Home Top News ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ : ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ଗିରଫ ହୋଇ...

ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ : ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ଗିରଫ ହୋଇ ଜେଲରେ ଥିଲେ କୁନ୍ଦ୍ରା

62

ମୁମ୍ବାଇ ୨୦ ସେପ୍ଟେମ୍ବର (ଓଡ଼ିଆ ପୁଅ) ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ମୁମ୍ବାଇର ଏକ କୋର୍ଟ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିଛନ୍ତି। କୁନ୍ଦ୍ରାଙ୍କ ସହ ରିଆନ୍ ଥର୍ପେ ମଧ୍ୟ ଜାମିନ ପାଇଛନ୍ତି। ୫୦, ୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ କୋର୍ଟ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଶନିବାର ଦିନ କୁନ୍ଦ୍ରା ତାଙ୍କୁ ଫଶେଇଦିଆଯାଇଛି ବୋଲି ଦାବି କରି ଜାମିନ ଆବେଦନ କରିଥିଲେ। ଏହି ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟରେ ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ। ୧୯ ଜୁଲାଇରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ବିଭିନ୍ନ ବିଭାଗ ଅନୁଯାୟୀ ମାମଲା ରୁଜୁ ହୋଇଥିଲା।

ଏହି ମାମଲାର ଅନୁସନ୍ଧାନ କରୁଥିବା ମୁମ୍ବାଇ କ୍ରାଇମ ବ୍ରାଞ୍ଚ ସେପ୍ଟେମ୍ବର ୧୫ ରେ କୁନ୍ଦ୍ରା ଏବଂ ଅନ୍ୟ ତିନିଜଣଙ୍କ ବିରୋଧରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ କିଛି ଆପ୍ ସାହାଯ୍ୟରେ ପ୍ରସାରଣ ଅଭିଯୋଗରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଥିଲା।

ଚାର୍ଜସିଟ ଅନୁଯାୟୀ, ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମୁମ୍ବାଇ ପୋଲିସକୁ ଦେଇଥିବା ବିବୃତ୍ତିରେ କହିଛନ୍ତି ଯେ ସେ ତାଙ୍କ କାମରେ ବ୍ୟସ୍ତ ଥିବାରୁ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ କାର୍ଯ୍ୟକଳାପ ବିଷୟରେ ଅବଗତ ନୁହଁନ୍ତି।

ଚାର୍ଜସିଟ ଅନୁଯାୟୀ, ଶେଟ୍ଟୀ ପୋଲିସକୁ କହିଛନ୍ତି ଯେ, ସେ ହଟସଟ ଏବଂ ବଲିଉଡ ଫେମ ଆପ ବିଷୟରେ କିଛି ଜାଣି ନାହାଁନ୍ତି ଯାହାକୁ ଅଭିଯୁକ୍ତ ଆପତ୍ତିଜନକ ବିଷୟବସ୍ତୁ ଅପଲୋଡ୍ ଏବଂ ଷ୍ଟ୍ରିମ୍ କରିବା ପାଇଁ ବ୍ୟବହାର କରିଥିଲେ।

ଅଭିନେତ୍ରୀ ଶାର୍ଲିନ୍ ଚୋପ୍ରା ତାଙ୍କ ବିବୃତ୍ତିରେ ପୋଲିସକୁ କହିଛନ୍ତି ଯେ କୁନ୍ଦ୍ରା ତାଙ୍କୁ ବିନା ଦ୍ୱିଧାରେ ହଟ୍‌ସଟ୍‌ ଆପ୍‌ରେ କାମ କରିବାକୁ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.