Home ଜିଲ୍ଲା ପରିକ୍ରମା ଲୋକକଳା ଜରିଆରେ ଆଇ.ଇ.ସି ଅଭିଯାନ, ଜିଲ୍ଲା ସ୍ତରୀୟ ଦ୍ୱିଦିବସୀୟ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଲୋକକଳା ଜରିଆରେ ଆଇ.ଇ.ସି ଅଭିଯାନ, ଜିଲ୍ଲା ସ୍ତରୀୟ ଦ୍ୱିଦିବସୀୟ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

12

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ଦ୍ୱାରା ଚଳିତ ମାସର ଶେଷାର୍ଦ୍ଧରେ ଯୋଜନାବଦ୍ଧ ଭାବେ ଆୟୋଜିତ ହେବାକୁ ଥିବା ଓଡ଼ିଶା ପାରମ୍ପରିକ ଲୋକକଳା ମାଧ୍ୟମରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ନେଇ ସରକାରୀ ଜନହିତକର ଯୋଜନା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ସକାଶେ ଭଦ୍ରକ ଜିଲ୍ଲାପାଇଁ ଆରମ୍ଭ କରାଯାଇଥିବା ଦ୍ୱିଦିବସୀୟ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଓ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ବା ଅନ୍ତିମ ଦିନରେ ପ୍ରଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ପ୍ରଶିକ୍ଷଣ ବିଷୟ ବସ୍ତୁକୁ ନେଇ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏପରିକି ଧାମନଗରର ମୋଗଲ ତାମସା ଅନୁଷ୍ଠାନ ‘ସାଂସ୍କୃତିକା’ର କଳାକାର ମାନଙ୍କ ଦ୍ୱାରା ଭଦ୍ରକ ଜିଲ୍ଲା୍‌ର ସ୍ୱତନ୍ତ୍ର ଓ ନିଆରା ଲୋକନାଟ୍ୟ ମୋଗଲ ତାମସା ଜରିଆରେ ପରିବେଷିତ ଆଇ.ଇ.ସି. କାର୍ଯ୍ୟକ୍ରମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ମିଶନ୍ ଶକ୍ତିର ଜିଲ୍ଲା ସଂଯୋଜକ ଅଭିକ୍ ନାରାଇନ୍ ମଧ୍ୟ ଏହି ଶିବିରରେ ଯୋଗଦେଇ ପ୍ରଶିକ୍ଷାର୍ଥୀ ମାନଙ୍କ ଉଦ୍ଦେଶ୍ୟରେ ମିଶନ ଶକ୍ତିଯୋଜନାରେ ସରକାରଙ୍କ ମହିଳା ସଶକ୍ତି କରଣ ଆଭିମୁଖ୍ୟ ଓ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ବିଷୟରେ ବୁଝାଇଥିଲେ । ପ୍ରଶିକ୍ଷାର୍ଥୀ ଭାବେ ଦୁଇଦିନ ଧରି ଅଂଶଗ୍ରହଣ କରିଥିବା ଜିଲ୍ଲାର ବି.ଏସ୍‌.ଏସ୍‌.ଓ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ସମ୍ବନ୍ଧରେ ମତାମତ ରଖିବା ସହିତ କାର୍ଯ୍ୟକ୍ରମର ସଫଳତା ପାଇଁ ନିଜ ନିଜର୍ ଯୋଜନା ଓ ରୂପରେଖ ସମ୍ବନ୍ଧରେ ଆଲୋକପାତ କରିଥିଲେ । ପ୍ରଶିକ୍ଷଣ ପାଇଁ ୨ ଦିନ ଧରି ପ୍ରତି ବ୍ଲକ୍‌ରୁ ଆସିଥିବା ବ୍ଲକ୍ କଳାକାର ସଂଘର ଉପସଭାପତି ଓ ବିଶିଷ୍ଟ କଳାକାରମାନେ ମଧ୍ୟ ଏହି ଶିବିରର ଉଦ୍‌ଯାପନୀ ଅବସରରେ ନିଜ ନିଜର କଳା ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ । ଏହି ପ୍ରଶିକ୍ଷଣ ପାଇଁ ଦୁଇ ମୁଖ୍ୟ ପ୍ରଶିକ୍ଷକ ଏ ମାଟିର ବିଶିଷ୍ଟ କଳାକାର ବାଦଲ କୁମାର ସିକ୍‌ଦାର ଏବଂ ନବ କୁମାର ଲେଙ୍କା ୧ମ ଓ ୨ୟ ଦିନ ପ୍ରଶିକ୍ଷଣର ସମୀକ୍ଷା କରିବା ସହିତ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.