Home ଜିଲ୍ଲା ପରିକ୍ରମା ଶହୀଦ୍ ପୀଠ ରକ୍ତତୀର୍ଥ ଇରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଶହୀଦ୍ ପୀଠ ରକ୍ତତୀର୍ଥ ଇରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

81

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାସୁଦେବପୁର ବ୍ଲକ ଅନ୍ତର୍ଗତ ଇରମ ସ୍ଥିତ ଶହୀଦ୍ ପୀଠରେ ଭାରତର ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇ ଶହୀଦ୍ ହୋଇଥିବା ବୀରପୁରୁଷଙ୍କୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସ ଇରମ ଶହୀଦ୍ ପୀଠରେ ପହଞ୍ଚି ସେଠାରେ ଶହୀଦ୍ ସ୍ତମ୍ଭରେ ପୁଷ୍ପ ଅର୍ପଣ କରିଥିଲେ । ୧୯୪୨ ମସିହା ଆଜିର ଦିନରେ ଇରମ ମେଲଣ ପଡିଆରେ ସଂଗଠିତ ଲୋମର୍ଷଣକାରୀ ମର୍ମନ୍ତୁଦ ଗୁଳିକାଣ୍ଡରେ ୨୯ଜଣ ସ୍ୱାଧୀନତା ସଂଗ୍ରାମୀ ଦେଶ ପାଇଁ ଜୀବନ ବଳିଦାନ ଦେଇଥିଲେ । ସେମାନଙ୍କ ମଧ୍ୟରେ ପରି ବେୱା, ଗୋପାଳ ଚନ୍ଦ୍ର ଦାସ, ବିଶ୍ୱନାଥ ଦାସ, ବିଜୁଳି ଦାସ, ହୃଷିକେଶ ବେହେରା, ମଦନ ପଲାଇ, ବଲ୍ଲଭ ବେହେରା, ମାଘ ମହାଳିକ, ଭୁଆ ମାଝୀ, କାଳି ମାଝୀ, ରାଧୁ ମହାଳିକ, ଧ୍ରୁବ ଚରଣ ଦେ, ବାସୁଦେବ ସାହୁ, ହରି ବେହେରା, ଦିବାକର ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ସ୍ୱାଇଁ, ଭାବନ ରାଉତ, ନିଧି ମଳିକ, ବୃନ୍ଦାବନ ପଣ୍ଡା, ଉପ ମଳିକ, କୃପାସିନ୍ଧୁ ବେହେରା, ରାମ ମାଝୀ, ମଣି ବେହେରା, କଟି ସାହୁ, ରତ୍ନାକର ପାଣି, ମଣି ପ୍ରଧାନ, ପରି ଦାସ, ଶଙ୍କର ମଳିକ ଏବଂ ଗୋବିନ୍ଦ ରାଉତ ଇଂରେଜ ଫୌଜଙ୍କ ଗୁଳିରେ ଟଳି ପଡିଥିଲେ । ଯାହାକୁ ଭାରତ ସ୍ୱାଧୀନତା ସଂଗ୍ରାମ ଇତିହାସର ଦ୍ୱିତୀୟ ଜାଲିୱାନାଲାବାଗ ସହ ତୁଳନା କରାଯାଇଥାଏ । ସ୍ୱାଧୀନତା ସଂଗ୍ରାମକୁ ବାସୁଦେବପୁର ତଥା ଭଦ୍ରକ ମାଟିର ଅବଦାନ ଅତୁଳନୀୟ । ସେହି ବୀରପୁରୁଷଙ୍କ ସ୍ମୃତିରେ ଇରମ ରକ୍ତତୀର୍ଥ ନାମରେ ନାମିତ ହେବା ସହିତ ସେଠାରେ ସ୍ମୃତି ଫଳକ ନିର୍ମାଣ କରାଯାଇଛି । ଆଜି ସେହି ସ୍ୱୃତି ଦିବସରେ ଜିଲ୍ଲାପାଳ ସ୍ମୃତି ସ୍ତମ୍ଭରେ ପୁଷ୍ପ ଅର୍ପଣ କରି ବୀର ପୁରୁଷଙ୍କୁ ସ୍ମରଣ କରିଥିଲେ । ତାଙ୍କ ସହିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା, ବାସୁଦେବପୁର ବିଡିଓ ପ୍ରଣବ ବେହେରା ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.