Home ଓଡ଼ିଶା ଲକଡାଉନ ଥିବା ବେଳେ ପୁରୀ ସହର ବେଶ ଚଳଚଂଚଳ ରହିଛି

ଲକଡାଉନ ଥିବା ବେଳେ ପୁରୀ ସହର ବେଶ ଚଳଚଂଚଳ ରହିଛି

296

ପୁରୀ, ୨୭/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆଜି ସହରରେ ଲକଡାଉନ ବ୍ୟବସ୍ଥା ପୂର୍ବପରି ଜାରି ରହିଥିଲେ ସୁଦ୍ଧା ବିଭିନ୍ନ ରାସ୍ତାରେ ବିପୁଳ ସଂଖ୍ୟାରେ ଲୋକମାନେ ବାଇକ ନେଇ ଚଳପ୍ରଚଳ କରୁଥିବା ଦେଖାଯାଇଥିଲା। ସେହିପରି ଅତ୍ୟାବଶ୍ୟକ ସଂସ୍ଥା ଓ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସବୁ ପ୍ରକାର ଦୋକାନ ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଥିଲେ ମଧ୍ୟ ଆଜି ବିଭିନ୍ନ ପ୍ରକାର ଦୋକାନ ବଜାର ଖୋଲା ରହିଥିବା ଦେଖାଯାଇଥିଲା। ଦୋକାନ ସମ୍ମୁଖରେ ସାମାଜିକ ଦୂରତା ରଖି ବ୍ୟବସାୟ କରିବା ପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର ଲୋକମାନଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ମାର୍କେଟ ଅଂଚଳ, ବଡଶଙ୍ଖ, ରେଡକ୍ରସ ରୋଡ, ମୋଚିସାହି ଓ ଅନ୍ୟାନ୍ୟ ସ୍ଥାନଗୁଡିକରେ ଥିବା ଛୋଟବଡ ବ୍ୟବସାୟ ପ୍ରତିଷ୍ଠାନ, ଠେଲାଗାଡି ଓ ରାସ୍ତାକଡରେ ପସରା ମେଲାଇ ବସିଥିବା ବ୍ୟବସାୟମାନଙ୍କ ଦୋକାନ ସମ୍ମୁଖରେ ସମଦୂରତା ରହୁନଥିବା ଦେଖାଯାଇଥିଲା। ଏକାଧିକ ଲୋକ ଏକ ସମୟରେ ବ୍ୟବସାୟ ପ୍ରତିଷ୍ଠାନ ଆଗରେ ଛିଡା ହୋଇ ଜିନିଷପତ୍ର କିଣୁଥିବା ମଧ୍ୟ ଦୃଷ୍ଟି ଗୋଚର ହେଉଥିଲା। ଯେପରିକି ଲକଡାଉନ ବ୍ୟବସ୍ଥା ନଥିବା ଭଳି ମନେ କରାଯାଉଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବଲବନ୍ତ ସିଂ ସ୍ପଷ୍ଟ କରିଛନ୍ତି ଲକଡାଉନ ନ ଉଠିବା ପର୍ଯ୍ୟନ୍ତ ନିତ୍ୟାନ୍ତ ଆବଶ୍ୟକତା ନଥିବା ଦୋକାନଗୁଡିକ ବନ୍ଦ ରହିବ। ଏଥି ନିମନ୍ତେ ସେ ଜିଲ୍ଲା ବାସୀଙ୍କ ସହଯୋଗ ଲୋଡିଛନ୍ତି। କେତେ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ଦୋକାନଗୁଡିକ ଖୋଲିବା ସଂପର୍କିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିୟମାବଳୀ ଜାରି କରାଯାଇଥିଲେ ସୁଦ୍ଧା ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଆଗରେ ରଖି ଏଭଳି ନିଷ୍ପତି ନିଆଯାଇଛି। ମାସାଧିକ ଧରି ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ ବନ୍ଦଠାରୁ ଆରମ୍ଭ କରି ହୋଟେଲରୁ ପର୍ଯ୍ୟଟକମାନଙ୍କୁ ଖାଲି କରିବା ଏବଂ ଜାତୀୟ ରାଜପଥରେ କୌଣସି ଯାନବାହାନ ଚଳାଚଳ ନକରିବା ନିମନ୍ତେ ଜାରି କଟକଣାକୁ ସହୃଦୟତାର ସହ ପାଳନ କରିଥିବାରୁ ଜିଲ୍ଲବାସୀଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି। କେବଳ ଆବଶ୍ୟକ ଥିଲେ ବାହାରକୁ ମାକ୍ସ ପିନ୍ଧି ବାହରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.