Home ଓଡ଼ିଶା ସରିଲା ପ୍ରଚାର, ପ୍ରାର୍ଥୀଙ୍କ ପାଇଁ ତାରକା ନେତାଙ୍କ ଜୋରଦାର ପ୍ରଚାର, ଶେଷଦିନରେ ଦୁଲୁକିଲା ଧାମନଗର

ସରିଲା ପ୍ରଚାର, ପ୍ରାର୍ଥୀଙ୍କ ପାଇଁ ତାରକା ନେତାଙ୍କ ଜୋରଦାର ପ୍ରଚାର, ଶେଷଦିନରେ ଦୁଲୁକିଲା ଧାମନଗର

47

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ସରିଛି। ଆଜି ପ୍ରଚାର ଶେଷଦିନ ଥିବାରୁ ବିଜେଡି, ବିଜେପି, କଂଗ୍ରେସ ସହିତ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଧାମନଗରରେ ଦମଦାର ପ୍ରଚାର କରିଛନ୍ତି। ଭୋଟରଙ୍କୁ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ ସବୁ ଦଳ ଦମ୍ ଲଗାଇ ଦେଇଥିବା ଦେଖାଦେଇଛି। ଆଜି ସନ୍ଧ୍ୟା ପୂର୍ବରୁ ଧୁଷୁରୀ ବାସନ୍ତୀ ପଡିଆ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଧାରଣ ସଭା କରି ନିର୍ବାଚନୀ ସଭାରେ ଜନସାଧାରଣଙ୍କୁ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସୁରମା ପାଢୀଙ୍କ ସମେତ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ସେହିପରି ବିଜୁ ଜନତା ଦଳ ପକ୍ଷରୁ ଧାମନଗର, ଦୋବଲ, ଅସୁରାଳି ଓ ଧୁଷୁରୀ ଜୋନ୍ ସହିତ ଧାମନଗର ବିଜ୍ଞାପିତ ଅଂଚଳରେ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା କରିଛି। ଏହି ଶୋଭାଯାତ୍ରାରେ ପ୍ରତି ପଞ୍ଚାୟତରୁ ଶତାଧିକ ମୋଟର ସାଇକେଲ୍ ଓ ସମର୍ଥକ ସାମିଲ ହୋଇଥିଲେ।

ବ୍ଲକ୍‌ର ସବୁ ପଞ୍ଚାୟତ ଏହି ଶୋଭାଯାତ୍ରା ଗସ୍ତ କରିଛି। ଏଠାରେ ଦଳର ମଜଭୁତ ସ୍ଥିତ ଅଛି ବୋଲି ଲୋକଙ୍କୁ ଦଳ ବାର୍ତ୍ତା ଦେଉଛି। ମଙ୍ଗଳପୁର ଛକ ଠାରୁ ବେତାଳିଗାଁ ଓ କୋଠାର ନୂଆହାଟ ଠାରୁ ସେଣ୍ଢପୁର ବଜାର ପର୍ଯ୍ୟନ୍ତ ବିଶାଳ ବାଇକି ଶୋଭାଯାତ୍ରା କରାଯାଇଥିଲା। ଏହି ଶୋଭାଯାତ୍ରାରେ ଦଳର ନେତା, ମନ୍ତ୍ରୀ, ବିଧାୟକ ଓ ସିନେ ତାରକା ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ପଣ୍ଡା, ଅଶ୍ୱିନୀ ପାତ୍ର, ପ୍ରୀତିରଂଜନ ଘଡେଇ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ସାଂସଦ ମଂଜୁଲତା ମଣ୍ଡଳ, ରାଜ୍ୟସଭା ସଦସ୍ୟ ସୁଲତା ଦେଓ, ବିଧାୟକ ପ୍ରଫୁଲ୍ଲ ସାମଲ, ସଂଜୀବ ମଲ୍ଲିକ, ପ୍ରଣବ ବଳବନ୍ତ ରାୟ, ଅମର ଶତପଥୀ, ଅଶୋକ ବଳ, ଅରିନ୍ଦମ ଦାସ, କୁନା ତ୍ରିପାଠୀ, ଆକଶ ଦାସ ନାୟକ, ସୋଫିଆ ଆଲାମ, ଏଲିନା ଦାସ, ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ଜିଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଦଳର ରାଜ୍ୟସ୍ତରୀୟ ଶୀର୍ଷନେତା ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରଚାରରେ ସାମିଲ ହୋଇଛନ୍ତି।

ଅନ୍ୟପଟେ ବିଜେପି ବରିଷ୍ଠ ନେତା ମନମୋହନ ସାମଲ, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ, ଠାକୁର ରଣଜିତ୍ ଦାସ, ବିଧାୟକ ସନାତନ ବିଜୁଳି, ଅଭିମନ୍ୟୁ ସେଠୀ, ବଦ୍ରୀ ନାରାୟଣ ଧଳ, ନାରୀନେତ୍ରୀ ପିଙ୍କି ପ୍ରଧାନ ଓ ମନସ୍ମିତା ଖୁଣ୍ଟିଆ ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ, ପ୍ରାକ୍ତନ ପିସିସି ସଭାପତି ଜୟଦେବା ଜେନା, ବିଧାୟକ ସନ୍ତୋଷ ସିଂହ ସାଲୁଜା, ପ୍ରଶାନ୍ତ ହରିଚନ୍ଦନ, ରମେଶ ଜେନା ଓ ଅଧିରାଜ ପାଣିଗ୍ରାହୀ ପ୍ରମୁଖ ରୋଡ୍ ସୋକରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ତାଙ୍କର ନିଆରା ଢଙ୍ଗରେ ଡଙ୍ଗା ଚିହ୍ନରେ ଭୋଟ ଦେବା ପାଇଁ ଘରେ ଘରେ ଭୋଟରଙ୍କୁ ଭେଟି ଭୋଟ୍ ଭିକ୍ଷା କରିଛନ୍ତି। ତେବେ ପ୍ରଚାର ଆରମ୍ଭରୁ ଶେଷଯାଏ କୌଣସି ଗଣ୍ଡଗୋଳ ହୋଇନଥିବାବେଳେ ୩୧ ତାରିଖରେ ଧାମନଗର ବଜାରରେ ଏକ ମିଠା ଦୋକାନରେ ରାଜନୀତିକୁ କେନ୍ଦ୍ରକରି ଦୋକାନ ଭଙ୍ଗାରୁଜା ହୋଇଥିଲା। ଏ ନେଇ ଧାମନଗର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ତେବେ ଚଳିତ ମାସ ୩ ତାରିଖ ଭୋଟ୍ ହେବାକୁ ଥିବାବେଳେ ଆଜି ବୁଥ୍‌ରେ ପୋଲିଂ ପାର୍ଟି ପହଞ୍ଚିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.