ଭୁବନେଶ୍ୱର ୧୨.୧୨ (ଓଡ଼ିଆ ପୁଅ) ଏକାମ୍ରକ୍ଷେତ୍ର ଭୁବନେଶ୍ବର, ସାରା ଦେଶର ଏକ ପ୍ରମୁଖ ଶିବ ପୀଠ। ବିଭିନ୍ନ ପୁରାଣରେ ଭୁବନେଶ୍ବରକୁ ଦ୍ବିତୀୟ କାଶୀ ଭାବରେ ବର୍ଣ୍ଣନା କରାଯାଇଛି। ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ପ୍ରତିଦିନ ସାରା ଦେଶରୁ ହଜାର ହଜାର ଭକ୍ତ ଏକାମ୍ର କ୍ଷେତ୍ରକୁ ଆସିଥାନ୍ତି। ମନ୍ଦିର ନଗରୀ ଭାବରେ ପ୍ରସିଦ୍ଧ ଏକାମ୍ରକ୍ଷେତ୍ର ଭୁବନେଶ୍ବର ଅନେକ ପ୍ରାଚୀନ କୀର୍ତ୍ତିରାଜିରେ ସୁଶୋଭିତ। ଏକାଦଶ ଶତାବ୍ଦୀରେ କଳିଙ୍ଗ ଶୈଳୀରେ ନିର୍ମିତ ଶ୍ରୀ ଲିଙ୍ଗରାଜ ମନ୍ଦିର ଉତ୍କଳୀୟ ଶିଳ୍ପ କଳାର ଅନ୍ୟତମ ଶ୍ରେଷ୍ଠ ନିଦର୍ଶନ ଏବଂ ଓଡ଼ିଆ ଜାତିର ଅମୂଲ୍ୟ ସଂପଦ। ଏକ ହଜାର ବର୍ଷର ପୁରୁଣା ଲିଙ୍ଗରାଜ ମନ୍ଦିର ଲକ୍ଷ ଲକ୍ଷ ଶିବ ଭକ୍ତ ମାନଙ୍କର ଶ୍ରଦ୍ଧା ଓ ବିଶ୍ୱାସର ପ୍ରତୀକ।। ଏହାର ସୁରକ୍ଷା ସହିତ ଆମର ଭବିଷ୍ୟତ ପୀଢି ପାଇଁ ଏହାକୁ ଉପଯୁକ୍ତ ସଂରକ୍ଷଣ ନିମନ୍ତେ ଆମକୁ କିଛି ତ୍ୟାଗ କରିବାର ଆବଶ୍ୟକତା ମଧ୍ୟ ରହିଛି। ଏହି ତ୍ୟାଗକୁ ମହାପ୍ରଭୁ ଲିଙ୍ଗରାଜଙ୍କ ସେବା ଭାବରେ ଗ୍ରହଣ କରି ସରକାରଙ୍କ ବିକାଶ କାମରେ ସହଯୋଗ କରିବା ପାଇଁ ମୁଁ ଆପଣମାନଙ୍କୁ ନିବେଦନ କରୁଛି।। ଆମ ଐତିହ୍ୟ ହିଁ ଆମ ଗୌରବ ଓ ଆମର ଶ୍ରେଷ୍ଠ ପରିଚୟ। ତେଣୁ ଆମର ଏହି ଗୌରବମୟ ଐତିହ୍ୟର ଉପଯୁକ୍ତ ସଂରକ୍ଷଣ ପାଇଁ ରାଜ୍ୟ ସରକାର ୬୬ ଏକର ପରିବ୍ୟାପ୍ତ ଏହି ଏକାମ୍ରକ୍ଷେତ୍ର ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହା ଅଧିନରେ ସୁଦୃଶ୍ୟ ପ୍ରବେଶ ପଥ, ବିନ୍ଦୁସାଗର ପୁନରୁଦ୍ଧାର ଯୋଜନାରେ ବିଭିନ୍ନ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର, ଅତ୍ୟାଧୁନିକ ପାର୍କି, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, କେଦାରଗୌରୀ ଓ ମୁକ୍ତେଶ୍ବର ପରିସରର ବିକାଶ ଓ ବିଭିନ୍ନ ସୁବିଧା ସୁଯୋଗ। e-auto programme, ଐତିହ୍ୟ ବ୍ୟାଖ୍ୟାନ କେନ୍ଦ୍ର ଏବଂ ଥଇଥାନ ଆଦି ୯ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହି ଯୋଜନାରେ ଶ୍ରୀ ଲିଙ୍ଗରାଜ ଥାନା ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଫିସ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଟ୍ରାଫିକ ହ୍ରାସ ଓ ଯାତାୟତର ସୁବିଧା ପାଇଁ ତାଳେଶ୍ବର ଛକ ଠାରୁ ବଢେଇବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ। ଚାରିଗୋଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ। ଶ୍ରୀ ଲିଙ୍ଗରାଜ ମନ୍ଦିର ସମ୍ମୁଖ ଭାଗରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ କରାଯିବ ଏବଂ ମନ୍ଦିର ଚାରି ପାଖରେ ପରିକ୍ରମା ପଥ ନିର୍ମାଣ କରାଯିବ। ମନ୍ଦିର ସମ୍ମୁଖ ରାସ୍ତାରେ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ନିଷିଧ କରାଯିବ। ଶ୍ରୀ ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ ଅଧିନରେ ଭକ୍ତମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ବ୍ୟବସ୍ଥା କରାଯିବ। ପର୍ଯ୍ୟଟକ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗର ବିକାଶ କରାଯିବ।
ବିନ୍ଦୁସାଗର ଜଳକୁ ପରିଷ୍କାର କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯିବ ଏବଂ ତାସହିତ କେଦାରଗୌରୀ, ପାପନାସିନୀ, ଗୋଦାବରୀ, କୋଟିତୀର୍ଥ, ଗଙ୍ଗାଯମୁନା ଏବଂ ଦେବୀପାଦହରା ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର ଓ ସଂରକ୍ଷମ କରାଯିବ। ଶ୍ରୀ ଲିଙ୍ଗରାଜ ମନ୍ଦିରର ନିରାପତ୍ତାକୁ ଆହୁରି ସୁଦୃଢ଼ କରାଯିବ।
ଏହି ଯୋଜନା ଦ୍ବାରା ଜୀବିକା ହରାଉଥିବା ଉଠାଦୋକାନୀ ମାନଙ୍କୁ ଦୁଇଟି କିସ୍ତିରେ ୩୦ ହଜାର ଟଙ୍କା ଏକକାଳୀନ ସହାୟତା ଦିଆଯିବ ଏବଂ ଭେଣ୍ଡି ଜୋନ୍ କରାଯାଇ ସେମାନଙ୍କୁ ଥଇଥାନ କରାଯିବ। ପକ୍କା ଘରେ ଥିବା ଦୋକାନ ଘର ଉଚ୍ଛେଦ ନିମନ୍ତେ ବ୍ୟବସାୟୀଙ୍କୁ ୧୨ ମାସ ନିମନ୍ତେ ମାସିକ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ଏବଂ ପରବର୍ତ୍ତୀ ସମୟରେ ବି.ଏମ.ସି, ପର୍ଯ୍ୟଟନ ବିଭାଗ ଦ୍ବାରା ନିର୍ମିତ ମାର୍କେଟରେ ଅଥବା ନୂତନ ମାର୍କେଟ କମ୍ପେନ୍ସ ନିର୍ମାଣ କରାଯାଇ ସେମାନଙ୍କୁ ଥଇଥାନ କରାଯିବ। ସ୍ଥିତିବାନ ଆବାସିକ ଗୃହବ୍ୟବସାୟିକ ଗୃହ ଉଛେଦ କ୍ଷେତ୍ରରେ କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରାଯାଇ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ।
ଆଜି ସଂଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀ ଲିଙ୍ଗରାଜ ମନ୍ଦିରର ବିକାଶ ସଂପର୍କରେ ଆଲୋଚନା ହୋଇଥିଲା। ଏଥିରେ ଶ୍ରୀ ଜଗନ୍ନାଥ ମନ୍ଦିର ପରି ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୂର୍ଡ ସଚିବ ଓ ମ୍ୟୁନିସିପାଲ କମିଶନର ପ୍ରମୁଖ ଉପସ୍ଥିତ ଥିଲେ।