Home Top News ରାଜ୍ୟ ପରିଷଦ ଅଧିବେଶନର ନିଷ୍ପତ୍ତି : ସେପ୍ଟେମ୍ବରରେ ସିପିଆଇର ରାଜ୍ୟବ୍ୟାପୀ ଆନ୍ଦୋଳନ

ରାଜ୍ୟ ପରିଷଦ ଅଧିବେଶନର ନିଷ୍ପତ୍ତି : ସେପ୍ଟେମ୍ବରରେ ସିପିଆଇର ରାଜ୍ୟବ୍ୟାପୀ ଆନ୍ଦୋଳନ

34

ଭୁବନେଶ୍ୱର, ୧୩/୮– (ଓଡ଼ିଆ ପୁଅ) ବିଭିନ୍ନ ଜନ କଲ୍ୟାଣ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ବିରୋଧରେ ଏବଂ ସ୍ଥାନୀୟ ଜନସମସ୍ୟାକୁ ନେଇ ଆସନ୍ତା ସେପ୍ଟେମ୍ବର ୧୬ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବ୍ଲକ ଓ ପଞ୍ଚାୟତ ସ୍ତରରେ ସିପିଆଇ ବିକ୍ଷୋଭ ଓ ଧାରଣାମାନ ସଂଗଠିତ କରିବ। ଗତକାଲି ଓ ଆଜି ଦୁଇଦିନ ଧରି ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ରମଣୀରଞ୍ଜନ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ଓ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ଜନ ଆନ୍ଦୋଳନର ପ୍ରସ୍ତୁତି ପାଇଁ ସେପ୍ଟେମ୍ବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ପାର୍ଟି ଆଞ୍ଚଳିକ (ଜୋନ) କମିଟିର ଜେନେରାଲବଡ଼ିମାନ ଅନୁଷ୍ଠିତ ହେବ।

ବୈଠକର ପ୍ରାରମ୍ଭରେ ଅଲମ୍ପିକ୍ସରେ ଭାରତର ହୃତ ଗୌରବକୁ ଫେରାଇ ଆଣିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଓ ସେଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୪ଜଣ ଓଡ଼ିଆ ଖେଳାଳିଙ୍କ ସମେତ ସମସ୍ତ ପଦକ ବିଜେତା ଓ ଖେଳାଳିଙ୍କୁ ଅଭିନନ୍ଦନ ଜଣାଯାଇଥିଲା।

ରାଜ୍ୟ ପରିଷଦରେ ଗୃହୀତ ଅନ୍ୟାନ୍ୟ ପ୍ରସ୍ତାବରେ ଓଡ଼ିଶାରେ ଦ୍ୱିତୀୟ ଏମ୍‌ସ ସୁନ୍ଦରଗଡ଼ଠାରେ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ସୁପାରିଶକୁ କେନ୍ଦ୍ର ସରକାର ତୁରନ୍ତ କାର୍ଯ୍ୟକାରୀ କରିବା; ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟଦପ୍ତର ପଶ୍ଚିମ ଓଡ଼ିଶାକୁ ସ୍ଥାନାନ୍ତରିତ କରିବା; ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପକୁ ଜନସାଧାରଣଙ୍କ ଇଚ୍ଛା ବିରୋଧରେ ଜୋର୍ ଜବରଦସ୍ତ ଲଦି ନ ଦେଇ, ଆନ୍ଦୋଳନ ଉପରେ ବଳ ପ୍ରୟୋଗ ଓ ଦମନଲୀଳା ବନ୍ଦ କରି ଉଭୟ ଜିଲ୍ଲାର ଜନସାଧାରଣଙ୍କୁ ବିଶ୍ୱାସକୁ ନେଇ ସମସ୍ୟାର ସମାଧାନ ଏବଂ ଚାଷୀଙ୍କ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ ତାରିଖକୁ ବୃଦ୍ଧି କରିବା ସହିତ ସାରର ଅଭାବକୁ ଦୂର କରିବା ପାଇଁ ଦାବି କରାଯାଇଛି।

ସାଙ୍ଗଠନିକ କ୍ଷେତ୍ରରେ ଆସନ୍ତା ଅକ୍ଟୋବର ୧ରୁ ନଭେମ୍ବର ୧୫ ମଧ୍ୟରେ ରାଜ୍ୟର ସମସ୍ତ ଶାଖା ସମ୍ମିଳନୀ ଏବଂ ନଭେମ୍ବର ୧୫ରୁ ଡିସେମ୍ବର ୧୫ ମଧ୍ୟରେ ଆଞ୍ଚଳିକ ସମ୍ମିଳନୀମାନ ଶେଷ କରିବା ପାଇଁ ରାଜ୍ୟ ପରିଷଦ ନିଷ୍ପତ୍ତି ଗ୍ରହଣ କରିଛି। ଏହା ବ୍ୟତୀତ ବୈଠକରେ ରାଜନୈତିକ ପରିସ୍ଥିତି ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।

ଏହି ଦୁଇଦିନିଆ ଅଧିବେଶନରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଦିବାକର ନାୟକ ଓ ରାମକୃଷ୍ଣ ପଣ୍ଡା, ରାଜ୍ୟ ସହସମ୍ପାଦକ କ୍ଷୀରୋଦ ସିଂହଦେଓ, ଜାତୀୟ ପରିଷଦ ସଭ୍ୟ ଅଭୟ ସାହୁ ଓ ଅଶୋକ ଦାଶ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.