Home ଓଡ଼ିଶା ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହେଲା କୃଷି ବିଭାଗ : ଚାଷୀଙ୍କ ସହ ସିଧା କଥା...

ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହେଲା କୃଷି ବିଭାଗ : ଚାଷୀଙ୍କ ସହ ସିଧା କଥା ହେବେ ସରକାର

218

ଭୁବନେଶ୍ୱର ୧୨.୧୨ (ଓଡ଼ିଆ ପୁଅ) ମୋ ସରକାର କାର୍ଯ୍ୟକ୍ରମରେ ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାମିଲ ହୋଇଛି। ଏହି ଅବସରରେ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ୧୯୯୯ର ମହାବାତ୍ୟା ସମୟରେ ରିଲିଫ ଯୋଗାଣ ପାଇଁ ଓଡିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆସିଛି ଏବଂ ଓଡ଼ିଶା ଆଜି ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଶସ୍ୟ ଯୋଗାଣରେ ସାରା ଦେଶରେ ତୃତୀୟ ସ୍ଥାନରେ ହାସଲ କରିଛି। ଏହାର ଶ୍ରେୟ ହେଉଛି ଆମର ଚାଷୀ ଭାଇମାନଙ୍କର। ସେହିପରି ଓଡ଼ିଶାକୁ ୫ ଥର କୃଷିକର୍ମଣ ପୁରସ୍କାର ମିଳିବାର ଶ୍ରେୟ ମଧ୍ୟ ଆମର ଚାଷୀ ଭାଇମାନଙ୍କର। ଆମ ଚାଷୀଭାଇମାନଙ୍କ କାର୍ଯ୍ୟ ଆମକୁ ସବୁବେଳେ ଗର୍ବିତ କରିଆସିଛି। ତେଣୁ ଚାଷ ଓ ଚାଷୀଙ୍କ ଉପରେ ସରକାର ବିଶେଷ ଗୁରୁତ୍ବ ଦେଇଆସୁଛନ୍ତି।

ମୋ ସରକାରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାମିଲ ହେବା ଆମ ଚାଷୀ ଭାଇଙ୍କର ସଶକ୍ତିକରଣ ଏକ ବଳିଷ୍ଠ ପଦକ୍ଷେପ। କୃଷି ବିଭାଗର ପ୍ରକୃତ ମାଲିକ ହେଉଛନ୍ତି ଚାଷୀ। ତେଣୁ ସେମାନଙ୍କ ଉନ୍ନତି ପାଇଁ କୃଷି। ବିଭାଗ କର୍ମଚାରୀ ଓ ଅଧିକାରୀ ମାନେ ନିଷ୍ଠାର ସହ କାର୍ଯ୍ୟ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। କୃଷି ବିଭାଗ କାର୍ଯ୍ୟରେ ଚାଷୀମାନେ କେତେ ଦୂର ସନ୍ତୁଷ୍ଟ ହେଉଛନ୍ତି ଏବଂ ଆମେ କେତେ ସଫଳ ଭାବରେ ସେମାନଙ୍କୁ ସେବା ଯୋଗାଇ ଦେଉଛି, ତାହା ହେଉଛି ମୋ ସରକାରର ମୁଖ୍ୟ ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ନିଜେ ବ୍ୟକ୍ତିଗତ ଭାବରେ ଚାଷୀମାନଙ୍କୁ ଫୋନ କରିବେ ଏବଂ ସେମାନେ ପାଉଥିବା ସେବା ସଂପର୍କରେ ପଚାରି ବୁଝିବେ। ଯଦି ସରକାରୀ ସେବା ସଂପର୍କରେ ଚାଷୀଙ୍କ ପ୍ରତିକ୍ରିୟା ଭଲ ରହେ, ତେବେ କର୍ମଚାରୀ ମାନଙ୍କୁ ପ୍ରଶଂସା ପତ୍ର ସହିତ ପ୍ରୋତ୍ସାହନ ଦିଆଯିବ ଏବଂ ନକରାତ୍ମକ ପ୍ରତିକ୍ରିୟା ସଂପର୍କରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

କୃଷି ବିଭାଗର ପ୍ରମୁଖ ସଚିବ ଶ୍ରୀ ସୌରଭ ଗର୍ଗ ସ୍ଵାଗତ ଭାଷଣ ଦେଇ ବିଭାଗରେ ମୋ ସରକାରର ପ୍ରୟୋଗ ସଂପର୍କରେ ଆଲୋକପାତ କରିଥିଲେ। 5-T ସଚିବ ଶ୍ରୀ ଭି.କେ ପାଣ୍ଡିଆନ ମୋ ସରକାର କାର୍ଯ୍ୟକ୍ରମ ସଂପର୍କରେ କୃଷି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ।

ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ, ବିଭାଗୀୟ ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ପଦାଧିକାରୀ ଏବଂ ଭିଡିଓ କନ୍‌ଫରେନ୍ସରେ ୩୦ଟି ଜିଲ୍ଲାର ଜିଲ୍ଲାପାଳ ଓ କୃଷି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.