Home ଆମ ସଂସ୍କୃତି, କଳା ଓ ଐତିହ୍ୟ ଶଙ୍ଖ କ୍ଷେତ୍ରର ଐତିହ୍ୟ ବଜାୟ ରହୁ

ଶଙ୍ଖ କ୍ଷେତ୍ରର ଐତିହ୍ୟ ବଜାୟ ରହୁ

853

– ଦେବପ୍ରସାଦ ମିଶ୍ର
ଶ୍ରୀମନ୍ଦିର- ପୁରୀ – ଶଙ୍ଖ କ୍ଷେତ୍ରର ଉନ୍ନତି ଏବଂ ଶଙ୍ଖ କ୍ଷେତ୍ରର ମାହାତ୍ମ୍ୟକୁ ସମଗ୍ର ବିଶ୍ୱ ଦରବାରରେ ପହଞ୍ଚାଇବା ଓ ସମଗ୍ର ବିଶ୍ୱରେ ସନାତନ ଧର୍ମର ପ୍ରସାର ଏବଂ ଶଙ୍ଖ କ୍ଷେତ୍ର ପୁରୀକୁ ଏକ ଆଧ୍ୟ୍ୟାତ୍ମକ ନଗରୀ ରୂପେ ପରିଚୟ ଦେବାପାଇଁ ଆମ ରାଜ୍ୟସରକାର ବିଭିନ୍ନ ପଦକ୍ଷେପ ମାନ ହାତକୁ ନେଇଛନ୍ତି ଯାହା ଫଳରେ ସେ ସମସ୍ତଙ୍କର ଧନ୍ୟବାଦର ପାତ୍ର ହୋଇଛନ୍ତି।ତେବେ ଭକ୍ତ ଓ ସାଧାରଣରେ ଆଲୋଚନା ଯେ, ଅତୀତରେ ପୁରୀ, ଶଙ୍ଖ କ୍ଷେତ୍ର ନାମରେ ପରିଚିତ ଥିଲା, ଶ୍ରୀକ୍ଷେତ୍ରର ବିସ୍ତୃତି ହେଲା ଲୋକେଶ୍ୱର ବା ଲୋକନାଥଙ୍କ ଠାରୁ ଆରମ୍ଭ କରି ବାଟମଙ୍ଗଳା ପାଖରେ ମୁକ୍ତେଶ୍ୱର, ଇନ୍ଦ୍ରଦ୍ୟୁମ୍ନ ଓ ବେଲେଶ୍ୱର ଦେଇ ସମୁଦ୍ର ଧାରେ ଧାରେ ଯାଇ ପୁଣି ଲୋକେଶ୍ୱରଙ୍କ ପାଖରେ ଶେସ ହୋଇଛି, ଏହାର ଅଗ୍ର ଭାଗରେ ଅଛନ୍ତି ଭାର୍ଗବୀ ନଦୀ କୂଳର କପୋତେଶ୍ୱର ଏହି ଶଙ୍ଖାକୃତି କ୍ଷେତ୍ରର ନାଭି ମଣ୍ଡଳରେ ଥିବା ରତ୍ନସିଂହାସନ ଉପରେ ବିରାଜିତ ହୋଇଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ତେବେ ଏହି ଶଙ୍ଖ କ୍ଷେତ୍ର ଏବଂ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ସହିତ ଜଡିତ ଅନ୍ୟାନ୍ୟ ଦେବାଦେବୀଙ୍କୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇନପାରେ, କାରଣ ଏମାନେ ସମସ୍ତେ ମହାପ୍ରଭୁ ଓ ଶ୍ରୀମନ୍ଦିର ସହିତ ଜଡିତ, ଲୋକଙ୍କ କହିବା କଥା ହେଲା ଯେଉଁମାନେ ପୁରୀ ନଗରୀ ଶ୍ରୀ ମନ୍ଦିର ଓ ଶଙ୍ଖ କ୍ଷେତ୍ରର ପୂନଃଉର୍ଦ୍ଧାର ଯୋଜନା କରୁଛନ୍ତି ତହିଁରେ ଏସବୁର ଯୋଜନା ଓ ନକ୍ସା ପ୍ରସ୍ତୁତ କରାଯାଉ। ମନ୍ଦିର ଚତୁର୍ଦ୍ଦିଗର ଜବର ଦଖଲକୁ ହଟାଇ ମନ୍ଦିର କୁ ଦୃଶ୍ୟ ହେବାପାଇଁ ଯୋଜନା ନ କରି ସମର୍ଗ ଆଧ୍ୟାତ୍ମିକ ନଗରୀ ଶଙ୍ଖ କ୍ଷେତ୍ରର ପୂନଃଉର୍ଦ୍ଧାର କରାଯାଉ, ତା ହେଲେ ଲୋକେ ସବୁଦିନ ପାଇଁ ନବୀନ ବାବୁଙ୍କୁ ମନେ ରଖିବେ। ତେବେ ଯାଇ ପୁରୀ ଓ ଶଙ୍ଖ କ୍ଷେତ୍ର ର ବୈଶିଷ୍ଟ୍ୟ ବଜାୟ ରହିପାରିବ।

ପ୍ରତ୍ୟକ ସ୍ଥାନର ଐତିହାସିକ ଆଧ୍ୟାତ୍ମିକ ଭାବ କିପରି ତାହା ନିମ୍ନରେ ବର୍ଣ୍ଣନା କରାଗଲା।

ଲୋକନାଥ – ଲୋକନାଥ ହେଉଛନ୍ତି ଜଗନ୍ନାଥଙ୍କର ଭଣ୍ଡାର ରକ୍ଷକ। ଲୋକନାଥଙ୍କ ମନ୍ଦିର ଜଗନ୍ନାଥଙ୍କ ମନ୍ଦିର ଭଳି ସମୁଚ୍ଚ ନ ହେଲେ ହେଁ ଶଙ୍ଖ କ୍ଷେତ୍ରର ମୂଳରେ ପ୍ରତିଷ୍ଠିତ ଏହି ମନ୍ଦିର, ପୁରୀର ଅନ୍ୟତମ ପ୍ରାଚୀନ ମନ୍ଦିର। ଅତୀତରେ ଏଠାରେ ଏକ ସୁନ୍ଦର ବାନୀନୀ ଥିଲା ଏବଂ ଏଠାରେ ଶବରମାନେ ରହୁଥିବା ପ୍ରବାଦ ଅଛି।ଖାଲି ସେତିକି ନୁହେଁ, ରାଘବେନ୍ଦ୍ର ରାମଚନ୍ଦ୍ର ସୀତାଙ୍କୁ ଉଦ୍ଧାର କରିବା ପାଇଁ ଲଙ୍କା ଯିବା ବାଟରେ ଏହି ଶଙ୍ଖ କ୍ଷେତ୍ରକୁ ଆସି, ଏଠାରେ ଶବର ପଲ୍ଲୀରେ ଆତିଥ୍ୟ ଗ୍ରହଣ କରିଥିଲେ ବୋଲି କୁହାଯାଏ ଭଗବାନ ଶିବ ଯେଭଳି ବିଷ୍ଣୁ ଭକ୍ତ, ଭଗବାନ ବିଷ୍ଣୁ ମଧ୍ୟ ସେହିଭଳି ଶିବ ଭକ୍ତ। ପ୍ରତ୍ୟୁଷରୁ ଶିବ ଲିଙ୍ଗ ପୂଜା ନ କଲେ ରାମଚନ୍ଦ୍ର ଜଳ ଗ୍ରହଣ କରନ୍ତି ନାହିଁ, ତେଣୁ ଶବରମାନେ ସେମାନଙ୍କ ଅତିଥିକୁ ଗୋଟିଏ ଲାଉକା ବା ଲାଉ ଦେଇଥିଲେ। ରାମଚନ୍ଦ୍ର ଏହି ଲାଉକାକୁ ଲିଙ୍ଗ ସ୍ୱରୂପ ପ୍ରତିଷ୍ଠା କରି ପୂଜା କରିଥିବାରେ, ଏହା ଲାଉକେଶ୍ୱର, ଲୋକେଶ୍ୱର ବା ଲୋକନାଥ ଭାବରେ ପରେ ଆଖାତ ହୋଇଥିଲେ। ପ୍ରକୃତ ପକ୍ଷେ, ଲୋକନାଥଙ୍କ ଲିଙ୍ଗ ବିଗ୍ରହଟି ଲାଉ ସଦୃଶ୍ୟ। ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ଚନ୍ଦନ ଯାତ୍ରାରେ ଚାପକୁ ବିଜେ ହେଲେ, ତାଙ୍କ ସାଙ୍ଗରେ ଶଙ୍ଖ କ୍ଷେତ୍ରର ଦ୍ୱିତୀୟାବର୍ତ୍ତରେ ବିରାଜିତ ଥିବା ପାଞ୍ଚ ମହାଦେବ ଯଥା – ଯମେଶ୍ୱର କପାଳ ମୋଚନ, ଲୋକନାଥ, ମାର୍କଣ୍ଡେୟ ଓ ନୀଳକଣ୍ଠ, ଯେଉଁମାନଙ୍କୁ ପଞ୍ଚୁପାଣ୍ଡବ ମଧ୍ୟ କୁହାଯାଏ, ସେମାନେ ତାଙ୍କ ସାଙ୍ଗରେ ଯାତ୍ରା କରନ୍ତି। କାରଣ ଏହା ଜଣାଶୁଣା ଯେ ଶ୍ରୀକୃଷ୍ଣଙ୍କର ପାଣ୍ଡବମାନେ ସଖା। କିନ୍ତୁ ସେମାନଙ୍କ ଭିତରୁ ମଧ୍ୟମ ପାଣ୍ଡବ ଅର୍ଜୁନ, ତାଙ୍କ ଏକାନ୍ତ ଅନ୍ତରଙ୍ଗ। ଏହି ମଧ୍ୟମ ପାଣ୍ଡବ ହେଉଛନ୍ତି ଲୋକନାଥ ଏବଂ ଅନ୍ୟମାନଙ୍କ ତୁଳନାରେ ଜଗନ୍ନାଥଙ୍କ ସହିତ ଏହାଙ୍କର ନିବିଡ ସଂପର୍କ। ଅବଶ୍ୟ ଜଗନ୍ନାଥଙ୍କର ଅନ୍ୟନାମ ଲୋକନାଥ। ବିଷ୍ଣୁ ସହସ୍ର ନାମରେ କୁହାଯାଇଛି, ଲୋକବନ୍ଧୁ ଲୋକନାଥ ମାଧବେ ଭକ୍ତବତ୍ସଳ। ସେହିପରି ଜଗନ୍ନାଥଙ୍କ ବନ୍ଦନାରେ ଶାନ୍ତାକାରଂ ଭୁଜଗ ଶୟନଂ ଈତ୍ୟାଦିର ଶେଷରେ ସର୍ବଲୋକୈକ ନାଥଂ ସ୍ଥାନ ପାଇଛି କିନ୍ତୁ ପୁରୀରେ ଲୋକନାଥ ଏବଂ ଜଗନ୍ନାଥ ଉଭୟେ ଯଥାକ୍ରମେ ଶିବ ଓ ବିଷ୍ଣୁଙ୍କର ପ୍ରତିନିଧି ଭାବରେ ଯେଉଁ ସମନ୍ୱୟାତ୍ମକ ପୂଜାର ଅଧିକାରୀ ହୁଅନ୍ତି, ତାହା ଅନ୍ୟ କେଉଁଠି ଦେଖାଯାଏ ନାହିଁ। ଉଦାହରଣ ସ୍ୱରୂପ ବିଷ୍ଣୁଙ୍କର ପ୍ରଧାନ ଉପାସନା ଦିବସ, ଏକାଦଶୀ ତିଥି ଯେଉଁଦିନ କି ନୀଳଚକ୍ର ଉପରେ ଆକାଶ-ଦୀପ ପ୍ରଜ୍ଜ୍ୱଳିତ ହୁଏ, ସେହି ତିଥି ଶିବଙ୍କ ପୂଜା ପାଇଁ ପ୍ରସିଦ୍ଧ ବାର ସୋମବାରରେ ପଡିଲେ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ସମନ୍ୱୟାତ୍ମକ ନୀତି ଅନୁଷ୍ଠିତ ହୁଏ। ଭାବାର୍ଥରେ ଜଗନ୍ନାଥ ଏବଂ ଲୋକନାଥ ଏକ ଅର୍ଥ ଦ୍ୟୋତକ ଥିବାରୁ ସମ୍ଭବତଃ ଜଗନ୍ନାଥ ମନ୍ଦିରର ଅନେକ ନୀତି ସହ ବଙ୍ଗୋପସାଗର ବା ମହୋଦଧିର ସଂପର୍କ ଥିଲା ଭଳି, ଲୋକନାଥଙ୍କ ପାଖରେ ଥିବା ପୁଷ୍କରିଣୀ, ନରେନ୍ଦ୍ର ପୁଷ୍କରିଣୀ ଠାରୁ ଆୟତନରେ ଯଥେଷ୍ଟ କ୍ଷୁଦ୍ର ଥିଲେ ହେଁ, ଏହାକୁ ସେଥିପାଇଁ ପାର୍ବତୀ ସାଗର କୁହାଯାଏ। ଏହି ଲାଉକାନାଥ, ରାମଚନ୍ଦ୍ରଙ୍କ ଦ୍ୱାରା ଆଦ୍ୟ ପୂଜିତ ହୋଇଥିବାରୁ ଲିଙ୍ଗ ପୁରାଣର ବର୍ଣ୍ଣନା ଅନୁଯାୟୀ ସମ୍ଭବତଃ ସ୍ୱୟଂଭୂଙ୍କ ଭଳି ଏକ ପକ୍ଷରେ ପାତାଳ-ଫୁଟି ତ, ଅନ୍ୟ ପକ୍ଷରେ ସ୍ୱର୍ଗସ୍ପର୍ଶୀ। ସେଥିପାଇଁ ମହାଦେବଙ୍କ ମସ୍ତିସ୍କରୁ ଗଙ୍ଗା ନିର୍ଝରିତ ହେଲାଭଳି ଲୋକନାଥଙ୍କ ମଥା ଉପରୁ ସର୍ବଦା ଏକ ନିର୍ଝର ପ୍ରବାହିତ ହେଉଛି। ଗଙ୍ଗା ସାଗରରେ ମିଶିଲା ପରି, ଏଠାରେ ଏହି ନିର୍ଝର ପାର୍ବତୀ ସାଗରରେ ମିଶ୍ରିତ ହେଉଛି। ଲୋକନାଥଙ୍କ ପାଖରେ ବିଖ୍ୟାତ ମେଳା ଜାଗର ଯାତ୍ରାରେ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ବିଜେ କରି ହରିହର ଭେଟର ଆଧ୍ୟାତ୍ମିକ ଚିନ୍ତା – ଚେତନାରେ ଭକ୍ତ ମନକୁ ବିହ୍ୱଳିତ କରିଥାନ୍ତି। ବାସ୍ତବିକ ଶ୍ରୀକ୍ଷେତ୍ରର ଜନ ବସତିର କିଞ୍ଚିତ ଦୂରରେ, ଲଙ୍କା, ଆମ୍ବ, ଝାଉଁ ଈତ୍ୟାଦି ବୃକ୍ଷର ସମ୍ଭାରକୁ ନେଇ ବାଲୁକା ସଜ୍ଜିତ ପ୍ରାକୃତିକ ପରିବେଶ ଭିତରେ ବେଢା ଚଟାଣ ତଳକୁ କିଛି ପୋତି ହୋଇ ଯାଇଥିବା ଭଳି ଦେଖାଯାଉଥିବା ସୁରମ୍ୟ ମନ୍ଦିର ଏବଂ ତାହା ଭିତରେ ବିରାଜିତ ଥିବା ଗମ୍ଭୀରା ଗୋସାଇଁ ଲୋକନାଥଙ୍କର ମାହାତ୍ମ୍ୟ ଅନିର୍ବଚନୀୟ।

ମାର୍କଣ୍ଡେଶର – ଏହି ଶିବ ମନ୍ଦିର ନିକଟରେ ପ୍ରସିଦ୍ଧ ମାର୍କଣ୍ଡେୟ ପୁଷ୍କରଣୀ ରହିଛି। ଅମର ମହର୍ଷି ମାର୍କଣ୍ଡେୟଙ୍କ ପୌରାଣିକ ଗାଥା ତଥା ମହାପ୍ରଳୟ ସମୟରେ ଭଗବାନ ବାଳ ମୁକୁନ୍ଦ, କଳ୍ପବଟ ଉପରେ ଶୟନ କରିଥିବା ଏବଂ ମହର୍ଷି ତାଙ୍କର ଶରଣାଗତ ହୋଇ, ଯେଉଁ ବର ପାଇଥିଲେ, ଏହି ମନ୍ଦିରର ଇତିବୃତ୍ତି ସହିତ ଜଡିତ। ଶ୍ରୀକ୍ଷେତ୍ର ଭଳି ମୁକ୍ତି ଦାୟକ କ୍ଷେତ୍ର ବା ମର୍ତ୍ତ୍ୟ-ବୈକୁଣ୍ଠରେ ମାର୍କଣ୍ଡେୟ ଗର୍ତ୍ତ ତିଆରି କରି ବିଷ୍ଣୁଙ୍କ ଶିବଙ୍କୁ ସେଠାରେ ଆରାଧନା କରି ମୃତ୍ୟୁଞ୍ଜୟୀ ହେବାକୁ ବର ପାଇଥିଲେ।ସେହି ଗର୍ତ୍ତ ହେଉଛି, ମାର୍କଣ୍ଡେୟ ପୁଷ୍କରଣୀ, ଶିବ ହେଉଛନ୍ତି ମାର୍କଣ୍ଡେୟଙ୍କ ଲିଙ୍ଗ। ଏହି ପୋଖରୀରେ ସ୍ନାନ କରି ମାର୍କଣ୍ଡେୟ ମହାଦେବଙ୍କ ଦର୍ଶନ କଲେ, ଅଶ୍ୱମେଧ ଯଜ୍ଞର ଫଳ ମିଳେ ବୋଲି କୁହାଯାଏ। ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଥିବା କୃଷ୍ଣ ଲୀଳାର କାଳୀୟ ସର୍ପ ଦଳନ ନୀତି ଏହି ସରୋବରରେ ଅନୁଷ୍ଠିତ ହୁଏ। ବଳଦେବ ବା ଭଗବାନ ଶିବଙ୍କ ଜନ୍ମୋତ୍ସବ ଗହ୍ମା ପୂର୍ଣ୍ଣିମା ଦିନ ମାର୍କଣ୍ଡେୟ ଆଶ୍ରମ ନିକଟରେ ମଧ୍ୟ ପାଳିତ ହୁଏ। ଶଙ୍ଖ କ୍ଷେତ୍ରର ଦ୍ୱିତୀୟାବର୍ତ୍ତରେ ଏହି ମନ୍ଦିର ଅବସ୍ଥିତ।

କପାଳ ମୋଚନ – ଅନ୍ୟତମ ପ୍ରଖ୍ୟାତ ମହାଦେବ ହେଉଛନ୍ତି, ଶ୍ରୀକ୍ଷେତ୍ରର କପାଳମୋଚନ। ଏହାଙ୍କ ମନ୍ଦିର ଶ୍ରୀମନ୍ଦିରର ଅତ୍ୟନ୍ତ ନିକଟରେ ଦକ୍ଷିଣ-ପଶ୍ଚିମ କୋଣରେ ଅବସ୍ଥିତ। ସବୁ ଶିବ ଲିଙ୍ଗଙ୍କ ଭଳି, ଏହାଙ୍କର ସ୍ଥିତି, ଗଭୀର ଗହ୍ୱର ଭିତରେ ଥିଲେ ହେଁ, ସମ୍ଭବତଃ ଏହାଙ୍କର ସ୍ଥିତି ଗଭୀରତମ – ପ୍ରାୟ ଦୁଇଶହ ଫୁଟ୍ ନିମ୍ନର ପତନ ହେବ, ରାସ୍ତାର ପତନ ଠାରୁ।ଜଗନ୍ନାଥଙ୍କ ପଞ୍ଚ ଦ୍ୱାର ପାଳ ବା ପଞ୍ଚ ପାଣ୍ଡବଙ୍କ ଭିତରୁ ଅନ୍ୟତମ ଏହି ମହାଦେବଙ୍କର ଉପାଖ୍ୟାନ ମଧ୍ୟ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ଶିବ କ୍ରୋଧବଶବର୍ତ୍ତୀ ହୋଇ ବ୍ରହ୍ମାଙ୍କର ପଞ୍ଚମ ଶିର ଛେଦନ କଲାପରେ ଏହି ଶିର ଶିବଙ୍କ ହାତରୁ ଆଉ ଖସିଲା ନାହିଁ ଏବଂ ଶିବ ଏହି ପାପ ତଥା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ, ସାରା ସଂସାରର ପରିଭ୍ରମଣ କଲେ, କିନ୍ତୁ କେଉଁଠାରେ କିଛି ଫଳ ନହେବା ପରେ, ଯେତେବେଳେ ଶ୍ରୀକ୍ଷେତ୍ରରେ ପହଞ୍ଚିଲେ, ସେତେବେଳେ ତାଙ୍କ ହାତରୁ ଆପେ ଆପେ ବ୍ରହ୍ମାଙ୍କର କଟା ମୁଣ୍ଡଟି ଖସି ପଡିଲା। ସେହିଦିନ ଠାରୁ ତାଙ୍କର ନାମ ହେଲା କପାଳ ମୋଚନ, ଏବଂ ସେ ଶ୍ରୀକ୍ଷେତ୍ରରେ ସେହିଦିନଠାରୁ ସ୍ଥାୟୀ ଅଧିବାସୀ ହୋଇଗଲେ। ଏହି ମହାଦେବଙ୍କୁ ଦର୍ଶନ କଲେ ସକଳ ପ୍ରକାର ପାପ ଏପରିକି ବ୍ରହ୍ମ-ହତ୍ୟା ଅପରାଧ ମଧ୍ୟ ମୋଚନ ହୁଏ ବୋଲି କୁହାଯାଏ।

ଯମେଶ୍ୱର – ନାମରୁ ଏହି ମହାଦେବ ଯମ ଭୟ ନାଶକ ବା ଯମଙ୍କ ଅଧୀଶ୍ୱର ବୋଲି ସୂଚିତ ହୁଏ। ପାବନ କ୍ଷେତ୍ର, ଶ୍ରୀକ୍ଷେତ୍ରର ଯମଙ୍କର ପ୍ରବେଶ ଅଧିକାର ନଥିବା, ପୁରାଣ ପ୍ରସିଦ୍ଧ ଏହି ଯମେଶ୍ୱରଙ୍କ ଯାଗୁ ସମ୍ଭବ ହୋଇଛି ବୋଲି କୁହାଯାଇଥାଏ। ଅର୍ଥାତ ଏହି ମର୍ତ୍ତ୍ୟ ବୈକୁଣ୍ଠରେ ପ୍ରତ୍ୟେକ ଜୀବ ମୃତ୍ୟୁପରେ ଯମାଳୟକୁ ନଯାଇ ସ୍ୱର୍ଗାରୋହଣ କରନ୍ତି। ପଞ୍ଚୁପାଣ୍ଡବ ମହାଦେବଙ୍କ ଭିତରେ ଏ ହେଉଛନ୍ତି ସର୍ବଜ୍ୟେଷ୍ଠ ଭାଇ ଯୁଧିଷ୍ଠିର। ଶ୍ରୀମନ୍ଦିରର କେତକ ନୀତି ଏଠାରେ ଅନୁଷ୍ଠିତ ହୁଏ। ଅର୍ଥାତ ପ୍ରତ୍ୟେକ ଅମାବାସ୍ୟା ଦିନ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଯାଇ ସେଠାରେ ମହୋଦଧିଜଳରେ ସ୍ନାନାଦି କଲାପରେ, ଯମେଶ୍ୱରଙ୍କୁ ଦର୍ଶନ କରି ଫେରନ୍ତି। ଭ୍ରାତୃ ଦ୍ୱିତୀୟା ବା ଯମ – ଦ୍ୱିତୀୟା ଦିନ ଏଠାରେ ଏକ ବିଶେଷ ପର୍ବ ଅନୁଷ୍ଠିତ ହୁଏ। ଶୀତଳ ଷଷ୍ଠୀ ଯାତ୍ରା, ଅର୍ଥାତ୍ ଶିବ ବିବାହରେ ଅନ୍ୟାନ୍ୟ ପଞ୍ଚୁ ପାଣ୍ଡବଙ୍କ ଠାରୁ ଏହାଙ୍କର ସ୍ୱାତନ୍ତ୍ର‌୍ୟ ହେଲା, ଏ ରଥ ବ୍ୟବହାର କଲାବେଳେ, ଅନ୍ୟମାନେ ବିମାନ ବ୍ୟବହାର କରନ୍ତି।

ନୀଳକଣ୍ଠେଶ୍ୱର – ପଞ୍ଚ ପାଣ୍ଡବଙ୍କ ଭିତରୁ ଶେଷ ମହାଦେବ ହେଲେ, ନୀଳକଣ୍ଠେଶ୍ୱର। ଏହାଙ୍କ ମନ୍ଦିର ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ କୂଳରେ ଅବସ୍ଥିତ। ଇନ୍ଦଦ୍ୟୁମ୍ନ ଜଗନ୍ନାଥ ମନ୍ଦିର ନିର୍ମାତା ଏବଂ ପୁରୁଷୋତ୍ତମଙ୍କର ଆଦିମତମ ପ୍ରତିଷ୍ଠାତା ବୋଲି କୁହାଯାଏ। ଶ୍ରୀମନ୍ଦିର ନିର୍ମାଣ ସମୟରେ, ମହାରାଜା ଯେଉଁ ଅସଂଖ୍ୟ ଗୋଦାନ କରିଥିଲେ, ସେହି ଗୋରୁମାନଙ୍କର ଖୁରାରେ ଖୋଳି ହୋଇ ଯାଇଥିବା ଖାଲଟି ଇନ୍ଦ୍ରଦ୍ୟୁମ୍ନ ସରୋବରରେ ପରିଣତ ହୋଇଛି ବୋଲି କୁହାଯାଏ। ଏହି ପୋଖରୀ ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଖୋଦିତ ହୋଇ, ତାଙ୍କ ନାମରେ ନାମିତ ହୋଇଥିବାରୁ, ଏହାର ପ୍ରାଚୀନତା ବେଶ୍ ଅନୁମେୟ।ତେଣୁ ଏହି ପୋଖରୀରେ ଅବଶ୍ୟ ଅଳ୍ପ କେତେ ବର୍ଷ ହେଲା ନାହିଁ, କିନ୍ତୁ ପୂର୍ବେ ରହୁଥିବା ବଡ ବଡ କୁର୍ମ ମାନେ, ଶ୍ରୀମନ୍ଦିର ନିର୍ମାଣ ସମୟେ, ପଥର ବୋହି ବୋହି, କୁର୍ମ ପାଲଟି ଯାଇଥିଲେ ବୋଲି ପ୍ରବାଦ ଅଛି। ମହାଭାରତର ବନ ପର୍ବରେ ଏମାନଙ୍କର ପ୍ରାଚୀନତା ସମ୍ବନ୍ଧରେ ପ୍ରମାଣ ମିଳେ ଏବଂ ଏମାନଙ୍କ ସାକ୍ଷ୍ୟ ଯୋଗୁ, ଇନ୍ଦ୍ରଦ୍ୟୁମ୍ନ ସ୍ୱ ଦେହରେ ସ୍ୱର୍ଗକୁ ଯାଇଥିବା ମଧ୍ୟ କୁହାଯାଏ। ଗୁଣ୍ଡିଚା ଯାତ୍ରା ସମୟରେ ଯେଉଁମାନେ ନବ ଦିନ ଯାତ୍ରା କରନ୍ତି, ସେମାନେ ଇନ୍ଦ୍ରଦ୍ୟୁମ୍ନ ସରୋବରରେ ସ୍ନାନକରି, ନୀଳକଣ୍ଠେଶ୍ୱର ମହାଦେବଙ୍କୁ ଦର୍ଶନ କରିବାର ବିଧାନ ଅଛି।

ମାଉସୀ ମା ବା ଅର୍ଦ୍ଧାଶନୀ – ଶ୍ରୀମନ୍ଦିରଠାରୁ ଗୁଣ୍ଡିଚା ମନ୍ଦିର ମଧ୍ୟରେ ଥିବା ବଡ ଦାଣ୍ଡର ଠିକ ମଧ୍ୟସ୍ଥଳରେ ଅର୍ଥାତ୍ ଅର୍ଦ୍ଧରେ ଏହି ଛୋଟିଆ ମନ୍ଦିରଟି ଅବସ୍ଥିତ। ଏଥିରେ ମା ସୁଭଦ୍ରରୂପୀ ଅର୍ଦ୍ଧାଶନୀ ଶକ୍ତିବିଗ୍ରହ ପ୍ରତିଷ୍ଠାତା। ଜଗନ୍ନାଥଙ୍କର ଏ ହେଉଛନ୍ତି ମାଉସୀ ଏବଂ ରଥରେ ଠାକୁରମାନେ ବାହୁଡା ଯାତ୍ରାରେ ଫେରିଲାବେଳେ ଏହି ମାଉସୀଙ୍କ ଘର ପାଖରେ ଅଟକି ପୋଡ ପିଠା ଭୋଗ ଖାଆନ୍ତି। ପ୍ରଳୟ ସମୟରେ ପ୍ଳାବିତ ଜଳରାଶିରୁ ଅର୍ଦ୍ଧାଂଶ ଏହି ଦେବୀ ପାନ କରିଥିଲେ ବୋଲି ଏହାଙ୍କର ନାମ ଅର୍ଦ୍ଧାଶନୀ ହୋଇଥିବା କେତକ କହନ୍ତି। ଶ୍ରୀମନ୍ଦିର ପ୍ରତିଷ୍ଠା ସମୟରେ ବୈଦିକ ଯଜ୍ଞର ଯୂପ ସ୍ଥାପନ ଏଠାରେ ହୋଇଥିବା ମଧ୍ୟ ଅନ୍ୟ କେତକଙ୍କର ମତ।

ଗୁଣ୍ଡିଚା ମନ୍ଦିର – ଶ୍ରୀମନ୍ଦିରର ସିଂହଦ୍ୱାର ଠାରୁ ଉତ୍ତର ଦିଗକୁ ଯାଇଥିବା ବଡଦାଣ୍ଡରେ ବିଶେଷତଃ ଶରଧାବାଲିର ଶେଷରେ ଯେଉଁ ମନ୍ଦିର ଅବସ୍ଥିତ ଏବଂ ଯେଉଁ ମନ୍ଦିରକୁ ପ୍ରତ୍ୟେକ ବର୍ଷ ମହାପ୍ରଭୁ ତାଙ୍କ ଭାଇ, ଭଉଣୀ ଓ ସୁଦର୍ଶନ ଚକ୍ରକୁ ଧରି ଏଠାରେ ସାତଦିନ ପାଇଁ ରହିବାକୁ ଆସନ୍ତି ଏବଂ ଗୁଣ୍ଡିଚା ଓ ବାହୁଡାକୁ ମିଶାଇ ତାଙ୍କର ନବଦିନ ଯାତ୍ରା ଅନୁଷ୍ଠିତ ହୁଏ, ସେହି ମନ୍ଦିରର ନାମ ଗୁଣ୍ଡିଚା ମନ୍ଦିର। ଏହା ଏକ ଛୋଟ କାଚର ଶ୍ରୀମନ୍ଦିର। ବଡ ଦେଉଳର କେବଳ ମେଘନାଦ ପାଚେରୀ କାହିଁକି, ରୋଷ ଘର, ମୁକ୍ତି ମଣ୍ଡପ ଇତ୍ୟାଦି ସବୁର ତୁଳନାରେ ଏହି ଗୁଣ୍ଡିଚା ମନ୍ଦିରର ପାଚେରୀ, ରୋଷ ଘର ଇତ୍ୟାଦି ଆକାରରେ ଯଥେଷ୍ଟ ଛୋଟ ହୋଇଥିଲେ ହେଁ, ବଡ ଦେଉଳର ପ୍ରାୟ ସବୁ ଅବୟବ ଏଠାରେ ରହିଛି। ରାଜା ଇନ୍ଦ୍ରଦ୍ୟୁମ୍ନ ବଡ ଦେଉଳର ନିର୍ମାଣ କରାଇବା କୁହାଗଲା ବେଳେ, ରାଣୀ ଗୁଣ୍ଡିଚା ଏହି ମନ୍ଦିରକୁ ନିର୍ମିତ କରିଥିବା କୁହାଯାଏ। ଖାଲି ମନ୍ଦିର ନୁହେଁ, ଯେଉଁ ଦ୍ୱାର ଦେଇ ବାହୁଡା ଯାତ୍ରାରେ ଠାକୁରମାନେ ରଥକୁ ବିଜେ କରନ୍ତି, ।ତାହା ନାକଚଣା ଦ୍ୱାର ଭାବରେ କଥିତ ହୁଏ। କୌଣସୀ ରାଣୀ ତାଙ୍କ ନାକଚଣା ବିକ୍ରୟ କରି ସେହି ଧନରେ, ଏହା କରିଥିବାରୁ, ଏଭଳି ନାମକରଣ ହୋଇଛି ବୋଲି କେହି କେହି କହିଥାଆନ୍ତି। ଗୁଣ୍ଡିଚା ମନ୍ଦିରର ଅନ୍ୟତମ ତାତ୍ପର୍ଯ୍ୟ ହେଲା, ଜଗନ୍ନାଥଙ୍କର ଆଦିମ ରୂପ ନୃସିଂହଙ୍କ ନାମରେ ଏଠାରେ ଥିବା କ୍ଷେତ୍ର ଭିତରେ ନୃସିଂହ ମନ୍ଦିର ଅବସ୍ଥିତ। ବେଲେଶ୍ୱର ମହାଦେବଙ୍କ ମନ୍ଦିର ନିକଟ ମହୋଦଧିରେ ଯେଉଁ ଭାସମାନ ଦାରୁ ଲାଗି, ପରେ ଇନ୍ଦ୍ରଦ୍ୟୁମ୍ନ ଏବଂ ବିଶ୍ୱାବସୁଙ୍କ ଦ୍ୱାରା ମିଳିତ ଭାବରେ ଆନୀତ ହୋଇ, ଏହି ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତୀ ଦାରୁ ବିଗ୍ରହ ନିର୍ମିତ ହୋଇଥିଲା। ଏହିଠାରୁ ଶ୍ରୀଗୁଣ୍ଡିଚା ଦିନ, ଏହି ମୂର୍ତ୍ତିମାନେ ଶ୍ରୀମନ୍ଦିରକୁ ରଥରେ ବିଜେ ହୋଇଥିଲେ। ତାହାର ସ୍ମାରକୀ ସ୍ୱରୂପ ରଥ ଯାତ୍ରା ଏବେ ପ୍ରତିବର୍ଷ ପାଳିତ ହେଉଛି ଏବଂ ଜନ୍ମ ବେଦୀର ମମତା ତୁଟାଇ ନ ପାରି ପ୍ରଭୁମାନେ ଏଠାକୁ ନିଶ୍ଚିତ ପ୍ରତ୍ୟେକ ବର୍ଷ ଆସି ଥାଆନ୍ତି। ବାହୁଡା ପରେ ଲକ୍ଷ୍ମୀ-ନାରାୟଣ କଳହ ପ୍ରସଙ୍ଗରେ, ଜଗନ୍ନାଥ ଲକ୍ଷ୍ମୀଙ୍କୁ ଆକଟ କରିବାକୁ, ମୋର ଜନ୍ମପୀଠକୁ ସବୁଦିନ ପାଇଁ ପଛେ ଫେରିଯିବି, ନବଦିନ ଯାତ୍ରା ବନ୍ଦ ବା ଜନ୍ମ-ମାଟିର ମାୟା ତୁଟାଇ ପାରିବି ନାହିଁ ବୋଲି କୁହନ୍ତି। ଅନ୍ୟ କେତକ ଅର୍ଥ କରନ୍ତି, ତେଲଗୁ ଶବ୍ଦ ଗୁଡିଶା, ଅର୍ଥାତ୍ କୁଡିଆ ଘରରୁ, ଏହି ଗୁଣ୍ଡିଚା ନାମର ଅପ୍ରଂଭଶ ଘଟିଛି, ଯାହାକି ଜଗନ୍ନାଥଙ୍କ ଶ୍ରୀମନ୍ଦିର ବା ବଡଦେଉଳ ତୁଳନାରେ କୁଡିଆ ଘର ବୋଲି ମନେହୁଏ। କିନ୍ତୁ ମହାରାଣୀ ଗୁଣ୍ଡିଚା ରାମ ଓ କୃଷ୍ଣଙ୍କର ଯଥାକ୍ରମେ ମାତା କୌଶଲ୍ୟା ଓ ଦେବକୀ – ଯଶୋଦାଙ୍କ ଭଳି ଦେବ ଦୀପାବଳୀ ଦିନ ଜଗନ୍ନାଥଙ୍କ ମାତା ଭାବରେ କଳ୍ପିତ ହୋଇ ଜଗନ୍ନାଥଙ୍କ ଠାରୁ ଶ୍ରାଦ୍ଧ ପାଇ ଥାଆନ୍ତି।

ନୃସିଂହ ମନ୍ଦିର – ଜଗନ୍ନାଥ ବା ପୁରୁଷୋତ୍ତମ ରୂପରେ ଆବିର୍ଭୂତ ହେବା ପୂର୍ବରୁ ନୃସିଂହ ରୂପରେ ପ୍ରଥମେ ଦର୍ଶନ ଦେଇଥିବା କୁହାଯାଏ। ଭଗବାନ ପ୍ରଥମେ ମୀନ, କଚ୍ଛପ ଏବଂ ବରାହ ଈତ୍ୟାଦି ଜୀବ ରୂପରେ ଲୀଳା ଖେଳା କରି ମାନବ ରୂପ ଧାରଣ କରିବା ପୂର୍ବରୁ ଚତୁର୍ଥ ଅବତାରରେ ଅର୍ଦ୍ଧାଙ୍ଗ ପଶୁ ଓ ଅର୍ଦ୍ଧାଙ୍ଗ ନର ରୂପ ଧାରଣ କରି ନରସିଂହ ହୋଇଥିଲେ ବୋଲି କୁହାଯାଏ। ଏହା ମଧ୍ୟ ସତ୍ୟ ଯୁଗର ସମୟ ଭାବରେ ବର୍ଣ୍ଣିତ ହୋଇଛି। ତେଣୁ ଗୁଣ୍ଡିଚା ମନ୍ଦିରରେ ଯେଉଁଠି ଦାରୁରୁ ବିଗ୍ରହମାନେ ନିର୍ମିତ ହୋଇଥିବା ନିର୍ଣ୍ଣିତ ଅଛି, ସେହି ସ୍ଥାନକୁ ଲାଗି ଅର୍ଥାତ୍ ବେଢା ବାହାରେ ଏହି ମନ୍ଦିରଟି ଅବସ୍ଥିତ ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ପ୍ରଥମେ ଏହି ମନ୍ଦିରରେ ନୃସିଂହ ପ୍ରତିଷ୍ଠିତ ହେଲା ପରେ, ବିଗ୍ରହ ନିର୍ମାଣ ଆରମ୍ଭ ହୋଇଥିଲା ବୋଲି ପଣ୍ଡିତମାନେ କହନ୍ତି।ଏହି କ୍ଷେତ୍ରର ନାମ ମଧ୍ୟ ନୃସିହ କ୍ଷେତ୍ର। ରଥ ଯାତ୍ରା ସମୟରେ ଯେଉଁମାନେ ନବଦିନ ଯାତ୍ରା ପାଳନ କରନ୍ତି, ସେମାନେ ନିକଟସ୍ଥ ଇନ୍ଦ୍ରଦ୍ୟୁମ୍ନ ସରୋବରରେ ସ୍ନାନ କରି ନୀଳକଣ୍ଠେଶ୍ୱର ମହାଦେବଙ୍କୁ ଦର୍ଶନ କଲାପରେ ନୃସିଂହଙ୍କୁ ଦର୍ଶନ କରିବାର ବିଧାନ ଅଛି। ଏଠାରେ ଏକ ସହସ୍ର ଅଶ୍ୱମେଧ ଯଜ୍ଞ ଦାରୁ ମୂର୍ତ୍ତି ନିର୍ମାଣ କରିବା ପୂର୍ବରୁ ଇନ୍ଦ୍ରଦ୍ୟୁମ୍ନ କରାଇଥିଲେ ବୋଲି କଥିତ ଅଛି। ଜଗନ୍ନାଥ ଧର୍ମ ଧାରାରେ ନୃସିଂହ ତତ୍ତ୍ୱର ପ୍ରାଧାନ୍ୟ ଥିବା ସୂଚିତ ହୋଇଛି। ଏବେ ମଧ୍ୟ ନବ କଳେବର ସମୟରେ ଅର୍ଥାତ୍ ନୂତନ ଦାରୁମୂର୍ତ୍ତି ନିର୍ମାଣ ସମୟରେ ଯଜ୍ଞ-ନୃସିଂହଙ୍କୁ ରଖାଯାଇ ବିଧିମତ ପୂଜା ଆରାଧନା କରାଯାଏ। ଅବଶ୍ୟ ଏହି ଯଜ୍ଞ ନୃସିଂହଙ୍କ ମୂର୍ତ୍ତି, ଶ୍ରୀମନ୍ଦିରର ଦକ୍ଷିଣ ଘରେ ରହୁଥିଲେ ହେଁ, ଗୁଣ୍ଡିଚା ମନ୍ଦିରକୁ ଲାଗି ପୃଥକ ଭାବରେ ଥିବା ଏହି ମଧ୍ୟମ ଉଚ୍ଚତା ବିଶିଷ୍ଟ ସମ୍ମୁଖରେ ଗରୁଡ ସ୍ତମ୍ଭ ଶୋଭିତ ଥାଇ ବିଜେ ହୋଇଥିବା ନୃସିଂହଙ୍କୁ ଯଜ୍ଞନୃସିଂହ କୁହାଯାଏ।

ଚକ୍ର ନାରାୟଣ – ସେହିପରି ଶ୍ରୀମନ୍ଦିରଠାରୁ ପ୍ରାୟ ଦୁଇମାଇଲ ଦୁରରେ ଆଗେ ଯେଉଁଠି ବାଙ୍କି ମୁହାଣ ଥିଲା, ଅର୍ଥାତ ଶରଧା ନାମକ ନଦୀ ସମୁଦ୍ର ସାଙ୍ଗରେ ଏକାଠି ହୋଇଥିଲା, ସେଠାରେ ଚକ୍ର ନାରାୟଣଙ୍କ ମନ୍ଦିର ଅଛି। ପ୍ରଦ୍ୟୁମ୍ନଙ୍କର ଜୀବନ ନାଶ ଏହିଠାରେ ଚକ୍ରଧାରୀଙ୍କ ଦ୍ୱାରା ହୋଇଥିଲା ବୋଲି ପ୍ରବାଦ ଅଛି। ପ୍ରସ୍ତର ଚକ୍ରରେ ନାରାୟଣଙ୍କ ମୂର୍ତ୍ତି ଖୋଦିତ। ନିକଟରେ ସାଗର କନ୍ୟା ଲକ୍ଷ୍ମୀଙ୍କ ପିତା, ଅର୍ଥାତ ବରୁଣ ମନ୍ଦିର, ଦେବତାଙ୍କ ପାଖରେ ଦରିଆ ମହାବୀର ବା ବେଡି ହନୁମାନଙ୍କ ମନ୍ଦିର। ସେ ପାଖକୁ ସୁନାର ଗୌରାଙ୍ଗ ମନ୍ଦିର ଅବଶ୍ୟ ଏହି ଦୁଇଟି ମନ୍ଦିର ବେଶୀ ପୁରୁଣା ନୁହେଁ। ବାଟ ମଙ୍ଗଳା, ମୁକ୍ତେଶ୍ୱର, କପୋତେଶ୍ୱର ଇତ୍ୟାଦି ଆହୁରୀ ଅନେକ ପ୍ରଖ୍ୟାତ ମନ୍ଦିର ଏହି ଶଙ୍ଖକ୍ଷେତ୍ର ମଧ୍ୟରେ ଅବସ୍ଥିତ। ଭାର୍ଗବୀ ନଦୀ କୂଳରେ କପୋତେଶ୍ୱର ଶଙ୍ଖକ୍ଷେତ୍ରର ପ୍ରତିହାରୀ ଏବଂ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରଣୀ ନିକଟରେ ନୀଳକଣ୍ଠେଶ୍ୱର କ୍ଷେତ୍ରପାଳ ଭାବରେ ପ୍ରଖ୍ୟାତ। ସେହିଭଳି ବିଲ୍ୱେଶ୍ୱର ଶଙ୍ଖାଗ୍ର ରକ୍ଷକ ଏବଂ ଲୋକେଶ୍ୱର ଶଙ୍ଖାନ୍ତ ରକ୍ଷକ ଭାବରେ ନାମିତ। ଏହି କ୍ଷେତ୍ରର ନାମ ବ୍ରହ୍ମ ପୁରାଣରେ ଶଙ୍ଖକ୍ଷେତ୍ର ନାମରେ ବର୍ଣ୍ଣିତ ହୋଇନଥିଲେ ହେଁ ଏହାର ମାହାତ୍ମ ସମ୍ପର୍କରେ କୁହାଯାଇଛି – ଦଶଯୋଜନ ବିସ୍ତୀର୍ଣ୍ଣଂ ପଞ୍ଚ-ଯୋଜନ-ମାୟତମ୍ ନାନାଶ୍ଚର୍ଯ୍ୟ ସମାଯୁକ୍ତଂ କ୍ଷେତ୍ରଂ ପରମ ଦୁର୍ଲ୍ଲଭଂ। ଅର୍ଥାତ୍ ପାଞ୍ଚ ଯୋଜନ ଆୟତନ ଥିବା ଏହି କ୍ଷେତ୍ରର ମାହାତ୍ମ ଅତ୍ୟନ୍ତ ଦୁର୍ଲଭ। ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ଏହାର ଆୟତନ ପାଞ୍ଚକୋଶ ବୋଲି କୁହାଯାଇଛି। ଏହି ପାଞ୍ଚ କୋଶର ନିମ୍ନାଂଶ ସମୁଦ୍ର ଗର୍ଭରେ ଲୁକ୍କାୟତ ଥିଲେ ହେଁ, ଉର୍ଦ୍ଧାଂଶର ଆକୃତି ଶଙ୍ଖ ପରି। ଏହାର ନାଭି ଦେଶରେ ଅବସ୍ଥିତ ଅଛି ଅକ୍ଷୟ ବଟ, ରୋହିଣୀକୁଣ୍ଡ ଓ ଜଗନ୍ନାଥଙ୍କ ଆସ୍ଥାନ। ଠିକ ମଧ୍ୟ ଭାଗରେ ଅର୍ଥାତ୍ ଅର୍ଦ୍ଧେକରେ ପୂର୍ବ ବର୍ଣ୍ଣିତ ଅର୍ଦ୍ଧାଶନୀ ବା ମାଉସୀ ମା ଙ୍କ ମନ୍ଦିର ଅବସ୍ଥିତ। ସ୍କନ୍ଦ ପୁରାଣ ଅବଲମ୍ବନରେ ଏବେ ଅନେକ ଶ୍ରୀକ୍ଷେତ୍ରକୁ ପାଞ୍ଚ କୋଶି ଭାବରେ ଅଭିହିତ କରନ୍ତି। ଶ୍ରୀମନ୍ଦିର ଓ ଶଖଂକ୍ଷେତ୍ର ପୁରୀର ଯେଉଁ ଶ୍ଥପତି ମାନେ ପୂନଃଉର୍ଦ୍ଧାର ଯୋଜନା ଚଳାଇଛନ୍ତି ସେମାନେ ଉପରକ୍ତ ମନ୍ଦିର ମାନଙ୍କର ଗୁରତ୍ୱକୁ ଉପଲବ୍ଧି କରି ସେଇ ଅନୁସାରେ ଯୋଜନା ପ୍ରସ୍ତୁତ କରିବାକୁ ସାଧରଣରେ ଦାବି ହେଉଛି।

ବରିଷ୍ଠ ସାମ୍ବାଦିକ
ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.