Home ଉପ ନିର୍ବାଚନ ସରକାରୀ ଅର୍ଥକୁ ଖୁଲମଖୁଲା ହଡପ କରୁଛନ୍ତି ବିଜେଡି ନେତା:ଭୃଗୁ ବକ୍ସିପାତ୍ର

ସରକାରୀ ଅର୍ଥକୁ ଖୁଲମଖୁଲା ହଡପ କରୁଛନ୍ତି ବିଜେଡି ନେତା:ଭୃଗୁ ବକ୍ସିପାତ୍ର

99

ତିର୍ତୋଲରେ ବିକାଶମୂଳକ କାର୍ଯ୍ୟ ନହୋଇ କୋଟି କୋଟି ଟଙ୍କାର ଅନୁଦାନ ପଂଚାୟତ ସମିତି ଗୁଡିକରେ ପଡିରହିବା ପ୍ରସଙ୍ଗ
ଭୁବନେଶ୍ୱର, ୨୭/୧୦ (ଓଡ଼ିଆ ପୁଅ) : ଦୂର୍ନୀତି ଓ ଭ୍ରଷ୍ଟାଚାରରେ ବୁଡିଛି ଶାସକ ବିଜେଡି। ଜନସାଧାରଣଙ୍କ ବିକାଶ ପାଇଁ ଆସୁଥିବା କେନ୍ଦ୍ରୀୟ ଅର୍ଥକୁ ହଡପ କରି ମିଛରେ ବିକାଶର ଡିଣ୍ଡିମ ପିଟିଚାଲିଛନ୍ତି ବିଜେଡି ନେତା। ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆସୁଥିବା ଆବାସ ଯୋଜନାର ଅର୍ଥ, ବାର୍ଦ୍ଧକ୍ୟ ଭତା ଏବଂ ବିଭିନ୍ନ ଜନକନ୍ୟାଲକାରୀ ଯୋଜନାର ଅର୍ଥ ସାଧାରଣ ଲୋକ ପାଖରେ ପହଂଚାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ତିର୍ତୋଲ ନିର୍ବାଚନମଣ୍ଡଳୀର ବିଭିନ୍ନ ପଂଚାୟତକୁ ମିଳିଥିବା କୋଟି କୋଟି ଟଙ୍କାର ଅନୁଦାନକୁ ଖର୍ଚ୍ଚ କରାଯାଉନାହିଁ ଏବଂ ଯାହା ବି ଖର୍ଚ୍ଚ ହେଉଛି ତାହାର କୌଣସି ଲେଖାଯୋଖା ହିସାବ ନାହିଁ। ସରକାର କା ମାଲ୍ ଦରିଆ ମେଁ ଡାଲ୍ ନୀତିରେ କୋଟି କୋଟି ଟଙ୍କାର କୁଆଡେ ଯାଉଛି ତା’ର ହିସାବ ନାହିଁ କି ବିନିଯୋଗ ପ୍ରମାଣପତ୍ର ନାହିଁ। ତିର୍ତୋଲ ନିର୍ବାଚନମଣ୍ଡଳୀରେ ବିକାଶ ତ ଦୂରର କଥା ଦୀର୍ଘ ୨୦ ବର୍ଷ ଧରି ତିର୍ତୋଲବାସୀ ସାଧାରଣ ସୁବିଧାରୁ ବଂଚିତ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି।

ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ପଂଚାୟତରାଜ ବିଭାଗ ଲୋକାଲ ଫଣ୍ଡ ଅଡିଟ୍ ର ରିପୋର୍ଟ ଅନୁଯାୟୀ ତିର୍ତୋଲ ନିର୍ବାଚନ ମଣ୍ଡଳୀର ବିରିଡି, ରଘୁନାଥପୁର ଓ ତିର୍ତୋଲ ପଂଚାୟତ ସମିତି ପାଉଥିବା ଅନୁଦାନ ସମେତ ଅନ୍ୟାନ୍ୟ ସମ୍ବଳକୁ ଖର୍ଚ୍ଚ କରାଯାଉନାହିଁ। ଯାହାବି ଖର୍ଚ୍ଚ ହେଉଛି ତାର କୌଣସି ହିସାବ ନାହିଁ ତାଙ୍କ ପାଖରେ। ତେଣୁ ବିନିଯୋଗ ପ୍ରମାଣପତ୍ର ଦେବାରେ ସେମାନେ ଅସମର୍ଥ ହେଉଛନ୍ତି। ଖର୍ଚ୍ଚ ନହୋଇ ଜିଲ୍ଲା ପରିଷଦର ୨୫ କୋଟି, ପଂଚାୟତ ସମିତିର ୧୪୧ କୋଟି ଏବଂ ପଂଚାୟତ ଗୁଡିକରେ ୮୮ କୋଟି ଟଙ୍କା ପଡିରହିଛି। ବିନିଯୋଗ ହେଉଥିବା ଅର୍ଥରୁ ପଂଚାୟତ ସମିତି ଗୁଡିକ ୨୪୦ କୋଟି ଓ ପଂଚାୟତଗୁଡିକ ୧୨୬ କୋଟି ଟଙ୍କାର ହିସାବ ରଖିନାହାଁନ୍ତି। ବିଜେଡି କର୍ମୀ ଓ ସମର୍ଥକମାନେ ପଂଚାୟତ ସମିତି ଗୁଡିକରୁ ବିଭିନ୍ନ କାର୍ଯ୍ୟ ଓ ଯୋଗାଣ ନିମନ୍ତେ ଅଗ୍ରୀମ ଅର୍ଥ ନେଇଛନ୍ତି। ଉକ୍ତ ଅଗ୍ରୀମ ଅର୍ଥ ମଧ୍ୟରୁ ପଂଚାୟତ ସମିତି ଗୁଡିକରେ ୧୨ କୋଟି ଓ ପଂଚାୟତ ଗୁଡିକରେ ୭୯ ଲକ୍ଷ ଟଙ୍କାର କୌଣସି କାର୍ଯ୍ୟ ହୋଇନାହିଁ କି ସେମାନଙ୍କ ଠାରୁ ଏହି ଅର୍ଥ ଅସୁଲ କରାଯାଇନାହିଁ। ପଂଚାୟତ ସମିତି ଗୁଡିକରେ କାହୁ କେତେ ଅର୍ଥ ଅଗ୍ରୀମ ଦିଆଯାଇଛି ତାହାର ମଧ୍ୟ ବିଦ୍ଧିବଦ୍ଧ ହିସାବ ନାହିଁ। ଅନ୍ୟପଟେ ବିନା ବାର୍ଷିକ ବଜେଟରେ ୩ଟି ପଂଚାୟତ ସମିତି ପରିଚାଳିତ ହେଉଛି। ଏହିପରି ଭାବେ ସରକାରୀ ଅର୍ଥକୁ ଖୁଲମଖୁଲା ହଡପ କରୁଛନ୍ତି ବିଜେଡି ନେତା।

୨୦୧୩ ମସିହାରୁ ଗୋଟିଏ ଯୋଜନା ପାଇଁ ଏକାଧିକ ବ୍ୟାଙ୍କ ଜମା ଖାତା ରଖିବା ନିଷିଦ୍ଧ ହୋଇଥିଲେ ମଧ୍ୟ ତିର୍ତୋଲ ପଂଚାୟତ ସମିତିରେ ଆବାସ ଯୋଜନା ପାଇଁ ୨ଟି, ନିଜସ୍ୱ ସମ୍ବଳ ପାଇଁ ୧୪ଟି, ଏଫଡିଆର ପାଇଁ ୨ଟି, ସଂସଦ ପାଣ୍ଠି ପାଇଁ ୩ଟି, ବିଧାୟକ ପାଣ୍ଠି ପାଇଁ ୩ଟି, ଆଇସି ପାଇଁ ୨ଟି ଓ ମନରେଗା ଯୋଜନା ପାଇଁ ପୃଥକ ପୃଥକ ୩ଟି ବ୍ୟାଙ୍କ ଜମାଖାତା ଖୋଲାଯାଇଛି। ବିରିଡି ପଂଚାୟତ ସମିତ ମଧ୍ୟ ୨ ନମ୍ବର ଖାତା ବ୍ୟାଧିରୁ ମୁକ୍ତ ନୁହେଁ। ଏହି ପଂଚାୟତ ସମିତିରେ ଆବାସ ଯୋଜନା ପାଇଁ ୨ଟି, ବିଜୁ ପକ୍କା ଘର ପାଇଁ ୨ଟି, ସାଂସଦ ପାଣ୍ଠି ପାଇଁ ୫ଟି, ଏନଏଫବିଏସ ଯୋଜନା ପାଇଁ ୨ଟି ଏବଂ ବାର୍ଦ୍ଧକ୍ୟ ଭତା ପାଇଁ ୩ଟି ଖାତା ଖୋଲାଯାଇଛି। ସେହିକ୍ରମରେ ରଘୁନାଥପୁର ପଂଚାୟତ ସମିତିରେ ବୋଇନ ଭାବେ ଆବାସ ଯୋଜନା ପାଇଁ ୨ଟି, ସାଂସଦ ପାଣ୍ଠି ପାଇଁ ୨ଟି, ତ୍ରୟୋଦଶ ଅର୍ଥ କମିଶନ ପାଇଁ ୨ଟି, ବାର୍ଦ୍ଧକ୍ୟ ଭତା ପାଇଁ ୩ଟ, ସମିତି ବିବିଧ ପାଇଁ ୧୧ଟି ଏବଂ ଏନଏଫବିଏସ ପାଇଁ ୨ଟି ଜମାଖାତା ମାଧ୍ୟମରେ କାମ ହେଉଛି। ଏଥୁରୁ ସ୍ପଷ୍ଟ ଯେ, ଦୁଇ ବା ତତୋଧିକ ବ୍ୟାଙ୍କ ଜମା ଖାତାରେ ଚାଲିଛି ତିର୍ତୋଲ ନିର୍ବାଚନମଣ୍ଡଳୀର ପଂଚାୟତରାଜ ବ୍ୟବସ୍ଥା। ପଂଚାୟତରାଜ ବିଭାଗର ଖାମଖିଆଲ ନୀତି ଯୋଗୁଁ ଆଜି ବିନା ହିସାବରେ କୋଟି କୋଟି ଟଙ୍କା ଜାଲିଆତି କରାଯାଇଛି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି।

ଜଗତସିଂହପୁର ଜିଲ୍ଲାର ପଂଚାୟତ ସମିତି କ୍ୟାସ ବୁକ୍ ଓ ବ୍ୟାଙ୍କ ପାସ ବୁକ୍ ମଧ୍ୟରେ ୩୧ କୋଟି ଟଙ୍କାର ତାଳମେଳ ନାହିଁ। ୭ଟି ପଂଟାୟତ ସମିତିରେ ବିଜେଡି କେଉଁ ବିଜେଡି କର୍ମୀଙ୍କୁ କାର୍ଯ୍ୟ ଓ ଯୋଗାଣ ଉଦ୍ଦେଶ୍ୟରେ କେତେ ଅଗ୍ରୀମ ଦିଆଯାଇଛି ତାହାର ଖାତା ପତ୍ର ନାହିଁ। ବ୍ୟାଙ୍କରେ ଜମା ହୋଇଥିବା ଅର୍ଥ ରାଶିରୁ ମିଳିଥିବା ୪୭ ଲକ୍ଷ ଟଙ୍କା ସୁଧର ହିସାବ ପଂଚାୟତ ସମିତି କର୍ତୁପକ୍ଷଙ୍କ ନିକଟରେ ନାହିଁ। ତିର୍ତୋଲରେ ବିକାଶମୂଳକ କାର୍ଯ୍ୟ ନହୋଇ କୋଟି କୋଟି ଟଙ୍କାର ଅନୁଦାନ ପଂଚାୟତ ସମିତି ଗୁଡିକରେ ପଡିରହିବା ପଛରେ ଶାସକ ଦଳର ହିଁ ସଂପୃକ୍ତି ରହିଛି। ରାଜ୍ୟସରକାର, ଜିଲ୍ଲା ପ୍ରଶାସନ ଓ ଶାସକ ବିଜେଡିର ନେତାଙ୍କ ସହଭାଗିତାରେ କୋଟି କୋଟି ଟଙ୍କା ହଡପ କରାଯାଉଛି। ଏହି ଅର୍ଥକୁ ସଠିକ୍ ଭାବେ ବିନିଯୋଗ କରାଗଲେ ତିର୍ତୋଲବାସୀ ବିଶେଷ କରି ଗରିବ ଅସହାୟ ଲୋକମାନେ ଉପକୃତ ହେବା ସହ ସେମାନଙ୍କ ପାଇଁ ଲାଗୁ ହୋଇଥିବା ଯୋଜନାର ଲାଭ ଉଠାଇପାରନ୍ତେ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.