Home ଜିଲ୍ଲା ପରିକ୍ରମା ଲଗାଣ ବର୍ଷା ଯୋଗୁଁ ବନ୍ତରେ ବ୍ୟାପକ କ୍ଷୟ କ୍ଷତି, ବଢିପାଣି ଅଞ୍ଚଳ ପରିଦର୍ଶନ କଲେ ପ୍ରଶାସନିକ...

ଲଗାଣ ବର୍ଷା ଯୋଗୁଁ ବନ୍ତରେ ବ୍ୟାପକ କ୍ଷୟ କ୍ଷତି, ବଢିପାଣି ଅଞ୍ଚଳ ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ

16

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୪ଦିନ ଧରି ଲଗାଣ ବର୍ଷା ଫଳରେ ଏହି ଜିଲାର ବନ୍ତ ଅଞ୍ଚଳର ବିଭିନ୍ନ ତଳିଆ ଅଞ୍ଚଳ ଗୁଡିକ ପ୍ରଭାବିତ ହୋଇଛି । ମଙ୍ଗଳବାର ରାତ୍ରରୁ ବର୍ଷା ଲାଗି ରହିବାରୁ ବିଶେଷ କରି ଏହି ବ୍ଲକ ଦେଇ ପ୍ରଭାହିତ ହେଉଥିବା ରେବ ଓ କପାଳି ନଦୀରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀ କୂଳିଆ ପଞ୍ଚାୟତ ଯଥା ବସନ୍ତିଆ,ରାମଚନ୍ଦ୍ରପୁର,ବନ୍ତ,ଟିଲୋ,ରାମପୁର,ରାମକୃଷ୍ଣପୁର ଆଦି ଅଧିକାଂଶ ଗ୍ରାମରେ ବନ୍ୟା ଜଳ ଯୋଗୁଁ ଅନେକଙ୍କ ଘରେ ପାଣି ପସିଥିବା ବେଳେ ଘରର କାନ୍ଥ ଭାଙ୍ଗିଛି । ଯଦିଓ ଆଜି ଏଠାରେ ବର୍ଷା ହୋଇନାହିଁ ଜଳ ସ୍ତର କିଛି ମାତ୍ରାରେ କମୁଥିବା ବେଳେ ବର୍ଷା ଯୋଗୁଁ ରାସ୍ତାଘାଟ ଧୋଇଯାଇ ଚାଷ ଜମି ଗୁଡିକ ଜଳ ମଗ୍ନ ହୋଇଛି । ଫଳରେ ବିଳମ୍ବରେ ଚାଷ କାମ ଆରମ୍ଭ କରିଥିବା ଚାଷୀ ମଥାରେ ଚଡକ ପଡିଛି । ବିଶେଷ କରି କପାଳି ନଦୀର ବଢି ପାଣିରେ ରାମଚନ୍ଦ୍ରପୁର ଗ୍ରାମର ସୁବାଷ ଜେନାଙ୍କ ଚାଳ ଛପର ଘରଟି ସଂପୂର୍ଣ୍ଣ ଭୁସୁଡି ପଡିଥିବା ବେଳେ ଏବେ ସେ ଗ୍ରାମର ମିଶନ ଶକ୍ତି ଗୋଷ୍ଠୀ ଗୃହରେ ଆଶ୍ରୟ ନେଇଛନ୍ତି । ଆଜି ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ଓ ସ୍ଥାନୀୟ ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ ଏହି ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ସୁଖିଲା ଖାଦ୍ୟ ଯୋଗାଇ ଦେଇଛନ୍ତି । ଏତଦ୍ ଭିନ୍ନ ଏହି ଗ୍ରାମର ଡମ୍ବରୁଧର ମାଝି,ପ୍ରଶାନ୍ତ ମାଝି,କୋଇଲି ମାଝି,ଭରତ ଜେନା,ପାନବଦୀ ଗ୍ରାମର ଗୟାଧର ଜେନା ଓ ନିମାପଡ଼ାର ଉମାକାନ୍ତ ରାଉଳ ଏବଂ ଶ୍ରୀରାମ ପଣ୍ଡାଙ୍କ ଘର ଭାଙ୍ଗି ଥିବା ଜଣାପଡିଛି ।

କାଦବରାଙ୍ଗ ପଞ୍ଚାୟତ କାଦବରାଙ୍ଗ ଆଡିଆ ଭାୟା ବନ୍ତଳା ଗ୍ରାମ୍ୟ ଉନ୍ନୟନ ରାସ୍ତା ଉପରେ ଏବେ ମଧ୍ୟ ଦୁଇ ଫୁଟ ଉଚ୍ଚତାରେ ଜଳ ପ୍ରଭାହିତ ହେଉଛି । ବନ୍ତଳା ଠାରେ ଥିବା ଘୋସରାଟି ସଂପୂର୍ଣ୍ଣ ବୁଡିଯିବାରୁ କୁସୁନପୁର,ବନ୍ତଳା,ଏରେଣ୍ଡେଇ,ବାଙ୍କତିରା,ଭଗାରାମ,ତୁମ୍ବାପଦୀ ଅଦି ଗ୍ରାମର ଲୋକେ ଏହି ରାସ୍ତା ଦେଇ ଯିବା ଆସିବାରେ ବହୁ ଅସୁବିଧା ଭୋଗ କରୁଛନ୍ତି । ସେହିପରି ବଡ଼ବର୍ଚ୍ଚିକୟାଁ ପଞ୍ଚାୟତର ଆପ୍ତିରା ଷଡଙ୍ଗୀ ୟୁଜିଏମଇ ସ୍କୁଲରୁ ଷଡଙ୍ଗୀ ରାସ୍ତା ଏବଂ ଜେନା ସାହି ଆଖ ପାଖ ଅଞ୍ଚଳ ଜଳମଗ୍ନ ହୋଇଛି । ଏଥିରେ ପାଞ୍ଚ ଗୋଟି ପରିବାର ପ୍ରଭାବିତ ହୋଇ ଆପ୍ତିରା ସ୍କୁଲରେ ରହିଥିବା ବେଳେ ପଞ୍ଚାୟତ ପକ୍ଷରୁ ସରପଞ୍ଚ ପୁଷ୍ପାଞ୍ଜଳି ସ୍ୱାଇଁ ଓ ସମିତି ସଭ୍ୟ ସନ୍ତୋଷ ପହି,ନିର୍ବାହି ଅଧିକାରୀ ସଂଗୀତା ରାଣୀ ପାଣିଗ୍ରାହୀ ସୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି । ଏହି ପଞ୍ଚାୟତ ରାଉତ୍ରାଗଢିଆ ଗ୍ରାମର କାଶୀନାଥ ପାଳଙ୍କ ଘର ଉପରେ ବିରାଟକାୟ ଗଛ ଉପୁଡି ପଡିବାରୁ ବ୍ୟାପକ କ୍ଷତି ଘଟିଛି । ବଡମହିଁଷଗୋଠ ପଞ୍ଚାୟତର ମହିଁଷଗୋଠ ଗ୍ରାମରେ ବର୍ଷା ଜଳ ନିଷ୍କାସନ ନହେବାରୁ ପ୍ରଶାସନ ଉପସ୍ଥିତିରେ କିଆଁଶମଡିଆ କାଉପୁର ଭାୟା ଅଣିଜୋ ଗ୍ରାମ ଉନ୍ନୟନ ରାସ୍ତାକୁ କଟାଯାଇ ମରାମତି କରାଯାଇଛି । ବ୍ଲକ ପ୍ରଶାସନ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀ,ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ,ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ ଏହି ବ୍ଲକର ଦୋଳପଦି,ନରସିଂହପୁର,ପଧାନପଡା,ଆପଣ୍ଡା,ରାମଚନ୍ଦ୍ରପୁର,ବଡମହିଁଷଗୋଠ ଆଦି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହିତ ଲୋକ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରୁଛନ୍ତି । ମୋଟାମୋଟି ଭାବେ ବର୍ଷାଜଳ ନିଷ୍କାସନ ପାଇଁ ବିଭିନ୍ନ ସ୍ଥାନରେ ରାସ୍ତା କଟା ଯାଇଥିବା କେତେକ ସ୍ଥାନରେ ପବନରେ ଗଛ ଉପୁଡ଼ି ପଡ଼ି ଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ପ୍ରଶାସନ ସ୍ଥିତିକୁ ସ୍ୱାଭାବିକ କରିବା ନେଇ ବ୍ୟବସ୍ତା କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.