Home କନ୍ଧମାଳ ଶୁକ୍ରବାର ବିଶ୍ବ ପରିବେଶ ଦିବସ: କନ୍ଧମାଳ ଜିଲ୍ଲାରେ ପଲିଥିନ କଟକଣା ପାଲଟିଛି ପ୍ରହସନ

ଶୁକ୍ରବାର ବିଶ୍ବ ପରିବେଶ ଦିବସ: କନ୍ଧମାଳ ଜିଲ୍ଲାରେ ପଲିଥିନ କଟକଣା ପାଲଟିଛି ପ୍ରହସନ

185

ବାଲିଗୁଡା ୫-୬ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଶୁକ୍ରବାର ଜୁନ ୫ତାରିଖ ହେଉଛି ବିଶ୍ବ ପରିବେଶ ଦିବସ। ୨୦୨୦ ପରିବେଶ ଦିବସର ଥିମ୍‌ ହେଉଛି ‘ପ୍ରକୃତି ପାଇଁ ସମୟ’। ତେବେ ପ୍ରକୃତିକୁ ବଞ୍ଚାଇବା ଏବଂ ପରିବେଶ ପ୍ରଦୂଷଣ ରୋକିବା ପାଇଁ ଓଡ଼ିଶାରେ ପଲିଥିନ୍‌ ବ୍ୟବହାର ନିଷେଧ କରାଯାଇଥିଲା। ଜଳବାୟୁ ପରିବର୍ତ୍ତନ ପରିବେଶକୁ ପ୍ରଭାବିତ କରୁଛି। ଆଧୁନିକ ସଭ୍ୟତା ଆଳରେ ପରିବର୍ତ୍ତିତ ପରିବେଶକୁ ବିଗାଡ଼ି ଦେଇଛି ଆଜିର ମଣିଷ ସମାଜ। ଏବେ ପ୍ରଦୂଷଣ ଭଳି ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେଉଛି। ପରିବେଶ ସାଙ୍ଗକୁ ବାୟୁ ଓ ଶବ୍ଦ ପ୍ରଦୁଷଣ ବଳୟରେ ସମସ୍ତେ ରୁନ୍ଧି ହୋଇଯାଇଛନ୍ତି। ସଚେତନତା ଅଭାବ ଓ ଅମାନିଆ ଗୁଣ ଯୋଗୁ ପ୍ରତିଦିନ ପରିବେଶ ପ୍ରଦୂଷଣ ହେଉଥିବା ଜଣାପଡ଼ିଛି। ପରିବେଶ ପାଇଁ ମାରାତ୍ମକ କୁହାଯାଉଥିବା ପ୍ଲାଷ୍ଟିକ୍‍ ଓ ପଲିଥିନ୍‍ ବ୍ୟବହାର ଉପରେ ପ୍ରଶାସନର କଟକଣାକୁ କେହି ମାନୁନାହାନ୍ତି। ଭବିଷ୍ୟତରେ ଏହା ମଣିଷ ସମାଜ ପାଇଁ ଘାତକ ପାଲଟିବ। ଏହା ଜାଣିସୁଦ୍ଧା ଏଥିରୁ କେହି ମୁହଁ ଫେରାଉ ନ ଥିବା ପରିଲକ୍ଷିତ ହୋଇଛି। ରାଜ୍ୟ ସରକାର ସମଗ୍ର ରାଜ୍ୟରେ ପ୍ଲାଷ୍ଟିକ୍‍ ଓ ପଲିଥିନ୍‍ ବ୍ୟବହାରଉପରେ କଟକଣା ଲାଗୁ କରିଛନ୍ତି, ଯାହା ଏବେ ପ୍ରହସନରେ ପରିଣତ ହୋଇଛି l୨୦୧୮ ଗାନ୍ଧି ଜୟନ୍ତୀରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ଓ ସମ୍ବଲପୁରରେ ପ୍ରଥମ ପର୍ଯ୍ୟାୟରେ ପଲିଥିନ୍‌ ବ୍ୟବହାର ନିଷେଧ କରାଯାଇଥିଲା। ଏହାପରେ ୨୦୧୯ ଗାନ୍ଧିଜୟନ୍ତୀରୁ ସାରା ରାଜ୍ୟରେ ପ୍ଲାଷ୍ଟିକ୍‍ ବ୍ୟବହାର ଉପରେ ନିଷିଦ୍ଧ ଘୋଷଣା କରାଯାଇଥିଲା। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ଲାଷ୍ଟିକ୍ରି ବିକ୍ରି, ଉତ୍ପାଦନ, ଆମଦାନୀ, ରପ୍ତାନୀ କିମ୍ବା ବଣ୍ଟନ ଉପରେ କଟକଣା ଲଗାଯାଇଥିଲା। କେବଳ କମ୍ପୋଷ୍ଟେବୁଲ୍‍ ପଲିଥିନ୍‍ କ୍ୟାରି ବ୍ୟାଗ୍‍ ବ୍ୟବହାରକୁ ଅନୁମତି ଦିଆଯାଇଥିଲା। ପ୍ରାଥମିକ ପର୍ଯ୍ୟାରେ ପ୍ଲାଷ୍ଟିକ୍‍ ବ୍ୟବହାର ନିଷିଧ ନିୟମ କଡ଼ାକଡ଼ି ପାଳନ କରାଯାଇଥିଲା। ଏପରିକି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ ସାଙ୍ଗକୁ ଜରିମାନା ମଧ୍ୟ ଆଦାୟ କରାଯାଇଥିଲା। ମାତ୍ର ଏବେ ରାଜ୍ୟରେ ଏହି ଧରପଗଡ଼ ଶିଥିଳ ହୋଇଯାଇଛି। ଫଳରେ ପୁଣି ପଲିଥିନ୍‍ ଓ ପ୍ଲାଷ୍ଟିକ୍‍ କାରବାର ବ୍ୟାପକ ମାତ୍ରାରେ ଚାଲିଛି l କନ୍ଧମାଳ ଜିଲ୍ଲାର ଜୈନକ ପରିବେଶବିତ ତଥା ବରିଷ୍ଠ ଆଇନଜୀବି କୌଶିକ ସାହୁ କହିଛନ୍ତି ଯେ ରାଜ୍ୟରେ ପଲିଥିନ୍‌ ବ୍ୟବହାର ନିଷେଧ ପାଇଁ ନିର୍ଦେଶ ରହିଛି। ବିଭିନ୍ନ ସମୟରେ ଚଢ଼ାଉ ମଧ୍ୟ ହେଉଛି। ସଉଦା କିମ୍ବା ପରିବା ଆଣିବାକୁ ଯିବାବେଳେ ସାଙ୍ଗରେ କନା ବ୍ୟାଗ୍‌ ନେବାକୁ କୁହାଯାଇଥିଲା। ତେବେ ଲୋକେ ସଚେତନତ ହେଲେ ପଲିଥିନ୍‌ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇପାରିବ। ବାଲିଗୁଡା ଅଞ୍ଚଳର ଜଣେ ଗ୍ରୋସରୀ ଦୋକାନୀ କହିଛନ୍ତି ଯେ ପ୍ରଥମେ ଲୋକେ ଜରିମାନା ଆଦାୟ ଭୟରେ ସଉଦା ଓ ପନିପରିବା ନେବାକୁଆସିବା ସମୟରେ ଦୋକାନି ଓ ପରିବା ବ୍ୟବସାୟୀ ମଧ୍ୟ ବ୍ୟାଗ୍‌ ନ ଆଣିଥିଲେ ଜିନିଷ ଦେଉନଥିଲେ। କିନ୍ତୁ ଏବେ ଲୋକେ ବ୍ୟାଗ୍‌ ଆଣି ନ ଥିଲେ ମଧ୍ୟ ବାଧ୍ୟ ହୋଇ ଦୋକାନୀମାନେ ପଲିଥିନ୍‌ରେ ଜିନିଷ ଦେଉଛନ୍ତି।ଫୁଲବାଣୀ କେରେଡ଼ି ବାସିନ୍ଦା ଶ୍ୟାମ ସୁନ୍ଦର ପଣ୍ଡା ଙ୍କ କହିବା ଅନୁଯାୟୀ ଦୋକାନି କିମ୍ବା ପରିବା ବ୍ୟବସାୟୀ ଲୋକେ ବ୍ୟାଗ୍‌ ଆଣିନଥିଲେ ଯଦି ଜିନିଷ ଦେବାକୁ ମନା କରିଦିଅନ୍ତେ।ତେବେ ଲୋକେ ବ୍ୟାଗ୍‌ ଆଣିବାକୁ ଅଭ୍ୟାସ କରିବେ ଓ ପଲିଥିନ୍ ବ୍ୟବହାର ବନ୍ଦ ହୋଇପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.