Home Top News ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

53

ପୁରୀ ୧୭-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ମହାପ୍ରଭୁ ରଥ ଯାତ୍ରା ପାଇଁ ରଥ ନିର୍ମାଣ ଏବେ ଶେଷ ପର୍ଯ୍ୟାୟରେ। ତିନି ରଥରେ ଏବେ ମହାରଣା ସେବକ ମାନେ ହଂସ ପଟା ଲଗାଉଛନ୍ତି। ସେହିପରି ଠେକେରା ବାଡ ମଧ୍ୟ ଲଗାଯଉଛି। କୋଣ ଗୁଜ ଗୁଡିକ ରଙ୍ଗ କାର୍ଯ୍ୟ ଜାରି ରହିଛି।

ତିନିରଥର ଦୁଆର ବେଢ଼ାକୁ ବାନ୍ଧି ରଖିବାପାଇଁ ଗୋଟିଏ ଲେଖାଁଏ ‘ଧିଜବତା’ ଦୁଆର ବେଢ଼ା ଚନ୍ଦ୍ରଶାଳି କାପରେ ସେଟିଙ୍ଗ କରାଯାଇ ମଝି ଭୂଇଁ ଛ’ କାଠି ରେ ଫିଟିଙ୍ଗ କରାଯାଇଛି। ଏଥିସହ ତିନିରଥରେ କଣି ଫାଉଡା, ଧୂଳିଦଣ୍ଡା, ହାତୀ ଆଳ ମାଳ ଲଗାଯାଇଛି। ଭୋଇ ସର୍ଦାର ତଥା ତିନିତଥର ମୁଖ୍ୟ ଭୋଇ ସେବକମାନଙ୍କ ସହଯୋଗରେ ଭୋଇ ସେବକ ଏବଂ ତିନି ମୁଖ୍ୟ ମହାରଣାଙ୍କ ନିର୍ଦ୍ଦେଶରେ ଭୋଇ ସେବକମାନେ କଳଶ, ଓଲଟ ଶୁଆ ଏବଂ ଅଁଳାକୁ ରଥ ଉପର ପୋଟଳ ଖପୁରୀ ମଧ୍ୟ ଭାଗରେ ରଖି ତିନିରଥରେ ସଂସ୍ଥାପନ କରିଛନ୍ତି। ତିନି ରଥରେ ଲାଗିଥିବା କଳଶ ଓ ଓଲଟ ଶୁଆକୁ ସୁଦୃଢ଼ ରଖିବା ପାଇଁ କଳଶ ବାଗିଆ କଣ୍ଟା ଏବଂ ସାଢ଼େ ଚାରି ଫୁଟର ତିନୋଟି ଲେଖାଁଏ ‘ନାରାଜ’ କଣ୍ଟା ବାଡେଇ ଓଲଟ ଶୁଆ ଫିଟିଙ୍ଗ କରାଯାଇଛି। ଅଁଳା ଉପରେ ପିତଳ କଳଶ ସଂସ୍ଥାପନ ବାକି ରହିଛି।

ଏଥିସହ ଦୁଆରବେଢ଼ାକୁ ବାନ୍ଧି ରଖିବାପାଇଁ ପ୍ରତି ନାଟଗୋଡ଼ରେ ଦୁଇ ପାର୍ଶ୍ଵରେ ଦୁଇଟି ଲେଖାଁଏ ‘ଦୁଆର ବାଣିଆ’ ଚଉଦ ବାହାକା ସହ ଫିଟିଙ୍ଗ କରାଯାଇଛି। ଚିତ୍ର କାର୍ଯ୍ୟ ଶେଷ ହୋଇଥିବା ‘କନ୍ୟାପଟା’ ଗୁଡିକୁ ମହାରଣା ସେବକ ମାନେ ତିନିରଥ ରେ ଫିଟିଙ୍ଗ କରିଛନ୍ତି। ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥରେ ୧୨ ଲେଖାଁଏ ଏବଂ ଦର୍ପଦଳନ ରଥରେ ୮ ଟି କନ୍ୟା ପଟା ଫିଟିଙ୍ଗ ହୋଇଛି।

ରୂପକାର ସେବକମାନେ ତିନିରଥର ଗୋଟିଏ ଲେଖାଁଏ ଘୋଡା ଜୁଆଳି, ଦୁଇଟି ଲେଖାଁଏ ଆଶା ବାଡ଼ି ଏବଂ ତାଳଧ୍ୱଜ ରଥ, ନନ୍ଦିଘୋଷ ରଥ ସାରଥିଙ୍କ ‘କିରଣ’ ନିର୍ମାଣ ଶେଷ କରି କିରଣରେ ପଦ୍ମ ପାଖୁଡା ଖିଦେଇ କାର୍ଯ୍ୟ ମଧ୍ୟ ଶେଷ କରିଛନ୍ତି। ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନିରଥର କଳଶ ଫିଟିଙ୍ଗ ପାଇଁ କଳଶ ବାଗିଆ କଣ୍ଟା ଏବଂ ଓଲଟ ଶୁଆ ଫିଟିଙ୍ଗ ପାଇଁ ନାରାଜ କଣ୍ଟା ଯୋଗାଇଛନ୍ତି। ରଥରେ ଘୋଡା ଫିଟିଙ୍ଗ ପାଇଁ ଘୋଡା ବାଗିଆ କଣ୍ଟା ଏବଂ ପ୍ରଭା କଣ୍ଟା ନିର୍ମାଣ କରୁଛନ୍ତି।

ଚିତ୍ରକାର ସେବକ ମାନେ ବାକି ରହିଥିବା ରଥ ବାହ୍ୟ ଅଂଶରେ ରଙ୍ଗ କରିବା ସହ, ପ୍ରଭା ଏବଂ ତିନିରଥ ଘୋଡାରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି। ଦରଜି ସେବକ ମାନେ ତିନି ରଥର କନାରେ ଜାରି ଜମ୍ବୁରା, ଲେସ କାର୍ଯ୍ୟ ସଂପୂର୍ଣ୍ଣ କରି ରଥରେ କନା ପଡିବା ପାଇଁ କନା ଯୋଡ଼ା କାମ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.