Home ଓଡ଼ିଶା ସହମତି ନାଁ ସଲାସୂତରାରେ ହେବ ରାଜ୍ୟ ସଭାପତି ଚୟନ? ରାଜ୍ୟ ବିଜେପିରେ ଶୀତଳ ଯୁଦ୍ଧ!

ସହମତି ନାଁ ସଲାସୂତରାରେ ହେବ ରାଜ୍ୟ ସଭାପତି ଚୟନ? ରାଜ୍ୟ ବିଜେପିରେ ଶୀତଳ ଯୁଦ୍ଧ!

662

ଭୁବନେଶ୍ୱର: ବିଜେପିର ସାଙ୍ଗଠନିକ ନିର୍ବାଚନ ଏବେ ଆରମ୍ଭ ହୋଇଯାଇଛି।ଚଳିତ ଡିସେମ୍ବର ୧୪, ୧୫, ୧୬ରେ ସମସ୍ତ ୩୬ଟି ସାଙ୍ଗଠନିକ ଜିଲ୍ଲାରେ ସଭାପତି ନିର୍ବାଚନ ହେବ।ରାଜ୍ୟ ବିଜେପି କହିବା ଅନୁଯାୟୀ ଏ’ ପର୍ଯ୍ୟନ୍ତ ୨୪ ହଜାର ୫ ଶହ ୩୫ଟି ବୁଥ କମିଟି ଗଠନ ହୋଇସାରିଛି।ସେହିପରି ମୋଟ ୧୦୦୪ ମଣ୍ଡଳ ମଧ୍ୟରୁ ୯୦୦ରୁ ଉର୍ଦ୍ଧ୍ଵ ମଣ୍ଡଳରେ ନିର୍ବାଚନ ସରିଛି।ଏହାପରେ ୧୪, ୧୫ ଏବଂ ୧୬ ତାରିଖରେ ହେବ ଜିଲ୍ଲା ସଭାପତି ନିର୍ବାଚନ।୧୬ ତାରିଖରେ ସମସ୍ତ ୩୬ଟି ଜିଲ୍ଲାର ନିର୍ବାଚନ ସରିବା ପରେ କେନ୍ଦ୍ର ବିଜେପି ପକ୍ଷରୁ ରାଜ୍ୟ ସଭାପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ।କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ସାଂସଦ ରାଜୀବ ପ୍ରତାପ ରୁଢୀଙ୍କୁ ଓଡ଼ିଶା ବିଜେପିର ସାଙ୍ଗଠନିକ ନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି।ସମସ୍ତ ରାଜ୍ୟର ନିର୍ବାଚନ ସରିବା ପରେ ହେବ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନିର୍ବାଚନ।୨୦୨୦ ନୂଆ ବର୍ଷରେ ବିଜେପି ପାଇବ ଏକ ନୂଆ ଅଧ୍ୟକ୍ଷ।ଏହାସହ ପର୍ଯ୍ୟାୟ କ୍ରମେ କେନ୍ଦ୍ରୀୟ କମିଟି, ରାଜ୍ୟ କମିଟି, ଜିଲ୍ଲା କମିଟି ଏବଂ ବିଭିନ୍ନ ମୋର୍ଚ୍ଚାର ଦାୟିତ୍ୱ।ଓଡ଼ିଶାରେ କିଏ ହେବ ରାଜ୍ୟ ସଭାପତି ତାକୁ ନେଇ କଳ୍ପନା ଜଳ୍ପନା  ପ୍ରକାଶ ପାଉଛି।ନିର୍ବାଚନ ନୁହେଁ, ସହମତିରେ ହେବ ସଭାପତି ଚୟନ ବୋଲି ରାଜ୍ୟ ନେତୃତ୍ୱ କହୁଛନ୍ତି।ତେବେ, ସହମତିରେ ନାଁ ସଲାସୂତରାରେ ଚୟନ ହେବେ ରାଜ୍ୟ ସଭାପତି?

ଗତ ଥରର ସ୍ଥିତି ଏବଂ ଏଥରର ସ୍ଥିତି ଭିତରେ ଅନେକ ତଫାତ୍ ରହିଛି।ଗତ ଥର ସଭାପତି ପାଇଁ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ଆଲୋଚନା ହେଉଥିବା ବେଳେ ଶେଷରେ ବସନ୍ତ ପଣ୍ଡା ହେଲେ ସଭାପତି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇଛାରେ ବସନ୍ତ ପଣ୍ଡା ହୋଇଥିଲେ ସଭାପତି ବୋଲି କୁହାଯାଏ।ଧର୍ମେନ୍ଦ୍ରଙ୍କ ଇଙ୍ଗିତରେ ହିଁ ପୂରା ଓଡ଼ିଶା ବିଜେପି ପରିଚାଳିତ ହୁଏ ବୋଲି ସମସ୍ତେ ଜାଣନ୍ତି।କେବଳ ଧର୍ମେନ୍ଦ୍ରଙ୍କ ଇଚ୍ଛାରେ ହିଁ ରାଜ୍ୟ ବିଜେପିର ସମସ୍ତ ପଦପଦବୀ ନିଯୁକ୍ତ ହୋଇଥିଲା ବୋଲି ଆଲୋଚନା ହୁଏ।ଧର୍ମେନ୍ଦ୍ରଙ୍କ ବିନା ଇଚ୍ଛାରେ ରାଜ୍ୟ ବିଜେପିରେ ପତ୍ରଟିଏ ବି ହଲେନି।କେହି ହୁଏତ ବିଜେପି କିମ୍ବା ମୋଦିଙ୍କ ବିରୋଧରେ କହି ବିଜେପିରେ ସ୍ଥାନ ପାଇପାରେ, କିନ୍ତୁ ଧର୍ମେନ୍ଦ୍ରଙ୍କ ବିରୋଧରେ ଯାଇ ଓଡ଼ିଶା ବିଜେପିରେ ତିଷ୍ଠିବା ଅସମ୍ଭବ।ପୂର୍ବରୁ ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ମାନୁ ନଥିବା ଜୁଏଲ ଓରାମ ମଧ୍ୟ ଶେଷରେ ମୁଣ୍ଡ ନୁଆଇଁ ସାରିଛନ୍ତି।କିନ୍ତୁ, ଏବେ ସ୍ଥିତି ଟିକେ ଭିନ୍ନ ଅନୁଭବ ହେଉଛି।ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଭିତରେ ଧର୍ମେନ୍ଦ୍ରଙ୍କ ଖାସ ଅନୁଗତ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ସହ ଅପରାଜିତାଙ୍କ ଖାସ ଅନୁଗତ ଦେବାଶିଷ ନାୟକଙ୍କ ମଧ୍ୟରେ ଚାଲିଛି ସିଧାସଳଖ ଯୁଦ୍ଧ।ଭୁବନେଶ୍ୱରରେ ଜିଲ୍ଲା ସଭାପତି ହରି ଖୁଣ୍ଟିଆଙ୍କୁ ଭୁବନେଶ୍ଵର ସାଂସଦ ଅପରାଜିତା ଅଣଦେଖା କରୁଥିବା ଅଭିଯୋଗ ହେଉଥିବା ବେଳେ ସାଂସଦଙ୍କ ଅନୁଗତ ଦେବାଶିଷଙ୍କ ସହିତ ଚାଲିଛି ସଭାପତି ହରି ଖୁଣ୍ଟିଆଙ୍କ ସିଧା ଲଢ଼େଇ।ହରି ଖୁଣ୍ଟିଆ ନିଜର ପୂର୍ବ ପ୍ରଭାବ ହରାଇ ବସୁଥିବା ବେଳେ ଧର୍ମେନ୍ଦ୍ର ତାଙ୍କ ପାଇଁ କିଛି କରିପାରୁ ନାହାଁନ୍ତି!ବୋଧେ ଏପରି ଘଟଣା ଓଡ଼ିଶା ବିଜେପିରେ ପ୍ରଥମ!ପରିସ୍ଥିତି ଏପରି ଯେ, ଧର୍ମେନ୍ଦ୍ର ଏବଂ ଅପରାଜିତାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଭିତରେ ଭୁବନେଶ୍ୱର ଜିଲ୍ଲା ସଭାପତି ନିର୍ବାଚନ ସ୍ଥଗିତ ରହିଯିବାର ଆଶଙ୍କା ରହିଛି!ଏଣେ ବୈଜୟନ୍ତ ପଣ୍ଡା ଜଣେ ପ୍ରଭାବୀ ବ୍ୟକ୍ତିତ୍ୱ।ସେ ରାଷ୍ଟ୍ରୀୟ ସ୍ତରରେ ଅତ୍ୟନ୍ତ ପ୍ରଭାବୀ ନେତା ଏବଂ ସଂଘ (ଆରଏସଏସ) ଅଧିକାରୀଙ୍କ ସହ ସୁସଂପର୍କରେ ରହି ତାଙ୍କ ଗୋଟି ଚାଳନା କରୁଛନ୍ତି।ଏ’ ଭିତରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ମଧ୍ୟ ଟିକେ ବଦଳି ଯାଇଛନ୍ତି।ଯାହା ହେଲେ ବି ସେ ଆଜି ଜଣେ ସାଂସଦ!ବରଗଡ଼ ସାଂସଦ ସୁରେଶ ପୂଜାରୀ ମଧ୍ୟ ତାଙ୍କ ଯୋଜନାରେ ଅଛନ୍ତି।ଅପରାଜିତା ଷଡ଼ଙ୍ଗୀ ଏବଂ ସୁରେଶ ପୂଜାରୀଙ୍କ ମଧ୍ୟରେ ଏ’ ଭିତରେ ସଂପର୍କ ଟିକେ ବୃଦ୍ଧି ପାଇଛି।କୁହାଯାଉଛି ଉଭୟଙ୍କ ମଧ୍ୟରେ ଏକ ଡିଲ୍ ହୋଇଛି।କେନ୍ଦ୍ର ମନ୍ତ୍ରୀମଣ୍ଡଳ ବିସ୍ତାରରେ ସ୍ଥାନ ପାଇବା ଏବଂ ରାଜ୍ୟ ସଭାପତିକୁ ନେଇ ଏହି ଡିଲ୍ ହୋଇଥିବା କୁହାଯାଉଛି।କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ତାଙ୍କ ଯୋଜନାରେ ଅଛନ୍ତି।ନିଜେ ରାଜ୍ୟ ସଭାପତି ହେବା କିମ୍ବା ପତ୍ନୀ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବିସ୍ତାରରେ ସ୍ଥାନ ଦେବା ଯୋଜନାରେ କନକ ବର୍ଦ୍ଧନ ରହିଥିବା କୁହାଯାଉଛି।

ଆଉ ଜଣେ କେହି ଓଡ଼ିଆ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଉ ବା ନପାଉ, ପୂର୍ବ ଏବଂ ପଶ୍ଚିମ ଓଡ଼ିଶା ସମୀକରଣ ଭିତ୍ତିରେ ମନ୍ତ୍ରୀପଦ ପ୍ରଦାନ କିମ୍ବା ସଭାପତି ଚୟନ ହେବ ବୋଲି କୁହାଯାଉଛି।ଏ’ ଭିତରେ ସମୀର ମହାନ୍ତିଙ୍କ ନାମ ରାଜ୍ୟ ସଭାପତି ଭାବରେ ସବୁଠାରୁ ଅଧିକ ଆଲୋଚନା ହେଇ ଆସୁଛି।ସମୀର ହିଁ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୋଜେକ୍ଟ ସଭାପତି ବୋଲି କୁହାଯାଉଛି।ଏହି ଯୋଜନା କେବେଠାରୁ କାର୍ଯ୍ୟ କରିଆସୁଛି।ତେଣୁ ସମୀର ମହାନ୍ତି ଯଦି ସଭାପତି ହୁଅନ୍ତି, ତେବେ ଓଡ଼ିଶା ବିଜେପି ଏବେ ବି ସଂପୂର୍ଣ୍ଣ ଭାବରେ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତ ମୁଠାରେ ବୋଲି ଜଣାପଡ଼ିବ।ତେବେ ଏହା ବ୍ୟତୀତ କନକ ବର୍ଦ୍ଧନ ସିଂହଦେଓଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଅଛି।କନକ ବର୍ଦ୍ଧନ ହିଁ ସବୁଠାରୁ ବଡ଼ ଦାବିଦାର ବୋଲି କୁହାଯାଉଛି।ଏହା ବ୍ୟତୀତ ବିଜୟ ମହାପାତ୍ର, ନୟନ କିଶୋର ମହାନ୍ତି, ମନମୋହନ ସାମଲ, ପୃଥ୍ବୀରାଜ ହରିଚନ୍ଦନ ଆଦି କେତେକ ନେତା ନିଜ ନିଜ ବାଟରେ ସଭାପତି ଆସନ ଲବିରେ ଅଛନ୍ତି।ଜୁଏଲ ଓରାମ ତାଙ୍କ ଥଇଥାନ ଖୋଜୁଛନ୍ତି।କିନ୍ତୁ, ତୃଣମୂଳ ସ୍ତରରୁ କାର୍ଯ୍ୟକର୍ତ୍ତା ଏମାନଙ୍କ ମଧ୍ୟରୁ କନକ ବର୍ଦ୍ଧନଙ୍କୁ ଅଧିକ ପସନ୍ଦ କରୁଛନ୍ତି।ତେବେ ଏହା ସହ ସଭାପତି ପଦ ପାଇଁ ଅପରାଜିତା ଷଡ଼ଙ୍ଗୀ ଏବଂ ବୈଜୟନ୍ତ ପଣ୍ଡାଙ୍କ ପାଇଁ ତୃଣମୂଳ ସ୍ତରରୁ ସ୍ୱର ଉଠୁଛି।ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢ଼ିବା ପାଇଁ ଅପରାଜିତା କିମ୍ବା ବୈଜୟନ୍ତ ଉପଯୁକ୍ତ ଚେହେରା ବୋଲି ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତା ମନେ କରୁଛନ୍ତି।ଅପରାଜିତା ଏବଂ ବୈଜୟନ୍ତ ମଧ୍ୟ ଏଥିପ୍ରତି ଆଗ୍ରହୀ ଥିବା କୁହାଯାଉଛି।ସେହି ଅନୁଯାୟୀ ଅପରାଜିତା ଷଡ଼ଙ୍ଗୀ ଏବଂ ସୁରେଶ ପୂଜାରୀଙ୍କ ମଧ୍ୟରେ ଏକ ଡିଲ୍ ହୋଇଥିବା ଆଲୋଚନା ହେଉଛି।ଏବଂ ବୈଜୟନ୍ତ ମଧ୍ୟ ସେହି କେନ୍ଦ୍ରୀୟ ନେତୃତ୍ୱଙ୍କ ମାଧ୍ୟମରେ ତାଙ୍କ ଯୋଜନାରେ ଅଛନ୍ତି।ତେବେ ବୈଜୟନ୍ତ ସଂଘ (ଆରଏସଏସ) ସହିତ ଭଲ ସଂପର୍କରେ ଥିବା ବେଳେ ଆଶ୍ଚର୍ଯ୍ୟ ଜନକ ଭାବରେ ଅପରାଜିତା ସଂଘ ସହିତ ସଂପର୍କରେ ଦୂରତା ରଖିଛନ୍ତି।ତେବେ ଏ’ସବୁ ଭିତରେ କେନ୍ଦ୍ରରେ ବିଜେପି – ବିଜେଡି ସଂପର୍କ ନିକଟତର ହେଉଛି।ତେଣୁ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢ଼ିବା ପାଇଁ ବିଜେପିରେ ଥିବା ନବୀନଙ୍କର ବଡ଼ ଶତୃ ବୈଜୟନ୍ତ ପଣ୍ଡା କିମ୍ବା ଏକ ବିକଳ୍ପ ଚେହେରା ଭାବରେ ଉଭା ହେଉଥିବା ଅପରାଜିତାଙ୍କ ହାତରେ ଦଳ ଦାୟିତ୍ୱ ନ୍ୟସ୍ତ କରିବ, ନାଁ କନକ ବର୍ଦ୍ଧନ ସିଂହଦେଓଙ୍କ ପରି ନେତୃତ୍ୱଙ୍କୁ ଦାୟିତ୍ୱ ଦେଇ ଏକ ମଧ୍ୟମ ବାଟ ଦେଖିବ, ନାଁ ସମୀର ମହାନ୍ତିଙ୍କୁ ଦାୟିତ୍ୱ ଦେଇ ସେହି ଧର୍ମେନ୍ଦ୍ରଙ୍କ ହାତ ମୁଠାରେ ସଙ୍ଗଠନ ରଖି ନବୀନ ପଟ୍ଟନାୟକଙ୍କ ସହ ଏକ ଅଦୃଶ୍ୟ ମେଣ୍ଟ କରିବ ତାହା ସମୟ କହିବ।ବସନ୍ତ ପଣ୍ଡାଙ୍କୁ ରିପିଟ୍ ମଧ୍ୟ କରାଯିବାର ସମ୍ଭାବନା ରହିଛି।ଏ’ ଭିତରେ ଯଦି ଧର୍ମେନ୍ଦ୍ର ପ୍ରଧାନଙ୍କ ମନ ମୁତାବକ ନେତା ସଭାପତି ହେବାରେ ସମସ୍ୟା ଉପୁଜେ, ତେବେ ପ୍ରତିପକ୍ଷକୁ ସୁଯୋଗ ନଦେଇ ଇଚ୍ଛା ନଥିଲେ ମଧ୍ୟ ଅନ୍ୟ କୌଣସି ଅପେକ୍ଷାକୃତ ଗ୍ରହଣୀୟ ନେତାଙ୍କ ନାମ ନିଜ ଆଡୁ ପ୍ରୋଜେକ୍ଟ କରାଇ ନିଜର ସମ୍ନାନ ରଖିବାକୁ ଚେଷ୍ଟା କରିବେ ଧର୍ମେନ୍ଦ୍ର।ତେଣୁ ସମୟ କହିବ, ସହମତି ନାଁ ସଲାସୂତରାରେ ହେବ ରାଜ୍ୟ ସଭାପତି ଚୟନ!/-ଦେବଦତ୍ତ ରଥ

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.