Home ଜିଲ୍ଲା ପରିକ୍ରମା ସମବାୟ ସମିତି କମ୍ପ୍ୟୁଟରିକରଣକୁ ଲାଗିଛି ଝଟ୍‌କା, ୪୯ ଅଧିକାରୀଙ୍କୁ କୈଫିୟତ ତଲବ କଲେ ରାଜ୍ୟ ନିବନ୍ଧକ

ସମବାୟ ସମିତି କମ୍ପ୍ୟୁଟରିକରଣକୁ ଲାଗିଛି ଝଟ୍‌କା, ୪୯ ଅଧିକାରୀଙ୍କୁ କୈଫିୟତ ତଲବ କଲେ ରାଜ୍ୟ ନିବନ୍ଧକ

43

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମବାୟ ସମିତିଗୁଡିକର କମ୍ପ୍ୟୁଟରୀକରଣକୁ ଲାଗିଛି ଝଟକା । ସରକାରଙ୍କ ନିଷ୍ପତିକୁ ସମ୍ମାନ ଦେଉନାହାଂତି ବିଭାଗୀୟ ଅଧିକାରୀମାନେ । ଏଥିନେଇ ଖପ୍ପା ହୋଇଛନ୍ତି ରାଜ୍ୟ ସମବାୟ ସମିତି ସମୂହର ନିବନ୍ଧକ (ରେଜିଷ୍ଟ୍ରାର) । ଆଜି ରାଜ୍ୟ ନିବନ୍ଧକ ବିଭାଗର ୪୯ଜଣ ଅଧିକାରୀଙ୍କ ବିରୋଧରେ କର୍ତବ୍ୟରେ ଅବହେଳା, ମନ୍ଦ ଆଚରଣ, ୫-ଟି ଅଭିଯାନକୁ ଦୁର୍ବଳ କରିବା ଆଦି ସଂଗୀନ ଆରୋପ ଆଣିଛନ୍ତି । ସେମାନଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆନଯିବ ସେଥିନେଇ ୩ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ସେହି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ( ଚିଠି ନଂ ୧୬୪୯) ଦିଆଯାଇଛି । ତେବେ ଏହି ୪୯ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ୯ଜଣ ଉପନିବନ୍ଧକ (ଡିଆରସିଏସ୍‌), ୩୦ଜଣ ସହକାରୀ ନିବନ୍ଧକ (ଏଆରସିଏସ) ଓ ୧୦ ଜଣ ସମବାୟ ବ୍ୟାଙ୍କ ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) । ଉଲ୍ଲେଖନୀୟ ଯେ: ସମବାୟ ବିଭାଗକୁ ରାଜ୍ୟ ସରକାର ୫-ଟି ଅଧିନକୁ ଆଣିଛନ୍ତି । ଏହି ବିଭାଗକୁ ଅଧିକ କ୍ରିୟାଶୀଳ କରିବା ସହ ସ୍ୱଚ୍ଛ ତଥା ଦୁର୍ନୀତିମୁକ୍ତ କରିବା ସରକାରଙ୍କ ଲକ୍ଷ୍ୟ । ଏହି ବିଭାଗ ଅଧିନରେ ଥିବା ସେବା ସମବାୟ ସମିତି ଗୁଡିକ ଗ୍ରାମୀଣ ଇଲାକାରେ କୃଷି ଋଣ ପ୍ରଦାନ, ସ୍ୱୟଂ ସହାୟକ ଗୋଷ୍ଠୀର ଉତଥାନ ଓ ଧାନକିଣା କ୍ଷେତ୍ରରେ ପ୍ରମୁଖ ଭୂମିକା ନିଭାଉଛନ୍ତି । ଏଥିସହି ବ୍ୟାଙ୍କିଙ୍କ୍ ସେବା ମଧ୍ୟ ଯୋଗାଉଛନ୍ତି । ତେବେ ସମିତି ଉପରେ ନିର୍ଭର କରୁଥିବା ଚାଷୀ, ସମିତିର ସଦସ୍ୟ ତଥା ସ୍ଥାନୀୟ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବା ଓ ସମିତିଗୁଡିକୁ ଜାଲିଆତି ମୁକ୍ତ କରିବା ଲାଗି କମ୍ପ୍ୟୁଟରିକରଣର ଆବଶ୍ୟକତା ପଡିଛି । ବର୍ଷକ ତଳୁ ଏଥିନେଇ ଅଭିଯାନ ଆରମ୍ଭ ହୋଇଥିଲେ ବି ଅଦ୍ୟାବଧି ସଫଳତା ଆଖିଦୃଶିଆ ହୋଇନାହିଁ । ବିଭାଗୀୟ ତଥ୍ୟ ଅନୁଯାୟୀ; ରାଜ୍ୟରେ ମୋଟ ୧୯ଟି ସମବାୟ ଡିଭିଜନ, ୫୭ଟି ମଣ୍ଡଳ/ସର୍କଲ ଓ ୧୭ଟି ସମବାୟ ବ୍ୟାଙ୍କ (କେଡ୍ରିଟ କୋପରେଟିଭ ବ୍ୟାଙ୍କ) କାର୍ଯ୍ୟ କରୁଛି । ରାଜ୍ୟରେ ମୋଟ ୨୭୦୭ଟି ସମବାୟ ସମିତି/ପାକସ୍ (ପ୍ରାଇମେରୀ ଏଗ୍ରିକଲଚର କୋପରେଟିଭ ସୋସାଇଟି) କାର୍ଯ୍ୟ କରୁଛି । ୨୭୦୭ରୁ ଅଦ୍ୟାବଧି ମାତ୍ର ୮୭୨ଟି ସମିତିର କମ୍ପ୍ୟୁଟରିକରଣ କରାଯାଇଛି । ଏ କ୍ଷେତ୍ରରେ ବିଭାଗର ସଫଳତା ହାର ମାତ୍ର ୩୨ ପ୍ରତିଶତ ରହିଛି । ପୁଣି କମ୍ପ୍ୟୁଟରିକରଣ ସମ୍ଭବ ହୋଇଥିବା ୮୭୨ ସମବାୟ ସମିତି ମଧ୍ୟରୁ ମାତ୍ର ୧୯୪ଟି ସମିତି ଏବେ ଅନଲାଇନରେ କାର୍ଯ୍ୟକରୁଛି । ବାକିତକ ପୂର୍ବପରି ଅଫ୍‌ଲାଇନରେ କାର୍ଯ୍ୟ କରୁଛି ।ଏହାକୁ ନେଇ ଖୁବ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟ ନିବନ୍ଧକ ।

ଗତ ୨୦୨୦ ଜୁଲାଇରୁ ଏଯାବତ ନିବନ୍ଧକ କମ୍ପ୍ୟୁଟରିକରଣ ବାବଦରେ ୪ଟି ଚିଠି ବିଭାଗୀୟ ଅଧିକାରୀମାନଙ୍କୁ ଲେଖିବା ସହିତ ଦୈନିକ ସମୀକ୍ଷା ମଧ୍ୟ କରୁଛନ୍ତି । ଏଥିସହ ଭିଡିଓ କନଫରନେସିଂରେ ବୈଠକ ମଧ୍ୟ କରୁଛନ୍ତି । ଏହା ସତ୍ୱେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ କାର୍ଯ୍ୟ ସମ୍ପାଦନରେ ଉନ୍ନତି ଆସିନାହିଁ । ଅଧିକାରୀମାନେ ଅମନଯୋଗୀ ଭାବେ ନିଜ ଦାୟିତ୍ୱ ସମ୍ପାଦନରେ ଅବହେଳା କରିଥିବା ନେଇ ନିବନ୍ଧକଙ୍କ ହୃଦବୋଧ ହେବା ପରେ ଆଜି ଏଭଳି କୈଫିୟତ ତଲବ କରିଥିବା ଉକ୍ତ ଚିଠିରେ ସୂଚନା ଦିଆଯାଇଛି । ସୂଚନାନୁଯାୟୀ; ଫୁଲବାଣୀ, ଅନୁଗୁଳ, ବାଲେଶ୍ୱର, ପୁରୀ, ସୁନ୍ଦରଗଡ, କଟକ (୨), ରାୟଗଡା, କେନ୍ଦୁଝର, ଜୟପୁର ଡିଭିଜନର ଉପନିବନ୍ଧକଙ୍କୁ କୈଫିୟତ ତଲବ କରାଯାଇଛି । ସେହିଭଳି ଛତ୍ରପୁର, ବାଲେଶ୍ୱର, ବ୍ରହ୍ମପୁର, ନୟାଗଡ, ବଣାଇ, ଅନୁଗୁଳ, ଆଠଗଡ, ଆଠମଲ୍ଲିକ, ରାୟଗଡା, ଜୟପୁର, ପାନପୋଷ, ତାଳଚେର, ଖୋର୍ଦ୍ଧା. କରଂଜିଆ, କେନ୍ଦୁଝର, କେନ୍ଦ୍ରାପଡା, କଟକ, ଜଗତସିଂପୁର, କୋରାପୁଟ, ଭଦ୍ରକ, ଆନନ୍ଦପୁର, ଯାଜପୁର, ପୁରୀ, ବାଲିଗୁଡା, ଚମ୍ପୁଆ, ଗୁଣୁପୁର, ମାଲକାନାଗିରି, ନବରଙ୍ଗପୁର, ନୀଳଗିରି, ସୁନ୍ଦରଗଡ ସର୍କଲରେ କାର୍ଯ୍ୟରତ ସହକାରୀ ନିବନ୍ଧକ (ଏଆରସିଏସ)ଙ୍କୁ ମଧ୍ୟ କୈଫିୟତ ତଲବ କରାଯାଇଛି । ଏଥିସହ ଖୋର୍ଦ୍ଧା, ବୌଦ, ନୟାଗଡ, ବ୍ରହ୍ମପୁର, ବାଲେଶ୍ୱର-ଭଦ୍ରକ, ସୁନ୍ଦରଗଡ, କଟକ, କେନ୍ଦୁଝର, କୋରାପୁଟ, ପୁରୀ-ନିମାପଡା ସମବାୟ ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ମଧ୍ୟ କୈଫିୟତ ତଲବ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.