Home ଜିଲ୍ଲା ପରିକ୍ରମା ଚରମ ସୀମାରେ ପୌର ବିବାଦ, ପୌର ନିର୍ବାହୀ ଅଧିକାରୀଙ୍କ ବଦଳି ଓ ଅନ୍ୟ କେତେକ ଦାବିରେ...

ଚରମ ସୀମାରେ ପୌର ବିବାଦ, ପୌର ନିର୍ବାହୀ ଅଧିକାରୀଙ୍କ ବଦଳି ଓ ଅନ୍ୟ କେତେକ ଦାବିରେ କଂଗ୍ରେସର ପୌର କାର୍ଯ୍ୟାଳୟ ଘେରାଓ, ପରିଷଦ ପାଇଁ ପ୍ରଶାସକ ନିଯୁକ୍ତି ଦିଆଯିବାକୁ ପ୍ରଶାସନିକ ପ୍ରତିଶ୍ରୁତି

62

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌର ବିବାଦ ଚରମ ସୀମରେ ପହଞ୍ଚିଛି। ପୌର ନିର୍ବାହୀ ଅଧିକାରୀଙ୍କ ବଦଳି ଓ ଅନ୍ୟ କେତେକ ଦାବି ନେଇ ପୌର ପରିଷଦର ସ୍ୱାଧିନ ଓ କଂଗ୍ରେସ ପାରିଷଦମାନେ ଗତ ମାସ ୩୦ ତାରିଖ ଠାରୁ ଧାରଣା ଦେବା ପରେ ୬ ତାରିଖ ଠାରୁ ୩ଜଣ ପାରିଷଦ ଆମରଣ ଅନଶନ ଆରମ୍ଭ କରିଥିଲେ। ଆରମ୍ଭରୁ ଉକ୍ତ ଆନ୍ଦୋଳନକୁ ଭଦ୍ରକ ସହର କଂଗ୍ରେସ ନୈତିକ ସମର୍ଥନ ଦେଇ ଆସିଥିଲା। ଭଦ୍ରକ ବିଧାନସଭା ନେତା ନଳିନୀ ମହାନ୍ତି, ନଗର କଂଗ୍ରେସ ସଭାପତି ଅବଦୁଲ ମୋକିତ ଖାନ, ପ୍ରାକ୍ତନ କାଉନସିଲର ଆଶ୍ରଫ ଅଲ୍ଲୀ ଖାନଙ୍କ ନେତୃତ୍ୱରେ ବହୁ କର୍ମୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଆନ୍ଦୋଳନକୁ ନୈତିକ ସମର୍ଥନ ଜଣାଇଥିଲେ। ଆମରଣ ଅନଶନରେ ବସିଥିବା ପାରିଷଦମାନେ ଆଜି ଅସୁସ୍ଥ ହୋଇ ପଡ଼ିଥିବାବେଳେ, ସେମାନଙ୍କୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଆଜି ପ୍ରଶାସନର ଉଦାସୀନତା ବିରୋଧରେ ଭଦ୍ରକ ବିଧାନସଭା କୋଂଗ୍ରସ ପକ୍ଷରୁ ନଳିନୀ ମହାନ୍ତି, ଜିଲ୍ଲା ସଭାପତି ସୁବ୍ରତ ଦାସ, ନଗର କଂଗ୍ରେସ ସଭାପତି ଅବଦୁଲ ମୋକିତ ଖାନ, ଆଶ୍ରଫ ଅଲ୍ଲୀ ଖାନ ପ୍ରମୁଖ ନେତୃତ୍ୱରେ ପୌର କାର୍ଯ୍ୟାଳୟ ଘେରାଓ କରାଯାଇଥିଲା। ପରେ ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଭଦ୍ରକ କଚେରୀ ମୋଚି ଛକ-ଭଦ୍ରକାଳୀ ରାସ୍ତାକୁ ପୌର କାର୍ଯ୍ୟାଳୟ ସମ୍ମୁଖରେ ଅବରୋଧ କରାଯାଇଥିଲା। ଦୀର୍ଘ ସମୟ ପରେ ଉପ ଜିଲ୍ଲାପାଳ ମନୋଜ ପାତ୍ର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ।

ପୌର ନିର୍ବାହୀ ଅଧିକାରୀଙ୍କ ବଦଳି କ୍ଷମତା ଜିଲ୍ଲାପାଳଙ୍କ ଅଧିକାର ପରିସରଭୂକ୍ତ ହୋଇନଥିବାରୁ, ଉପ ଜିଲ୍ଲାପାଳ ଶ୍ରୀ ପାତ୍ର ପୌର ପରିଷଦ ପାଇଁ ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଜଣେ ଅତିରିକ୍ତ ଉପ ଜିଲ୍ଳାପାଳଙ୍କୁ ପ୍ରଶାସକ ଭାବେ ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରିଥିଲେ। ଏହାବ୍ୟତୀତ ପୌର ପ୍ରଶାସନର କାର୍ଯ୍ୟକୁ ଦେଖିବାକୁ ମଧ୍ୟ ଜଣେ ଅଧିକାରୀ ରହିବେ ବୋଲି କହିଥିଲେ। ପରେ ଉପ ଜିଲ୍ଲାପାଳ ଶ୍ରୀ ପାତ୍ର ପାରିଷଦମାନଙ୍କ ନିକଟକୁ ଯାଇ ସେମାନଙ୍କୁ ଅ।।ମରଣ ଅନଶନରୁ ଉଠାଇଥିଲେ। ସୂଚନାଯୋଗ୍ୟ ପୌର ନିର୍ବାହୀ ଅଧିକାରୀ ଭଦ୍ରକ ପୌରାଧ୍ୟକ୍ଷାଙ୍କୁ କୌଣସି ପ୍ରକାର ସହଯୋଗ କରୁ ନାହାନ୍ତି ଓ ସେ ରାଜନୈତିକ ଚାପରେ ଆସି ଏପରି ଅସହଯୋଗ କରୁଛନ୍ତି ବୋଲି ପୌରାଧ୍ୟକ୍ଷାଙ୍କ ସମେତ ବହୁ ପାରିଷଦ ବାରମ୍ବାର ଅଭିଯୋଗ କରି ଆସୁଥିଲେ। କିଛି ଦିନ ପୂର୍ବେ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ୍ ନିଜ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏ ସମ୍ପର୍କରେ ଅଭିଯୋଗ କରିବା ସହ ସିଧାସଳଖ ଭଦ୍ରକ ବିଧାୟକ ସଂଜିବ ମଲ୍ଲିକଙ୍କୁ ଏଥି ନିମିତ୍ତ ଦାୟୀ କରିଥିଲେ। ଏହା ବ୍ୟତୀତ କେତେକ ପାରିଷଦ ଆରଏମସି କମ୍ଲେକ୍ସରେ ଏକ ସାମ୍ବାଦିକ ସମ୍ମିଳନୀରେ ପୌର ନିର୍ବାହୀ ଅଧବକାରୀଙ୍କ ବଦଳି ଦାବି କରିଥିଲେ। ଅନୁରୂପ ଗତ ସପ୍ତାହରେ ବହୁ ବୁଦ୍ଧିଜୀବୀ ଜିଲ୍ଲାପାଳଙ୍କୁ ଭେଟି ୭୨ ଘଣ୍ଟା ମଧ୍ୟରେ ନିର୍ବାହୀ ଅଧିକାରୀଙ୍କ ବଦଳି ନହେଲେ, ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ବାହୀ ଅଧିକାରୀଙ୍କ ବଦଳି ନହେବାରୁ ପାରିଷଦମାନେ ଧାରଣା ଦେଇଥିଲେ। ଯାହାକି ପରେ ଆମରଣ ଅନଶନର ରୂପ ନେଇଥିଲା। ତେବେ ଆଜି ପୌର ପରିଷଦର ଅଚଳାବସ୍ଥା ହଟାଇବା ଦାବିରେ କଂଗ୍ରେସ ପକ୍ଷରୁ ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ପୌର କାର୍ଯ୍ୟାଳୟ ଘେରାଓ ସମେତ ରାସ୍ତାରୋକ କରାଯାଇଥିଲା। ଉକ୍ତ ରାସ୍ତାରୋକ ସ୍ଥଳରେ ଭଦ୍ରକ ପୌରାଧ୍ୟକ୍ଷାଙ୍କ ପ୍ରତିନିଧି ଜାହିଦ ହବିବ୍ ଓ ନସିରୁଦ୍ଦିନ ଖାନ ପହଞ୍ଚି ଉକ୍ତ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ତେବେ ଉକ୍ତ ରାସ୍ତାରୋକରେ ପ୍ରଦ୍ୟୁମ୍ନ ଦାସ, ତନଭୀର ଖାନ, ବିଜୟ ବାରିକ, ରଂଜନ ଜେନା, ଏନାମୁଲ ହକ୍‌, ସେକ ସାହିଲ କାଦ୍ରୀ, ଇଳ୍‌ଳିୟାସ ଅଲ୍ଲୀ ଖାନ, ହେମନ୍ତ ମହାପାତ୍ର, ସେକ ସିଚରାଜୁଦ୍ଦିନ, ଟୋନୀ ଅଲ୍ଲୀ, ଫେଣ୍ଟୁ ଆଲାମ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.