକ ତଥା ସାଳନ୍ଦୀ ସୁରକ୍ଷା ମଂଚର ଉପଦେଷ୍ଟା ସୁଦର୍ଶନ ଦାସ ଯୋଗଦେଇ ମହାନଦୀର ସୁରକ୍ଷାକୁ ନେଇ ଟ୍ରିବ୍ୟୁନାଲରେ ଆଜି ଯେଉଁ ରାୟ ପ୍ରକାଶ ପାଇବାର ଥିଲା, ତାହା ପୁଣିଥରେ ବିଫଳ ହୋଇଥିବାରୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟକୁ ଜନସାଧାରଣ ନ୍ୟାୟ ପାଇଁ ଯିବେ ବୋଲି ସଂକେତ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀ ପ୍ରାରମ୍ଭରେ ମଂଚର ସାଧାରଣ ସଂପାଦକ ପ୍ରତାପ ପାଢୀ, ଉପସଭାପତି ଅଧିବକ୍ତା ତୁଷାରକାନ୍ତି ମହାନ୍ତି, ପ୍ରମୋଦ ରାୟ, ଅନୁପ ମହାନ୍ତି, ସ୍ୱଦେଶ ପଣ୍ଡା, ଭବେନ୍ଦ୍ର ସାହୁ, ଅମ୍ବିକା ଦାସ, ବିଶ୍ୱରଂଜନ ମହାନ୍ତି, ନିରୁପମା ମହାନ୍ତି, ପ୍ରଫେସର ଡ. ଝରଣା ପଟ୍ଟନାୟକ, ଅଧିବକ୍ତା ପବନ ଶର୍ମା, ଉଦ୍ଧବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.