Home Top News ସରକାରଙ୍କର ସ୍ୱାଗତ ଯୋଗ୍ୟ ପଦକ୍ଷେପ : ୪ ଦିନ ସରକାରୀ ଛୁଟି

ସରକାରଙ୍କର ସ୍ୱାଗତ ଯୋଗ୍ୟ ପଦକ୍ଷେପ : ୪ ଦିନ ସରକାରୀ ଛୁଟି

244

ମା’ ଙ୍କ ଅବଦାନ ବିଷୟରେ ସମସ୍ତେ ଜାଣନ୍ତି, ଯାହାର ତୁଳନା ନାହିଁ କି ବିକଳ୍ପ ନାହିଁ, ଦୁନିଆର ସବୁ ଶବ୍ଦ ଯାହା ପାଖରେ ଫିକା ପଡ଼ିଯାଏ। ନିଜେ ନଖାଇ ପିଲା ମାନଙ୍କର ପେଟକୁ ଆଗ ଦେଖିଥାଏ, ସବୁ ଅଳିଅଝଟକୁ ପୁରଣ କରି କୋଳେଇ କାଖେଇ ବଡ କରୁଥିବା ମଣିଷ। ନିଜ ଛୁଆର ଓଠରେ ଟିକେ ହସ ଦେଖିବାକୁ ସବୁ ଦୁଃଖ କଷଣକୁ ଭୁଲିଯାଏ, ନିଜ ସନ୍ତାନ ପାଇଁ ସେ ଯେ କୌଣସି ବିପଦକୁ ସାମ୍ନା କରିପାରେ। ସେ ପିଲାଙ୍କ ପାଇଁ କେତେବେଳେ ଦୁନିଆ ଆଗରେ ନଇଁପାରେ, ପୁଣି କେତେବେଳେ ପିଲାଙ୍କ ପାଇଁ ସାରା ଦୁନିଆକୁ ନୁଆଁଇ ଦେଇପାରେ, ସେ ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ। ଜଣେ ସନ୍ତାନ ପାଇଁ ମା’ର ପଣତକାନି ଠାରୁ ସୁରକ୍ଷିତ ଓ ନିରାପଦ ସ୍ଥାନ ଆଉ କିଛି ନାହିଁ। ମା’ ର ପ୍ରେମ, ତ୍ୟାଗ ଏବଂ ସମର୍ପଣକୁ ଶବ୍ଦରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ଭଗବାନଙ୍କ ଦ୍ୱାରା ନିର୍ମିତ ସଂସାରର ସବୁଠାରୁ ସୁନ୍ଦର ସୃଷ୍ଟି ହେଉଛି ମା’, ଯିଏ ନିଜ ପିଲାଙ୍କୁ ଜୀବନସାରା ନିସର୍ତ୍ତମୂଳକ ଭାବରେ ଭଲ ପାଇଥାଏ।

ବାପା ନିଜ ସନ୍ତାନଙ୍କୁ ସ୍ନେହ, ଶ୍ରଦ୍ଧାର ସହିତ ହାତ ଧରି ଚାଲିବା ଶିଖାଇଥାନ୍ତି ଓ ଅନୁଶାସନ ଭିତରେ ଭଲ ମଣିଷ ହେବା ପାଇଁ ଶିକ୍ଷା ଦେଇଥାନ୍ତି, ଯାହାଙ୍କ ଛତ୍ରଛାୟା ତଳେ ସୁରକ୍ଷିତ ରହେ ପରିବାର। ଜନ୍ମ ହେବା ପରେ ସନ୍ତାନର ପ୍ରତିଟି ପଦକ୍ଷେପରେ ତାଙ୍କର ନଜର ରହିଥାଏ, ସନ୍ତାନ ପାଇଁ ପ୍ରଥମ ପ୍ରେରଣା ଓ ଆତ୍ମବିଶ୍ୱାସର ବାହକ ହେଉଛନ୍ତି ବାପା। ତାଙ୍କର ଯେତେ ଦୁଃଖ ଥିଲେ ମଧ୍ୟ ପରିବାରକୁ ସର୍ବଦା ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି। ଦୁନିଆରେ କିଭଳି ନିଜକୁ ସଫଳ କରିବା ପାଇଁ କଠିନ ପରିଶ୍ରମ ଏବଂ ଚଳିବା ପାଇଁ ଉପଯୁକ୍ତ ଜ୍ଞାନ ରହିବା ଆବଶ୍ୟକ ତାହା ବାପା ହିଁ ଶିକ୍ଷା ଦେଇଥାନ୍ତି। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଜଣେ ବାପା ତା’ର ସନ୍ତାନ ପାଇଁ ସୁରକ୍ଷାର ପ୍ରାଚୀର ହୋଇ ଛିଡ଼ା ହୋଇଥାଏ, ସେଥିପାଇଁ କୁହାଯାଏ ବାପ ଥିବା ପୁଅ ସଭାରେ ହାରେନା।

ପିଲାଙ୍କୁ ବଡ ମଣିଷ କରିବା ପାଇଁ ମୁଣ୍ଡ ଝାଳ ତୁଣ୍ଡରେ ମାରି ମା’ବାପା ପରିଶ୍ରମ କରିଥାନ୍ତି। ଆମ ସଂସ୍କୁତି ରେ ମା’ବାପା ଙ୍କ ସ୍ଥାନ ସବୁଠୁ ଉର୍ଦ୍ଧରେ। ହେଲେ ଆଜିକାଲି କିଛି ପୁଅ, ମା’ବାପା ଙ୍କୁ ଘରେ ରଖିବାକୁ ବି ପ୍ରସ୍ତୁତ ନୁହନ୍ତି। ବୃଦ୍ଧ ଅବସ୍ଥାରେ ସେମାନେ ଘରେ ଅଲୋଡା ହୋଇଯାଉଛନ୍ତି, ତଥାପି ସବୁ ନିର୍ଯାତନା ସହି ନିଜ ପିଲାମାନଙ୍କୁ ଆଶୀର୍ବାଦ ଦେବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଟିଭି, ଖବର କାଗଜ, ସାମାଜିକ ଗଣ ମାଧ୍ୟମ ଓ ବିଭିନ୍ନ ପ୍ରକାର ସଭା ସମିତିରେ ସଚେତନତା କରାଯାଉଛି ଯେ ମା’ବାପା ଙ୍କ ସେବା କରିବା ପାଇଁ, ସେମାନଙ୍କୁ ବୃଦ୍ଧ ଅବସ୍ଥାରେ ଅବହେଳା ନକରିବା ପାଇଁ। ବୃଦ୍ଧ ମା’ବାପା ଙ୍କ ପ୍ରତି ସମ୍ମାନ ଜଣାଇ ଆସାମ ସରକାର ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ଆସନ୍ତା ନୂଆ ବର୍ଷରେ (୨୦୨୨) ମା’ବାପା ଙ୍କ ସହ ସମୟ ଅତିବାହିତ କରିବାକୁ କର୍ମଚାରୀ ମାନଙ୍କୁ ୪ ଦିନ ଛୁଟି ଦିଆଯିବାକୁ ନିଷ୍ପତି ନେଇଛନ୍ତି, ଯାହାକି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ୪ ଦିନ ମଧ୍ୟରୁ ୨ ଦିନ ସପ୍ତାହନ୍ତ ଛୁଟି ହୋଇଥିବା ବେଳେ, ଅନ୍ୟ ୨ ଦିନ ସପ୍ତାହନ୍ତକୁ ଲଗାଇ ସରକାରୀ ଛୁଟି ମିଳିବ। ତେଣୁ ଜାନୁଆରୀ ୬, ୭, ୮ ଓ ୯ ତାରିଖ ଆସାମରେ ସରକାରୀ ଛୁଟି ଘୋଷଣା କରାଯିବ। ଏହି ଛୁଟି ଦିନରେ କର୍ମଚାରୀ ମାନେ ନିଜର ବୃଦ୍ଧ ମା’ବାପା ଙ୍କୁ ଭେଟି ସେମାନଙ୍କ ସହ ସମୟ ବିତାଇବାକୁ ବାଧ୍ୟତାମୂଳକ କରାଯାଇଛି। ସରକାରୀ ସ୍ତରରେ ବିଭିନ୍ନ ପ୍ରକାର ର ଛୁଟିର ବ୍ୟବସ୍ତା ଅଛି କିନ୍ତୁ ମା’ବାପାଙ୍କ ସେବା କରିବା ଓ ନୂଆ ବର୍ଷରେ ସେମାନଙ୍କ ସହିତ ସମୟ ଅତିବାହିତ କରିବା ପାଇଁ ଛୁଟି ପ୍ରଦାନ ଏକ ପ୍ରଶଂସନୀୟ ପଦକ୍ଷେପ। ବୃଦ୍ଧ ମା’ବାପା ମାନଙ୍କ ପାଇଁ ଏହା ଖୁସି ଖବର। ଏ ପ୍ରକାର ପଦକ୍ଷେପ ନିଶ୍ଚିତ ଭାବରେ ଆଜିକାଲିର ସନ୍ତାନ ମାନଙ୍କୁ ସଚେତନ କରାଇବା ସହିତ ସମାଜକୁ ଏକ ଭଲ ବାର୍ତ୍ତା ଦେବ ବୋଲି ଆଶା କରାଯାଏ।

ଡ. ଗଣେଶ ଚନ୍ଦ୍ର କୁଣ୍ଡ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.