Home ଜିଲ୍ଲା ପରିକ୍ରମା ସରକାରୀ ସହାୟତା ଆକାଶ କଇଁଆ ଚିଲିକା ମାଛ, ୩ ଭିନ୍ନକ୍ଷମ ଭ୍ରାତାଙ୍କୁ ଭଗବାନ ଭରସା, ବୃଦ୍ଧ...

ସରକାରୀ ସହାୟତା ଆକାଶ କଇଁଆ ଚିଲିକା ମାଛ, ୩ ଭିନ୍ନକ୍ଷମ ଭ୍ରାତାଙ୍କୁ ଭଗବାନ ଭରସା, ବୃଦ୍ଧ ପିତା ମଝିନଈରେ

82

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅସହାୟ, ଭିନ୍ନକ୍ଷମ, ଦରିଦ୍ର ଲୋକମାନଙ୍କ ପାଇଁ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି । ଏବଂ ସଫଳ ରୂପାୟନର ମିଛ ଡିଣ୍ଡିମ ପିଟି ଚାଲିଛନ୍ତି । କିନ୍ତୁ ସେ ଯୋଜନାରୁ ଲୋକ କେତେ ଉପକୃତ ହେଉଛନ୍ତି, ତାହା ବିଭାଗୀୟ ଅଧିକାରୀଙ୍କୁ ଜଣାନଥିବାବେଳେ କେବଳ ଭଗବାନଙ୍କୁ ଭରସା କରି ସେମାନେ ବଂଚି ରହିଛନ୍ତି । ଏପରି ଏକ ଅସହାୟ ପରିବାର ଦେଖିବାକୁ ମିଳିଛି ଏହି ଜିଲାର ଭଦ୍ରକ ବ୍ଲକ୍ ଅନ୍ତର୍ଗତ ଚଣ୍ଡିଗାଁ ପଞ୍ଚାୟତ ସ୍ଥିତ ଏକତାଳି ଗ୍ରାମରେ । ଏଠି ୭୦ ବର୍ଷର ଅସହାୟ ବୃଦ୍ଧ ମହେନ୍ଦ୍ର ସାମଲଙ୍କ ଦୁଃଖ କହିଲେ ନସରେ । ବୟସର ସାୟାହ୍ନରେ ଆଜି ବି ସେ ଏକ ଭଙ୍ଗା ଘରେ ପରିବାରର ତିନି ଭିନ୍ନକ୍ଷମ ପୁଅଙ୍କ ସାହାରା ପାଲଟିଛନନ୍ତି । ତାଙ୍କ ଦେହର ଚମଡା ଧୁଡୁଧୁଡୁ ହେଉଥିବାବେଳେ ଆଖିକୁ ମଧ୍ୟ ଠିକ୍ ଭାବରେ ଦେଖାଯାଉନାହିଁ । ଏପରି ଅବସ୍ଥାରେ ସେ ତିନି ପୁଅଙ୍କ ବଂଚିବାର ଆଶାବାଡି ସାଜିଛନ୍ତି । ସରକାରୀ ସାହାଯ୍ୟ ସତେ ଯେପରି ତାଙ୍କ ପରିବାର ପାଇଁ ଆକାଶ କଇଁଆ ଚିଲିକା ମାଛ ପାଇବା ଭଳି ସାତ ସପନ ପାଲଟିଯାଇଛି । ମାସିକ ରାସନ ଚାଉଳ ଏବଂ ମହେନ୍ଦ୍ରଙ୍କ ବାର୍ଦ୍ଧକ୍ୟ ଭତ୍ତା ଏ ପରିବାର ପାଇଁ ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ ହୋଇଛି । ସମସ୍ତେ ଏ ପର୍ଯ୍ୟନ୍ତ ସରକାରୀ ସହାୟତାରୁ ବଂଚିତ । ମହେନ୍ଦ୍ରଙ୍କ ପରିବାର କହିଲେ ସ୍ତ୍ରୀ, ଝିଅ ଏବଂ ତିନି ଭିନ୍ନକ୍ଷମ ପୁଅ । କିନ୍ତୁ ଦୁଃଖର କଥା ବୋଝ ଉପରେ ନଳିତା ବିଡା ସଦୃଶ ମହେନ୍ଦ୍ରଙ୍କ ଉପରେ ଦୁଃଖର ପାହାଡ ଲଦି ହୋଇପଡିଛି । ପ୍ରଥମେ ଝିଅକୁ ଜମିବାଡି ବିକ୍ରି କରି ବାହା ଦେବାର ଦୁଇବର୍ଷ ପରେ ଝିଅ, ଜ୍ୱାଇଁ ତିନି ମାସର ନାତୁଣିର ଏକବର୍ଷ ମଧ୍ୟରେ ମୃତ୍ୟୁ ଘଟିଲା ।

ମହେନ୍ଦ୍ରଙ୍କ ଦୁଃଖ ଏତିକିରେ ସରିନଥିବାବେଳେ ତାଙ୍କ ସ୍ତ୍ରୀ ମଧ୍ୟ ଆରପାରିକୁ ଚାଲିଗଲେ । ସ୍ତ୍ରୀ ଆରପାରିକୁ ଯିବା ପରେ ପରିବାରର ସମସ୍ତ ବୋଝ ତାଙ୍କ ମଥାରେ ଲଦି ହୋଇପଡିଲା । ବଡପୁଅ ଅକ୍ଷୟ (୪୫) ୨୦୦୩ ମସିହାରୁ ପାରାଲିସିସ୍‌ରେ ଆକ୍ରାନ୍ତ ହୋଇ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଥିଲେ ମଧ୍ୟ ଏଯାଏ ଭିନ୍ନକ୍ଷମ ଭତ୍ତାଟିଏ ପାଇପାରିନଥିବା ବେଳେ ମଝିଆଁ ପୁଅ ଅଜୟ (୪୦) ଦୀର୍ଘ ୭ ବର୍ଷ ହେବ ସ୍ନାୟୁ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚାଲିନପାରି ଭିନ୍ନକ୍ଷମ ପାଲଟିଯାଇଛନ୍ତି । ସେ ବିଏ ପାସ୍ କରିବା ସହ କମ୍ପ୍ୟୁଟର ଶିକ୍ଷା କରିଛନ୍ତି । କିନ୍ତୁ ଦୁଃଖର କଥା ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ପାଖରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ଏଯାଏ ତାଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ନା କୌଣସି ସରକାରୀ ସହାୟତା ମିଳିପାରିନାହିଁ । ସେହି ପରି ସାନପୁଅ ବିଜୟ (୩୭) ମଧ୍ୟ ଦୀର୍ଘ ୬ ବର୍ଷ ହେବ ସ୍ନାୟୁ ଜନିତ ରୋଗରେ ଆକ୍ରାନ୍ତ ହୋଇ ଭିନ୍ନକ୍ଷମ ପାଲଟିଯାଇଥିବା ସତ୍ୱେ ଏଯାଏ ଭିନ୍ନକ୍ଷମ ପ୍ରମାଣପତ୍ର ପାଇପାରିନାହାଁନ୍ତି । ଭତ୍ତା ତ ଦୂରର କଥା । ଡାକ୍ତର କହୁଛନ୍ତି ଯଦି ତାଙ୍କର ଉନ୍ନତ ଓ ଉତ୍ତମ ଚିକିତ୍ସା କରାଯାଏ, ତାହେଲେ ସେମାନେ କିଛି ମାତ୍ରାରେ ଭଲ ହୋଇପାରିବେ । ସେଥିପାଇଁ ପାଖାପାଖି ୧୫ ଲକ୍ଷ ଟଙ୍କା ଲାଗିବ । ଏଯାଏ କାହାରିଙ୍କୁ ଟ୍ରାଇସାଇକେଲ୍‌ଟିଏ ମିଳିପାରିଲା ନାହିଁ । ସବୁଠୁ ବଡ ବିଡମ୍ବନାର ବିଷୟ ମହେନ୍ଦ୍ରଙ୍କ ନାମରେ ଆବାସ ଯୋଜନାରେ ଘର ଆସିଥିଲେ ମଧ୍ୟ ରାଜନୈତିକ ଚାପ ଯୋଗୁଁ ସେ ଘର ପାଇପାରୁନାହାଁନ୍ତି । ଘରେ କୌଣସି ସ୍ତ୍ରୀ ଲୋକ ନଥିବାରୁ ରୋଷେଇ କରି ଖାଇବା ସେମାନଙ୍କ ପକ୍ଷରେ ସମ୍ଭବ ହେଉନଥିବାବେଳେ ପାଖ ପଡୋଶୀ ରୋଷେଇ କରି ବେଳେ ବେଳେ ଖାଇବାକୁ ଦେଉଛନ୍ତି । ଏହି ଅସହାୟ ମହେନ୍ଦ୍ର ସାମଲଙ୍କ ପରିବାର ପାଖରେ ଭଦ୍ରକର କୋଡଗମ୍ଭୀରସ୍ଥ ସମ୍ଭବ ଫାଉଣ୍ଡେସନ ପହଞ୍ôଚ ସେମାନଙ୍କର ଦୁଃଖକଷ୍ଟକୁ ବୁଝି ସମସ୍ତ ଅସୁବିଧାକୁ ଲୋକ ଲୋଚନକୁ ଆଣିବା ସହ ଯଥାସମ୍ଭବ ସାହାଯ୍ୟ ସହଯୋଗ ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି । ଏଣୁ ସରକାର ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.