Home ଓଡ଼ିଶା ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହଦଗାଁ ଓ ପିଲିମାହା ଗ୍ରାମ: ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ିନାହିଁ...

ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହଦଗାଁ ଓ ପିଲିମାହା ଗ୍ରାମ: ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ିନାହିଁ :ବର୍ଷାଦିନେ ବାହ୍ୟଜଗତରୁ ବିଚ୍ଛିନ୍ନ

155

ବାଲିଗୁଡା ୨୫-୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ପାରିଗଡ ପଞ୍ଚାୟତର ଦୁଇ ଗ୍ରାମ ହଦଗାଁ ଓ ପିଲିମାହା ଦୁର୍ଗମ ଅଞ୍ଚଳ ଭାବେ ପରିିଚିତ। ଏହି ଗ୍ରାମକୁ ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼େ ନାହିଁ। କେବଳ ଭୋଟ ବେଳେ ନେତାମାନେ ବହୁ କଷ୍ଟରେ ଭୋଟ ଭିକ୍ଷା କରିବାକୁ ଆସିଥାନ୍ତି। ସମସ୍ୟାର ସମାଧାନ ନେଇ ବହୁ ପ୍ରତିଶ୍ରୁତି ବି ଦିଅନ୍ତି। ହେଲେ ପଛରେ ଭୁଲି ଯାଆନ୍ତି। ଆରମ୍ଭରୁ ସମସ୍ୟା ଯେପରି ଥିଲା ଆଜି ବି ସେହିଭଳି ରହିଛି। ବର୍ଷାଦିନେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡେ ଏହି ଦୁଇଟି ଗାଁ। କେବଳ କାଠ ପୋଲଟିଏ ଯୋଗାଯୋଗର ମାଧ୍ୟମ ପାଲଟିଛି। ତାହା ପୁଣି ଗ୍ରାମବାସୀଙ୍କ ପରିଶ୍ରମରେ। ଗ୍ରାମ ୨ଟିକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ନାହିଁ, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଖାଲି ଏତିକି ନୁହେଁ, ବିଜୁଳି ଆଲୁଅ ଆଜି ବି ସାତସପନ।

ବ୍ଲକ ଠାରୁ ପ୍ରାୟ ୪୦ କି.ମି. ଦୂରରେ ରହିଛି ହଦଗାଁ ଓ ପିଲିମାହା ଗ୍ରାମ। ଲୋକ ସଂଖ୍ୟା ୬୦୦ରୁ ଊର୍ଦ୍ଧ୍ୱ। ଅଧିକାଂଶ ଲୋକେ କାମ ଧନ୍ଦା କରି ପରିବାର ଚଳାନ୍ତି। ସେମାନଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନୁହେଁ। ସର୍ବନିମ୍ନ ମୌଳିକ ସୁବିଧା ଗାଁକୁ ରାସ୍ତାଟିଏ ନାହିଁ। ବର୍ଷା ଦିନେ ଗ୍ରାମବାସୀଙ୍କ ପକ୍ଷରୁ ରାହୁଳ ନଦୀ ଉପରେ ତିଆରି ହେଉଥିବା କାଠପୋଲ ଭାସିଯାଏ। ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡେ। କାହାର ଦେହ ଖରାପ ହେଲେ ମେଡିକାଲ ଆଣିବା ଅତ୍ୟନ୍ତ କଷ୍ଟକର। ବର୍ଷା ଛାଡିବା ପରେ ଏବଂ ନଦୀରୁ ପାଣି କମିଲେ ଦୁଇ ଗାଁକୁ ଯୋଡୁଥିବା ରାହୁଳ ନଦୀ ଉପରେ ଲୋକେ ବାଉଁଶ, କାଠ ସାହାଯ୍ୟରେ ପୋଲ ନିର୍ମାଣ କରି ଯାତାୟାତ କରନ୍ତି। ରାସ୍ତା ଏବଂ ପୋଲ ପାଇଁ ଦୁଇ ଗ୍ରାମବାସୀ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କରି ଆସୁଛନ୍ତି। ହେଲେ ସମସ୍ୟା ସୁଧୁରି ପାରିନାହିଁ।

କାଠ ପୋଲ ଯାତାୟାତର ମାଧ୍ୟମ। ନଦୀରେ ବଢି ପାଣି ଆସିଲେ ପୋଲ ଧୋଇ ହୋଇଯାଉଛି। ଚାଉଳ ଆଣିବା ପାଇଁ ପ୍ରତିମାସରେ ପଞ୍ଚାୟତକୁ ଯିବାକୁ ନାକେଦମ ହେବାକୁ ପଡୁଛି। ଅଭିଯୋଗକୁ କେହି କର୍ଣ୍ଣପାତ କରୁ ନାହାନ୍ତି ବୋଲି ଉଭୟ ଗ୍ରାମର ଲୋକେ ପ୍ରକାଶ କରିଛନ୍ତି। ଏ ନେଇ ବିଡିଓ କୈଳାସ ଚନ୍ଦ୍ର ମୁର୍ମୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗ୍ରାମକୁ ରାସ୍ତା ନିର୍ମାଣ କାମ ହେଉଥିଲା। ନିକଟରେ ଠିକାଦାରଙ୍କର ମୃତ୍ୟୁ ହେବାରୁ କାମ ବନ୍ଦ ରହିଥିଲା। ଏବେ କାମ ଆରମ୍ଭ ହେଲାଣି। ସେଠାରେ ପୋଲ ମଧ୍ୟ ହେବ। ନିର୍ମାଣ କାର୍ଯ୍ୟ ଖୁବ୍‌ଶୀଘ୍ର ସାରିବାକୁ ଚେଷ୍ଟା କରାଯାଉଛି ବୋଲି ବିଡିଓ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.