Home ଓଡ଼ିଶା ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାର ପ୍ରସ୍ତୁତି ବୈଠକ : ପୁରୀରେ ପହଂଚିଲା ଏନଡିଆରଏଫର ଏକ...

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାର ପ୍ରସ୍ତୁତି ବୈଠକ : ପୁରୀରେ ପହଂଚିଲା ଏନଡିଆରଏଫର ଏକ ଟିମ୍‌

574

ପୁରୀ, ୧୭/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସମ୍ମୁଚିତ ପଦକ୍ଷେପ ଗ୍ରହଣ କରାଯାଇଛି। ଏ ସଂକ୍ରାନ୍ତୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ବଲବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆବଶ୍ୟକ ସ୍ଥଳେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ନିମନ୍ତେ ଆଶ୍ରୟସ୍ଥଳୀଗୁଡିକରେ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆଶ୍ରୟସ୍ଥଳୀଗୁଡିକରେ ଆଲୋକ ଏବଂ ପାନୀୟ ଜଳ ବ୍ୟବସ୍ଥା, ଶୁଖିଲା ଖାଦ୍ୟ ମହଜୁଦ, ପଶୁଖାଦ୍ୟ, ଔଷଧ ବନ୍ଦୋବସ୍ତ ନିମନ୍ତେ ବ୍ଲକସ୍ତରରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି। ଏନଡିଆରଏଫ ଏବଂ ଓଡ୍ରାଫ ପ୍ରତ୍ୟେକଙ୍କର ତିନୋଟି ଟିମ୍ ମୁତୟନ ପାଇଁ ବ୍ୟବସ୍ଥା ହୋଇଛି। ଆବଶ୍ୟକ ସ୍ଥଳେ ଗଛକାଟି ରାସ୍ତା ସଫା କରିବା ନିମନ୍ତେ ପ୍ରତ୍ୟେକ ବ୍ଲକରେ ତିନୋଟି ଟ୍ରାକ୍ଟର ଏବଂ ଜେସିବି ମୁତୟନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ରୋଗୀମାନଙ୍କ ନିମନ୍ତେ ନିରବଚ୍ଛିନ୍ନ ସେବା ଯୋଗାଇବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ଜଳଯୋଗାଣ ଏବଂ ପରିମଳ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ସମସ୍ତ ଅଂଚଳକୁ ପାନୀୟ ଜଳ ଯୋଗାଣ ନିମନ୍ତେ ଜେନେରଟର ବ୍ୟବସ୍ଥା କରାଯିବ। ବ୍ଲକସ୍ତରରେ ବ୍ୟାପକ ପ୍ରସ୍ତୁତି ନିମନ୍ତେ ବିଭିନ୍ନ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ତୁରନ୍ତ ବିଡିଓ ଏବଂ ତହସିଲଦାର ମାନଙ୍କୁ ଅବଗତ କରାଇବା ପାଇଁ ଅଧିକାରୀମାନଙ୍କୁ କୁହାଯାଇଛି। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବିଶାଲ ସିଂ, ପ୍ରୋବେସନର ଅଧିକାରୀ ଶ୍ରୀ ମଳୟ ସୂର୍ଯ୍ୟବଂଶୀ, ଆରକ୍ଷୀ ଅଧୀକ୍ଷକ ଡା. ଉମାଶଙ୍କର ଦାଶ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସୁବାଷଚନ୍ଦ୍ର ନାଥଶର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ଜରୁରୀ କାଳୀନ ଅଧିକାରୀ ଇତିଶ୍ରୀ ନାୟକ, ସିଡିଏମଓ ଡା. ନୀଳକଣ୍ଠ ମିଶ୍ର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.