Home Top News ଶାସନ କରୁଛି କିଏ ?

ଶାସନ କରୁଛି କିଏ ?

68

ମମିତା ମେହେର ହତ୍ୟାକାଣ୍ଡ ଏବେ ରାଜ୍ୟ ଭିତରେ ସିମୀତ ହୋଇ ରହି ନାହିଁ। ଦେଶ ବିଦେଶରେ ଏହା ଚର୍ଚ୍ଚାର ଖୋରାକ୍ ଯୋଗାଇଛି। ଓଡିଶା ପରି ଏକ ଶାନ୍ତ ରାଜ୍ୟରେ ଏପରି ଜଘନ୍ୟ ହତ୍ୟାକାଣ୍ଡ ସାରା ସମାଜକୁ ଦୋହଲାଇ ଦେଇଛି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରା ପଡିଛି। ସବୁ ଦୋଷ ମଧ୍ୟ ମାନି ସାରିଲାଣି। ତାର ୫ ଦିନିଆ ରିମାଣ୍ଡ ଅବଧି ମଧ୍ୟ ସରିଲାଣି। ମାତ୍ର ଏ ପର୍ଯ୍ୟନ୍ତ ପୋଲିସ କୌଣସି ନିର୍ଦ୍ଦିଷ୍ଟ ଉପାନ୍ତରେ ପହଂଚି ପାରୁ ନାହିଁ। ବିରୋଧି ବିଜେପି ଓ କଂଗ୍ରେସ ସରକାରଙ୍କୁ ପ୍ରଶ୍ନ ବାଣରେ ଘେରି ସାରିଲେଣି। ସାରା ରାଜ୍ୟରେ ସରକାର ବିରୋଧାଭାସ ଜଳଜଳ ହୋଇ ଦୃଶ୍ୟମାନ ହେଲାଣି। ଏହି ବହୁ ଚର୍ଚ୍ଚିତ ଘଟଣାରେ ରାଜନୈତିକ ସଂପୃକ୍ତିର ଅନେକ ଉଦାହରଣ ହସ୍ତଗତ ହୋଇଥିଲେ ମଧ୍ୟ ସରକାର ନିରବଦ୍ରଷ୍ଟା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟାନିତ କରୁଛି।

ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହାଲିଙ୍ଗ ଆଂଚଳିକ ମହାବିଦ୍ୟାଳୟରେ ଅନେକ ଅନୈତିକ କାର୍ଯ୍ୟର ପର୍ଦ୍ଦାଫାଶ ହୋଇ ସାରିଲାଣି। ମନ୍ତ୍ରୀଙ୍କର ଉକ୍ତ କଲେଜ ସହିତ ପ୍ରତ୍ୟକ୍ଷ ସଂପୃକ୍ତିର ଲମ୍ବା ତାଲିକା ବାହାରେ ପ୍ରଘଟ ହୋଇ ସାରିଲାଣି। ମାତ୍ର ଏଠାରେ ପ୍ରଶ୍ନ ଉଠୁଛି ସରକାର ଆଉ କେଉଁ ପ୍ରମାଣକୁ ଅପେକ୍ଷା କରିଛନ୍ତି। ଗୃହ ବିଭାଗ ଖୋଦ ମୁଖ୍ୟମନ୍ତ୍ରୀଙ୍କ ହାତରେ ଅଛି। ୨୦୦୦ ମସିହାରୁ ରାଜ୍ୟ ଶାସନ ଭାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଅଛି। ଆଗରୁ ବିଭିନ୍ନ ଘଟଣାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ସେ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କ ସ୍ୱଚ୍ଛ ଭାବମୂର୍ତ୍ତୀକୁ କେବେ ବି ମଳିନ ହେବାକୁ ଦେଇ ନାହାଁନ୍ତି। ମାତ୍ର ୨୦୧୯ ମସିହାରେ ୫ମ ଥର ପାଇଁ ରାଜ୍ୟର ଶାସନଭାର ଗ୍ରହଣ କରିବା ପରେ ଆଉ ମୁଖ୍ୟମନ୍ତ୍ରୀଙ୍କର ସେହି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଦୃଷ୍ଟି ଗୋଚର ହେଉ ନାହିଁ। ଓଡିଶାବାସୀ ମଧ୍ୟ ତାଜୁବ। ମୁଖ୍ୟମନ୍ତ୍ରୀଙ୍କର ହେଇଛି କଣ ? ଶାସନ ବ୍ୟବସ୍ଥା ଠିକ୍‌ଠାକ୍ ଚାଲିଛି ତ ? ଏହି ପ୍ରଶ୍ନ ସାଢେ ଚାରିକୋଟି ଓଡିଆଙ୍କ ମନରେ ଉଙ୍କି ମାରୁଛି। ଏ କଥା ସତ୍ୟ ଯେ ଗତ କିଛି ବର୍ଷ ହେଲା ଓଡିଶାରେ ରାଜନୈତିକ ଶାସନର ସଂପୂର୍ଣ୍ଣ ଅନ୍ତ ଘଟି ସାରିଲାଣି। ମୁଷ୍ଟିମେୟ ଅଣ ଓଡିଆ ପ୍ରଶାସକଙ୍କ ହାତରେ ଓଡିଶାର ଶାସନ ଭାର। ମନ୍ତ୍ରୀ, ସାଂସଦ, ବିଧାୟକମାନଙ୍କର କାର୍ଯ୍ୟଶୈଳୀ ଏକ ପ୍ରକାର ସ୍ଥାଣୁ ପାଲଟି ଗଲାଣି। ଏମାନେ ନାମକୁ ମାତ୍ର ଜନପ୍ରତିନିଧି। ରାଜ୍ୟର ସମସ୍ତ ନିଷ୍ପତି ସେହି ବହୁ ଚର୍ଚ୍ଚିତ ତୃତୀୟ ମହଲା ହିଁ ନେଉଛି। ଏହାର ପରିଣାମ ଆଜି ରାଜ୍ୟବାସୀ ଭୋଗୁଛନ୍ତି। ଦେଶରେ ଓଡିଶାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତୀ ଆଜି ମଳିନ।

ଏଠାରେ ଆମେ ମନେ ପକାଇବା ବହୁ ଚର୍ଚ୍ଚିତ ଅଂଜନା ମିଶ୍ର ଘଟଣା। ୧୯୯୮ ମସିହାର ଏହି ଘଟଣା ସକାଶେ ସେତେବେଳର କଂଗ୍ରେସ ସରକାର ତଥା ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ତାଙ୍କ ପଦ ହରାଇବାକୁ ପଡିଥିଲା। ସେହି ସମୟରେ ରାଜ୍ୟରେ ଗଣମାଧ୍ୟମର ଏତେଟା ପ୍ରଚାର ପ୍ରସାର ନଥିଲା। ଘରୋଇ ବୈଦୁତିକ ଗଣମାଧ୍ୟମ ଏକ ପ୍ରକାର ନଥିଲା କହିଲେ ଚଳେ। ତଥାପି ଘଟଣାଟି ଏତେ ଜୋରରେ ଦାନା ବାନ୍ଧିଥିଲା ଯେ କଂଗ୍ରେସ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଡୁଆ ବଢି ଯାଇଥିଲା। ସେହି ଘଟଣାର ପ୍ରମୁଖ ଦୋଷୀ ତତ୍‌କାଳୀନ ଆଡଭୋକେଟ ଜେନେରାଲ ଇଂନ୍ଦ୍ରଜିତ ରାୟଙ୍କୁ ମାତ୍ରାଧିକ ସୁରକ୍ଷା ଦେବାକୁ ଯାଇ ଚକ୍ରବ୍ୟୁହରେ ଫସି ଯାଇଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପଦ ଗଲା। କଂଗ୍ରେସ ସରକାର ମଧ୍ୟ ଗଲା। ଆଜି ପର୍ଯ୍ୟନ୍ତ କଂଗ୍ରେସ ଓଡିଶାରେ ଉଧେଇ ପାରୁ ନାହିଁ।

ସମୟ ବଦଳିଛି। ଗଣମାଧ୍ୟମର ଆକାର ବଢିଛି। ନିପଟ ମଫସଲରେ ରହୁଥିବା ଲୋକ ପାଖରେ ଆଜିକା ଦିନରେ ଟିକିନିକି ଖବର ପହଂଚୁଛି। ଗାଁ ଗହଳିରେ କିଛି ବର୍ଷ ହେଲା ଚର୍ଚ୍ଚା ଯୋର ଧରିଲାଣି ନବୀନ ପଟ୍ଟନାୟକ ଆଉ କିଛି ବୁଝୁ ନାହାଁନ୍ତି। ମୁଷ୍ଟିମେୟ ପ୍ରଶାସକଙ୍କ ହାତରେ ଛାଡି ଦେଇଛନ୍ତି ରାଜ୍ୟର ଶାସନ ଭାର। ଯଦି ଏହା ସତ୍ୟ ହୋଇଥାଏ ତେବେ ରାଜ୍ୟ ପ୍ରତି ଘୋର ବିପଦ। ବିଗତ କିଛି ଦିନର କିଛି ଲୋକଲଜ୍ୟା ଘଟଣାକୁ ଯଦି ତର୍ଜ୍ଜମା କରାଯାଏ ତେବେ ରାଜ୍ୟବାସୀ ଯାହା ହୃଦୟଙ୍ଗମ କରୁଛନ୍ତି ତାହାର ସତ୍ୟତା ଅଛି।

ରାଜ୍ୟବାସୀଙ୍କ ଭାବନାକୁ ଆଉ ଅଧିକ ସୁଦୃଢ କରିଛି ମମିତା ମେହେର ହତ୍ୟାକାଣ୍ଡ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ମୁଖ୍ୟମନ୍ତ୍ରୀ କାହାକୁ ସୁରକ୍ଷା ଦେଉଛନ୍ତି ? ଯାହା ବିଭିନ୍ନ ମିଡିଆରେ ପ୍ରକାଶ ପାଉଛି ଯେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଏହି ଘଟଣାରେ ରହିଛି ନା ଆଉ କିଛି ଲୁକକାୟିତ ସଂପୃକ୍ତି ଏହି ଘଟଣା ପଛରେ ରହିଛି। ମହାଲିଙ୍ଗ କଲେଜରେ ଅନୈତିକ କାରବାରର ପର୍ଦ୍ଦାଫାଶ ଏକ ପ୍ରକାର ନିଶ୍ଚିତ ହୋଇ ସାରିଲାଣି। ତେଣୁ ଏଠାରେ ପ୍ରଶ୍ନ ଉଠୁଛି ଏହି ଅନୈତିକ କାରବାରର ଚେର ରାଜ୍ୟ ରାଜଧାନୀକୁ ଲମ୍ବି ନାହିଁ ତ ? ମନ୍ତ୍ରୀ ଦିବ୍ୟଶଙ୍କ ଓ ଗୋବିନ୍ଦ ସାହୁ କେବଳ ମୋହରା ନୁହେଁ ତ ? ଖାସ ଏଇଥି ପାଇଁ ସରକାର ନିରବଦ୍ରଷ୍ଟା ସାଜି ନାହାଁନ୍ତି ତ ? ଏହି ଘଟଣାକୁ ନେଇ ଖୋଦ ବିଜୁ ଜନତା ଦଳରେ ମଧ୍ୟ ଅସନ୍ତୋଷର ବହ୍ନି ସୃଷ୍ଟି ହୋଇ ସାରିଲାଣି। ବହୁ ନେତା ମୁହଁ ଖୋଲିବାକୁ ନାରାଜ। ବାଧ୍ୟ ହୋଇ ଅପରିପକ୍ୱ ନେତୃତ୍ୱକୁ ମିଡିଆ ସାମନାକୁ ଛାଡୁଛି ଦଳ। ଲୋକହସା ମଧ୍ୟ ହେଉଛି। ତେଣୁ ଏପରି ଘଡିସନ୍ଧି ମୁହୁର୍ତରେ ସବୁକିଛି ଅଟକିଛି ମୁଖିଆଙ୍କ ନିଷ୍ପତି ଉପରେ। ନିଷ୍ପତିରେ ବିଳମ୍ବ ହେଲେ ଇତିହାସର ପୁନରାବୃତିର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ଆଗକୁ ଆସୁଛି ପଂଚାୟତ ନିର୍ବାଚନ। ଆଇନ ତା ବାଟରେ ଯିବ ସ୍ଳୋଗାନକୁ ଗ୍ରହଣ କରିବାକୁ ରାଜ୍ୟବାସୀ ଆଉ ପ୍ରସ୍ତୁତ ନୁହଁନ୍ତି। ଯଦି ସଠିକ ସମୟରେ ସଠିକ ନିଷ୍ପତିରେ ବିଳମ୍ବ ଘଟେ ତେବେ ସାଢେ ଚାରି କୋଟି ଓଡିଆଙ୍କ ମନରେ ଯେଉଁ ପ୍ରଶ୍ନ ଉଙ୍କି ମାରୁଛି ପ୍ରଶାସନର ଡୋର ଆଉ ମୁଖ୍ୟମନ୍ତ୍ରୀଙ୍କ ହାତରେ ନାହିଁ ତାହା ସତ୍ୟରେ ପରିଣତ ହେବ ବୋଲି ବୁଦ୍ଧିଜୀବୀମାନେ ମତପୋଷଣ କରିଛନ୍ତି।

– ପ୍ରିୟରଂଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.