Home ଓଡ଼ିଶା ଶ୍ରମିକର ସୁନେଲୀ ସ୍ୱପ୍ନ ଆଗରେ ଲକଡାଉନ ଟାଣିଛି ଲକ୍ଷ୍ମଣରେଖା। ତାଲା ଫିଟିବ, ତତଲା ଖରାରେ ସିଝି...

ଶ୍ରମିକର ସୁନେଲୀ ସ୍ୱପ୍ନ ଆଗରେ ଲକଡାଉନ ଟାଣିଛି ଲକ୍ଷ୍ମଣରେଖା। ତାଲା ଫିଟିବ, ତତଲା ଖରାରେ ସିଝି ସିଝି ପୁଣି ସ୍ୱପ୍ନର ତାଜମହଲ ତୋଳିବ

207

ବାଲିଗୁଡା, ୧/୫.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଭଙ୍ଗା ଚାଳ ଘରୁ ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ମଣିଷର ନାଁ ଶ୍ରମିକ। ଭିତରେ ଭିତରେ ନିଜ ଆଶାକୁ ଗଢୁଥିବା, ଭାଙ୍ଗୁଥିବା ଆସ୍ପର୍ଦ୍ଧାର ନାଁ ଶ୍ରମିକ। ତା ଶ୍ରମରେ ନଥାଏ ଭେଜାଲପଣ କି ତା କଷ୍ଟରେ ନଥାଏ କୌଣସି ଛଳନା। ସେ ଝାଳ ବୁହାଏ, ଲୁହ ଝରାଏ, ଦୁମ ଦୁମ ଖରାର ଝାଞ୍ଜି ସହି ବି ଶ୍ରମଦାନ କରୁଥାଏ। ପେଟ ଆଉ ପରିବାର ପାଇଁ ସବୁ ଯନ୍ତ୍ରଣାକୁ ପାଣି କରି ପିଇଯାଏ। ସେଇଥିପାଇଁ ତ ଶ୍ରମ ଓ ସଂଘର୍ଷର ନାଁ ଶ୍ରମିକ…ଶ୍ରମିକ ନଥିଲେ ଆମ ସ୍ୱପ୍ନ ପୂରଣ ହୁଅନ୍ତାନି। ଆମ ଚାକଚକ୍ୟ ଜୀବନ, ଆମ ବିଳାସପୂର୍ଣ୍ଣ ଜୀବନଶୈଳୀ ଶ୍ରମିକ ବିନା ସମ୍ଭବ ହୁଅନ୍ତାନି। ଟଙ୍କା ପାଇଁ ଝାଳ ବୁହାଉଥିବା ଶ୍ରମିକଟିଏ ହିଁ ଆମ ସ୍ୱପ୍ନକୁ ସଜାଡେ, ଆମ ପ୍ରତିଟି ସମ୍ଭାବନାରେ ଶେଷ ସ୍ପର୍ଶ ଦିଏ… ଆଉ ତାରି ଭିତରେ ସେ ଆଙ୍କି ଚାସିଥାଏ ନିଜ ଭବିଷ୍ୟତର ରଙ୍ଗୀନ ଚିତ୍ର।ରୋଜଗାର କରି ରଙ୍ଗୀନ ସ୍ୱପ୍ନକୁ ସତ କରିବାକୁ ଶ୍ରମିକ ରାସ୍ତାକୁ ଓହ୍ଲାଏ, ବାହାର ରାଜ୍ୟକୁ ପାଦ ଆଗାଏ… ୧୦/୧୨ର ଭଡାଘର ଭିତରେ ନିଜେ ଆଙ୍କିଥିବା ପେନସିଲର ସ୍କେଚରେ ରଙ୍ଗ ବୋଳିବା ଆରମ୍ଭ କରେ। ଭଙ୍ଗା ଘର ଭିତରୁ କୋଠା ଘରର ଛବି ଆଙ୍କେ। ନିଜେ ଭୋକରେ ରହି ପରିବାର ପାଇଁ ପଇସା ପଠାଏ। ପୁଅ ପାଠ ପଢିବ, ସ୍ତ୍ରୀ ଗହଣା ପିନ୍ଧିବ ଆଉ ବୁଢା ବାପାମାଆ ତା ରୋଜଗାର ଟଙ୍କାରେ ତୀର୍ଥ ବୁଲିବେ। ଏଇ ଆଶା ନେଇ ଅହରହ ଖଟୁଥାଏ ଶ୍ରମିକ।ତେବେ ଲକଡାଉନ ପାଇଁ ଆଜି ଶ୍ରମିକ ବାହାରେ ଫଶିଯାଇଛି। ଘରକୁ ଫେରିବାକୁ ଚାତକ ପରି ଚାହିଁ ବସିଛି। ଘର, ପରିବାରଠୁ ଦୂରରେ ଥିବାରୁ ବ୍ୟାକୁଳତାର ଲୁହ ପିଇ ମନ ମାରି ବସିଛି। ଲକଡାଉନର ଲକ୍ଷ୍ମଣରେଖା ଡେଇଁ ଯିଏ ବାହାରି ଆସିଛି ସିଏ ଚାଲୁଛି ଯେ ଚାଲୁଛି, ନା ବାଟ ସରୁଛି ନା ଘର ଆସୁଛି। ତତଲା ତାତିର ଖଇଫୁଟା ଖରାରେ ରାସ୍ତା ମଝିରେ ଶ୍ରମିକର ଚିତ୍କାର ମଉଳି ଯାଉଛି।ଆଜି ଶ୍ରମିକ ଦିବସ। ଶ୍ରମିକଙ୍କ ପାଇଁ ଦିନଟିଏ। ଯେଉଁ ଶ୍ରମିକମାନେ ଆମ ସ୍ୱପ୍ନର ସ୍ରଷ୍ଟା ପାଲଟିଛନ୍ତି, ନିଜେ ସଙ୍ଘର୍ଷ କରି ଶିଳ୍ପଠୁ ସଡକ ଯାଏଁ ତିଆରିଛନ୍ତି। ସେମାନେ ଭଲରେ ଭଲରେ ଘରକୁ ଫେରନ୍ତୁ। ସ୍ତିତି ସୁଧୁରିଲା ପରେ ଜୀବନ ସହ ଜିବିକାକୁ ସୁଦୃଢ କରନ୍ତୁ। ଆଉ ତାଙ୍କ ମଉଳା ମୁହଁରେ ପୁଣି ଥରେ ଫୁଟି ଉଠୁ ଅଲିଭା ହସ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.