Home ଓଡ଼ିଶା ସଙ୍କଟରେ ଗଜରାଜ, ରେଳ ଧକ୍କାରେ ଆହତ ମାଈ ହାତୀ ସହ ୨ ଶାବକଙ୍କ ମୃତ୍ୟୁ

ସଙ୍କଟରେ ଗଜରାଜ, ରେଳ ଧକ୍କାରେ ଆହତ ମାଈ ହାତୀ ସହ ୨ ଶାବକଙ୍କ ମୃତ୍ୟୁ

48

ଯୋଡା, ୨୦ା୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଗୁରୁବାର ରାତିରେ ଏକ ମାଲବାହୀ ରେଳ ୨୨ ଟିକିଆ ହାତୀ ପଲଙ୍କୁ ବାଂଶପାଣି, ବେହେରା ହାଟିଂ ନିକଟ ରେଳ ଧାରଣାରେ ଧକ୍କା ଦେଇଥିବା ବେଳେ ଏଥିରେ ଗୋଟିଏ ମାଈ ହାତୀ ସହ ୨ଟି ଶାବକ ଗୁରୁତର ହୋଇପଡିଥିଲେ। ଶୁକ୍ରବାର ସକାଳୁ ଆହତ ମା ହାତୀ ସହ ୨ଟି ଶାବକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଚମ୍ପୁଆ ରେଞ୍ଜ ତଥା ଯୋଡା ସେକସନ ଅନ୍ତର୍ଗତ ବିଚାକୁଣ୍ଡି ଜଙ୍ଗଲ ଭିତର ଦେଇ ଯାଇଥିବା ଏହି ରେଳ ଧାରଣାଟିରେ ବାରମ୍ବାର ଦୁର୍ଘଟଣାଘଟି ପର୍ଯ୍ୟାୟକ୍ରମେ ପୂର୍ବରୁ ୬ଟି ହାତୀଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣାଟିରେ ଆଉ ୩ଟି ହାତୀଙ୍କର ମୃତ୍ୟୁ ଘଟଣା ବନବିଭାଗର ଖାମଖିଆଲ ନୀତିକୁ ପଦାରେ ପକାଇଦେଇଛି। ଏହି ସମ୍ବେଦନଶୀଳ ଘଟଣାଟିରେ ରାଉରକେଲାସ୍ଥିତ ରିଜିଓନାଲ ଚିଫ୍ କନଜରଭେଟର ଅଫ୍ ଫରେଷ୍ଟ (ଆର.ସି.ସି.ଏଫ୍‌.) ଡଃ ଅରୁଣ କୁମାର ମିଶ୍ର, ଭୁବନେଶ୍ୱରସ୍ଥିତ ପ୍ରିନ୍ସିପାଲ ଚିଫ୍ କନଜରଭେଟର ଅଫ୍ ଫରେଷ୍ଟ (ପି.ସି.ସି.ଏଫ୍‌) ଶଶି ପଲ୍‌, ଚମ୍ପୁଆ ରେଞ୍ଜର ସଞ୍ଜିବ କୁମାର ରାଉତ, ଯୋଡା ଫରେଷ୍ଟର ଅନିରୁଦ୍ଧ ପଣ୍ଡା, କେନ୍ଦୁଝର ଡିଏଫ୍‌ଓ ଧନରାଜ ହନୁମନ୍ତ ପ୍ରମୁଖ ପହଞ୍ଚି ଦୁର୍ଘଟଣାର କାରଣ ସମ୍ପର୍କରେ ଯାଞ୍ଚ କରିଥିବା ଦେଖିବାକୁ ମିଳିଛି। ତେବେ ବନବିଭାଗ ଏହି ଦୁର୍ଘଟଣା ପାଇଁ ରେଳ ବିଭାଗକୁ ଦାୟୀ କରିଛନ୍ତି। ଏହି ୨୨ ଟିକିଆ ହାତୀ ପଲ ରେଳ ଧାରଣା ପାଖ ଜଙ୍ଗଲରେ ଥିବା ନେଇ ରେଳ ବିଭାଗକୁ ବନବିଭାଗ ମ୍ୟାସେଜ ମାଧ୍ୟମରେ ଜଣାଇଥିବା ଦାବି କରୁଥିବା ବେଳେ ତାହା ରେଳ ବିଭାଗ ପାଇନଥିବା କହିଛନ୍ତି। ଘଟଣାସ୍ଥଳରେ ଚକ୍ରଧରପୁର ଡିଭିଜନର ଆଡିସନାଲ ଡିଭିଜନାଲ ରେଲୱେ ମ୍ୟାନେଜର (ଏଡିଆରଏମ୍‌) ଆର.କେ. ଗୁପ୍ତା ଏହାକୁ ଖଣ୍ଡନ କରିବା ସହ ବନବିଭାଗ ପକ୍ଷରୁ ସେମାନଙ୍କୁ କୌଣସି ସୂଚନା ଦିଆଯାଇନଥିବା ସେ କହିଛନ୍ତି। ତେବେ ଦୁର୍ଘଟଣା ସ୍ଥାନଟି ହସ୍ତୀ ଚଳପ୍ରଚଳ ସ୍ଥାନ ଭାବେ ଚିହ୍ନଟ କରାଯାଇଥିବା ବେଳେ ସବୁ ସମୟରେ ସତର୍କତା ଅବଲମ୍ବନ କରାଯାଇ ସେଠାରେ ରେଳର ବେଗ ଧିମା ରଖାଯାଉଥିବା ସହ ଦୀର୍ଘ ହର୍ଣ୍ଣ ଦିଆଯାଇଥାଏ ବୋଲି ସେ କହିଛନ୍ତି। ପି.ସି.ସି.ଏଫ୍ ଶଶି ପଲ୍ ଗଣମାଧ୍ୟମକୁ ଏକ ବିବୃତ୍ତି ଦେଇ କହିଛନ୍ତି ଯେ, ଏହି ଦୁର୍ଘଟଣା ପାଇଁ ବନବିଭାଗ କିମ୍ବା ରେଳ ବିଭାଗ ଦାୟୀ ତାର ଉଚ୍ଚ ସ୍ଥରୀୟ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଗାମୀ ଦିନରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଯତ୍ନବାନ ହେବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ସୂଚନା ଯୋଗ୍ୟ, ଏହି ରେଳ ଧାରଣା ନିକଟ ଦେଇ ଗୁରୁବେଡା ଠାରୁ ଯୋଡା ସହରକୁ ଜଳ ଯୋଗାଣ କରାଯାଇଥିବା ପାଇପ ଲାଇନଟି ଯାଇଥିବା ବେଳେ ଦୁର୍ଘଟଣା ସ୍ଥଳରେ ବହୁ ଦିନ ଧରି ଏହି ପାଇପ ଲାଇନଟି ଫାଟି ଅନବରତ ପାଣି ବାହାରୁଥିବା ବେଳେ ଏହି ହାତୀ ପଲ ସେଠାକୁ ପାଣି ପିଇବା ପାଇଁ ଆସିଥିବା ଅନୁମାନ କରାଯାଉଛି। ଉକ୍ତ ସ୍ଥାନଟିରେ ହାତୀ ଚଳ ପ୍ରଚଳ କରୁଥିବା ବେଳେ ରେଳ ଧାରଣାର ଉଭୟ ପାଶ୍ୱର୍ରେ ଟ୍ରେଞ୍ଚ ଖୋଳି ରେଳ ଧାରଣା ଉପରକୁ ସେମାନଙ୍କର ଯାତାୟତକୁ ରୋକାଯିବାର ଆବଶ୍ୟକତା ରହିଛି, ବନବିଭାଗ ଏହା କରିନଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସାଧାରଣରେ ଆଲୋଚନା ହେଉଛି। ବନବିଭାଗର ଖାମଖିଆଲ ନୀତି ଯୋଗୁଁ ଚମ୍ପୁଆ ରେଞ୍ଜରୁ ହାତୀ ପଲ ଏବେ ନିପାତ ହେବାକୁ ବସିଲେଣି। ବାରମ୍ବାର ରେଳ ଧାରଣାରେ ଦୁର୍ଘଟଣା ଘଟି ହାତୀ ମୃତ୍ୟୁ ଘଟୁଥିବା ବେଳେ ବନବିଭାଗ ପକ୍ଷରୁ ଏଥିପାଇଁ କୌଣସି ପ୍ରତିକାର କରାଯାଇପାରିନାହିଁ। ଫଳରେ ହାତୀ ପଲ ରେଳଧାରଣା ଅତିକ୍ରମ କରୁଥିବା ଏହି ଦୁର୍ଘଟଣାଟି ଘଟିଥିଲା। ଏହି ଧକ୍କାଟି ଏତେ ତୀବ୍ରତର ଥିଲା ଯେ, କେତେକ ହାତୀ ରେଳ ଧାରଣା ଉପରୁ ଏଣେତେଣେ ଛିଟିକି ହୋଇପଡିଥିଲେ। ତେବେ ମାଈ ହାତୀ ସହିତ ୨ଟି ଶାବକ ଗୁରୁତର ଅବସ୍ଥାରେ ରେଳ ଧାରଣା ଉପରେ ପଡିଥିବା ବେଳେ ଅନ୍ୟ ହାତୀ ମାନେ ସେମାନଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ସେମାନେ ବିଫଳ ହେବା ପରେ ହାତୀ ପଲ ରାତି ସାରା ସେମାନଙ୍କୁ ଜଗି ରହିଥିଲେ। ଏହି ୨୨ ଟିକିଆ ହାତୀ ପଲ ଦୀର୍ଘ ଏକ ସପ୍ତାହ ଧରି ନିକଟସ୍ଥ ଜଙ୍ଗଲରେ ଡେରା ପକାଇଥିବା ବେଳେ ବନବିଭାଗ ସେମାନଙ୍କ ପ୍ରତି ନିଘାନଥିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ପରିବେଶବିତ୍‌ମାନେ ନିନ୍ଦା କରିଛନ୍ତି। ସରକାରଙ୍କ ପକ୍ଷରୁ ଏହି ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ଗଜ ସାଥି ଗଠନ କରାଯାଇଥିବା ବେଳେ ଏହା କେଉଁ କାମକୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.