Home ଜିଲ୍ଲା ପରିକ୍ରମା ଶୋଷଣର ଶିକାର ମିର୍ଜାପୁର ସମିତି ଚାଷୀ – ଅସାଧୁ ମିଲର ପରିବର୍ତ୍ତନ ଦାବିରେ ଯୋଗାଣ ଅଫିସ...

ଶୋଷଣର ଶିକାର ମିର୍ଜାପୁର ସମିତି ଚାଷୀ – ଅସାଧୁ ମିଲର ପରିବର୍ତ୍ତନ ଦାବିରେ ଯୋଗାଣ ଅଫିସ ଘେରାଓ

20

ବାଲେଶ୍ୱର, ୨୧ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଧାନ କିଣାରେ ଅସାଧୁ ମିଲରଙ୍କ ଶୋଷଣରେ ଶିକାର ଖଇରା ବ୍ଲକ ର୍ମିଜାପୁର ସେବା ସମବାୟ ସମିତିର ଚାଷୀମାନେ ଆଜି ଜିଲ୍ଲା ଯୋଗଣ ବିଭାଗ ସମ୍ମୁଖରେ ଧାରଣା ଦେଇଥିଲେ। ଦୀର୍ଘ ଦୁଇବର୍ଷ ଧରି ଦେଉଳି ଅଞ୍ଚଳର ତାରିଣୀ ରାଇସ ମିଲକୁ ମିର୍ଜାପୁର ସେବା ସମବାୟ ସମିତିରୁ ଧାନ ଉଠାଇବାକୁ ଯୋଗାଣ ବିଭାଗ ଅର୍ଡ଼ର କରିଥିବା ଚାଷୀମାନେ କହିଛନ୍ତି। ମିର୍ଜାପୁର ସେବା ସମବାୟ ସମିତି ଅଧୀନରେ ସାରଡାଙ୍ଗ, ନନ୍ଦୋର, ସୁଣ୍ଢିରା, ଝିଙ୍କିରିଆ ପ୍ରଭୃତି ଅଞ୍ଚଳର ଚାଷୀମାନେ ଧାନ ବିକ୍ରି କରିଥା’ନ୍ତି। ମାତ୍ର ତାରିଣୀ ରାଇସ ମିଲ୍ସର ମିଲର ଜଣେ ପ୍ରତିପତିଶାଳୀ ବ୍ୟକ୍ତି ହୋଇଥିବା ବେଳେ ସମିତି କର୍ମକର୍ତ୍ତାଙ୍କ ସମେତ ଚାଷୀଙ୍କ ଉପରେ ସର୍ବଦା ଦାଉ ସାଜି ଚାଲିଥିବା ସେମାନେ ଆରୋପ ଉଠାଇଛନ୍ତି। ବିଶେଷ କରି ଧାନ କ୍ୱିଣ୍ଟାଲ ପିଛା ୮ କେଜିରୁ ୧୦ କେଜି ପର୍ଯ୍ୟନ୍ତ ଉଡ଼ାଣ କାଟିବା, ଟୋକନରେ ଉଲ୍ଲେଖ ପରିମାଣଠାରୁ ଚାଷୀଙ୍କଠାରୁ କମ୍ ଧାନ କିଣିବା ଯୋଗୁଁ ଲୋକେ ଧାନ ବିକ୍ରି କରି ନପାରି ଶେଷରେ ବାହାର ବେପାରୀଙ୍କୁ କମ୍ ମୂଲ୍ୟରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବୋଲଇ ଧାରଣାରତ ଚାଷୀମାନେ କହିଛନ୍ତି। ଏମିତିକି ଗତ ରବଋତୁରେ ଚାଷୀଙ୍କ ଟୋକନ ଆସିଥିଲେ ବି ତାରିଣୀ ରାଇସ ମିଲ ଧାନ ନ କିଣିବା ଯୋଗୁଁ ଚାଷୀମାନେ ଶେଷରେ ବାହାର ବେପାରୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ଏଭଳି ମନମୁଖୀ କାର୍ଯ୍ୟ କରୁଥିବା ମିଲରଙ୍କୁ ପରିବର୍ତ୍ତନ ପାଇଁ ୨ ବର୍ଷ ଧରି ଦାବି ହୋଇ ଆସୁଥିବା ବେଳେ ଯୋଗାଣ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନ ନେବା ଯୋଗୁଁ ସେମାନେ ଧାରଣା ଦେବାକୁ ବାଧ୍ୟ ହୋଇଥିବା ଚାଷୀମାନେ କହିଛନ୍ତି। ମିଲର ବଦଳ ନ ହେବା ପର୍ଯ୍ୟନ୍ତ ସେମାନେ ଏହିଭଳି ଗଣଧାରଣା ଜାରି ରଖିବେ ବୋଲି ଚାଷୀମାନେ କହିଛନ୍ତି। ଏନେଇ ସେମାନେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।ତେବେ ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯୋଗଯୋଗ କରାଯାଇଥିଲେ ବି ସେ କିଛି କହିବାକୁ ମନା କରିଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.