Home ଓଡ଼ିଶା ଲଗାଣ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ କୃଷିମନ୍ତ୍ରୀ ପଦକ୍ଷେପ ନେବାକୁ ଦାବି :...

ଲଗାଣ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ କୃଷିମନ୍ତ୍ରୀ ପଦକ୍ଷେପ ନେବାକୁ ଦାବି : ସମାଜବାଦୀ ପାର୍ଟି

287

ଭୁବନେଶ୍ୱର, ତା ୨୫ା୧୦ (ଓଡ଼ିଆ ପୁଅ) : ବିଗତ ୩ଦିନ ଧରି ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଦକ୍ଷିଣ, ଉପକୂଳ ଓ ଉତ୍ତରାଞ୍ଚଳ ଜିଲ୍ଲାଗୁଡ଼ିକ ଜଳମଗ୍ନ ହୋଇଯାଇଛି। ଏହି ବର୍ଷା ଫଳରେ ଧାନ ଜମି ସବୁ ଜଳମଗ୍ନ ହେବା ସହିତ ଚାଷୀ ନିଜ ଜମିରେ ଲଗାଇଥିବା ଶୀତଦିନିଆ ପନିପରିବା ଫସଲ ଉଜୁଡି ଯାଇଛି। କୋବି, ବାଇଗଣ, ପୋଟଳ, ବିଲାତି, ବିନ୍, ମୂଳା, ଭେଣ୍ଡି, ବନ୍ଧାକୋବି ପ୍ରଭୃତି ଶୀତିଦିନିଆ ପରିବା ଚାରା ପଚିବାରେ ଲାଗିଲାଣି। ଧାନ ଜମିରେ ପାଣି ଜମି ରହିଥିବା ଯୋଗୁଁ ଧାନ ମଧ୍ୟ ଥୋଡ ବାହରିବାକୁ ଥିବା ଧାନ ଉଜୁଡ଼ିଯିବ। ବହୁ କଷ୍ଟକରି ବ୍ୟାଙ୍କରୁ ଋଣ ଆଣି ଓ ହାତ ଉଦ୍ଧାର କରି ଚାଷୀ ବହୁ କଷ୍ଟରେ ଚାଷ କରିଥିଲା। ଅବସ୍ଥା ଯାହା ହୋଇଛି ମଜୁରୀ, ସାରମୂଲ୍ୟ ବୃଦ୍ଧି ଯୋଗୁଁ ଚାଷୀର ଅଣ୍ଟାହାଡ଼ ଭାଙ୍ଗି ଯାଇଛି। ତା’ସାଙ୍ଗକୁ ପ୍ରକୃତିର ଦାଉ ଓ ଲଗାଣ ବର୍ଷା ଫସଲକୁ ଧ୍ୱଂସ କରିଦେଇଛି। କେମିତି ଋଣ ସୁଝିବ ହିଡ଼ ମୁଣ୍ଡରେ ହାତ ଦେଇ ଚାଷୀ ଚିନ୍ତା କରୁଛି। ସରକାର ତୁରନ୍ତ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସଭାପତି ରବି ବେହେରା ଦାବି କରିଛନ୍ତି। ଏହି ଲଗାଣ ବର୍ଷା ପରେ ଯେଉଁ କିଛି ଧାନ ଓ ପନିପରିବା ବଞ୍ଚି ରହିବ ସେଥିରେ ମଧ୍ୟ ରୋଗପୋକ ଲାଗିବାର ଆଶଙ୍କା ଦେଖାଦେଇଛି। ଲଘୁଚାପ ପୂର୍ବରୁ ମଧ୍ୟ ଗଞ୍ଜାମ, ନୂଆପଡ଼ା ସମେତ ଅନ୍ୟାନ୍ୟ ଜିଲ୍ଲାରେ ଧାନ ଫସଲରେ ଚକଡ଼ା ପୋକ, ଜଉପୋକ ଓ ଗଣ୍ଠିପୋକ ଲାଗି ଧାନ ନଷ୍ଟ ହେବାର ଅଭିଯୋଗ ଚାଷୀମାନେ କରିଥିଲେ। ଲଗାଣ ବର୍ଷା ପରେ ରୋଗପୋକର ଦାଉ ଆହୁରି ସାଙ୍ଘାତିକ ହେବ। ରାଜ୍ୟ କୃଷି ବିଭାଗ ତୁରନ୍ତ ବିଭିନ୍ନ ଜିଲ୍ଲାକୁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ପଠାଇ କ୍ଷୟକ୍ଷତିର ଆକଳନ କରିବା ସହିତ ରୋଗପୋକ ଦାଉରୁ ବଞ୍ଚିଥିବା ଫସଲକୁ କିଭଳି ରକ୍ଷା କରାଯାଇପାରିବ ସେ ଦିଗରେ ପ୍ରତିଶେଧକମୂଳକ ବ୍ୟବସ୍ଥାହ ଗ୍ରହଣ କରିବା ଉଚିତ୍। ବ୍ୟକ୍ତିଗତ ଭାବରେ କୃଷିମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି। ସରକାର ଯଦି ଚାଷୀଙ୍କୁ କ୍ଷତିପୂରଣ ଦେବାରେ ବିଳମ୍ବ କରନ୍ତି ତାହେଲେ ଚାଷୀ ଦାଦନ ଖଟିବାକୁ ଯିବା ବ୍ୟତୀତ କିମ୍ବା ଆତ୍ମହତ୍ୟା କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ। ତେଣୁ ଏ ଦିଗରେ ତକ୍ରାଳ ପଦକ୍ଷେପ ନେବାପାଇଁ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.