Home Top News ଶିବସେନା ମାମଲା : ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ମନା

ଶିବସେନା ମାମଲା : ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ମନା

106

ନୂଆଦିଲ୍ଲୀ ୨୨-୨ (ଓଡ଼ିଆ ପୁଅ) ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସୁପ୍ରିମକୋର୍ଟ ତରଫରୁ ଏକ ବଡ଼ ଝଟକା ଲାଗିଛି। ଏକନାଥ ସିନ୍ଦେ ଗୋଷ୍ଠୀକୁ ଶିବସେନାର ନାମ ଏବଂ ନିର୍ବାଚନ ଚିହ୍ନ ଆବଣ୍ଟନ କରିବା ନିଷ୍ପତ୍ତି ଉପରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଉପରେ କୋର୍ଟ ରୋକ ଲଗାଇବାକୁ ମନା କରି ଦେଇଛନ୍ତି।

ଉଦ୍ଧବ ଠାକ୍ରେଙ୍କ ଆବେଦନ ଉପରେ ଶୁଣାଣି କରି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତିଯେ, ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୁଦ୍ଧରେ ଆମେ ବର୍ତ୍ତମାନ ଆଦେଶ ଜାରି କରିପାରିବୁ ନାହିଁ।

କୋର୍ଟ କହିଛନ୍ତିଯେ, “ନିର୍ବାଚନ ଆୟୋଗର ଆଦେଶ କେବଳ ଦଳର ନିର୍ବାଚନ ଚିହ୍ନ ମଧ୍ୟରେ ସୀମିତ ଏବଂ ଆମେ ଏହି ଆଦେଶ ଜାରି ରଖିବା ଉପରେ କୌଣସି ଆଦେଶ ଦେଇ ପାରିବୁ ନାହିଁ। ଏହି ପ୍ରସଙ୍ଗରେ ଯଥା ସ୍ଥିତି ବଜାୟ ରହିବ ଏବଂ କୋର୍ଟ ଏହି ସ୍ୱତନ୍ତ୍ର ଆବେଦନ ଶୁଣିବାକୁ ପ୍ରସ୍ତୁତ ଅଛନ୍ତି।”

ଶୁଣାଣି ସମୟରେ ଉଦ୍ଧବ ଠାକ୍ରେଙ୍କର ଓକିଲ କପିଲ ସିବଲ କହିଛନ୍ତି ଯେ ଆମେ ଚାହୁଁନାହୁଁ ବ୍ୟାଙ୍କ ଆକାଉଣ୍ଟ ଏବଂ ଦଳର ଅନ୍ୟ ସମ୍ପତ୍ତି ସଂଲଗ୍ନ କରାଯାଉ ଏବଂ ଆମେ ଏହାର ସୁରକ୍ଷା ଚାହୁଁ।

ସୂଚନାଯୋଗ୍ୟଯେ, ଉଦ୍ଧବ ଠାକରେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ନିର୍ବାଚନ ଆୟୋଗ ଦୁଇ ଗୋଷ୍ଠୀ ମଧ୍ୟରେ ନିରପେକ୍ଷ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରିବାରେ ବିଫଳ ହୋଇଛନ୍ତି।

ସେମାନେ ଯୁକ୍ତି କରିଛନ୍ତି ଯେ, ସିନ୍ଦେ ଗୋଷ୍ଠୀର ବିଧାୟକଙ୍କ ସଦସ୍ୟତା ବାତିଲ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି ଏବଂ ଏହା ଉପରେ କୌଣସି ନିଷ୍ପତ୍ତି ନ ନେଇ ନିର୍ବାଚନ ଆୟୋଗ ସେମାନଙ୍କୁ ଶିବସେନା ଉପରେ କିପରି ଅଧିକାର ଦେଇପାରିବ?

ଅପର ପକ୍ଷରେ ସୁପ୍ରିମକୋର୍ଟର ବେଞ୍ଚଙ୍କ ସମ୍ମୁଖରେ ପିଟିସନର ଶୁଣାଣି ବେଳେ ଏକନାଥ ଶିନ୍ଦେ ଦଳର ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ, ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ପ୍ରଥମେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯିବା ଉଚିତ୍, ଯାହା ପୂର୍ବରୁ ଏହି ମାମଲାକୁ ଖାରଜ କରାଯାଇଛି।

ଏଠାରେ ଉଲ୍ଲେଖ କରାଯାଇପାରେଯେ, ସୁପ୍ରିମକୋର୍ଟ ଉଭୟ ନିର୍ବାଚନ ଆୟୋଗ ଏବଂ ସିନ୍ଦେ ଗୋଷ୍ଠୀକୁ ନୋଟିସ ଜାରି କରିଛନ୍ତି ଏବଂ ଦୁଇ ସପ୍ତାହ ପରେ ପୁଣି ଥରେ ଶୁଣାଣି କରିବେ।

ପୁନଶ୍ଚ ଉଲ୍ଲେଖଯୋଗ୍ୟଯେ, ନିକଟରେ ନିର୍ବାଚନ ଆୟୋଗ ଶିବସେନାର ନାମ ତଥା ନିର୍ବାଚନ ଚିହ୍ନ ‘ଧନୁ ଏବଂ ତୀର’ ସିନ୍ଦେ ଗୋଷ୍ଠୀ ସପକ୍ଷରେ ରାୟ ଦେଇଥିଲେ। ନିର୍ବାଚନ ଆୟୋଗର ଏହି ନିଷ୍ପତ୍ତିକୁ ବିରୁଦ୍ଧରେ ଠାକ୍ରେ ଗୋଷ୍ଠୀ ତରଫରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

ବାସ୍ତବରେ, ଜୁନ୍ ୨୦୨୨ ରେ ସିନ୍ଦେଙ୍କ ବିଦ୍ରୋହ ପରେ ଶିବସେନାରେ ସିନ୍ଧେ ଗୋଷ୍ଠୀ ଏବଂ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଦୁଇ ଭାଗରେ ବିଭକ୍ତ ହୋଇଥିଲେ। ଉଭୟ ଦଳ ଶିବସେନା ଉପରେ ନିଜର ଦାବି ଉପସ୍ଥାପନ କରିଥିଲେ ଏବଂ ନିର୍ବାଚନ ଆୟୋଗରେ ପହଞ୍ଚିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.