Home ଜିଲ୍ଲା ପରିକ୍ରମା ଶହେ ବର୍ଷ ବିଦ୍ୟାଳୟ ଏବେ ଶ୍ରୀହୀନ, ୩ବର୍ଷ ବିତିଲେ ମଧ୍ୟ ଏଯାଏ ସରୁନି

ଶହେ ବର୍ଷ ବିଦ୍ୟାଳୟ ଏବେ ଶ୍ରୀହୀନ, ୩ବର୍ଷ ବିତିଲେ ମଧ୍ୟ ଏଯାଏ ସରୁନି

40

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଭଟ୍ଟସାହି ପଂଚାୟତର ସର୍ବ ପୁରାତନ ଫଳପୁର ଉନ୍ନୀତ ସରକାରୀ ଉଚ୍ଚବିଦ୍ୟାଳୟ ଏବେ ଶ୍ରୀହୀନ ହେବାକୁ ବସିଛି ଏବଂ ବିଭିନ୍ନ ସମସ୍ୟାରେ ମଧ୍ୟ ପଡ଼ିରହିଛି । ଉକ୍ତ ବିଦ୍ୟାଳୟର ପାଚେରୀ ଏବଂ ନବ ନିର୍ମିତ ଶ୍ରେଣୀକକ୍ଷ ପାଇଁ କୋଠାଘର ନିର୍ମାଣ କାର୍ଯ୍ୟ ଅଧାରୁ ଅଟକିଥିବାବନେଇ ସ୍ଥାନୀୟ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ପ୍ରକାଶ ଥାଉକି ୧୯୧୪ ମସିହାରେ ଉକ୍ତ ବଦ୍ୟାଳୟ ଫଳପୁରରେ ସ୍ଥାପନା ହୋଇଥିବାବେଳେ ଗତ ୨୦୦୮ ମସିହାରେ ଉକ୍ତ ଉଚ୍ଚବିଦ୍ୟାଳୟରେ ମାନ୍ୟତା ପାଇଥିଲା । ପଞ୍ଚାୟତ ରେ ପ୍ରଥମ ବିଦ୍ୟାଳୟ ଭାବେ ପରିଗଣିତ ହୋଇଥିବାବେଳେ ଗୋଟିଏ ବିଦ୍ୟାଳୟ ପରିସରରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ନେଇ ସ୍ଥାନୀୟ ପିଲାମାନେ ବିଶେଷ ସୁବିଧା ସୁଯୋଗ ପାଇବା ସହିତ ବ୍ଲକ ରେ ପାଠପଢାର ବ୍ୟବସ୍ଥାରେ ଉକ୍ତ ବିଦ୍ୟାଳୟକୁ ପ୍ରଥମ ବିଦ୍ୟାଳୟ ଭାବେ ଘୋଷିତ ହୋଇଥିଲା । ନିଜ ପଞ୍ଚାୟତ ସହିତ ନିକଟସ୍ଥ ଅର୍ଜୁନପୁର, ନଦୀଗାଁ, ଦଳାଙ୍ଗ ଏବଂ ବୟାଙ୍ଗଡିହି ପଂଚାୟତରୁ ଶତାଧିକ ଛାତ୍ରଛାତ୍ରୀମାନେ ଆସି ସୁବିଧାରେ ପାଠପଢିଥାନ୍ତି । ଉକ୍ତ ବିଦ୍ୟାଳୟରେ ପ୍ରାୟ ୨୫୦ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ଆବଶ୍ୟକୀୟ ଶିକ୍ଷକ ଶିକ୍ଷୟତ୍ରୀ ନଥିବାରୁ ଶିକ୍ଷାଦାନ ମଧ୍ୟ ବାଧାପ୍ରାପ୍ତ ହେଉଛି । ବିଦ୍ୟାଳୟ ଭିତିଭୂମି ଦୁର୍ବଳ ଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅନ୍ତୋଷ ଦେଖା ଦେଇଥିଲା । ଫଳପୁର ମୂଖ୍ୟ ରାସ୍ତାର ଉତର ଦିଗକୁ ମାତ୍ର କେଇ ମିଟର ଦୂରରେ କଣ୍ଡିଆ ନଦୀ ବନ୍ଧକୁ ଲାଗି ବିଦ୍ୟାଳୟଟି ସ୍ଥାପନ ହୋଇଛି ।

ପଶ୍ଚିମ ଦିଗକୁ କଣ୍ଡିଆ ନଦୀ,ଉତର ଦିଗକୁ ବିଶାଳ ପୋଖରୀ ଥିବାରୁ ଛୋଟ ଛୋଟ ପିଲାମାନଙ୍କ ଚଳପ୍ରଚଳ ନେଇ ସବୁବେଳେ ଶିକ୍ଷକ ଓ ଅଭିଭାବକ ମାନଙ୍କୁ ସାବଧାନତା ରେ ରହିବାକୁ ପଡିଥାଏ । କଣ୍ଡିଆ ବନ୍ଧ ଠାରୁ ବିଦ୍ୟାଲୟ ଫାଟକ ପର୍ଯ୍ୟନ୍ତ ପକ୍କା ରାସ୍ତା ଟିଏ ତିଆରି ହୋଇ ନଥିବାରୁ ବର୍ଷାଦିନେ ପିଲାମାନେ କାଦୁଆ ରାସ୍ତାରେ ଯାତାୟାତ କରିଥାନ୍ତି । ବିଦ୍ୟାଳୟରେ ପାଚେରୀ ହୋଇ ନଥିବାରୁ ଖୋଲାମେଲା ପାଇଁ ପିଲାମାନଙ୍କୁ ସମ୍ଭାଳିବା କଷ୍ଟ ସାଧ୍ୟ ହୋଇ ପଡୁଛି ବୋଲି ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି । ଆବଶ୍ୟକୀୟ ଶ୍ରେଣୀ ଗୃହ ନଥିବାରୁ ପିଲାମାନେ ବାରଣ୍ଡାରେ ବସି ପାଠପଢୁଥିବା ନେଇ ପୂର୍ବରୁ ଅଭିଯୋଗ ମଧ୍ୟ ହୋଇଥିଲା । ୩ ବର୍ଷ ତଳେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବିଦ୍ୟାଳୟ ପରିଦର୍ଶନ କରି ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ୱାରା ଶ୍ରେଣୀ କକ୍ଷ ନିର୍ମାଣ ପାଇଁ ୩୦ ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ । ଜିଲାପାଳ, ଡିପିସି ଙ୍କ ସମେତ ବିଧାୟକ ମଧ୍ୟ ଶିଳାନ୍ୟାଶ କରିଥିଲେ । ଯୁଦ୍ଧକାଳୀନ ଭିତିରେ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା । ନିର୍ମାଣ କାର୍ଯ୍ୟ ନିମଟାଲ ପର୍ଯ୍ୟନ୍ତ ହୋଇ କାର୍ଯ୍ୟ ବନ୍ଦ ହୋଇ ଯାଇଛି । ନିମ୍ନମାନରେ କାର୍ଯ୍ୟ ହେଉଥିବାନେଇ ଅଭିଯୋଗ ହୋଇଥିବାବେଳେ ନିର୍ମାଣ କାର୍ଯ୍ୟ ନଷ୍ଟ ହେବାକୁ ବସିଛି । କିଛି ସ୍ଥାନରେ ଢଳେଇ ଗଳିପଡିଥିବା ସହିତ ଘାସଗଛ ସବୁ କକ୍ଷ ମଧ୍ୟରେ ଦେଖିବାକୁ ମିଳିଛି । ଏ ନେଇ ଉକ୍ତ ଘରେ ଶରିସୃପ ମଧ୍ୟ ବାସ କରୁଛନ୍ତି । ନିର୍ମାଣାଧିନ କାର୍ଯ୍ୟ ଦୀର୍ଘଦିନ ଧରି ଅଟକିଥିବାରୁ ଭିଭାଗୀୟ ସହକାରୀ ଯନ୍ତ୍ରୀ ସୁବାସ ସାହୁଙ୍କୁ ଯୋଗାଯୋଗ କରିବାରୁ କାମ କରୁଥିବା ଠିକାଦାର କାର୍ଯ୍ୟର ବିଳମ୍ବ ପାଇଁ ଦାୟୀ । ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ ହୋଇଛି । କାର୍ଯ୍ୟାଦେଶ ବାତିଲ ପାଇଁ ତାଙ୍କୁ ପ୍ରଥମ ନୋଟିସ ମଧ୍ୟ ହୋଇ ସାରିଛି । ତୁରନ୍ତ ରିଟେଣ୍ଡର କରାଯାଇ କାର୍ଯ୍ୟ ସମାପ୍ତ ହେବ ବୋଲି ଯନ୍ତୀ ସୂଚନା ଦେଇଛନ୍ତି । ତେବେ ଶ୍ରେଣୀ କକ୍ଷ ନିର୍ମାଣ କରିବାକୁ ଜିଲ୍ଳାପାଳଙ୍କ ଠାରେ ମଧ୍ୟ ଗ୍ରାମବାସୀ ଓ ଅଭିଭାବକ ଏବଂ ପୁରାତନ ଛାତ୍ର ସଂସଦ ପକ୍ଷରୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.