Home ଓଡ଼ିଶା ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ବାଲେଶ୍ୱର – ବଢ଼ୁଛି ଜିଲ୍ଲାର ୩ ପ୍ରମୁଖ ନଦୀର...

ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ବାଲେଶ୍ୱର – ବଢ଼ୁଛି ଜିଲ୍ଲାର ୩ ପ୍ରମୁଖ ନଦୀର ଜଳ ପତ୍ତନ – ବିପଦ ସଙ୍କେତ ଉପରେ ଜଳକା

172

ବାଲେଶ୍ୱର, ୨୬ା୮(ଓଡ଼ିଆ ପୁଅ/ଅଭୟ ଦାସ): ଉତ୍ତର-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାରେ ଗତ ୨ ଦିନ ଧରି ଲାଗିରହିଥିବା ଲଗାଣ ବର୍ଷାରେ ଜନଜୀବନ ପ୍ରଭାବିତ ହେବା ସହ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି। ଗତ କାଲି ଗୋଟିଏ ଦିନରେ ବାଲେଶ୍ୱର ଜିଲ୍ଲାର ୧୨ ଗୋଟି ବ୍ଲକରେ ମୋଟ ୧୦୧୧ ମିଲି ମିଟର ବର୍ଷା ରେକର୍ଡ଼ କରାଯାଇଥିବା ବେଳେ ନୀଳଗିରିରେ ସର୍ବାଧିକ ୧୨୨ ମି-ମି ବର୍ଷା ହୋଇଥିବା ଜଣାପଡ଼ିଛି। ତେବେ ଆଜି ସକାଳଠାରୁ ଅବିରାମ ଗତିରେ ବର୍ଷା ଲାଗି ରହିଥିବା ଫଳରେ ଜନଜୀବନ ବିଶେଷ ପ୍ରଭାବିତ ହୋଇଛି। ସହର ସମେତ ଜିଲ୍ଲାର ଲୋକେ ଘରୁ ବାହାରି ପାରୁନଥିବା ବେଳେ ରାସ୍ତାଘାଟରେ ପାଣିସୁଅ ପଡ଼ିଛି। ଅନ୍ୟପକ୍ଷରେ ଏହି ଲଗାଣ ବର୍ଷାରେ ଉତ୍ତର ଓଡ଼ିଶାର ସମସ୍ତ ଜିଲ୍ଲାର ନଦୀମାନଙ୍କରେ ବଢ଼ୁଥିବା ଜଳପତ୍ତନ ଯୋଗୁଁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବାଲେଶ୍ୱର ଜିଲ୍ଲାର ୩ ପ୍ରମୁଖ ନଦୀର ଜଳ ସ୍ତର ବୃଦ୍ଧି ପାଉଥିବା ନେଇ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁବର୍ଣ୍ଣରେଖା ନଦୀର ରାଜଘାଟସ୍ଥିତ ରିଡିଂ ପଏଣ୍ଟରେ ସତର୍କ ସୂଚନାଙ୍କ ୯.୪୫ ମିଟର ଓ ବିପଦ ସୂଚାନଙ୍କ ୧୦.୩୬ ମିଟର ଥିବା ବେଳେ ଆଜି ସଂଧ୍ୟା ୭ଟା ସୁଦ୍ଧା ୮.୩୭ ମିଟରରେ ଳ ପ୍ରବାହିତ ହେଉଛି। ଜଳ ସ୍ତର ଆସନ୍ତାକାଲି ସକାଳ ସୁଦ୍ଧା ସତର୍କ ସୂଚନାଙ୍କ ଅତିକ୍ରମ କରିବ ବୋଲି ବୃଦ୍ଧି ପାଉଥିବା ଜଳ ପତ୍ତନରୁ ଅନୁମାନ କରାଯାଇଛି। ସେହିଭଳି ବୁଢ଼ାବଳଙ୍ଗ ନଦୀର ଏନଏଚ-୫ ଗୋବିନ୍ଦପୁର ରିଡିଂ ପଏଣ୍ଟ ଅନୁସାରେ ସତର୍କ ସୂଚନାଙ୍କ ୭.୨୧ ମିଟରର ଉପରେ ଅର୍ଥାତ ୭.୮୦ ମିଟରରେ ଏବେ ଜଳ ପ୍ରବାହିତ ହେଉଛି। ପ୍ରତି ଘଣ୍ଟାରେ ବଢ଼ୁଥିବା ଜଳସ୍ତରକୁ ଲକ୍ଷ୍ୟକଲେ, ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ବିପଦ ସଙ୍କେତ ସୂଚନାଙ୍କ ୮.୧୩ ମିଟରକୁ ଅତିକ୍ରମ କରିଯିବ ବୋଲି ଆଶଙ୍କା ଦେଖା ଦେଇଛି। ସେହିଭଳି ଜଳକା ନଦୀର ମଥାନି ରିଡିଂ ପଏଣ୍ଟରେ ବିପଦ ସୂଚନାଙ୍କ ୫.୫୦ ମିଟର ଥିବା ବେଳେ ସଂଧ୍ୟାସୁଦ୍ଧା ଜଳସ୍ତର ଏହାର ବହୁଊର୍ଦ୍ଧ୍ୱରେ ଅର୍ଥାତ ୬.୬୯ ମିଟରରେ ପ୍ରବାହିତ ହେଉଛି। ବିଶେଷ କରି ମୟୁରଭଂଜ ଜିଲ୍ଲାରୁ ଆସୁଥିବା ଉପରମୁଣ୍ଡ ବର୍ଷା ଜଳ ଯୋଗୁଁ ବୁଢ଼ାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ଶୀଘ୍ର ବୃଦ୍ଧି ପାଉଛି। ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ଜଳକା ନଦୀର ପାଶ୍ୱର୍ବର୍ତ୍ତୀ ତଳିଆ ଅଞ୍ଚଳ ଲୋକେ ଏବେ ପାଣିଘେରକୁ ଚାଲି ଯାଇଥିବା ବେଳେ ହଜାର ହଜାର ଏକର ଜମିର ଧାନଚାଷ ପାଣିରେ ବୁଢ଼ି ରହିଥିବା ଦେଖିବାକୁ ମିଳିଛି। ନିକଟ ଭବିଷ୍ୟତରେ ରେ ଅମାବାଶ୍ୟା କିମ୍ବା ପୂର୍ଣ୍ଣିମା ନଥିବା କାରଣରୁ ସମୁଦ୍ରରେ ବଡ଼ ଜୁଆର ନଥିବା ବେଳେ ବନ୍ୟାଜଳ ଖୁବଶୀଘ୍ର ନିଷ୍କାସନ ହୋଇଯିବ ବୋଲି ଆଶା କରାଯାଉଛି। ତେବେ ଜିଲ୍ଲାର ନଦୀମାନଙ୍କରେ ଆସନ୍ନ ବନ୍ୟା ସ୍ଥିତିକୁ ଲକ୍ଷ୍ୟ ରଖି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶାନୁସାରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପରିଚାଳନା ଓ ରିଲିଫ୍ ପାଇଁ ପ୍ରସ୍‌ୁତି ଜାରି ରହିଥିବା ଜରୁରୀକାଳୀନ ଅଧିକାରୀ ରିଜୱାନା କବକବ୍ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.