Home ଜିଲ୍ଲା ପରିକ୍ରମା ଲଘୁଚାପ ବର୍ଷା ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର, ତଳିଆ ଅଂଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ...

ଲଘୁଚାପ ବର୍ଷା ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର, ତଳିଆ ଅଂଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ତହସିଲଦାର ମାନଙ୍କୁ ନିର୍ଦ୍ଧେଶ

173

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଘୁଚାପ ଜନିତ ପ୍ରବଳ ବର୍ଷାଏବଂ ତତ୍ ଜନିତ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବାକୁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର କରାଯାଇଛି । ବିଶେଷକରି ଜିଲ୍ଲାର ଭଣ୍ଡାରିପୋଖରୀ ଏବଂ ଧାମନଗର ବ୍ଲକରେ ରହିଥିବା ଦୁର୍ବଳ ନଦୀବନ୍ଧ ଏବଂ ଘାଇ ମରାମତି ସହିତ ବନ୍ୟା ନିରୋଧି ଯନ୍ତ୍ରପାତି ମହଜୁଦ କରି ରଖିବାକୁ ଯାଜପୁର ଏବଂ ଭଦ୍ରକ ଜଳ ସେଚନ ବିଭାଗ ସହିତ ବିଭାଗିୟ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଜାରି କରାଯାଇଛି । ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ତହସିଲ ଏବଂ ଜିଲ୍ଲା ହେଡକ୍ୱାଟରରେ ୨୪ ଘଂଟିଆ କଂଟ୍ରୋଲରୁମ ଖୋଲାଯାଇଛି । ବିଶେଷକରି ଭଦ୍ରକ ସହରାଂଚଳ ସହିତ ଜିଲ୍ଲାରେ ଥିବା ୪ ଟି ଯାକ ସହରାଂଚଳରେ ୱାଟର ଲଗିଙ୍ଗ ଦୁର କରିବାକୁ ପୌରପାଳିକା ଏବଂ ଡ୍ରେନେଜ ବିଭାଗକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ନିର୍ଦ୍ଧେଶ ଦିଆଯିବା ପରେ ଗତକାଲି ଠାରୁ ସହରାଂଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ସହରାଂଚଳରେ ଥିବା ବିଭିନ୍ନ ଜଳ ନିଷ୍କାସନ ନାଳ ଗୁଡିକୁ ସଫେଇ କରିବାରେ ଲାଗିଛନ୍ତି । ମଣିଷ ଏବଂ ପ୍ରୋକଲିନ ମେସିନ ଲଗାଇ ନାଳ ନର୍ଦ୍ଧମା ସଫେଇ କରାଯାଉଥିବା ବେଳେ କୌଣସି ଅଂଚଳରେ ଯେମିତି ୱାଟର ଲଗିଙ୍ଗ ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି । ସେହିଭଳି ତଳିଆ ଅଂଚଳର ଲୋକଙ୍କୁ ଆବଶ୍ୟକ ସ୍ତଳେ ଉଚା ଏବଂ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ବିଭିନ୍ନ ତହସିଲଦାର ମାନଙ୍କୁ ସ୍ୱତନ୍ତ୍ର ନିର୍ଦ୍ଧେଶ ଦିଆଯାଇଥିବା କଥା ଜିଲ୍ଲାପାଳ ଜ୍ଞାନ ଦାସ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ନିର୍ଦ୍ଧେଶକୁ ଆଧାରକରି ଏହି ବ୍ୟବସ୍ଥା ଗ୍ରହଣ କରାଯାଉଥିବା କଥା କହିଛନ୍ତି । ବଙ୍ଗୋପସାଗରେ ସୃଷ୍ଟ ଘୁର୍ଣ୍ଣିବଳୟ ଲଘୁଚାପ ରୁପ ନେଇଥିବା ହେତୁ ଜିଲ୍ଲାବ୍ୟାପି ଭୀଷଣ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ସତର୍କତାମୁଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି । ପ୍ରବଳ ବର୍ଷା ଯୋଗୁ ଜିଲ୍ଲାରେ ପ୍ରବାହିତ ବିଭିନ୍ନ ନଦୀ ଏବଂ ଏହାର ଶାଖାନଦୀ ଗୁଡିକରେ ଭୀଷଣ ବନ୍ୟା ଆଶଙ୍କା ରହିଥିବା ହେତୁ ନଦୀବନ୍ଧ ସୁଦୃଢିକରଣ ଏବଂ ଘାଇ ମରାମତି ଉପରେ ମଧ୍ୟ ସ୍ୱତନ୍ତ୍ର ନଜର ରଖାଯାଇଛି । ତେବେ ଗତବର୍ଷ ବନ୍ୟାରେ କୌଣସି ସ୍ଥାନରେ ନଦର ବନ୍ଧ ଭାଙ୍ଗିବା ଅଥବା ଘାଇ ସୃଷ୍ଟି ହୋଇ ନଥିବା ହେତୁ ଏବଂ ନଦୀବନ୍ଧ ସୁଦୃଢିକରଣ ଉପରେ ଜୋର ଦିଆଯାଇଥିବା ହେତୁ ଚଳିତ ବନ୍ୟାରେ ଜିଲ୍ଲାରେ ଅନୁରୁପ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ତଥାପି ସମ୍ଭାବ୍ୟ ପରିସ୍ଥିତି ଉପରେ କଡା ନଜର ରଖିବାକୁ ଜଳସେଚନ ବିଭାଗ ସହିତ ପ୍ରଶାସନ ଏବଂ ବିଭିନ୍ନ ଲାଇନ ଡିପାର୍ଟମେଂଟକୁ ଆଗୁଆ ସତର୍କ ଏବଂ ସଜାଗ ରଖାଯାଇଥିବା କଥା ଜିଲ୍ଲାପାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.