Home Top News ସଚେତନ ହେବା, ସତର୍କ ରହିବା

ସଚେତନ ହେବା, ସତର୍କ ରହିବା

55

ସୋସିଆଲ ମେଡିଆକୁ ସକରାତ୍ମକ ଦିଗରେ ଦେଖିବାକୁ ଗଲେ ଅନେକ ସୁବିଧା ପାଇଥାଉ। ଭାବର ଆଦାନ ପ୍ରଦାନ, ଜ୍ଞାନ ଆହୋରଣ, ତଥ୍ୟ ଆଦାନ ପ୍ରଦାନ ଓ ଆବଶ୍ୟକତା ଅନୁଯାଇ ସମସ୍ତ ସୂଚନା ପାଇ ପାରୁଛେ। ଦୁନିଆର ଘଟୁଥିବା ସମସ୍ତ ଖବର ପାଉଛେ ଆଉ ଏହା ଆମର କାମକୁ ସହଜ ଓ ସରଳ କରି ଦେଇଛି। ଏହା ଦ୍ୱାରା ଦୂରତା ଆଉ ପ୍ରତିବନ୍ଧକ ହୋଇ ରହି ନାହିଁ କିନ୍ତୁ ସୋସିଆଲ ମେଡିଆ ମାଧ୍ୟମରେ ସମାଜରେ ବିଭିନ୍ନ ପ୍ରକାର ଅଭାବନୀୟ ପରିସ୍ଥିତି ଘଟୁଛି। ଆମେ ବ୍ୟକ୍ତିଗତ ତଥ୍ୟ ସୋସିଆଲ୍ ମେଡିଆରେ ଶେୟାର କରିବା ଦ୍ୱାରା ଆମର ତଥ୍ୟ ସହଜରେ ଠକମାନଙ୍କ ଦ୍ୱାରା ଅପବ୍ୟବହୃତ ହୋଇଥାଏ। ଠକମାନେ ଆମର ସମସ୍ୟାର ସମାଧାନ କରିବା ଛଳରେ ଆମର ବିଶ୍ୱାସ ଜିତିବାକୁ ଚେଷ୍ଟା କରିଥାନ୍ତି। ସେମାନଙ୍କର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଆମର ବ୍ୟକ୍ତିଗତ ତଥ୍ୟ ମାଧ୍ୟମରେ ଆମର ଟଙ୍କା ଠକିନେବା। କେବେ ବି ନିଜର ଆକାଉଣ୍ଟ୍ ନମ୍ବର କିମ୍ବା କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ୍ ବିବରଣୀ ଶେୟାର କରିବା କଥା ନୁହେଁ। ପ୍ରେମ ଭଳି ଏକ ପବିତ୍ର ସମ୍ପର୍କକୁ ଅପବିତ୍ର କରି ସାରିଲେଣି। ନିଜେ ଯାହା ଯାହା ଖରାପ କାର୍ଯ୍ୟ କରୁଛନ୍ତି ତାକୁ ସୋସିଆଲ ମେଡିଆରେ ଭିଡିଓ ଭାଇରାଲ କରି ସମସ୍ତଙ୍କୁ ଦେଖାଉଛନ୍ତି। ଫେକ ଆକାଉଣ୍ଟ ଖୋଲି ଆପତ୍ତିଜନକ ପୋଷ୍ଟିଂ କରିବା ଏବଂ ଅଶ୍ଵିଳ ଫଟୋ ଓ ଭିଡ଼ିଓ ପ୍ରସାରଣ କରିବା ବହୁଳ ଭାବରେ ଦେଖାଯାଏ। ଏହା ଦ୍ୱାରା ସେମାନେ କଳୁଷିତ ହେବା ସହ ସମାଜ ଉପରେ ଏହା ବହୁତ ଖରାପ ପ୍ରଭାବ ପକାଉଛି। ସୋସିଆଲ ମେଡିଆ ମାଧ୍ୟମରେ ଅନେକ ମିଛ ଖବର ଆସୁଛି। ନିଜ ସ୍ଵାର୍ଥ ପାଇଁ ହେଉ କିମ୍ବା ଅନ୍ୟକୁ ଭୁଆଁ ବୁଲେଇବା ଉଦ୍ଦେଶ୍ୟରେ ହେଉ, ଯିଏ ଯାହା ପାରିଲା ଲେଖିଲା। ଆଜିକାଲି ଏଗୁଡା ନିତି ଦିନିଆ ହେଇଗଲାଣି। ଏ ଦିଗରେ ଆମେ ଟିକେ ସଚେତନ ହେଵା ଦରକାର, ନହେଲା ଏଇ ସୋସିଆଲ ମେଡିଆ ମାଧ୍ୟମରେ ଏ ସମାଜ ଦିନେ ଭାଙ୍ଗିରୁଜି ଛାରଖାର ହୋଇଯିବ।

ଠିକ୍ ରେ ବ୍ୟବହାର ନକଲେ ଓ ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କଲେ ଏହା ଆମ ର ସ୍ୱାସ୍ଥ୍ୟ ପାଇଁ ବି ହାନି କାରକ ଅଟେ। ଅଧିକ ବ୍ୟବହାର କଲେ ମାନସିକ ଅଶାନ୍ତି ବଢେ, ଏକାଗ୍ରତା ନଷ୍ଟ କରେ, ଅଧିକ ସମୟ ମୋବାଇଲ ଧରି ସୋସିଆଲ ମେଡିଆ ବ୍ୟବହାର କରିବା ଦ୍ୱାରା ମୁଣ୍ଡ ବିନ୍ଧା ହେଉଛି। ଅଧିକ ବ୍ୟବହାର କରିବା ଦ୍ଵାରା ଆଖି ଉପରେ କୁ ପ୍ରଭାବ ପକାଉଛି ଓ ଶରୀରର ମେରୁଦଣ୍ଡ, କାନ୍ଧ ଆଦି ରେ ଯନ୍ତ୍ରଣା ହେଉଛି। ସାଧାରଣତଃ ଟେନସନ ରୁ ମୁକ୍ତି ପାଇବା ପାଇଁ ଅନେକ ସୋସିଆଲ ମିଡ଼ିଆରେ ନିଜକୁ ବ୍ୟସ୍ତ ରଖି ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ମାର୍ଟ ଫୋନ ବ୍ୟବହାର କରିଥାନ୍ତି ଯାହା ଫଳରେ ମାନସିକ ଚାପ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ଥାଏ।

ଏମିତି ହେଲାଣି ଯେ ଆମେ ସୋସିଆଲ ମେଡିଆ ଉପରେ ସମ୍ପୂର୍ଣ ନିର୍ଭରଶୀଳ, ଏହାର ବ୍ୟବହାରକୁ ସମ୍ପୂର୍ଣ ତ୍ୟାଗ କରିବା ଅସମ୍ଭବ। କିନ୍ତୁ ଏହାର ବ୍ୟବହାରକୁ କମାଇ ପାରିବା ନିଶ୍ଚିତ। ଅଯଥାରେ ସମୟ ଅପଚୟ ନକରି ଆବଶ୍ୟକ ଅନୁଯାଇ ସୋସିଆଲ ମେଡିଆ ବ୍ୟବହାର କରିବା ସହିତ ସୋସିଆଲ ମେଡିଆ ମାଧ୍ୟମରେ ଘଟୁଥିବା ଅଭାବନୀୟ ପରିସ୍ଥିତି ବିଷୟରେ ସଚେତନ ହେବା, ସତର୍କ ରହିବା ଏବଂ ନିଜ ଜୀବନ ନିଜେ ଗଢିବା।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.