Home ଜିଲ୍ଲା ପରିକ୍ରମା ରାଜ୍ୟ ବିହନ ନିଗମ ଉପରେ ବହୁ ଲକ୍ଷ ଟଙ୍କା ବାକି, ସରକାରୀ ବିହନ ଉଠାଇବାକୁ ସୋସାଇଟି...

ରାଜ୍ୟ ବିହନ ନିଗମ ଉପରେ ବହୁ ଲକ୍ଷ ଟଙ୍କା ବାକି, ସରକାରୀ ବିହନ ଉଠାଇବାକୁ ସୋସାଇଟି ନାରାଜ

116

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କମିଶନ ବାବଦକୁ ଓଡ଼ିଶା ରାଜ୍ୟ ବିହନ ନିଗମ ଉପରେ ସୋସାଇଟିର ଲକ୍ଷ ଲକ୍ଷ ଟଙ୍କା ବାକି ପଡିଛି । ଯାହାକୁ ନେଇ ଜିଲାରେ ସରକାରୀ ବିହନ ବିକ୍ରି କରୁଥିବା ଅଧିକାଂଶ ସେବା ସମବାୟ ସମିତି ସରକାରୀ ବିହନ ଉଠାଇବାକୁ ନାରାଜ । କେବଳ ବିହନ ବିକ୍ରି କମିଶନ ଅର୍ଥ ନୁହେଁ ତୃଟିପୂର୍ଣ୍ଣ ବିହନ ଓଏସ୍‌ଏସ୍‌ସିଙ୍କୁ ଫେରସ୍ତ କରି ମଧ୍ୟ ବର୍ଷ ବର୍ଷ ଧରି ସେମାନଙ୍କୁ ଏହାର ପ୍ରାପ୍ୟ ମିଳୁନାହିଁ । ଫଳରେ ଜିଲାରେ ସରକାରୀ ବିହନ ବିକ୍ରି କରିବାକୁ ଅଧିକାଂଶ ସେବା ସମବାୟ ସମିତି ପ୍ରତ୍ୟାଖାନ କରିଦେଇଛନ୍ତି । କେବଳ ଯେ ବକେୟା ପ୍ରାପ୍ୟକୁ ନେଇ ସେବା ସମବାୟ ସମିତି ଗୁଡିକ ଓଏସ୍‌ଏସ୍‌ସି ଉପରେ କ୍ଷୁବ୍ଧ ହୋଇଛନ୍ତି ତା ନୁହେଁ ଓଏସ୍‌ଏସ୍‌ସି ଦ୍ୱାରା ଚାଷୀଙ୍କୁ ଯୋଗାଇ ଦିଆଯାଉଥିବା ବିହନର ମାନକୁ ନେଇ ମଧ୍ୟ ଅନେକ ଆପତ୍ତି ଉଠାଇଛନ୍ତି । ବିଭିନ୍ନ ସେବା ସମାବୟ ସମିତିି କାର୍ଯ୍ୟକର୍ତ୍ତାମାନେ କହିଛନ୍ତି ଯେ ଅନେକ ସମୟରେ ଓଏସ୍‌ଏସ୍‌ସି ଯୋଗାଇ ଦେଉଥିବା ବିହନ ଗଜା ହେଉନଥିବାବେଳେ ଅମଳ ମଧ୍ୟ ଆଶାନୁରୂପ ହେଉନାହିଁ । କେବଳ ସେତିକି ନୁହେଁ ପ୍ରାମାଣିକ ବିହନ ନାଁରେ ଓଏସ୍‌ଏସ୍‌ସି ଯୋଗାଇ ଦେଉଥିବା ବିହନ ବସ୍ତାରେ ବେଳେ ବେଳେ ୧୦ ରୁ ୨୦ ପ୍ରତିଶତ ଅଗାଡି ଏବଂ ଧୂଳିବାଲି ବାହାରୁଛି । ସେହିଭଳି ଚାଷୀ ଫାଉଣ୍ଡେସନ ବିହନ ଚାହୁଁଥିଲେ ମଧ୍ୟ ଓଏସ୍‌ଏସ୍‌ସି ତାହା ନଦେଇ କେବଳ ପ୍ରାମାଣିକ ବିହନ ଯୋଗାଉଛନ୍ତି । ଯାହାକି ଚାଷୀଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରୁନାହିଁ । ଭଦ୍ରକ ଜିଲାରେ ଏବେ ସରକାରୀ ଭାବେ ୧୦୮ ଟି ସେବା ସମବାୟ ସମିତି ରହିଥିବା ସତ୍ୱେ ସେଥିରୁ ମାହତ୍ର ୨୩ ଟି ସମିତି ଜରିଆରେ ମାତ୍ର ୫୮୪ କ୍ୱିଣ୍ଟାଲ ବିହନ ଉଠାଣ ହୋଇଥିଲା । ସେତକ ମଧ୍ୟ ବିକ୍ରି ହୋଇନପାରି ସମବାୟ ସମିତି ଗୋଦାମରେ ପଡିରହିଛି । ସେପଟେ ଚାଷୀ ସରକାରୀ ରିହାତି ଘୋଷିତ ବିହନ ଖରିଦ କରିବା ପରିବର୍ତ୍ତେ ଅଧିକ ଦରଦେଇ ଘରୋଇ ଡିଲରଙ୍କ ଜରିଆରେ ଉପଲବ୍ଧ ହେଉଥିବା ବିଭିନ୍ନ ଘରୋଇ କଂପାନୀଙ୍କ ଦ୍ୱାରା ପ୍ରସ୍ତୁତ ଅଧିକ ଅମଳକ୍ଷମ ବିହନ କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।

ଚଳିତବର୍ଷ ରାଜ୍ୟ ସରକାର ବନ୍ୟାଞ୍ଚଳ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଅଥବା ଓଏସ୍‌ଏସ୍‌ସି ଦ୍ୱାରା ପ୍ରସ୍ତୁତ ସରକାରୀ ବିହନ ବିକ୍ରି ବୃଦ୍ଧି କରିବା ଲାଗି ହେଉ ବିହନ ବିକ୍ରି କ୍ଷେତ୍ରରେ ଅତିରିକ୍ତ ୨୫ ପ୍ରତିଶତ ରିହାତି ଘୋଷଣା କରିଛନ୍ତି । ହେଲେ ଏହି ଆର୍ଥିକ ରିହାତି ଜିଲାର ଚାଷୀଙ୍କୁ ସରକାରୀ ବିହନ କ୍ରୟ କରିବାକୁ ଆକର୍ଷିତ କରିପାରିନାହିଁ । ତେବେ ଏ ସଂପର୍କରେ ଓଏସ୍‌ଏସ୍‌ିର ଏସ୍‌ପିଓ ମନୋଜ ପ୍ରଧାନଙ୍କୁ ଯୋଗାଯୋଗ କରାଯାଇଥିବାବେଳେ ସେ କହିଥିଲେ ସୋସାଇଟି ଗୁଡିକର କମିାନ ଅର୍ଥ ନେଣଦେର ସହିତ ବିହନ ବିକ୍ରିର କୌଣସି ସଂପର୍କ ନାହିଁ । ତା’ ଛଡା ଫାଉଣ୍ଡେସନ ବିହନ ଯୋଗାଣ ଏକ ଦୀର୍ଘମିଆଦି ଏବଂ ବ୍ୟୟବହୁଳ ବ୍ୟବସ୍ଥା ହୋଇଥିବା ହେତୁ ଚାଷୀଙ୍କୁ ଓଏସ୍‌ଏସ୍‌ସି କେବଳ ପ୍ରାମାଣିକ ବିହନ ଯୋଗାଉଛନ୍ତି । ତେବେ ହାଇବ୍ରିଡ୍ ବିହନର ବହୁଳ ପ୍ରସାର ଯୋଗୁଁ ଚାଷୀ ଓଏସ୍‌ଏସ୍‌ସି ପ୍ରସ୍ତୁତ ପ୍ରାମାଣିକ ବିହନ କିଣିବାକୁ ଆଗ୍ରହୀ ହେଉନାହାଁନ୍ତି । ତଥାପି ନିଗମ ପ୍ରତିବର୍ଷ ଧାର୍ଯ୍ୟ ମୁତାବକ ବିହନ ବିକ୍ରି କରିବାରେ ସଫଳ ହୋଇଆସୁଛି । ଚଳିତବର୍ଷ ଜିଲାରେ ପ୍ରାୟ ୯ ହଜାର କ୍ୱିଣ୍ଟାଲ ପ୍ରାମାଣିକ ବିହନ ବିକ୍ରି କରିବାକୁ ଲକ୍ଷ ଧାର୍ଯ୍ୟ ରଖିଥିବାବେଳେ ବର୍ତ୍ତମାନ ସୁଦ୍ଧା ୪୮ଟି ଘରୋଇ ଡିଲର ଏବଂ ୨୩ଟି ପାକ୍ସ ଜରିଆରେ ପ୍ରାୟ ୪ ହଜାର ୫ ଶହ କ୍ୱିଣ୍ଟାଲ ବିହନ ଯୋଗାଇ ଦେଇଛୁ । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲାରେ ୧ ଲକ୍ଷ ୬୧ ହଜାର ୫ ଶହ ହେକ୍ଟର ଜମିରେ ଖରିଫ ଚାଷ ଲାଗି ପ୍ରାୟ ୨୦ ରୁ ୨୫ ହଜାର କ୍ୱିଣ୍ଟାଲ ବିହନର ଆବଶ୍ୟକତା ରହିଛି । ଯାହାକି ଓଏସ୍‌ଏସ୍‌ସି ଜରିଆରେ ଯୋଗାଣ ସମ୍ଭବପର ହୋଇପାରୁନଥିବାରୁ ଚାଷୀମାନେ ଅଧିକ ଦର ଦେଇ ବିଭିନ୍ନ ଘରୋଇ କଂପାନୀଙ୍କ ଦ୍ୱାରା ପ୍ରସ୍ତୁତ ହାଇବ୍ରିଡ୍ ଧାନ ବିହନ କ୍ରୟ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.