Home ଜିଲ୍ଲା ପରିକ୍ରମା ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଉଦ୍‌ଘାଟିତ

ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଉଦ୍‌ଘାଟିତ

132

ଯାଜପୁର୨୫ା୧(ଓଡିଆ ପୁଅ/ବିରଞ୍‌ଚିନାରୟଣ ପତ୍ରୀ)ଯୁବକମାନେ ସମାଜର ବଳ । ଯୁବଶକ୍ତି ଦ୍ୱାରା ସମାଜରେ ପରିବର୍ତନ ସମ୍ଭବ । ତେଣୁ ଯୁବକମାନେ ଭାରତୀୟ କଳା ସଂସ୍କୃତିକୁ ପାଥେୟ କରି ସମାଜ ପରିବର୍ତନର ଆବାହକ ହେବା ଉଚିତ୍ ବୋଲି ଆଜି ୪ର୍ଥ ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । କୋରାଇ ବ୍ଲକ୍ ଖମଣ ପଂଚାୟତ ଶଙ୍ଖଚିଲା ସ୍ଥିତ ମା’ ହିଙ୍ଗୁଳା ପୀଠରେ ଆଜି ୪ର୍ଥ ରାଜ୍ୟସ୍ତରୀୟ ଯୁବ ମହୋତ୍ସବର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟସାଣୀ ଯୋଗଦେଇ ମତବ୍ୟକ୍ତ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ର ଯୋଗଦେଇ ଜୀବନରେ ସଫଳ ହେବାପାଇଁ କେବଳ ସ୍କୁଲ କଲେଜର ପାଠପଢା ନୁହେଁ ପିତାମାତାଙ୍କ ଆର୍ଶିବାଦ ଓ ବୌଧିକ ଜ୍ଞାନର ଆବଶ୍ୟକତା ରହିଛି ବୋଲି କହିଥିଲେ । ମହୋତ୍ସବ କମିଟିର ସଭାପତି ମନୋଜ ଜେନାଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଅଭିଭାବକ ସଂଘର ସଭାପତି ବାସୁଦେବ ଭଟ୍ଟାଚାର୍ଯ୍ୟ ଯୋଗଦେଇ ଯୁବକମାନଙ୍କ ଭବିଷ୍ୟତ ଗଢିବାରେ ଅଭିଭାବକଙ୍କ ଦାୟୀତ୍ୱ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ମହୋତ୍ସବ କମିଟିର ମୁଖ୍ୟ ସଂଯୋଜକ ଗୁଣନିଧି ଗୁରୁ, ଦୀପକ ମହାନ୍ତି ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । କମିଟିର ଉପାଧ୍ୟକ୍ଷ ଅକ୍ଷୟ କୁମାର ଜେନା ମଂଚ ପରିଚାଳନା କରିଥିବା ବେଳେ ଯୋଗାଚାର୍ଯ୍ୟ ବନମାଳୀ ରଥ ବେଦପାଠ କରିଥିଲେ । ଏହି ଅବସରରେ ହିଙ୍ଗୁଳା ପୀଠରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ସାଂସଦ ଶ୍ରୀ ମହାପାତ୍ର ନିଜ ହାତପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିବା ଘୋଷଣା କରିଥିଲେ । କମିଟି ପକ୍ଷରୁ ଶ୍ରୀ ମହାପାତ୍ରଙ୍କୁ କଳିଙ୍ଗ କେଶରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଯାଜପୁର ଜିଲ୍ଲାର ସ୍ୱେଚ୍ଛାସେବୀ ସଂଗଠନ “ଆମେ ବିପଦର ସାଥୀ”, “ବିଶ୍ୱଜୟ ଫଉଣ୍ଡେସନ”, “ନବଉତ୍କଳ ମହିଳା ସମିତି”, “ହ୍ୟୁମାନ ନିଡସ୍ ଅର୍ଗାନାଇଜେସନ” ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଟେଲି କଳାକାର ପ୍ରୀୟଙ୍କା ପ୍ରୀୟଦର୍ଶିନୀଙ୍କୁ କଳିଙ୍ଗ ଏକ୍ସିଲେନ୍‌ସି, ବିଦୁସ୍ମିତା ଦାସମନ୍ତ୍ରୀଙ୍କୁ କଳିଙ୍ଗ ସୁନ୍ଦରର ଏବଂ ଶ୍ୱାତୀ ମିଶ୍ରଙ୍କୁ ଯୁବ ସମାଜ ଉଦ୍ୟୋଗୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶେଷରେ କମିଟିର ଆବାହକ ମଦନ ମୋହନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.