Home ଜିଲ୍ଲା ପରିକ୍ରମା ସରକାରୀ ଧାନ ମଣ୍ଡି ଖୋଲିନି, ଦଲାଲଙ୍କ ପୁଷମାସ, ଚାଷୀଙ୍କ ସର୍ବନାଶ

ସରକାରୀ ଧାନ ମଣ୍ଡି ଖୋଲିନି, ଦଲାଲଙ୍କ ପୁଷମାସ, ଚାଷୀଙ୍କ ସର୍ବନାଶ

46

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତିବର୍ଷ ପରି ଏଥର ମଧ୍ୟ ଆଗରପଡ଼ା ତଥା ଏହାର ଆଖପାଖ ଅଂଚଳରେ ଚାଷୀମାନେ ନିଜର ଋଣ ପରିଶୋଧ କରିବା ପାଇଁ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଦଲାଲଙ୍କ କବ୍‌ଜାରେ ପଡ଼ିଯାଇଥିବାର ଲକ୍ଷ୍ୟ କରାଯାଉଛି । ଏଠାକାର ଅଂଚଳର ଚାଷୀମାନେ ସାଧାରଣତଃ ବ୍ୟାଙ୍କ କିମ୍ବା ଗାଁ ଗହଳିରୁ ମହାଜନ ଠାରୁ ଋଣ ଆଣି ଧାନ ଚାଷ କରିଥାନ୍ତି । ଧାନ ବିକ୍ରି କରିବା ପରେ ସୁଧ ସହ ଋଣ ପରିଶୋଧ କରିଥାନ୍ତି ଓ ବଳକା ରାଶିରେ ପରିବାର ପ୍ରତିପୋଷଣ କରିଥାନ୍ତି । ଧାନ ରୁଆ,ବୁଣାକାର୍ଯ୍ୟ ଠାରୁ ସାର ପକାଇବା,ଧାନପିଟା,କଟା ପର୍ଯ୍ୟନ୍ତ କାର୍ଯ୍ୟରେ ଏହି ଋଣ କରିଥିବା ଅର୍ଥକୁ ଚାଷୀମାନେ ବିନିଯୋଗ କରିଥାନ୍ତି । ଧାନକୁ ଯେତେ ଶୀଘ୍ର ବିକ୍ରୀ କରିବେ,ସେତେ ଶୀଘ୍ର ଋଣ ଚିନ୍ତାରୁ ଚାଷୀମାନେ ମୁକ୍ତି ପାଇବେ । ଋଣ ସୁଝିବାରେ ବିଳମ୍ବ ହେଲେ ସୁଧର ହାର ବୃଦ୍ଧି ପାଇବ ଏହି ଆଶାରେ ନିର୍ଦ୍ଧାରିତ ଦର ଠାରୁ ବହୁ କମରେ ଚାଷୀମାନେ ଧାନକୁ ଏହି ଦଲାଲ ମାନଙ୍କୁ ବିକ୍ରୀ କରିବା ଆରମ୍ଭ କରିଦେଇଥିବାର ଜଣାପଡ଼ିଛି । ପ୍ରତିବର୍ଷ ଏଠାକାର ଅଂଚଳରୁ ପ୍ରତିଦିନ ଟ୍ରକଟ୍ରକ ଧାନ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ହୋଇଥିବା ବେଳେ ଏଥିରେ ସରକାରଙ୍କ କୌଣସି ଅଂକୁଶ ନଥିଲା । ଚଳିତ ବର୍ଷ ଏପର୍ଯ୍ୟନ୍ତ ସରକାରୀ ସ୍ତରୀୟ କୌଣସି ମଣ୍ଡି ଖୋଲା ଯାଇନଥିବାରୁ ଦଲାଲ ମାନେ ସକ୍ରୀୟ ହେବାରେ ଲାଗିଛନ୍ତି । ଚାଷୀମାନେ ଋଣ ସୁଝିବା ପାଇଁ ବ୍ୟସ୍ତ ହେବାର ସୁଯୋଗରେ ଦଲାଲମାନେ ଏହାର ଫାଇଦା ନେବାର ଯୋଜନା ଆରମ୍ଭ କରିଦେଇଛନ୍ତି ।

ଚାଷୀମାନଙ୍କ ଘର ପାଖରେ ଟ୍ରକ ଲଗାଇ ଦଲାଲମାନେ ଧାନ ସଂଗ୍ରହ କରୁଛନ୍ତି । ସରକାରୀ ସ୍ତରରେ ଖୋଲିବାକୁ ଯାଉଥିବା ମଣ୍ଡି ହେଉ ବା ସମବାୟ ସମିତି ମାଧ୍ୟମରେ ଧାନ କ୍ରୟର ସୁବିଧା ଥିଲେ ସୁଦ୍ଧା ଏହା ଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବାରୁ ଚାଷୀମାନେ ସେଠାରେ ଧାନ ବିକ୍ରୀ କରିବାକୁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି । ଦୈବିଦୁର୍ବିପାକ କ୍ଷତି ସାଙ୍ଗକୁ ନିର୍ଦ୍ଧାରିତ ଦର ଠାରୁ କମ୍ ଦରରେ ଧାନ ବିକ୍ରୀ ବାରମ୍ବାର କରିବା ଫଳରେ ଚାଷୀମାନେ ନିଜ ଅଣ୍ଟା ସଳଖି ନାହାଁନ୍ତି । ଯଦ୍ଦ୍ୱାରାଅଧିକାଂଶ ଲୋକ ଚାଷ ଉପରୁ ମୁହଁ ଫେରାଇ ଆଣିବାକୁ ବାଧ୍ୟ ହେଉଛନ୍ତି । ଏସବୁ ଅଂଚଳରେ ପ୍ରାୟ ୮୦ ଭାଗ ଲୋକେ କେବଳ ଧାନ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି । ଦଲାଲମାନେ ଚାଷିମାନଙ୍କୁ ନଗଦ ଅର୍ଥ ପୈଠ କରୁଥିବା ବେଳେ ମଣ୍ଡିରେ ଅର୍ଥ ପୈଠରେ ଅହେତୁକ ବିଳମ୍ବ ଘଟୁଛି । ମଣ୍ଡିରେ ଖୋଲା ଆକାଶ ତଳେ ମିଲକୁ ଯିବା ପୂର୍ବରୁ ମାସ ମାସ ଧରି ଧାନ ପଡ଼ିରହୁଛି । ଏହା ମଧ୍ୟରେ ଏଠାରୁ ଧାନ ଚୋରୀ ହେବାର ଅଧିକ ସମ୍ଭାବନା ରହିଛି । ମଣ୍ଡି ଦାଇତ୍ୱ ନିର୍ବାହିଙ୍କ ପକ୍ଷପାତିତା ନିତି ଯୋଗୁଁ ବଡ଼ବଡ଼ିଆମାନଙ୍କ ଧାନକୁ ଆଗ ମିଲକୁ ପଠା ଯାଉଥିବା ବେଳେ ଗରିବ ଚାଷିମାନଙ୍କ ଧାନ ମାସ ମାସ ଧରି ଏଠାରେ ପଡ଼ି ରହିଥାଏ । ଏହି ସବୁ ଅବ୍ୟବସ୍ଥାକୁ ଲକ୍ଷ୍ୟରେ ରଖି ଚାଷିମାନେ ଦଲାଲମାନଙ୍କୁ କମ୍ ଦରରେ ଧାନ ବିକ୍ରୀ କରିବା ପାଇଁ ଏକପ୍ରକାର ବାଧ୍ୟ ହେଉଛନ୍ତି । ସମାଜରେ ଥିବା ଅନ୍ୟାନ୍ୟ ବର୍ଗର ପେସାଧାରୀ ଲୋକମାନଙ୍କୁ ସରକାରୀ ସ୍ତରରେ ଯେଉଁ ମାତ୍ରାରେ ଆର୍ଥିକ ସହ ଅନ୍ୟାନ୍ୟ ପ୍ରୋତ୍ସାହନ ପ୍ରଦାନ କରାଯାଉଛି ଚାଷୀମାନଙ୍କ କ୍ଷେତ୍ରରେ ତାହା ମିଳିପାରୁ ନାହିଁ ବୋଲି ସେମାନେ ଅଭିଯୋଗ କରୁଛନ୍ତି । ତେଣୁ ଚାଷୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଦଲାଲ ମାନେ ସକ୍ରୀୟ ହେବା ଆଗରୁ ସରକାର ନିର୍ଦ୍ଧାରିତ ସମୟରେ ମଣ୍ଡି ଖୋଲିବାର ସୁବନ୍ଦୋବସ୍ତ କରିବା ପାଇଁ ଅଂଚଳବାସୀଙ୍କ ପକ୍ଷରୁ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.