Home ଓଡ଼ିଶା ରାତି ୪ଟାରେ ଦ୍ୱାରଫିଟା, ଦିନ୧୨ଟା ସୁଦ୍ଧା ମିଳିବ ଅବଢା

ରାତି ୪ଟାରେ ଦ୍ୱାରଫିଟା, ଦିନ୧୨ଟା ସୁଦ୍ଧା ମିଳିବ ଅବଢା

148

ପୁରୀ, ୬/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଶ୍ରୀଜୀଉଙ୍କ କାର୍ତିକମାସ ନୀତି ନିର୍ଘଂଟ ପ୍ରସ୍ତୁତ କରାଯାଇଛି। ଶୁକ୍ରବାର ଛତିଶା ନିଯୋଗ ବୈଠକରେ ମୁଖ୍ୟ ପ୍ରଶାସକ ଡ଼ଃ କିଷନ କୁମାର ଅଧ୍ୟକ୍ଷତା କରିଥିଲେ। ଚଳିତମାସ ୯ ତାରିଖରୁ ଶ୍ରୀମନ୍ଦିରରେ କାର୍ତିକମାସ ନୀତି ଆରମ୍ଭ ହେବ। ଏହି ମାସରେ ଦାରୁବ୍ରହ୍ମଙ୍କୁ ରାଧାଦାମୋଦର ବେଶ ଓ ହରିହର ବେଶ ସମେତ ପଞ୍ଚୁକରେ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ, ହରିଦାପନ ନୀତି, ବାଙ୍କଚୂଡ଼ ବା ବାମନ ବେଶ, ଗରୁଡ଼ ଉଦାପନ ନୀତି, ତୀବ୍ରିକ୍ରମ ବେଶ ଏବଂ ଲକ୍ଷ୍ମୀନୃସିଂହ ବେଶ କରାଯିବ। କାର୍ତିକ ପୂଣ୍ଣିମାରେ ମହାପ୍ରଭୁ ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏହି ମାସରେ ମହାପ୍ରଭୁଙ୍କୁ ବାଳଧୂପ କରାଯିବାର ବିଧି ରହିଛି। ପ୍ରାୟ ୨ଲକ୍ଷ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ କାର୍ତିକବ୍ରତ ପାଳନ କରିବେ। ପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତ୍ୟହ ଲୋକଙ୍କ ଗହଳି ହେବ। ତେଣୁ ରାତି ୪ଟାରୁ ମନ୍ଦିରରଦ୍ୱାର ଫିଟାଯିବାକୁ ବୈଠକରେ ସ୍ଥିର କରାଯାଇଛି। ସକାଳ ୫ ଟାରେ ଶ୍ରୀଜୀଉଙ୍କ ମଙ୍ଗଳଆଳତୀ ଅନୁଷ୍ଠିତ ହେବ। ସକାଳ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ରାଧାଦାମୋଦର ବେଶ କରାଯିବ। ସକାଳ ୮ଟାରେ ଗୋପାଳ ବଲ୍ଲଭ, ୮ଟା ୩୦ରୁ ୯ଟାମଧ୍ୟରେ ସକାଳଧୂପ, ୧୦ଟାରୁ ୧୦ଟା ୩୦ ମଧ୍ୟରେ ବାଳଧୂପ ଏବଂ ଦିନ ୧୦ଟା ୧୦ରେ ଭୋଗମଣ୍ଡପ ଅନୁଷ୍ଠିତ ହେବ। କାର୍ତିକ ବ୍ରତଧାରୀମାନେ ଦିନ ୧୨ଟା ସୁଦ୍ଧା ଆନନ୍ଦ ବଜାରରେ ମହାପ୍ରସାଦ ପାଇବାରିବେ। ଦିନ ୧ଟାରୁ ୨ଟା ମଧ୍ୟରେ ଦ୍ୱିତୀୟ ଭୋଗମଣ୍ଡପ କରାଯିବ। ପ୍ରତ୍ୟହ ଦିନ ୩ଟାରୁ ୫ଟା ପର୍ଯ୍ୟନ୍ତ ପ୍ରଭୁଙ୍କୁ ଦିନ ପହୁଡ଼ କରାଯିବ। ୫ଟାରେ ପହୁଡ଼ ଦ୍ୱାର ଫିଟାଯାଇ ୬ଟାରେ ସନ୍ଧ୍ୟାଆଳତି କରାଯିବ। ରାତି ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ସନ୍ଧ୍ୟାଧୂପ କରାଯିବାକୁ ସ୍ଥିର ହୋଇଛି। ରାତି ୧୦ଟାରେ ଚନ୍ଦନଲାଗି, ୧୧ଟାରେ ବଡ଼ସିଂହାର ବେଶ, ୧୧ଟା୩୦ରେ ବଡ଼ସିଂହାର ଭୋଗ କରାଯାଇ ରାତି ୧୨ଟାରେ ପ୍ରଭୁଙ୍କୁ ପହୁଡ଼ କରାଯିବ। ଗର୍ଭଗୃହ ଦର୍ଶନ ବ୍ୟବସ୍ଥା ବନ୍ଦ ଥିବାରୁ ସାହାଣମେଲା କରାଯିବ ନାହିଁ।

ଭକ୍ତମାନେ ଭିତରକାଠ ଏବଂ ବାହାରକାଠ ପାଖରେ ଛିଡ଼ାହୋଇ ପ୍ରଭୁଙ୍କୁ ଦର୍ଶନ କରିବେ। ପଞ୍ଚୁକରେ ଭକ୍ତ ଗହଳି ବୃଦ୍ଧିପାଇବା ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଏହି ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ଏବଂ ଶୃଙ୍ଖଳିତ ଭାବେ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସେବକଙ୍କୁ ଅନୁରୋଧ କରାଯାଇଛି। ଜିଲାପାଳ ବଲୱନ୍ତ ସିଂହ .ସପି ଡ଼ଃ ଉମାଶଙ୍କର ଦାଶଙ୍କ ସମେତ କେତେକ ବରିଷ୍ଠ ସେବକ ବୈଠକରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.