Home Top News ରେଳ ଦୁର୍ଘଟଣା : ମୃତକଙ୍କ ସଂଖ୍ୟା ୨୩୩ କୁ ବୃଦ୍ଧି, ୯୦୦ ଆହତ

ରେଳ ଦୁର୍ଘଟଣା : ମୃତକଙ୍କ ସଂଖ୍ୟା ୨୩୩ କୁ ବୃଦ୍ଧି, ୯୦୦ ଆହତ

82

ଭୁବନେଶ୍ୱର, ଜୁନ୍ ୩ (ଓଡ଼ିଆ ପୁଅ) : ଓଡିଶାର ବାଲେଶ୍ୱର ଜିଲ୍ଲାର ବାହାନଗା ନିକଟରେ ଏକ ଭୟଙ୍କର ଏବଂ ବଡ଼ ରେଳ ଦୁର୍ଘଟଣା ଗତକାଲି ସଂଧ୍ୟାରେ ଘଟିଛି। ଏକ ସାଙ୍ଗରେ ତିନିଟି ଟ୍ରେନ୍ ଧକ୍କା ହେବା ଫଳରେ ଏ ପର୍ଯ୍ୟନ୍ତ ୨୩୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏତଦ୍‌ ବ୍ୟତୀତ ୯୦୦ ରୁ ଅଧିକ ଆହତ ହୋଇଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ।

ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟୁଇଟ୍ କରି କହିଛନ୍ତିଯେ, ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୩୩ କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟଯେ, ୧୨୮୬୪ ବେଙ୍ଗାଲୁରୁ-ହାଭଡ଼ା ସୁପରଫାଷ୍ଟ ଏକ୍ସପ୍ରେସ ଏବଂ ୧୨୮୪୧ ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସର କୋଚଗୁଡିକ ରେଳ ଧାରଣାରୁ ବିଚ୍ୟୁତ ହୋଇ ଏହି ଏଣେତେଣେ ପଡ଼ିଥିବାର ଦୃଶ୍ୟମାନ ହୋଇଛି।

ଗ୍ୟାସ କଟର ସହାୟତାରେ ମୃତଦେହ ଗୁଡ଼ିକୁ କୋଚ୍ ତଳୁ ବାହାର କରାଯାଇଥିଲା। ଦୁର୍ଘଟଣା ସ୍ଥଳରେ ୧୨୦୦ ଉଦ୍ଧାରକାରୀ କର୍ମଚାରୀଙ୍କ ବ୍ୟତୀତ ୧୧୫ ଆମ୍ବୁଲାନ୍ସ, ୫୦ ବସ୍ ଏବଂ ୪୫ ଟି ମୋବାଇଲ୍ ସ୍ୱାସ୍ଥ୍ୟ ୟୁନିଟ୍ କାର୍ଯ୍ୟ କରୁଛି।

ଏହି ବଡ଼ ଟ୍ରେନ୍ ଦୁର୍ଘଟଣା ପରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ରାଜ୍ୟରେ ଏକ ଦିନିଆ ଶୋକ ଘୋଷଣା କରିଛନ୍ତି।

ଭୁବନେଶ୍ୱର AIIMS ସମେତ ନିକଟସ୍ଥ ଜିଲ୍ଲାଗୁଡିକରେ ସମସ୍ତ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାଗୁଡ଼ିକୁ ସତର୍କ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ବାୟୁସେନାକୁ ମଧ୍ୟ ନିୟୋଜିତ କରାଯାଇଛି।

ଅପରପକ୍ଷରେ ଆହତମାନଙ୍କୁ ସାହାଯ୍ୟ କରିବା ପାଇଁ ଗତକଲି ରାତିରେ ବାଲେଶ୍ୱର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୨, ୦୦୦ ରୁ ଅଧିକ ଲୋକ ଏକତ୍ରିତ ହୋଇ ରକ୍ତ ମଧ୍ୟ ଦାନ କରିଥିବା ଜଣା ପଡ଼ିଛି।

ରେଳବାଇ ପକ୍ଷରୁ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଥିବା ବେଳେ, ଗୁରୁତର ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ୫୦, ୦୦୦ ଟଙ୍କା ଘୋଷଣା କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ)ରୁ ମୃତଙ୍କ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦, ୦୦୦ ଟଙ୍କାର ଅତିରିକ୍ତ ସହାୟତା ରାଶି ଘୋଷଣା କରିଛନ୍ତି।

ଓଡିଶା ସରକାରଙ୍କ ତରଫରୁ ୦୬୭୮୨-୨୬୨୨୮୬ ହେଲ୍ପଲାଇନ ନମ୍ୱର ଜାରି କରାଯାଇଛି। ଏତଦ୍‌ ବ୍ୟତୀତ ରେଳବାଇ ହେଲ୍ପଲାଇନଗୁଡ଼ିକ ହେଉଛି ୦୩୩-୨୬୩୮୨୨୧୭ (ହାୱଡ଼ା), ୮୯୭୨୦୭୩୯୨୫ (ଖଡ଼ଗପୁର), ୮୨୪୯୫୯୧୫୫୯ (ବାଲେଶ୍ୱର) ଏବଂ ୦୪୪- ୨୫୩୩୦୯୫୨ (ଚେନ୍ନାଇ)।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.