Home Top News ଶଙ୍ଖକ୍ଷେତ୍ରରେ ବିଜେଡ଼ି ମହାସମାରୋହରେ ପାଳନ କଲା ରୋପ୍ୟ ଜୟନ୍ତୀ ଉତ୍ସବ

ଶଙ୍ଖକ୍ଷେତ୍ରରେ ବିଜେଡ଼ି ମହାସମାରୋହରେ ପାଳନ କଲା ରୋପ୍ୟ ଜୟନ୍ତୀ ଉତ୍ସବ

57

ପୁରୀ ୨୬-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶଙ୍ଖକ୍ଷେତ୍ର ଶ୍ରୀକ୍ଷେତ୍ରରେ ବିଜେଡି ମହାସମାରୋହରେ ପାଳନ କରିଛି ରୋପ୍ୟ ଜୟନ୍ତୀ ଉତ୍ସବ। ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ୫୦ ହଜାରରୁ ଉର୍ଦ୍ଧ୍ଵ ନେତା ଓ କର୍ମୀ ଏହି ଉତ୍ସବରେ ସାମିଲ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଦଳୀୟ ନେତା ଓ କର୍ମୀଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଥିଲେ। ବିଜେଡି ଏବେ ଜଣେ ଦୁଇଜଣଙ୍କ ଉପରେ ନିର୍ଭର କରୁଥିବା ଦଳ ନୁହେଁ ବରଂ ଏହା ଏକ ବଡ ଜନ ଆନ୍ଦୋଳନର ରୂପ ନେଇଛି। କେବଳ ୨୫ ବର୍ଷ ପୂର୍ତ୍ତି ନୁହେଁ ଆଗାମୀ ଦିନରେ ମଧ୍ୟ ଦଳ ରାଜ୍ୟ ପାଇଁ କାମ କରିବ ବୋଲି ବାର୍ତ୍ତା ଦେଇଛନ୍ତି ସଭାପତି ନବୀନ ପଟ୍ଟନାୟକ। ରୌପ୍ୟ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଜେଡି ୨୫ ବର୍ଷ ଧରି ଦେଇଥିବା ସେବାର ସ୍ମୃତି ଚାରଣ କରିଥିଲେ।‌ରାଜ୍ୟର ସ୍ୱାର୍ଥ, ସ୍ୱାଭିମାନ, ସଂସ୍କୃତି, ପରମ୍ପରା ସହ ବିଜୁ ବାବୁଙ୍କ ଆଦର୍ଶକୁ ପାଳନ କରିବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ନାରୀ ସଶକ୍ତିକରଣ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ସହ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଜେଡିର ନେତା ଓ କର୍ମୀମାନେ କାମ କରନ୍ତୁ ବୋଲି ଏହି ପରାମର୍ଶ ମୁଖ୍ୟମନ୍ତ୍ରୀ ଦେଇଥିଲେ।‌

ଆଜି ମଧ୍ୟାହ୍ନ ୧୨ଟା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଦଳର ସୁପ୍ରିମୋ ପୁରୀ ତାଳବଣିଆ ହେଲିପ୍ୟାଡ଼ ଠାରେ ପହଂଚିବା ପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା।‌ସଭା ମଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡିର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ, ଦେବୀପ୍ରସାଦ ମିଶ୍ରଙ୍କ ଓ ଦଳର ଛାମୁଆଁ ସଂଗଠନର ପ୍ରମୁଖ ପ୍ରମିଳା ମଲ୍ଲିକ, ସୁଦାମ ମାରାଣ୍ଡି‌ଙ୍କ ସହ ପ୍ରଣବ ପ୍ରକାଶ ଦାସ ମଞ୍ଚାସୀନ ହୋଇଥିଲେ। ମୁଖ୍ୟମନ୍ତ୍ରୀ ସଭାସ୍ଥଳକୁ ଆସିବା ପୂର୍ବରୁ ବିଜେଡିର ବରିଷ୍ଠ ନେତୃବୃନ୍ଦ ମାନେ ବିଜେଡି ଦଳର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିବା ସହ ରାଜ୍ୟର ବୃହତର ସ୍ବାର୍ଥ ପାଇଁ ଦଳର‌କର୍ମକର୍ତ୍ତା ଓ ନେତାମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ପୁରୀ ତାଳବଣିଆ ଠାରେ ଆୟୋଜିତ ଏହି ମହାସମାବେଶରେ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ନେତୃ ବୃନ୍ଦ, ଛାମୁଆ ସଂଗଠନର ମୁଖ୍ୟ, ମନ୍ତ୍ରୀ ଓ ସାଂସଦ, ତ୍ରିସ୍ତରୀୟ ପଂଚାୟତରାଜ ବ୍ୟବସ୍ତାର ସମସ୍ତ ନିର୍ବାଚିତ କର୍ମକର୍ତ୍ତା, ଜିଲ୍ଲା ଓ ବ୍ଲକର କର୍ମକର୍ତ୍ତା ଓ କର୍ମୀମାନେ ଯୋଗ ଦେଇଥିଲେ।‌

ରୌପ୍ୟ ଜୟନ୍ତୀ ପାଳନ ଅବସରରେ ପୁରୀରେ ରାଜ୍ୟର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ସମସ୍ତ ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ସ୍ତରର‌ନେତା ଓ କର୍ମକର୍ତ୍ତାମାନଙ୍କୁ ଦେଖିବାକୁ ମିଳିଥିଲା। ଆଗାମୀ ୨୦୨୪ ରେ ସାଧାରଣ ନିର୍ବାଚନ ଥିବାରୁ ଦଳୀୟ ନେତା ଓ କର୍ମୀମାନେ ଏହି ଦିବସକୁ ଉତ୍ସାହର ସହ ମହାସମାରୋହରେ ଏହାକୁ ପାଳନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ କର୍ମୀଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ୨୫ ପ୍ଲାଟୁନ ଫୋର୍ସ ସହ ୧୦୦ ରୁ ଉର୍ଦ୍ଧ୍ବ ଅଧିକାରୀ ମୁତୟନ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.