Home ଜିଲ୍ଲା ପରିକ୍ରମା ରାମେଶ୍ୱର ସାହିତ୍ୟ ସଂସଦର ସ୍ୱତନ୍ତ୍ର ଆଲୋଚନା ଚକ୍ର

ରାମେଶ୍ୱର ସାହିତ୍ୟ ସଂସଦର ସ୍ୱତନ୍ତ୍ର ଆଲୋଚନା ଚକ୍ର

21

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ରାନ୍ଦିଆସ୍ଥିତ ରାମେଶ୍ୱର ସାହିତ୍ୟ ସଂସଦର ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ସ୍ଥାନୀୟ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଚିତ୍ତରଂଜନ ବରାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ କଥାକାର ପବିତ୍ର ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାମେଶ୍ୱର ସାହିତ୍ୟ ସଂସଦ ସହ ତାଙ୍କର ସୁଦୀର୍ଘ ସଂପର୍କ କିଭଳି ଗଭୀର ଓ ଆତ୍ମୀକ ତାହା କହିବା ସହିତ ‘ମନୋଜ ସାହିତ୍ୟ’ ଉପରେ ଏକ ତାତ୍ତ୍ୱିକ ଆଲୋଚନା କରିଥିଲେ । କୋଭିଡ୍‌-୧୯ ମହାମାରୀ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିବା ପରିପ୍ରେକ୍ଷୀରେ ଏହି ସଂସଦ ସରକାରଙ୍କ ଆଦେଶ ଅନୁସାରେ ଦୀର୍ଘ ୯ ମାସ କୌଣସି କାର୍ଯ୍ୟକ୍ରମ କରିବାରୁ ନିବୃତ୍ତ ରହିଥିଲା । ସରକାରଙ୍କ ସମସ୍ତ ନିୟମ ମାନି ଡିସେମ୍ବର ୨୦ ରେ ସାହିତ୍ୟ ସଂସଦ ମାତ୍ର ୧୮ ଜଣ ସଦସ୍ୟଙ୍କୁ ନେଇ ଦିବଂଗତ କୋଭିଡ୍ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ୧ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଏହି ସଦସ୍ୟମାନଙ୍କ ମଧ୍ୟରେ ସଭାପତି ବଳରାମ ପାଣିଗ୍ରାହୀ, ମୋହିନୀ ମୋହନ ମହାପାତ୍ର, ଦୁଃଶାସନ ଗାହାଣ ଓ ସପନ କୁମାର ଚାଟାର୍ଜୀ ସ୍ୱରଚିତ ପ୍ରବନ୍ଧ ଓ କବିତା ପାଠ କରିଥିଲେ । ପ୍ରଫେସର ଡ. ବଳରାମ ମିଶ୍ର ଉକ୍ତ କବିତା ଗୁଡିକର ସମୀକ୍ଷା କରିଥିଲେ । ଆମ ଭାଷା ଓ ସାହିତ୍ୟର ମୌଳିକତା ବଜାୟ ରଖିବା ପାଇଁ ପ୍ରତ୍ୟେକ ଓଡ଼ିଆ ଯତ୍ନବାନ ହେବା ପାଇଁ ଡ. ରାଇମୋହନ ମହାପାତ୍ର ଉପଦେଶ ଦେଇଥିଲେ । ଦେବୀଦତ୍ତ ଦୀକ୍ଷିତ୍‌, ଅଶୋକ ପ୍ରସାଦ ମହାନ୍ତି, ରାମଚନ୍ଦ୍ର ପଣ୍ଡା ପ୍ରମୁଖ ଆମ ଭାଷା ଓ ସାହିତ୍ୟର ସୁରକ୍ଷା ଦିଗରେ ସାହିତ୍ୟ ଅନୁଷ୍ଠାନ ମାନଙ୍କର ଗୁରୁତ୍ୱ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଉପଦେଷ୍ଟା ରତ୍ନାକର ମିଶ୍ର, ସଭ୍ୟ ଜୟନ୍ତ କୁମାର ମହାପାତ୍ର, କବି ଗୋପାଳ ଚରଣ ମୁଖୀ ସଭ୍ୟମାନଙ୍କର ଆଚରଣ, ଶୁଦ୍ଧ ଓ ସ୍ୱଚ୍ଛ ହେବା ଜରୁରୀ ବୋଲି ମତପ୍ରକାଶ କରିଥିଲେ । ଭାଗବତ ସଂଘର ଆଜୀବନ ସଦସ୍ୟ ଧର୍ମପ୍ରାଣ ଗଂଗାଧର ରାଉଳ, ଗୋକୁଳାନନ୍ଦ ରାଉତ ଓ କୃଷ୍ଣଚନ୍ଦ୍ର ରାଉଳ ଭକ୍ତ ଓ ଭଗବାନ ମଧ୍ୟରେ ଏକ ଭାଗବତ ମିଳନ ପାଇଁ ଭାଗବତ ପଠନର ଉପକାରିତା ଦର୍ଶାଇଥିଲେ । ପ୍ରମୁଖ ଉପଦେଷ୍ଟା ଦୁର୍ଯ୍ୟୋଧନ ଖୁଣ୍ଟିଆ ଯୁବମାନସର ପରିବର୍ତ୍ତନ କ୍ଷେତ୍ରରେ ଗ୍ରାମାଞ୍ଚଳ ସାହିତ୍ୟ ଅନୁଷ୍ଠାନ ଗୁଡିକର ଭୂମିକା ଅନନ୍ୟ ବୋଲି ମତପ୍ରକାଶ କରିଥିଲେ । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଭାବଗ୍ରାହୀ ଦାସ ସାହିତ୍ୟରେ ଲୁଚିଥିବା ତ୍ୟାଗ ଓ ତପସ୍ୟା କିଭଳି ନୂଆ ସମ୍ଭାବନା ସୃଷ୍ଟି କରେ, ତାହା ସୂଚାଇଥିଲେ । ଶେଷରେ ଆବାହକ ପ୍ରମୋଦ କୁମାର ସ୍ୱାଇଁ କରୋନାର ଭୟାବହତା ଦୃଷ୍ଟିରୁ ନିୟମିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇପାରିନଥିବା ପ୍ରକାଶ କରିବା ସହ ନୂତନ ବର୍ଷ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.