Home ଓଡ଼ିଶା ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି : ୭ ଟଙ୍କା ମଜୁରୀରେ...

ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି : ୭ ଟଙ୍କା ମଜୁରୀରେ ରଥ ନିର୍ମାଣ କାମ କରିଥିଲି: ମୁଖ୍ୟ ବିଶ୍ୱକର୍ମା

66

କେନ୍ଦ୍ରାପଡ଼ା, ୧୦ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ୧୪ ଜଣ ବିଶ୍ୱକର୍ମାଙ୍କ ସହିତ ୮ ଜଣ ସହାୟକ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି। ଏହି ବ୍ରହ୍ମତାଳଧ୍ୱଜ ରଥର ଚକ ସଂଖ୍ୟା ହେଉଛି ୧୪। ୧୪ ଚକ ବିଶିଷ୍ଟ ରଥରେ ବିଜେ କରି ଶ୍ରୀଜୀଉମାନେ ଆସନ୍ତା ଜୁଲାଇମାସ ଏକ ତାରିଖରେ ମାଉସୀ ମା’ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ କରିବା ପାଇଁ କୁହୁଡ଼ି, ନରେନ୍ଦ୍ରପୁର, ନାରାୟଣପୁର, ନେମ୍ବରା ପ୍ରଭୃତି ଗ୍ରାମର ମହାରଣାମାନେ ନିୟୋଜିତ ହୋଇଛନ୍ତି। ରଥ ନିର୍ମାଣ ଦାୟିତ୍ୱରେ ଥିବା ମୁଖ୍ୟ ବିଶ୍ୱକର୍ମା ରଘୁନାଥ ମହାରଣା କୁହନ୍ତି ଆମର ପୂର୍ବ ପୁରୁଷମାନେ ରଥ ନିର୍ମାଣ କାର୍ଯ୍ୟ କରୁଥିଲେ। ବଂଶାନୁକ୍ରମିକ ଭାବେ ଆମେ ଏହି ରଥ ନିର୍ମାଣ କାର୍ଯ୍ୟ କରୁଛୁ। ମୁଁ ଯେତେବେଳେ ପ୍ରଥମେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଲି ସେତେବେଳେ ପାରିଶ୍ରମିକ ଥିଲା ଦିନକୁ ମାତ୍ର ୭ଟଙ୍କା। ଏବେ ତାହା ବୃଦ୍ଧି ପାଇ ୫୦୦ ଟଙ୍କାରେ ପହଞ୍ଚିଛି। ରଥ ନିର୍ମାଣ କାର୍ଯ୍ୟ କରିବା ବେଳେ ଆମକୁ ଏକ ନିଆରା ଅନୁଭୁତି ମିଳେ ଯାହା ବର୍ଷ ସାରା ପେଟ ପାଟଣା ପାଇଁ ଅନ୍ୟ କୌଣସି କାର୍ଯ୍ୟ କଲେ ମିଳେନାହିଁ। ତେଣୁ ଆମେ ଚାହିଁ ବସିଥାଉ କେବେ ଅକ୍ଷୟ ତୃତୀୟ ଆସିବ ଓ ଆମେ ରଥ ନିର୍ମାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିବୁ। ବ୍ରହ୍ମ ତାଳଧ୍ୱଜ ରଥରେ ୧୪ ଚକ, ୭ ଅଖ, ୬୪ ଖୁଣ୍ଟିଆ, ୪ ମୁଖ୍ୟ ନାହାକା, ୧୬ କଣି ନାହାକା, ୮ଟି ବରାନ୍ଦ ବ୍ୟବହାର କରାଯାଇଥାଏ ବୋଲି ସେ କହିଛନ୍ତି। ସେହିପରି ଅନ୍ୟ ଜଣେ ମହାରଣା ପୁରୁଷୋତ୍ତମ ଓଝା କହିଛନ୍ତି ସେ ଗତ ୪୦ ବର୍ଷ ହେବ ରଥ ନିର୍ମାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ବର୍ଷର ଅନ୍ୟ ସମୟରେ ସେମାନେ ଅନ୍ୟାନ୍ୟ କାଠ କାମ କରିଥାନ୍ତି। ହେଲେ ରଥ ନିର୍ମାଣ କରିବାରେ ଯେଉଁ ଆନନ୍ଦ ମିଳିଥାଏ ତାହା ଅନ୍ୟ କୌଣସି କାମ କରିବାରେ ମିଳି ନ ଥାଏ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.