Home ଜିଲ୍ଲା ପରିକ୍ରମା ସମ୍ଭାବ୍ୟ ବାତ୍ୟା ‘ଆମ୍ପାନ’କୁ ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ : ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳବାସୀଙ୍କୁ ସତର୍କ...

ସମ୍ଭାବ୍ୟ ବାତ୍ୟା ‘ଆମ୍ପାନ’କୁ ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ : ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ନିବେଦନ

118

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ଭାବ୍ୟ ବାତ୍ୟା ‘ଆମ୍ପାନ’ ପାଇଁ ଜିଲ୍ଲା ପ୍ରଶାସନର ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ସଭାପତିତ୍ୱରେ ସଦ୍‌ଭାବନା ଗୃହରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଜିଲ୍ଲା ପ୍ର୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ମନା କରାଯାଇଛି । ଯେଉଁ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇଛନ୍ତି, ସେମାନେ ଯେପରି ଶୀଘ୍ର କୂଳକୁ ଫେରି ଆସିବେ, ସେଥିଲାଗି ପଦକ୍ଷେପ ନେବାକୁ ଚାନ୍ଦବାଲି ଓ ବାସୁଦେବପୁର ବିଡିଓ, ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୟରେ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାରଙ୍କ ସହିତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ହେଡକ୍ୱାର୍ଟରରେ ଉପସ୍ଥିତ ରହିବାକୁ ବାଧ୍ୟ ହେବେ । ବାତ୍ୟା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା ରହିବ । ବାତ୍ୟାର ପରିସ୍ଥିତି ଦେଖି ସମୁଦ୍ର କୂଳବର୍ତ୍ତୀ ଲୋକମାନଙ୍କୁ ଜିଲ୍ଲାରେ ଥିବା ବାତ୍ୟା ଆଶ୍ରୟ ସ୍ଥଳ ଓ ଆବଶ୍ୟକ ହେଲେ ନିକଟବର୍ତ୍ତୀ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇପାରେ । ଯେଉଁ ମତ୍ସ୍ୟଜୀବୀମାନେ ଝୁମ୍ପୁଡି ଘରେ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ରହୁଛନ୍ତି ସେମାନଙ୍କୁ ସ୍ଥାନାନ୍ତର କରି ନିକଟସ୍ଥ ବିଦ୍ୟାଳୟ କିମ୍ବା ବାତ୍ୟା ଆଶ୍ରୟ ସ୍ଥଳରେ ରଖିବାକୁ କୁହାଯାଇଛି । ଯେଉଁ ବିଦ୍ୟାଳୟରେ ଲୋକଙ୍କୁ ସ୍ଥାନାନ୍ତର କରିଆଣି ରଖାଯିବ, ସେହି ବିଦ୍ୟାଳୟର ଦୁଇଜଣ ଶିକ୍ଷକ ନୋଡାଲ ଅଫିସର ଭାବେ କାର୍ଯ୍ୟ କରିବା ଲାଗି ଜିଲ୍ଳା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି । ସେଥିଲାଗି ବାତ୍ୟା ଆଶ୍ରୟ ସ୍ଥଳର ଦାୟିତ୍ୱରେ ଥିବା ସ୍ୱେଚ୍ଛାସେବୀ ସଂଗଠନ ଓ ସଂପୃକ୍ତ ବିଡିଓ ତହସିଲଦାରମାନେ ସଜାଗ ରହିବେ । ସମସ୍ତ ବିଦ୍ୟାଳୟ ଓ ବାତ୍ୟା ଆଶ୍ୟୟସ୍ଥଳକୁ ହାଇଜେନିକ କରାଯିବା ସହିତ ପାନୀୟଜଳ, ଆଲୋକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ଉଦ୍ଧାର ପାଇଁ ଜରୁରୀ କାଳୀନ ବୋଟ ସହ ସମସ୍ତ ବ୍ଳକ ମୁଖ୍ୟାଳୟରେ ଅତ୍ୟାବଶ୍ୟକୀୟ ଜିନିଷମାନ ମହଜୁଦ ରଖାଯିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

 

ଏଥିଲାଗି ବିଡିଓ ତହସିଲଦାରମାନେ ସ୍ଥାନୀୟ ପୁଲିସର ସହାୟତା ନେବା ସହ ଭଦ୍ରକ ପୌରପାଳିକାର ନାଳ ଗୁଡିକରୁ ଅବରୋଧ ହଟାଇବାକୁ ପୌରନିର୍ବାହୀ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ବିଡିଓ ଓ ତହସିଲଦାର ସେମାନଙ୍କ କାର୍ଯ୍ୟାଳୟରେ ବିଦ୍ୟୁତ୍ ଆଲୋକର ବିକଳ୍ପ ବନ୍ଦୋବସ୍ତ କରିବା ସହ ବିଦ୍ୟୁତ ବିଭାଗ ଓ ପୁର୍ତ୍ତ ବିଭାଗ ଗଛପଡି ରାସ୍ତା ଅବରୋଧ ହେଲେ ତୁରନ୍ତ ଏହାକୁ ଯାତାୟତ ଉପଯୋଗୀ କରାଯିବା ନିମନ୍ତେ ସବୁ ପ୍ରକାର ସରଞ୍ଜାମ ପ୍ରସ୍ତୁତ ରଖିବାକୁ ସେ କହିଥିଲେ । ଏଥିଲାଗି ଆଜି କଟକରୁ ଏନ୍‌ଡିଆରଏଫ୍ ଟିମ୍ ଲିଡର ସୁବ୍ରତ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୨୧ ଜଣିଆ ଦଳ ଭଦ୍ରକରେ ପହଞ୍ôଚଥିବାବେଳେ ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଟିମ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ସହିତ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । ଗର୍ଭବତୀ ମହିଳାଙ୍କ ଥଇଥାନ ପାଇଁ ଅଙ୍ଗନୱାଡି କର୍ମୀ ଓ ଆଶା ମାନେ ଯତ୍ନବାନ ହେବେ । ବୟସ୍କ ବ୍ୟକ୍ତିମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଜିଲ୍ଲାପାଳ ଡ. ଦାସ ପରାମର୍ଶ ଦେଇଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅତ୍ୟାବଶ୍ୟକ ଔଷଧପତ୍ର ମହଜୁଦ ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ କାର୍ଯ୍ୟ ସାମାଜିକ ଦୂରତ୍ୱ ରକ୍ଷା କରିବାକୁୁ ନିର୍ଦ୍ଦେଶ ଦିଆ ଯାଇଛି । ବାତ୍ୟା ମୁକାବିଲା ପାଇଁ ଭଦ୍ରକ ପୌରପାଳିକା ଓ ଭଦ୍ରକ ବ୍ଲକ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର(ସା), ତିହିଡ଼ି ଓ ବନ୍ତ ବ୍ଲକ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଅରୁଣ ମହାପାତ୍ର(ରା), ଧାମନଗର ବ୍ଲକ ଓ ଏନ୍‌ଏସି ଏବଂ ଭଣ୍ଡାରିପୋଖରୀ ବ୍ଲକ ପାଇଁ ଉପଜିଳ୍ଲପାଳ ପୀତାମ୍ବର ସାମଲ, ବାସୁଦେବପୁର ବ୍ଲକ ଓ ପୌରପାଳିକା ପାଇଁ ପିଡି ମଧୁସୂଦନ ଦାସ, ଚାନ୍ଦବାଲି ବ୍ଲକ ଏନଏସି ପାଇଁ ଅତିରିକ୍ତ ପିଡି ରାଜେନ୍ଦ୍ର ପଣ୍ଡାଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଏବଂ ଅରୁଣ ମହାପାତ୍ର୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୈଳାସ ପରିଡା ମଞ୍ଚାସିନ ଥିଲେ । ବୈଠକରେ ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.