Home ଜିଲ୍ଲା ପରିକ୍ରମା ଲାଞ୍ଚନେବା ଅପରାଧରେ ଦଳାଙ୍ଗ ଆର.ଆଇ. ଜିଲ୍ଲାପାଳଙ୍କ ଦ୍ୱାରା କାର୍ଯ୍ୟରୁ ନିଲମ୍ବିତ

ଲାଞ୍ଚନେବା ଅପରାଧରେ ଦଳାଙ୍ଗ ଆର.ଆଇ. ଜିଲ୍ଲାପାଳଙ୍କ ଦ୍ୱାରା କାର୍ଯ୍ୟରୁ ନିଲମ୍ବିତ

40

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ତହସିଲ ଅଧୀନ ଦଳାଙ୍ଗ ରାଜସ୍ୱ ମଣ୍ଡଳ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ସରକାରୀ କାର୍ଯ୍ୟରେ ଥାଇ ଲାଞ୍ଚନେବା ଅପରାଧରେ ରାଜସ୍ୱ ନିରୀକ୍ଷକ ତାପସ ରଞ୍ଜନ ଜେନାଙ୍କୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଗତକାଲି ଦିନ ଉକ୍ତ ଆର.ଆଇ ଜାତିଗତ ପ୍ରମାଣପତ୍ର ପ୍ରଦାନ ପାଇଁ ତହସିଲକୁ ରିପୋର୍ଟ ପ୍ରେରଣ ନେଇ ଜଣେ ବ୍ୟକ୍ତିଙ୍କ ସହ ମୂଲଚାଲ କରୁଥିବା ଓ ୫୦୦ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ଦୃଶ୍ୟ ବିଭିନ୍ନ ଗଣମାଧ୍ୟମରେ ଭାଇରାଲ ହେବା ଆଧାରରେ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ। ପ୍ରକୃତ ଘଟଣାର ତଦନ୍ତ କରାଯାଇ ସରକାରୀ କାର୍ଯ୍ୟରେ ଥାଇ ସାଧାରଣ ଜନତାଙ୍କ ଠାରୁ ଲାଞ୍ଚ ଦାବି କରିବା ଓ ଲାଞ୍ଚ ଗ୍ରହଣ କରିବା ଅପରାଧରେ ସଂପୃକ୍ତ ଆର.ଆଇ ତାପସ ରଞ୍ଜନ ଜେନାଙ୍କୁ ଗତକାଲି ହିଁ ଜିଲ୍ଲାପାଳଙ୍କ ଦ୍ୱାରା ନିଲମ୍ବନ ଆଦେଶ ଜାରି କରାଯାଇଛି। ଏହି ଅପରାଧ ନେଇ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ରାଜସ୍ୱ ବିଭାଗକୁ ମଧ୍ୟ ସୁପାରିଶ କରାଯାଇଛି। ନିଲମ୍ବନ ଅବଧିରେ ତାଙ୍କ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଭଦ୍ରକକୁ ହେଡ଼କ୍ୱାର୍ଟର ସ୍ଥିର କରାଯାଇଛି। କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସଦର ମହକୁମା ସେ ଛାଡ଼ି ପାରିବେ ନାହିଁ ବୋଲି ଆଦେଶନାମାରେ ଦର୍ଶାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.