Home ଜିଲ୍ଲା ପରିକ୍ରମା ରାସ୍ତା ନିର୍ମାଣରେ ଅନିୟମିତତା ; ୬ ମାସ ଗଲାନି ୪୦ ଲକ୍ଷ ଟଙ୍କାର ରାସ୍ତା

ରାସ୍ତା ନିର୍ମାଣରେ ଅନିୟମିତତା ; ୬ ମାସ ଗଲାନି ୪୦ ଲକ୍ଷ ଟଙ୍କାର ରାସ୍ତା

40

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାସ୍ତା ନିର୍ମାଣରେ ମହାଦୁର୍ନୀତି । ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଂକ୍ରିଟ୍ ରାସ୍ତା ୬ ମାସ ମଧ୍ୟ ଗଲାନି । ରାସ୍ତା ନିର୍ମାଣ ସରୁ ସରୁ ରାସ୍ତା ଫାଟି ଆଁ କରିଥିବା ବେଳେ ରାସ୍ତାର ଅଧିକାଂଶ ସ୍ଥାନରେ କଂକ୍ରିଟ୍ ଉଠି ରାସ୍ତା ଖାଲଖମା ହୋଇପଡିଲାଣି । ଭଦ୍ରକ ଆରଏମ୍‌ସି ଅଧୀନରେ ଥିବା ଆରଏମ୍‌ସି ବଜାର ଠାରୁ ଚନ୍ଦନ ବଜାରକୁ ସଂଯୋଗ କରୁଥିବା ପ୍ରାୟ ୮ ଶହ ମିଟର ରାସ୍ତାର ଏହି ଅବସ୍ଥା । ରାସ୍ତା କାମରେ ଅତ୍ୟଧିକ ପିସି କାରବାର ଏବଂ ନିମ୍ନମାନର କାମ ଯୋଗୁଁ ଏହି ଅବସ୍ଥା ସୃଷ୍ଟି ହୋଇଥିବା କୁହାଯାଇଛି । କେବଳ ସେତିକି ନୁହେଁ ରାସ୍ତା ଅବସ୍ଥା ଖରାପ ହୋଇଯିବାରୁ ରାସ୍ତା ନିର୍ମାଣ ସହିତ ସାଂସଦଙ୍କ ହାତପାଣ୍ଠି ଅର୍ଥରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଏହି ରାସ୍ତାର ଆଲୋକୀକରଣ ମଧ୍ୟ ବେକାର ସାବ୍ୟସ୍ତ ହୋଇଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭଦ୍ରକ ଆରଏମ୍‌ସି ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ରାସ୍ତା ନିର୍ମାଣ ଲାଗି ଟେଣ୍ଡର ଗ୍ରହଣ କରାଯାଇଥିଲା । ପ୍ରାୟ ୪୦ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ରାସ୍ତାକୁ ପଡୋଶୀ କେନ୍ଦୁଝର ଜିଲାର ଜନୈକ ଠିକାଦାର ପ୍ରାୟ ୬ ଲକ୍ଷ ଟଙ୍କା ଲେସ୍‌ରେ ଅର୍ଥାତ୍ ପ୍ରାୟ ୩୪ ଲକ୍ଷ ଟଙ୍କାରେ ନିର୍ମାଣ କରିବାକୁ ଟେଣ୍ଡର ଧରିଥିଲେ । ଟେଣ୍ଡର ଚୁକ୍ତିନାମା ଅନୁଯାୟୀ ଏହି ରାସ୍ତା କାମ ୧୯.୧୦.୨୦ ରିଖରେ ଆରମ୍ଭ ହୋଇ ଡିସେମ୍ବର ମାସରେ ପୂର୍ଣ୍ଣାଙ୍ଗ ହୋଇଥିଲା । ରାସ୍ତା ପୂର୍ଣ୍ଣାଙ୍ଗ ହେଉ ହେଉ ଗତ ୨୭.୧୨.୨୦ ରିଖରେ ଭଦ୍ରକ ସାଂସଦଙ୍କ ହାତପାଣ୍ଠି ଅର୍ଥରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତାର ଆଲୋକୀକରଣ କରାଯାଇଥିଲା । ଭଦ୍ରକ ସଂସଦୀୟ କ୍ଷେତ୍ରରେ ଆଜିର ଦିନରେ ମଧ୍ୟ ଏମିତି ଅନେକ ଗାଁ ରହିଛି, ଯେଉଁଠି ଲୋକେ ବିଜୁଳି ଦେଖିନାହାଁନ୍ତି । ସେହିଭଳି ଅନୁନ୍ନତ ଅଂଚଳକୁ ଅଣଦେଖା କରି ବିତଶାଳୀ ଭଦ୍ରକ ଆରଏମ୍‌ସି ରାସ୍ତାକୁ ସାଂସଦଙ୍କ ହାତପାଣ୍ଠି ଅର୍ଥରେ ଆଲୋକୀକରଣ କରାଯିବାର ପ୍ରାସଙ୍ଗିକତାକୁ ନେଇ ପ୍ରଶ୍ନବାଚୀ ଦେଖାଦେଇଥିଲା ।

ଏହି ଆଲୋକୀକରଣ ପଛରେ ଜନତାଙ୍କ ସ୍ୱାର୍ଥ ଅପେକ୍ଷା ରାଜନୈତିକ ସ୍ୱାର୍ଥ ନିହିତ ଥିଲା ବୋଲି କୁହାଯାଇଛି । ତେବେ ରାସ୍ତା ନିର୍ମାଣ ଏବଂ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗରେ ରାସ୍ତା ଆଲୋକୀକରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ରାସ୍ତା ଲୋକଙ୍କ ସେବାରେ ଉତ୍ସର୍ଗୀକୃତ ହେବାର ମାତ୍ର ୬ ମାସ ନପୂରୁଣୁ ରାସ୍ତା ଅବସ୍ଥା ଧୀରେ ଧୀରେ ଶୋଚନୀୟ ହୋଇପଡିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସମାଜସେବୀ ସେକ୍ ତାଜ ଅହମ୍ମଦ କହିଛନ୍ତି ଯେ ନିମ୍ନମାନର କାମ ଏବଂ ରାସ୍ତା ନିର୍ମାଣରେ ଅତ୍ୟଧିକ ପିସି କାରବାର ଯୋଗୁଁ ରାସ୍ତାର ଏହି ଦୂରାବସ୍ଥା ହୋଇଛି । ପ୍ରବଳ ପିସି କାରବାର ଏବଂ ଲେସ୍ ଟେଣ୍ଡର କାମ ଯୋଗୁଁ ଠିକାଦାର ଅତ୍ୟନ୍ତ ନିମ୍ନମାନର କାମ କରି ବିଲ୍ ଉଠାଇ ନେଇଯିବାବେଳେ ଆରଏମ୍‌ସି କର୍ତ୍ତୃପକ୍ଷ ତାକୁ ଆଖି ବୁଜି ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଆର,ମ୍‌ସି ଭାରପ୍ରାପ୍ତ ସଂପାଦକ ତଥା ଭଦ୍ରକ ଏଆରସିଏସ୍ ବିକାଶ ନାୟକଙ୍କୁ ପଚାରିବାରୁ ସେ କହିଥିଲେ ଯେ, ନିମ୍ନମାନର କାମ ଯୋଗୁଁ ନୁହେଁ ପରନ୍ତୁ ଏହି ରାସ୍ତା ଉପରେ କ୍ଷମତା ବାହାରେ ଅତ୍ୟଧିକ ଭାରିଯାନ ଯାତାୟତ କରିବା ଯୋଗୁଁ ରାସ୍ତା ଖରାପ ହୋଇଛି । ଏଥିସକାଶେ ଏହି ଅଂଚଳର କିଛି ମୁଷ୍ଟିମେୟ ବ୍ୟବସାୟୀଙ୍କୁ ସେ ପରୋକ୍ଷରେ ଦାୟୀ କରିଛନ୍ତି । ତେବେ ଏହି ରାସ୍ତାରେ ଭାରୀଯାନ ଚଳାଚଳ ଉପରେ ରୋକ୍ ଲଗାଇବା ଲାଗି ଆମେ ଏଠାରେ ଏକ ଗେଟ୍ ନିର୍ମାଣ ଆରମ୍ଭ କରିଛୁ । ତା ଛଡା ଏହି ରାସ୍ତା ଆରଏମ୍‌ସିର ବ୍ୟକ୍ତିଗତ ରାସ୍ତା ହୋଇଥିବା ଏବଂ ଏହି ରାସ୍ତାରେ ଚଳାଚଳ କରିବାକୁ କାହା ସହିତ କୌଣସି ଚୁକ୍ତିନାମା ହୋଇନଥିବା ସ୍ଥଳେ କେଉଁ ପରିସ୍ଥିତିରେ ଟାଉନ୍ ପ୍ଲାନିଂ ଏବଂ ପୌରପାଳିକା ଏହି ରାସ୍ତାକୁ ଦେଖାଇ ଗୃହ ନିର୍ମାଣ ପାଇଁ ଅନୁମୋଦନ କରୁଛନ୍ତି, ତାହା ବିସ୍ମୟ ଜନକ ମନେହୁଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.