Home ଜିଲ୍ଲା ପରିକ୍ରମା ସରକାରୀ ପ୍ରୋତ୍ସାହନ ସତ୍ୱେ ଅଟକିଛି ମାଛ ଚାଷ

ସରକାରୀ ପ୍ରୋତ୍ସାହନ ସତ୍ୱେ ଅଟକିଛି ମାଛ ଚାଷ

459

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଖାଉଟିଙ୍କ ଆବଶ୍ୟକତା ଅନୁଯାୟୀ ଦେଶୀ ମାଛ ମିଳୁନାହିଁ । କେବଳ ଦେଶୀ ମାଛ ନୁହଁ ୪ ମାସ ହେଲା ସମୁଦ୍ର ମାଛ ବି ମିଳୁନାହିଁ । ଦେଶୀମାଛର ଉତ୍ପାଦନ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଚାଷୀମାନେ ମାଛଚାଷ ପ୍ରତି ବିମୁଖ ହୋଇଥିବାରୁ ଏ ପ୍ରକାର ପରିସ୍ଥିତି ଉପୁଜିଛି । ସରକାରଙ୍କ ପକ୍ଷରୁ ମାଛ ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ମିଳୁଛି । ମାତ୍ର ସଚେତନତା ଅଭାବରୁ ଚାଷୀ ଏହାକୁ ହାତଛଡା କରିଚାଲିଛି ବୋଲି ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ତିହିଡି ବ୍ଲକ୍‌ର ବିଭିନ୍ନ ବଜାରରେ ଦେଶୀ ମାଛର ଅଭାବରୁ ଆନ୍ଧ୍ର ମାଛ ପୂରଣ କରୁଥିବା ଜଣାଯାଇଛି । ମାଛଚାଷ ମାଧ୍ୟମରେ ଲୋକଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବାକୁ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଛି । ତଦନୁଯାୟୀ ମତ୍ସ୍ୟଚାଷୀ ଉନ୍ନୟନ ସଂସ୍ଥା ପକ୍ଷରୁ ସାଧାରଣ ମାଛଚାଷ ପାଇଁ ସହାୟତା ପ୍ରଦାନ କରାଯାଉଛି । ଏଥିରେ ଜଣେ ଚାଷୀ ୩୦ ରୁ ୫୦ ଡି. ଜମିରେ ପୋଖରୀ ଖନନ କରି ମାଛଚାଷ କରିପାରିବେ । ଚାଷୀଙ୍କୁ ୧ ଏକର ପୋଖରୀ ଖନନ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ଋଣ ପ୍ରଦାନ କରାଯାଉଛି । ସାଧାରଣ ବର୍ଗର ଚାଷୀପାଇଁ ୨୮ ହଜାର ଟଙ୍କା ଏବଂ ଅନୁସୂଚିତ ଜାତିର ଚାଷୀଙ୍କ ପାଇଁ ୩୫ ହଜାର ଟଙ୍କାର ସବ୍‌ସିଡି ରହିଛି । ଚଳିତ ବର୍ଷ ତିହିଡି ବ୍ଲକ୍ ପାଇଁ ୬ ହେକ୍ଟର ଜମିରେ ମାଛ ଚାଷ କରିବାକୁ ଟାର୍ଗେଟ ହୋଇଛି । ଯାହାକି ୮ ଲକ୍ଷ ୫୦ ହଜାର ଟଙ୍କା ଋଣ ଦିଆଯିବ । ଏହି ଋଣ ଶତକଡା ୫୦ ପ୍ରତିଶତ ସବ୍‌ସିଡି ରହିଛି । ଏହାଛଡା ସମନ୍ୱିତ ମାଛ ଚାଷରେ ଜଣେ ଚାଷୀ ପୋଖରୀ ଖନନ କରି ମାଛଚାଷ କରିବା ସହ ପୋଖରୀ ହୁଡାରେ ଅମୃତଭଣ୍ଡା, କଦଳୀ ଚାଷ ସହ ମହୁଚାଷ କରିପାରିବେ । ଜାତୀୟ ଗାଈ ପାଳନ କରିବା ସହିତ ଛତୁଚାଷ ମଧ୍ୟ କରିପାରିବେ ବୋଲି ନିୟମ ରହିଛି । ଗୋଟେ ଚାଷରେ ବିଫଳ ହେଲେ ଚାଷୀ ଅନ୍ୟ ଚାଷରୁ ଉପକୃତ ହୋଇପାରିବେ । ଏହି ପ୍ରଣାଳୀରେ ମାଛଚାଷ ପାଇଁ ୧ ଲକ୍ଷ ୮୦ ହଜାର ଟଙ୍କା ଏବଂ ଚିଙ୍ଗୁଡି ଚାଷ ପାଇଁ ୧ ଲକ୍ଷ ୯୨ ହଜାର ଟଙ୍କାର ଋଣ ବ୍ୟବସ୍ଥା ରହିଛି । ଏହି ଟଙ୍କାକୁ ଚାଷୀ ୭ ବର୍ଷ ମଧ୍ୟରେ ପରିଶୋଧ କରିବାର ସୁବିଧା ରହିଛି । ଜାତୀୟ ମିଶନ ଫର ପ୍ରୋଟିନ୍ ସପଲମେଣ୍ଟ (ଏନ୍‌ଏମ୍‌ପିଏସ୍‌) ଯୋଜନାରେ ୧ ହେକ୍ଟର ଜମିରେ ମାଛଚାଷ ପାଇଁ ଜଣେ ଚାଷୀଙ୍କୁ ୪ ଲକ୍ଷ ଟଙ୍କା ଋଣ ପ୍ରଦାନରେ ବ୍ୟବସ୍ଥା ଅଛି । ଏଥିରେ ଚାଷୀ ପୋଖରୀ ଖନନ କରିବା ସହ ଅତ୍ୟାଧୁନିକ ପ୍ରଣାଳୀରେ ଯାଆଁଳ ସୃଷ୍ଟି କରି ମାଛଚାଷ କରିପାରିବେ । ଏଥିରେ ଚାଷୀଙ୍କ ବାର୍ଷିକ ୫୦ କ୍ୱିଣ୍ଟାଲ ମାଛ ଉତ୍ପାଦନ କରିବାର କ୍ଷମତା ରହିବା ଆବଶ୍ୟକ ।

ଏହା ହେଲେ ଚାଷୀ ଋଣ ଟଙ୍କା ୪୦ ପ୍ରତିଶତ ସବ୍‌ସିଡି ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିବେ ବୋଲି ଦର୍ଶାଯାଇଛି । ଚାଷୀ ଠିକ୍ ପରିମାଣରେ ମାଛ ଉତ୍ପାଦନ କରିପାରୁଛି କି ନା ଏକ ଯାଞ୍ଚ କମିଟି କ୍ଷେତ୍ର ପରିଦର୍ଶନରେ ଯିବେ । ବ୍ୟାଙ୍କରୁ ଋଣ ନନେଇ ଯେଉଁ ଚାଷୀ ନିଜ ଅର୍ଥରେ ଚାଷ କରି ସଫଳତା ପାଇବେ, ସେ ମଧ୍ୟ ସବ୍‌ସିଡି ଅର୍ଥ ପାଇବାକୁ ଯୋଗ୍ୟ ବିବେଚିତ ହେବେ ବୋଲି ଜଣାଇଛି । ଏହାଛଡା ମତ୍ସ୍ୟଜୀବୀ ଉନ୍ନୟନ ଯୋଜନାରେ ମଧ୍ୟ ଜଣେ ମାଛ ବ୍ୟବସାୟୀଙ୍କୁ ୫ ହଜାର ଟଙ୍କା ଋଣ ପ୍ରଦାନ କରାଯାଉଛି । ଏହି ଅର୍ଥରେ ସୋସାଇକେଲ୍ ଓ ମାଛବୁହା ପେଟି କ୍ରୟକରି ବ୍ୟବସାୟ କରିପାରିବେ । ସେହି ଚାଷୀଙ୍କୁ ୨ ହଜାର ଟଙ୍କା ସବ୍‌ସିଡିର ବ୍ୟବସ୍ଥା ରହିଛି । ମତ୍ସ୍ୟ ଚାଷ ପାଇଁ ଚାଷୀମାନଙ୍କୁ ଏତେ ସବୁ ପ୍ରୋତ୍ସାହନ ମିଳୁନଥିବାବେଳେ ବିଗତ ୫ ବର୍ଷ ମଧ୍ୟରେ ତିହିଡି ବ୍ଲକ୍‌ରେ ମତ୍ସ୍ୟଚାଷରେ ବିଶେଷ ଅଗ୍ରଗତି ଘଟିପାରିନାହିଁ । ହାତଗଣତି ମାତ୍ର କେତେଜଣ ଚାଷୀ ଏହି ସୁବିଧା ସୁଯୋଗ ଉପଲବ୍ଧ କରିବାକୁ ସକ୍ଷମ ହୋଇଛନ୍ତି । ଫଳରେ ଦେଶୀମାଛର ଉତ୍ପାଦନ ହ୍ରାସ ପାଇଛି ଏବଂ ଆନ୍ଧ୍ରମାଛ ଖାଉଟିର ଅନିଚ୍ଛା ସତ୍ୱେ ଆବଶ୍ୟକତା ମେଣ୍ଟାଇ ନିଜର ସ୍ଥିତି ସୁଦୃଢ କରିପାରିଛି । ବିଭିନ୍ନ ସମୟରେ କର୍ମଶାଳା ମାଧ୍ୟମରେ ଲୋକମାନଙ୍କୁ ଏ ସଂପର୍କରେ ସଚେତନ କରାଗଲେ ମାଛଚାଷ ପ୍ରତି ଲୋକଙ୍କ ଆଗ୍ରହ ସୃଷ୍ଟି ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଏ ସଂପର୍କରେ ବ୍ଲକ୍ ସହକାରୀ ମତ୍ସ୍ୟ ଅଧିକାରୀ କୁହନ୍ତି ଲୋକମାନେ ବାସ୍ତବ କ୍ଷେତ୍ରରେ ଅର୍ଥ ବିନିଯୋଗ କରି ଲାଭବାନ ହେବା ଅପେକ୍ଷା କେବଳ କାଗଜପତ୍ରରେ ଫାଇଦା ହାସଲ ପାଇଁ ଲକ୍ଷ୍ୟ ରଖୁଥିବାରୁ ଏ ପ୍ରକାର ପରିସ୍ଥିତି ଉପୁଜିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.