Home ଜିଲ୍ଲା ପରିକ୍ରମା କୋମାରେ ବିଦ୍ୟୁତ୍ ସେବା ; ମନଇଚ୍ଛା ପାୱାର କଟ୍

କୋମାରେ ବିଦ୍ୟୁତ୍ ସେବା ; ମନଇଚ୍ଛା ପାୱାର କଟ୍

66

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିମ୍ନମାନର ବିଦ୍ୟୁତ୍ ସେବାକୁ ନେଇ ତେଜିବାରେ ଲାଗିଛି ଜନ ଅସନ୍ତୋଷ । ଭଦ୍ରକ ପୌରାଞ୍ଚଳରେ ଘନଘନ ବିଦ୍ୟୁତ୍ କାଟ୍ ଚାଲିଛି । ପତ୍ର ହଲିଲେ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଯାଉଛି । ବିଦ୍ୟୁତ୍ କାଟ ସଂପର୍କରେ ଜାଣିବାକୁ ଫୋନ୍ କଲେ ମଧ୍ୟ ବିଭାଗୀୟ କନିଷ୍ଠ ଯନ୍ତ୍ରୀମାନେ ଫୋନ୍ ଉଠାଉନାହାଁନ୍ତି । ସେହିପରି ରକ୍ଷଣାବେକ୍ଷଣ ନାମରେ ଦୀର୍ଘ ସମୟ ଧରି ପାୱାର କଯ୍ ହେଉଛି । କିନ୍ତୁ ଏ ସଂପର୍କିତ ମେସେଜ୍ ଉପଭୋକ୍ତାଙ୍କ ପଂଜିକୃତ ମୋବାଇଲ୍ ଫୋନ୍‌କୁ ଆସୁନାହିଁ । ଫଳରେ ଉପଭୋକ୍ତାମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇ ଚାଲିଥିବାବେଳେ, ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ନୂତନ ବିଦ୍ୟୁତ୍ ବିତରଣ କଂପାନୀ ବର୍ତ୍ତମାନ ସମୟରେ ଉପଭୋକ୍ତାଙ୍କ ବିଶ୍ୱସନୀୟତା ହରାଇବାରେ ଲାଗିଛି । ଏବେ ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେବା ପରେ ଆଶା କରାଯାଉଥିଲା ଉପଭୋକ୍ତାଙ୍କୁ ଉତ୍ତମ ଗ୍ରାହକ ସେବା ମିଳିବ । କିନ୍ତୁ ଏହି କଂପାନୀ ଏବେ ଉପଭୋକ୍ତାଙ୍କୁ ନିରାଶ କରିଛି । ପ୍ରଥମତଃ ୟୁନିଟ୍ ପିଛା ୩୦ ପଇସା ଦର ବୃଦ୍ଧି ଘଟିଥିବାବେଳେ ନିୟମିତ ବିଦ୍ୟୁତ୍ କାଟ୍ ଜନ ଅସନ୍ତୋଷ ବଢାଇଛି । ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ । ଏହାସତ୍ୱେ ଜିଲାରେ ଚାଲିଛି ଅଘୋଷିତ ବିଦ୍ୟୁତ୍ କାଟ୍ । ମରାମତି ଓ ରକ୍ଷଣାବେକ୍ଷଣ ନାମରେ ଦୀର୍ଘ ସମୟ ଧରି ବିଦ୍ୟୁତ୍ କାଟ୍ ହେଉଛି । ସଂପୃକ୍ତ ବିତରଣକାରୀ ସଂସ୍ଥାର ଏପରି ମନମାନୀ ବିରୋଧରେ ତୀବ୍ର ଜନ ଅସନ୍ତୋଷ ରହୁଥିଲେ ମଧ୍ୟ ଜନସାଧାରଣଙ୍କ ଟିକସରେ ଇନଭର୍ଟର ଓ ଡିଜି ସେଟ୍ ଦ୍ୱାରା କୃତ୍ରିମ ବିଦ୍ୟୁତ୍ ସେବା ପାଉଥିବା ଜିଲାର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ଓ ରାଜନେତାମାନେ ସଂପୃକ୍ତ ସଂସ୍ଥାର ଜନବିରୋଧୀ କାର୍ଯ୍ରକଳାପ ପ୍ରତି ନିରବତା ଅବଲମ୍ବନ କରୁଛନ୍ତି । ପରୋକ୍ଷରେ ଏହା ନେସ୍କୋ କର୍ତ୍ତୃପକ୍ଷଙ୍କ ସ୍ୱେଚ୍ଛାଚାରିତାକୁ ପ୍ରୋତ୍ସାହିତ କରୁଛି ବୋଲି କୁହାଯାଉଛି । ତେବେ ବିଭାଗୀୟ ସୂଚନା ଅନୁଯାୟୀ ଭଦ୍ରକରେ ରହିଛନ୍ତି ୧ ଲକ୍ଷ ୮୪ ହଜାର ଉପଭୋକ୍ତା । କଂପାନୀର ନର୍ଥ ଡିଭିଜନ୍‌ରେ ୧ ଲକ୍ଷ ୩୯ ହଜାର ଓ ସାଉଥ୍ ଡିଭିଜନରେ ୪୫ ହଜାର ଉପଭୋକ୍ତା ରହିଛନ୍ତି । ଏ ସମସ୍ତ ଉପଭୋକ୍ତାଙ୍କ ମଧ୍ୟରୁ ୬୦ ପ୍ରତିଶତ ନିଜର ବିଦ୍ୟୁତ୍ ଦେୟ ଠିକ୍ ସମୟରେ ଦେଇ ଚାଲିଛନ୍ତି । ଏହା ସତ୍ୱେ ଉପଭୋକ୍ତାଙ୍କ ଉପରେ ବାକି ପଡିଛି ଶତାଧିକ କୋଟିର ବୁିଦ୍ୟତ୍ ବିଲ୍ । ଏହାବ୍ୟତୀତ ବ୍ୟାପକ ପରିମାଣର ବିଦ୍ୟୁତ୍ ଚୋରି ହେଉଛି ବୋଲି ମଧ୍ୟ କଂପାନୀ ପକ୍ଷରୁ କୁହାଯାଉଛି । ଏହି ଖିଲାପକାରୀଙ୍କ ବିରୁଦ୍ଧରେ କଂପାନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଦେୟରେ ଆଦୌ ଖିଲାପ କରୁନଥିବା ଉପଭୋକ୍ତାଙ୍କୁ ଗୁଣାତ୍ମକ ସେବା ଯୋଗାଇଦେବା ଜରୁରୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.